ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ବେଶ ଲୋକପ୍ରିୟ ନାୟିକା ଏଲିନା।
ଓଲିଉଡର ଆଗଧାଡ଼ିର ନାୟିକ ଏଲିନା ସାମନ୍ତରାୟ ନିଜ ଅଭିନୟରେ ସମସ୍ତ ଫ୍ୟାନ୍ସମାନଙ୍କ ମନରେ ରାଜ କରନ୍ତି। ତାଙ୍କ ବିବାହର ଫୋଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଦୀର୍ଘ ଦିନ ଧରି ଭୁବନେଶ୍ୱର ଯୁବ ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏଲିନା। ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧଭାବେ ବିବାହ କରିଛନ୍ତି ଦୁହେଁ। ନିଜ ପ୍ରେମ ସମ୍ପର୍କକୁ ଆଉ ଏକ ନାମ ଦେଇଛନ୍ତି ଏଲିନା।
ଏହି ବିବାହ ଉତ୍ସବରେ ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟ ଉପସ୍ଥିତ ରହିଥିଲେ । ଦୁଇ ପରିବାରର ବିବାହରେ ବେଶ୍ ଖୁସି ଥିବା ସହ ଦୁହିଁଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି। ଏନେଇ ଏଲିନା ନିଜେ ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ଏଲିନାଙ୍କ ସହିତ ଇଣ୍ଡଷ୍ଟ୍ରିର ବହୁ ଅଭିନେତାଙ୍କ ନାମ ଯୋଡ଼ା ଯାଉଥିଲା । ହେଲେ ସମସ୍ତ ଗୁଜବକୁ ମିଥ୍ୟା ପ୍ରମାଣିତ କରି ଅନୁରାଗଙ୍କ ସହିତ ବିବାହ ଖବର ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଏଲିନା ।
ସୂଚନାଯୋଗ୍ୟ ଯେ, ରିଆଲିଟି ଶୋ ‘କିଏ ହେବ ମୋ ହିରୋଇନ’ର ବିଜୟିନୀ ହୋଇ ଓଲିଉଡରେ ପାଦ ଦେଇଥିଲେ ଏଲିନା ସାମନ୍ତରାୟ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ସେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ କେହି ନୁହେଁ କାହାର, ଜଗା ହାତରେ ପଘା, ଲଭ୍ ଷ୍ଟେସନ, ଝିଅଟା ବିଗିଡ଼ିଗଲା, ଅଭୟ, ମୁଁ ଖାଣ୍ଟି ଓଡ଼ିଆ ଝିଅ, କାବୁଲା ବାରବୁଲା, ହାପି ଲକି, ୪ ଇଡିଅଟସ୍, ଟୋକାଟା ଫସିଗଲା, ପ୍ରତିଶୋଧ, ମାଲ୍ୟଗିରି ଆଦି ଚଳଚିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି। ତେବେ ଚୁଲବୁଲି ନାୟିକା ଏଲିନା ୨୩ ଜୁଲାଇ ୧୯୯୬ ରେ ଯାଜପୁରରେ ଜନ୍ମ ଗ୍ରହଣ କରିଥିଲେ। ପିଲା ଦିନରୁ ହିଁ ଅଭିନୟ ଓ ଡାନ୍ସ ପ୍ରତି ତାଙ୍କର ପ୍ରବଳ ଇଚ୍ଛା ରହିଥିଲା । ଆଉ ସେହି ଇଛା ବଳରେ ସେ ଆଜି ଓଲିଉଡ ଇଣ୍ଡଷ୍ଟ୍ରିର ବେଶ ଲୋକପ୍ରିୟ ନାୟିକା ଭାବରେ ପରିଚୟ ପାଇଛନ୍ତି ।
PREVIOUS POST: https://purvapaksa.com/abhishek-arrived-on-kbc-16-amid-divorce-news-amitabh-said-i-made-a-big-mistake-by-calling-you/