– ରୋମାଞ୍ଚକର ହେବ ଦିନିକିଆ କ୍ରିକେଟ୍
– କମିବ ବ୍ୟାଟରଙ୍କ ରାଜୁତି
– ବୋଲରମାନେ ଫେରି ପାଇବେ ରିଭର୍ସ ସୁଇଂ
ବିଶ୍ୱର ସବୁଠୁ ଲୋକପ୍ରିୟ ଫର୍ମାଟ୍ ଦିନିକିଆ କ୍ରିକେଟ୍ ଏଣିକି ପୂର୍ବ ରୋମାଞ୍ଚ ଫେରି ପାଇବ । ଚୌକା ଓ ଛକାର ବର୍ଷା ମଧ୍ୟରେ ବୋଲରମାନେ ମଧ୍ୟ ପୂର୍ବ ଭଳି ରାଜୁତି କରିବେ । ପେସ୍ ବୋଲରମାନେ ବଲ୍କୁ ରିଭର୍ସ ସୁଇଂ କରାଇବେ । ସ୍ପିନରମାନେ ଦୁସ୍ରାଠୁ ଆରମ୍ଭ କରି କ୍ୟାରମ ବଲ୍ ପର୍ଯ୍ୟନ୍ତ ସବୁ କୌଶଳରେ ସଫଳ ହେବେ । ଆଇସିସି ଖୁବ୍ଶୀଘ୍ର ଦିନିକିଆ କ୍ରିକେଟ୍ରେ ଏକି ନିୟମ ପରିବର୍ତ୍ତନ କରିବାକୁ ଯାଉଛି ।
ଧଳା ବଲ୍ରେ ଖେଳାଯାଉଥିବା ଦିନିକିଆ କ୍ରିକେଟ୍ରେ ବ୍ୟାଟରମାନେ ଦୀର୍ଘ ଦିନ ଧରି ରାଜୁତି କରିଆସୁଛନ୍ତି । ଦକ୍ଷ, ଅଭିଜ୍ଞ କିମ୍ବା ଘାତକ ବୋଲର, ଯିଏବି ହୁଅନ୍ତୁ, ବ୍ୟାଟରମାନେ ଆଉ ଡରୁ ନାହାନ୍ତି । କେବଳ ନିଧୁର୍ମ ଛେଚୁଛନ୍ତି । ଦର୍ଶକ ମଧ୍ୟ ଏହାର ଭରପୁର ମନୋରଞ୍ଜନ ଉଠାଉଛନ୍ତି । ବ୍ୟାଟରଙ୍କ ପ୍ରହାରରେ ଲାଇନ୍ଚ୍ୟୁତ ବୋଲରମାନଙ୍କ ଦୟନୀୟ ଅବସ୍ଥା ଦେଖି ଆଇସିସି ଏକ ନିୟମ ପରିବର୍ତ୍ତନ କରିବାକୁ ଯାଉଛି । ପୂର୍ବ ଭଳି ୨ଟି ନୂଆ ବଲ୍ରେ ଗୋଟିଏ ଇନିଂସ୍ ବା ପୂର୍ଣ୍ଣ ୫୦ ଓଭର ବୋଲିଂ ହେବ । କିନ୍ତୁ ପ୍ରଥମ ୨୫ ଓଭର ପରେ ଆଉ ବଲ୍ ପରିବର୍ତ୍ତନ ହେବ ନାହିଁ । ଅର୍ଥାତ୍ ୨୬ଓଭର ଠାରୁ ୫୦ଓଭର ଶେଷ ହେବା ପର୍ଯ୍ୟନ୍ତ କେବଳ ଗୋଟିଏ ବଲ୍ରେ ବୋଲିଂ କରାଯିବ।
ଜାରି ରହିଥିବା ନିୟମ ଅନୁଯାୟୀ ପିଚ୍ର ଉଭୟ ପଟୁ ନୂଆ ବଲ୍ରେ ବୋଲିଂ ହୁଏ । ଅର୍ଥାତ ପ୍ରଥମ ଓଭରରେ ଗୋଟିଏ ନୂଆ ବଲ୍ ଓ ଦ୍ୱିତୀୟ ଓଭରରେ ଆଉ ଏକ ନୂଆ ବଲ୍ରେ ବୋଲିଂ ହୁଏ । ତୃତୀୟ ଓଭର ବେଳକୁ ପ୍ରଥମ ଓଭରରେ ବ୍ୟବହୃତ ବଲ୍ରେ ବୋଲିଂ କରାଯାଏ । ସେହିପରି ଚତୁର୍ଥ ଓଭରରେ ଦ୍ୱିତୀୟ ଓଭର ବୋଲିଂ ହୋଇଥିବା ବଲ୍ ବ୍ୟବହାର କରାଯାଏ। ଏହି ଭଳି ୫୦ ଓଭର ପର୍ଯ୍ୟନ୍ତ ବଲ୍ ଅଦଳ ବଦଳ କରାଯାଏ। ଫଳରେ ଉଭୟ ବଲ୍ରେ ୨୫ ଓଭର ଲେଖାଏଁ ବୋଲିଂ କରାଯାଇଥାଏ।
