Road accident: ତ୍ରୁଟିପୂର୍ଣ୍ଣ ସଡ଼କ ନିର୍ମାଣ, ଟ୍ରାଫିକ୍ ଛକଗୁଡ଼ିକରେ ନିୟନ୍ତ୍ରଣର ଅଭାବ, ଚାଳକଙ୍କ ଦ୍ୱାରା ଟ୍ରାଫିକ୍ ଓ ମୋଟରଯାନ ଆଇନର ଉଲ୍ଲଂଘନ, ବେପରୁଆ ଗାଡ଼ି ଚାଳନା ଏବଂ ସର୍ବୋପରି ନିଶା ଓ ସ୍ମାର୍ଟଫୋନ୍ର ବହୁଳ ବ୍ୟବହାର ଯୋଗୁ ସଡ଼କ ଦୁର୍ଘଟଣା ଜନିତ କ୍ଷୟକ୍ଷତି ବଢ଼ୁଥିବା କୁହାଯାଉଛି।
ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ହାର କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି। ଗତ ୩ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାୟ ୧୭ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ପାଖାପାଖି ୭୦ ହଜାର ଲୋକ ଆହତ ହୋଇଛନ୍ତି।
ତ୍ରୁଟିପୂର୍ଣ୍ଣ ସଡ଼କ ନିର୍ମାଣ, ଟ୍ରାଫିକ୍ ଛକଗୁଡ଼ିକରେ ନିୟନ୍ତ୍ରଣର ଅଭାବ, ଚାଳକଙ୍କ ଦ୍ୱାରା ଟ୍ରାଫିକ୍ ଓ ମୋଟରଯାନ ଆଇନ୍ର ଉଲ୍ଲଂଘନ, ବେପରୁଆ ଗାଡ଼ି ଚାଳନା ଏବଂ ସର୍ବୋପରି ନିଶା ଓ ସ୍ମାର୍ଟଫୋନ୍ର ବହୁଳ ବ୍ୟବହାର ଯୋଗୁ ସଡ଼କ ଦୁର୍ଘଟଣା ଜନିତ କ୍ଷୟକ୍ଷତି ବଢ଼ୁଥିବା କୁହାଯାଉଛି। ଏହି ସମସ୍ୟାର ନିରାକରଣ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବର୍ଷବର୍ଷ ଧରି ଗୁରୁତ୍ୱ ଦିଆଯାଉଛି। କେବଳ ସେତିକି ନୁହେଁ, ଭୁବନେଶ୍ୱର-କଟକ ସମେତ ରାଜ୍ୟର ବହୁ ସହରାଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ସାମୟିକ ଭାବେ ଟ୍ରାଫିକ୍ ସ୍ୱେଚ୍ଛାସେବୀରୂପେ ମଧ୍ୟ ନିୟୋଜନ କରାଯାଉଛି।
ବିଶେଷକରି ଦୁଇଚକିଆ ଯାନର ଚାଳକ ଓ ଆରୋହୀମାନେ ହେଲମେଟ୍ ପିନ୍ଧିବା ଏବଂ ଚାରିଚକିଆ ଯାନରେ ସିଟ୍ ବେଲ୍ଟ ବାନ୍ଧିବା ସହିତ ଗାଡ଼ିଗୁଡ଼ିକରୁ କଳାକାଚ ହଟାଇବା ଏବଂ ନିଶାସକ୍ତ ଚାଳକମାନଙ୍କୁ ଧରିବା ଉପରେ ପୁଲିସ ଓ ପରିବହନ ବିଭାଗ ଗୁରୁତ୍ୱାରୋପ କରୁଛନ୍ତି।
ବିଶେଷଜ୍ଞମାନେ କହୁଛନ୍ତି ଯେ ସଡ଼କ ଓ ପୋଲ ଆଦି ନିର୍ମାଣରେ ରହୁଥିବା ତ୍ରୁଟି ଯୋଗୁ ବହୁ ସ୍ଥାନ ଦୁର୍ଘଟଣାପ୍ରବଣ ହେଉଛି। ଅନେକ କ୍ଷେତ୍ରରେ ଟ୍ରାଫିକ୍ ପୋଷ୍ଟଗୁଡ଼ିକରେ କେତେବେଳେ ସ୍ୱୟଂକ୍ରିୟ ଆଲୁଅ କାମ କରୁଛି ତ ଆଉ କେତେବେଳେ ମାସମାସ ଧରି ଅଚଳ ହୋଇ ପଡୁଛି। କେବଳ ସେତିକି ନୁହେଁ, ଖୋଦ୍ ରାଜଧାନୀର ଟ୍ରାଫିକ୍ ଛକଗୁଡ଼ିକ ନିକଟରେ ଯେବ୍ରା କ୍ରସିଂ ସ୍ପର୍ଶ କଲେ ୫୦୦ ଟଙ୍କା ଜରିମାନା ହେବ ବୋଲି ଲେଖାଯାଉଥିବାବେଳେ ଅଧିକାଂଶ କ୍ଷେତ୍ରରେ କିନ୍ତୁ ଯେବ୍ରା କ୍ରସିଂଗୁଡ଼ିକ ବିପଜ୍ଜନକଭାବେ ରହିଛି ।
