ନିଯୁକ୍ତି ପ୍ରତିଶୃତି ହେଲା ପାଣିର ଗାର । ପ୍ରଥମେ ମନାକଲେ ଏବେ ନିଜେ ବାଟ ଫିଟେଇ ଦେଲେ । ରାଜ୍ୟରେ ଶିକ୍ଷକ ତାଲିମ ନେଇ ବେକାର ବସିଛନ୍ତି ହଜାର ହଜାର ଯୁବକ ଯୁବତୀ ହେଲେ ସରକାର ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟରେ ନୂଆ ନିଯୁକ୍ତି ଦେବୁ ଯୁବପିଢିଙ୍କୁ ସ୍ୱାବଲମ୍ବୀ କରିବୁ କହୁଥିବା ସରକାରଙ୍କ ଏ କି ନ୍ୟାୟ? ନୂଆ ନିଯୁକ୍ତି ଦେବା ବଦଳରେ ଅବସର ନେଇ ସାରିଥିବା ଶିକ୍ଷକମାନଙ୍କୁ ପୁଣି ସ୍କୁଲକୁ ଫେରିବାକୁ କହୁଛନ୍ତି, ତାହାପୁଣି ତୃତୀୟ ପକ୍ଷ ନିଯୁକ୍ତି ପଦ୍ଧତିରେ। କିଛିଦିନ ତଳେ ସରକାର ଆଉଟସୋର୍ସିଂ ନିଯୁକ୍ତି ଆଉ ହେବନାହିଁ ବୋଲି କହିଥିଲେ ହେଲେ ଏବେ ନିଜେ ସେଇ ନିୟମ ଭାଙ୍ଗିବେ ବୋଲି ମନେ ହେଉଛି।
ଅନୁଦାନପ୍ରାପ୍ତ ହାଇସ୍କୁଲ, ବ୍ଲକ୍ଗ୍ରାଣ୍ଟ ହାଇସ୍କୁଲ, ସଂସ୍କୃତ ଟୋଲ୍ ସ୍କୁଲରେ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯିବ। ଆଉ ଏହି ପଦବୀରେ କୌଣସି ନୂଆ ସିଟି ବିଇଡି କରିଥିବା ଯୁବକ ଯୁବତୀ ନୁହନ୍ତି ବରଂ ଅବସର ନେଇଥିବା ୬,୩୮୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃନିଯୁକ୍ତି ମିଳିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଅବସର ଶିକ୍ଷକଙ୍କ ପୁନଃ ନିଯୁକ୍ତି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆ ଶିକ୍ଷକ ନିଯୁକ୍ତ ହେବା ଯାଏ ଏହି ଅତିଥି ଶିକ୍ଷକମାନେ କାର୍ଯ୍ୟ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବି ବିଷୟରେ ମାଧ୍ୟମିକ ଶିକ୍ଷା ପରିଷଦକୁ ଜଣାଇବେ। ଏହି ଆଧାରରେ ନିଯୁକ୍ତି ଦିଆଯିବ।
ଖାଲି ପଡ଼ିଥିବା ପଦବିରେ ସ୍କୁଲରେ ଟିଜିଟି ଶିକ୍ଷକ ନିଯୁକ୍ତି ହୁଅନ୍ତି କିମ୍ବା ଆସନ୍ତି ତେବେ ନିଯୁକ୍ତ ହୋଇଥିବା ଅତିଥି ଶିକ୍ଷକଙ୍କୁ ସେହି ସ୍କୁଲରୁ ଅପସାରଣ କରାଯିବ। ଯାହା ଶୁଣି ଲାଗୁଛି ସରକାର ଚୋରକୁ ନିଜେ ବାଟ ଦେଖାଇ ଦେଇଛନ୍ତି। ଯେଉଁ ତୃତୀୟ ପକ୍ଷ ଆଉଟସୋର୍ସିଂ ନିଯୁକ୍ତିକୁ ମନା କରିଥିଲେ ଏବେ ଅବସର ଶିକ୍ଷକଙ୍କ ନିଯୁକ୍ତି ପାଇଁ ତାକୁ ଲାଗୁ କରୁଛନ୍ତି? ଅତିଥି ଶିକ୍ଷକମାନଙ୍କୁ ଚୟନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ପ୍ରିୟାପ୍ରୀତୀ ଦେଖି ନିଯୁକ୍ତି ଦେବେ ନାହିଁ ବା ଟଙ୍କା କାରବାର କରିବେ ନାହିଁ ତାହା କିଏ କହିପାରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ ସରକାର ଅବସରପ୍ରାପ୍ତ ଶିକ୍ଷକଙ୍କ ପ୍ରତି ଏତେ ଆକୃଷ୍ଟ କାହିଁକି, ଯେତେବେଳେ ପ୍ରତିଗାଁରେ ମ,ମାଳମାଳ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ବସିଛନ୍ତି। ସେମାନଙ୍କୁ ସମାନ ଦରମାରେ ଏବେ ନିଯୁକ୍ତି ଦେଇ ପରେ ଦକ୍ଷତା ଭିତିରେ ପାଦୋନତି ବା ସ୍ଥାୟୀ ନିଯୁକ୍ତି ଦେଲେ ସମସ୍ୟା କଣ ହୋଇଥାନ୍ତା ବୋଲି ପ୍ରଶ୍ନ ଉଠିଛି।
ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର, ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ ଏବଂ ସଂସ୍କୃତ ଶିକ୍ଷା ସଂସ୍ଥାନରେ ୬,୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବରେ ନିଯୁକ୍ତି ଦେବାକୁ ଅନୁମୋଦନ କରିଛନ୍ତି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅତିଥି ଶିକ୍ଷକ ଯୋଜନା ଜାରି ରଖିବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ସରକାରୀ ଅନୁମୋଦନ ଭାବରେ ଏହି ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛି। ଏହି ନିଯୁକ୍ତି ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କିମ୍ବା ନୂତନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବୈଧ ରହିବ। ସରକାରୀ ବିଜ୍ଞପ୍ତି ଦ୍ଵାରା ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଅତିଥି ଶିକ୍ଷକଙ୍କ ନିଯୁକ୍ତି କେବଳ ନିର୍ଦ୍ଦେଶାଳୟ ଦ୍ୱାରା ଅନୁମୋଦିତ ଖାଲି ପଦବୀ ଅନୁସାରେ କରାଯିବ। ଏହା ବ୍ୟତୀତ, ଖାଲି ପଦବୀର ପରିମାଣ ଆଧାରରେ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ ଏବଂ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ହିଁ ଏହାକୁ ଆଗକୁ ବଢ଼ାଯିବ।
ଅତିଥି ଶିକ୍ଷକମାନଙ୍କୁ ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ ଏବଂ ସଂସ୍କୃତ ଶିକ୍ଷା ସଂସ୍ଥାନରେ (TOL) ରେ ନିଯୁକ୍ତି ଦିଆଯିବ। ସଂସ୍କୃତ ଶିକ୍ଷାନୁଷ୍ଠାନ ପାଇଁ, କେବଳ ଅବସରପ୍ରାପ୍ତ ଆଇଏସିଟି (ଶାସ୍ତ୍ରୀୟ ଶିକ୍ଷା କଳାରେ ଇଣ୍ଟରମିଡିଏଟ) ଏବଂ ମାଟ୍ରିକ୍-ସିଟି ତାଲିମପ୍ରାପ୍ତ ଶିକ୍ଷକମାନେ ପୁନଃନିଯୁକ୍ତି ପାଇଁ ଯୋଗ୍ୟ। ପ୍ରତ୍ୟେକ ନିଯୁକ୍ତି ଅସ୍ଥାୟୀ ହେବ ଏବଂ ସ୍ଥାୟୀ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (TGT) ଦାୟିତ୍ୱ ନେବା ପରେ ସମାପ୍ତ ହେବ। ତଥାପି, ଗୋଟିଏ ସ୍କୁଲରୁ ଅପସାରିତ ଅତିଥି ଶିକ୍ଷକମାନଙ୍କୁ ଖାଲି ପଦବୀ ଥିବା ଅନ୍ୟ ଏକ ସ୍କୁଲରେ ପୁନଃନିଯୁକ୍ତି କରାଯାଇପାରିବ, ଯଦି ଏହା ଜିଲ୍ଲା ସ୍ତରୀୟ ଖାଲି ପଦବୀ ରିପୋର୍ଟ ସହିତ ସମାନ ହୋଇଥାଏ।
ଏହି ନିଯୁକ୍ତି ପ୍ରକ୍ରିୟା ୨୦୧୬ ଅଗଷ୍ଟ ୧୭, ୨୫ ଜୁଲାଇ ୨୦୧୮ ଏବଂ ୧୪ ଡିସେମ୍ବର ୨୦୧୮ରେ ଜାରି ହୋଇଥିବା ବିଭାଗୀୟ ନିଷ୍ପତ୍ତି ଅନୁସରଣ କରିବ। ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ମଧ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅତିଥି ଶିକ୍ଷକଙ୍କ ଚୂଡ଼ାନ୍ତ ନିଯୁକ୍ତି ସ୍ଥିତି ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ନିଯୁକ୍ତି ସମାପ୍ତ ନହେବା ପର୍ଯ୍ୟନ୍ତ, ଅବସରପ୍ରାପ୍ତ ଶିକ୍ଷକମାନେ ମୂଳ ବିଷୟଗୁଡ଼ିକରେ ଶ୍ରେଣୀଗୃହ ଶିକ୍ଷାଦାନରେ ସହାୟତା ଜାରି ରଖିବେ।
