OMFED: ଓମଫେଡ ହେଉଛି ଓଡ଼ିଶାର ଅସ୍ମିତା। ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ଓମଫେଡର କ୍ଷୀର ବା ଖାଦ୍ୟ ବ୍ୟବହାର କରାଯାଏ । ବଜାରରେ ଓମଫେଡର ବିଭିନ୍ନ ଖାଦ୍ୟ ବିକ୍ରି କରାଯାଉଥିବା ବେଳେ ଏବେ ମାର୍କେଟରେ ଆସିବାକୁ ଯାଉଛି ଓମ୍ଫେଡ ପାଣି ଓ ଚକୋଲେଟ ।
ଦୁଗ୍ଧ ଚାଷୀଙ୍କୁ ମିଳିବ ଏହାର ଲାଭ । ପଞ୍ଚାୟତ ଗୁଡିକରେ ଖୋଲିବ ଓମଫେଡ଼ ପାର୍ଲର। ଓମଫେଡ଼ ସମୀକ୍ଷା ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଥିଲେ।
ଦୁଗ୍ଧ ଓ ଦୁଗ୍ଧ ଭିତ୍ତିକ ଉତ୍ପାଦ ପରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍ଫେଡ୍) ଚକୋଲେଟ୍ ଓ ପ୍ୟାକେଜିଂ ପାନୀୟ ଜଳ ଉତ୍ପାଦନ କ୍ଷେତ୍ରରେ ବିବିଧତା ଆଣିବାକୁ ନିଷ୍ପତ୍ତି ନେଇଛି।
ଓମ୍ ଫେଡ୍ ର ଚକୋଲେଟ୍ ଉତ୍ପାଦନ ୟୁନିଟ୍ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି) ପ୍ରସ୍ତୁତ କରୁଛି। ଓମଫେଡ୍ ର ପରିଚାଳନା ନିର୍ଦେଶକ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଡିପିଆର୍ ପ୍ରସ୍ତୁତ ହେବା ପରେ ଏହାକୁ ଅନୁମୋଦନ ଏବଂ ଆବଶ୍ୟକ ପାଣ୍ଠି ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ।
ଓମ୍ଫେଡ୍ ଆସନ୍ତା ୪ ମାସ ମଧ୍ୟରେ ନିଜ ବ୍ରାଣ୍ଡ ନାମରେ ପ୍ୟାକେଜ୍ ହୋଇଥିବା ପାନୀୟ ଜଳ ଲଞ୍ଚ କରିବ। ଚକୋଲେଟ୍ ଉତ୍ପାଦନ ବର୍ତ୍ତମାନର ଦୁଗ୍ଧ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପ୍ୟାକେଜ୍ ହୋଇଥିବା ପାଣି ଗ୍ରାହକଙ୍କୁ ବୋତଲପାଣି କ୍ଷେତ୍ରରେ ଏକ ନୂତନ ଭରସାଯୋଗ୍ୟ ବିକଳ୍ପ ପ୍ରଦାନ କରିବ ବୋଲି ସେ କହିଛନ୍ତି।
ଏହାବ୍ୟତୀତ ଓମ୍ଫେଡ୍ ବର୍ଷକ ମଧ୍ୟରେ ଦୈନିକ ୧୦ ଲକ୍ଷ ଲିଟର କ୍ଷୀର ସଂଗ୍ରହ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ମହାସଂଘ ରାଜ୍ୟର ୨.୫ ଲକ୍ଷ ଦୁଗ୍ଧ ଚାଷୀଙ୍କଠାରୁ ଦୈନିକ ୫.୫ ଲକ୍ଷ ଲିଟର କ୍ଷୀର କିଣୁଛି। ସେହିପରି ରାଜ୍ୟର ସମସ୍ତ ପ୍ରମୁଖ ପୀଠକୁ ଘିଅ ଯୋଗାଣ କୁ ଦୃଷ୍ଟିରେ ରଖି ଘିଅ ଉତ୍ପାଦନ ବୃଦ୍ଧି କରାଯିବ।
ବର୍ତମାନ ଓମଫେଡ ପକ୍ଷରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ଭଳି ପୀଠକୁ ମାସକୁ ୧୨୦ ଟନ୍ ଘିଅ ଯୋଗାଇ ଦିଆଯାଉଛି।
ମହାପ୍ରସାଦ ପ୍ରସ୍ତୁତିରେ ଓମ୍ଫେଡ୍ ପକ୍ଷରୁ ଯୋଗାଇ ଦିଆଯାଇଥିବା ଶୁଦ୍ଧ ଘିଅ ବ୍ୟବହାର କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବାଧ୍ୟତାମୂଳକ କରିଛି।
ALSO READ: https://purvapaksa.com/odisha-celebrates-chhenapoda-dibasa/
ପ୍ରତି ଓଡ଼ିଆଙ୍କ ପ୍ରଥମ ପସନ୍ଦ ଛେନାପୋଡ଼ : ଜାଣନ୍ତୁ ଏହାର ଉତ୍ପତ୍ତି ଓ ମହତ୍ତ୍ୱ