ସଡ଼କ ଦୁର୍ଘଟଣାର ଭୟାବହତାକୁ ଆଖି ଆଗରେ ରଖି ରାଜପଥ, ହାଟବଜାର, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ଡାକ୍ତରଖାନା, ଷ୍ଟେସନ୍, ବସ୍ଷ୍ଟାଣ୍ଡ ଆଦିଠାରୁ ୫୦୦ ମିଟର ମଧ୍ୟରେ ମଦ ଦୋକାନ ହୋଇପାରିବ ନାହିଁ ବୋଲି ପୂର୍ବରୁ ଆଇନ୍ଗତ ବ୍ୟବସ୍ଥା ଥିଲା। ଏମିତିକି ସୁପ୍ରିମକୋର୍ଟ ମଧ୍ୟ ରାଜପଥଠାରୁ ୫୦୦ ମିଟର ଦୂରତା ମଧ୍ୟରେ ମଦଦୋକାନ ନରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସରକାରୀ କିନ୍ତୁ ସହର ଭିତର ଦେଇ ଯାଉଥିବା ରାଜପଥକୁ ସହରୀ ରାସ୍ତା ଦର୍ଶାଇ ରାସ୍ତା କଡ଼ରେ ଗାଡ଼ି ଚାଳକମାନଙ୍କ ହାତ ପାହାନ୍ତାରେ ନିଶା ସାମଗ୍ରୀ ଯୋଗାଇବାର କାଉଣ୍ଟରମାନ ଖୋଲିଛନ୍ତି।
ଗାଡ଼ି ଚଳାଉଥିବାବେଳେ ଚାଳକମାନେ କିଛିବର୍ଷ ଧରି ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଯୋଗୁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ନିଶା ଓ ଫୋନ୍ ଯୋଗୁ ଅନ୍ୟୁନ ୭୦ ପ୍ରତିଶତ ଦୁର୍ଘଟଣା ଘଟୁଛି ବୋଲି ସଡ଼କ ନିରାପତ୍ତା ଅଭିଯାନ ସହ ଜଡ଼ିତ ବରିଷ୍ଠ ସ୍ୱେଚ୍ଛାସେବୀମାନେ କହୁଛନ୍ତି।
ପ୍ରତିବର୍ଷ ରାଜ୍ୟ ସରକାର ସଡ଼କ ନିରାପତ୍ତା ସଚେତନତା ପକ୍ଷ ପାଳନ ପାଇଁ ବିପୁଳ ଅର୍ଥ ବ୍ୟୟ କରୁଥିବାବେଳେ ଏହା ଧର୍ମକୁ ଆଖିଠାର ଭଳି ପାଣିରେ ପଡ଼ୁଛି। ସମ୍ପୂର୍ଣ୍ଣ ନିଶା ନିବାରଣ ସହ ଟ୍ରାଫିକ୍ ଓ ମୋଟର ଯାନ ଆଇନର ବିଭିନ୍ନ ଧାରାର କଡ଼ା ଅନୁପାଳନ କରାଗଲେ ୬୦ ପ୍ରତିଶତରୁ ଅଧିକ ସଡ଼କ ଦୁର୍ଘଟଣାକୁ ଏଡ଼ାଇ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ବି କମ୍ ନୁହେଁ। ଏ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ସହିତ ଗାଡ଼ି ଚାଳକଙ୍କ ସଚେତନତା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱରେ ଥିବା ବିଭାଗମାନଙ୍କର ସକାରାତ୍ମକ ଭୂମିକା ରହୁଛି।
Also readhttps://purvapaksa.com/vivekananda-taught-the-young-society-to-take-pride-in-asmita/
