Railway budget utilization: ସୋନପୁର ଓ ପୁରୁଣାକଟକ ମଧ୍ୟରେ ଦୀର୍ଘଦିନ ଧରି ଅଟକି ରହିଥିବା ଏହି ପ୍ରକଳ୍ପରେ ଏକ ବଡ଼ ମାଇଲଖୁଣ୍ଟ ହାସଲ ହୋଇଥିବାରୁ ଏହା ସମ୍ଭବ ହୋଇପାରିଛି।
୨୦୨୪-୨୫ ଆର୍ଥିକ ବର୍ଷରେ ଆବଣ୍ଟିତ ପାଣ୍ଠିର ୮୧ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଥିବାବେଳେ ଓଡ଼ିଶା ଏକ ଆର୍ଥିକ ବର୍ଷରେ ସର୍ବାଧିକ ରେଳ ବଜେଟ୍ ବ୍ୟବହାର କରିଛି।
ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୧୦,୫୮୬ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ମଧ୍ୟରୁ ଜାନୁଆରି ସୁଦ୍ଧା ୮,୬୫୭.୨୩ କୋଟି ଟଙ୍କା ବ୍ୟବହୃତ ହୋଇଛି। ସୂତ୍ରରୁ ପ୍ରକାଶ ଯେ ଟ୍ରାକ୍ ସମ୍ପ୍ରସାରଣ, ବିଦ୍ୟୁତୀକରଣ, ନୂତନ ଲାଇନ୍ ନିର୍ମାଣ, ଷ୍ଟେସନ ଆଧୁନିକୀକରଣ ଏବଂ ନିରାପତ୍ତା ଉନ୍ନତୀକରଣ ସମେତ ରେଳ ପ୍ରକଳ୍ପଗୁଡ଼ିକର ତ୍ୱରାନ୍ୱିତ ଗତି ଯୋଗୁଁ ଗତ ୧୦ ମାସ ମଧ୍ୟରେ ଆବଣ୍ଟିତ ବଜେଟ୍ର ପ୍ରାୟ ୮୧.୭୮ ପ୍ରତିଶତ ଖର୍ଚ୍ଚ ହୋଇଛି।
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ଲାଇନ୍ ପ୍ରକଳ୍ପ ପାଇଁ ୧୧୬୦ କୋଟି, ତାଳଚେର-ବିମଳାଗଡ଼ ଲାଇନ୍ ପାଇଁ ୫୦୦ କୋଟି, ଜୟପୁର-ନବରଙ୍ଗପୁର ୩୮ କିଲୋମିଟର ଲାଇନ୍ ପାଇଁ ୨୩୫ କୋଟି ଓ ଜୟପୁର-ମାଲକାନଗିରି ୧୩୦ କିଲୋମିଟର ଲାଇନ୍ ପାଇଁ ୨୨୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଚଳିତ ଆର୍ଥିକ ବର୍ଷରେ ଚାଲିଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ପ୍ରକଳ୍ପ ପାଇଁ ୯୧୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ୧୯୯୪-୯୫ମସିହାରେ ମଞ୍ଜୁର ହୋଇଥିବା ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ଚ୍ୟାଲେଞ୍ଜ ଯୋଗୁଁ ବିଳମ୍ବର ସମ୍ମୁଖୀନ ହୋଇଥିଲା। ଓଡ଼ିଶା ସରକାର ଜମି ଅଧିଗ୍ରହଣର ସୁବିଧା କରିବା ପରେ ଏବେ ବଡ଼ ଅନୁମୋଦନ ଓ ଅନୁମତି ମିଳିବା ପରେ ଏହି କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।