ପରିବର୍ତ୍ତିତ ନିୟମରେ ପ୍ରଥମ ୨୫ ଓଭର ପର୍ଯ୍ୟନ୍ତ ପିଚ୍ର ଉଭୟ ୱିକେଟ୍ ପଟରୁ ବଲ୍ ପରିବର୍ତ୍ତନ ହେବ। ୨୬ ଓଭର ଠାରୁ ୫୦ ଓଭର ପର୍ଯ୍ୟନ୍ତ ଆଉ ବଲ୍ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ ପ୍ରଥମ ଓଭର ବୋଲିଂ ହୋଇଥିବା ବଲ୍ରେ ମାତ୍ର ୧୩ ଓଭର ବୋଲିଂ ହେବ। ଦ୍ୱିତୀୟ ଓଭର ବୋଲିଂ ହୋଇଥିବା ବଲ୍ରେ ମୋଟ୍ ୩୭ ଓଭର ବୋଲିଂ କରାଯିବ।
୨୫ ଓଭର ପରେ ବଲ୍ ପରିବର୍ତ୍ତନ ନ ହେଲେ ବୋଲରଙ୍କୁ ଫାଇଦା ମିଳିବ। ପୁରୁଣା ବଲ୍କୁ ଡେଥ୍ ଓଭରଗୁଡ଼ିକରେ ପେସ୍ ବୋଲରମାନେ ରିଭର୍ସ ସୁଇଂ କରାଇପାରିବେ। ପୁରୁଣା ବଲ୍ରେ ୟର୍କର ମଧ୍ୟ ଘାତକ ସାବ୍ୟସ୍ତ ହେବ। ସ୍ପିନରମାନେ ମଧ୍ୟ ପୁରୁଣା ବଲ୍କୁ ଟର୍ଣ୍ଣ କରାଇବାରେ ସଫଳ ହେବେ। ଫଳରେ ବ୍ୟାଟରମାନଙ୍କ ପାଇଁ ପୁରୁଣା ବଲରେ ବିଶାଳ ସଟ୍ ଖେଳିବା କଷ୍ଟକର ହେବ।
ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ୍ କମିଟି ଗତ ଆଇସିସି ବୈଠକ ଅବସରରେ ଏହି ନିୟମ ଲାଗୁ କରିବା ପାଇଁ ପ୍ରସ୍ତାବ ଦେଇଛି । ପ୍ରାୟତଃ ସମସ୍ତ ଆଇସିସି ସଦସ୍ୟତା ଥିବା ଦେଶର ଅଧିନାୟକମାନେ ଏହି ନିୟମକୁ ସ୍ୱାଗତ କରିଛନ୍ତି। ଖୁବ୍ଶୀଘ୍ର କ୍ରିକେଟ୍ କମିଟିର ଏହି ନିୟମ ଉପରେ ଆଇସିସି ମୋହର ମାରିବ । ସୂଚନାଯୋଗ୍ୟ, କ୍ରିକେଟ୍ କମିଟିରେ ଅନ୍ୟ ସଦସ୍ୟଭାବେ ମାହେଲା ଜୟବର୍ଦ୍ଧନେ, ଡାନିଏଲ ଭିଟ୍ଟୋରୀ, ରୋଜର ହାପର୍ର, ସନ୍ ପୋଲକ ଓ ଆଇସିସି ଅଧ୍ୟକ୍ଷ ହେବାକୁ ଯାଉଥିବା ଜୟ ଶାହ ରହିଛନ୍ତି।
3 Comments
Pingback: Are there any populist policies that are good for all?
Pingback: Census in India looks difficult delimitation many challenges
Pingback: Razia sultan was haighest budget film