ପୂର୍ବତଟ ରେଳପଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ଖର୍ଚ୍ଚ ୧୧୦୦ କୋଟି ଟଙ୍କା ଅତିକ୍ରମ କରିବ ଏବଂ ଏହା ଗୋଟିଏ ବର୍ଷରେ ଗୋଟିଏ ପ୍ରକଳ୍ପରେ ସର୍ବାଧିକ ଖର୍ଚ୍ଚ ହେବ। ଚଳିତ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ପ୍ରକଳ୍ପରେ ପ୍ରାୟ ୭୪ କିଲୋମିଟର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସୋନପୁର ଓ ପୁରୁଣାକଟକ ମଧ୍ୟରେ ଦୀର୍ଘ ଦିନ ଧରି ଅଟକି ରହିଥିବା ଏହି ପ୍ରକଳ୍ପରେ ଏକ ବଡ଼ ମାଇଲଖୁଣ୍ଟ ସୃଷ୍ଟି ହୋଇଥିବାରୁ ଏହା ସମ୍ଭବ ହୋଇପାରିଛି। ଅବଶିଷ୍ଟ ୭୫ କିଲୋମିଟର ପୁରୁଣାକଟକ-ଦଶପଲ୍ଲା ସେକ୍ସନ ବର୍ଷକ ମଧ୍ୟରେ ଶେଷ ହେବ ବୋଲି ରେଳବାଇର ଜଣେ ଅଧିକାରୀ କହିଛନ୍ତି।
ସେହିପରି ୧୫୪ କିଲୋମିଟର ତାଳଚେର-ବିମଳାଗଡ଼ ପ୍ରକଳ୍ପର ୩୪ କିଲୋମିଟର, ବିଜୟନଗରମରୁ ସମ୍ବଲପୁର ତୃତୀୟ ଲାଇନର ୧୧୫ କିଲୋମିଟର, ୮୦ କିଲୋମିଟର ଭଦ୍ରକ-ନିରଗୁଣ୍ଡି ତୃତୀୟ ଲାଇନର ୨୮ କିଲୋମିଟର ଏବଂ ବୁଢ଼ାପଙ୍କ-ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନର ୮୬ କିଲୋମିଟର କାମ ଶେଷ ହୋଇଛି। ବିଜୟନଗରମ୍-ସମ୍ବଲପୁର ତୃତୀୟ ଲାଇନ୍ ପାଇଁ ସର୍ବାଧିକ ୯୫୦ କୋଟି ଟଙ୍କା, ବୁଢ଼ାପଙ୍କ-ସାଲେଗାଁ ପାଇଁ ୪୫୦ କୋଟି ଟଙ୍କା ଏବଂ ଭଦ୍ରକ-ନେରଗୁଣ୍ଡି ତୃତୀୟ ଲାଇନ୍ ପାଇଁ ୨୨୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଭୁବନେଶ୍ୱର, କଟକ ଓ ପୁରୀ ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାବେଳେ ଅଧାରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ସିଟି ରେଳ ଷ୍ଟେସନ ପାଇଁ ୨୦୨୨ରେ ମଞ୍ଜୁର ହୋଇଥିବା ଆନୁମାନିକ ୩୯୮ କୋଟି ଟଙ୍କାମଧ୍ୟରୁ ୨୬୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ପ୍ରକଳ୍ପର ୬୦ ପ୍ରତିଶତ ଶେଷ ହୋଇଛି। ଏହାବ୍ୟତୀତ ପୁରୀ ରେଳ ଷ୍ଟେସନରେ ୫୦ କୋଟି ଓ କଟକରେ ୧୬୮.୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
୨୦୨୪-୨୫ରେ ୧୮,୧୧୮ କୋଟି ଟଙ୍କାର ୮ଟି ନୂଆ ରେଳ ପ୍ରକଳ୍ପ ଏବଂ ୧,୧୭୩.୧୨ କୋଟି ଟଙ୍କାର ୫ଟି ପ୍ରମୁଖ ରେଳ ଫ୍ଲାଏ ଓଭର ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଶେଷ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।
Also readhttps://purvapaksa.com/railways-explores-n-power-option-to-cut-fossil-fuel-usage/
ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ପାଇଁ ଏନ-ପାୱାର ବିକଳ୍ପ ଖୋଜୁଛି ରେଳବାଇ
