ରାଜ୍ୟରେ ବିଜେପି ସରକାର ଆସିବା ଦିନଠାରୁ ସାଧାରଣ ଲୋକମାନେ ଶାସନକୁ ଅନୁଭବ କରିପାରୁନଥିବା ଅଭିଯୋଗ ହୋଇ ଆସୁଛି। ଇତି ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା, ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିନପାରିବା, ବିଭିନ୍ନ ସମୟରେ ମନ୍ତ୍ରିମାନଙ୍କର ଦୂରଦୃଷ୍ଟିବିହୀନ ମନ୍ତବ୍ୟ ଆଦି ଚର୍ଚ୍ଚାକୁ ଆସିଛି।
ଏପରିକି ଅଧିକାରୀମାନେ କି ପ୍ରକାର ନିଷ୍ପତ୍ତି ନେବେ ସେ ନେଇ ଠିକଣା ଦିଗଦର୍ଶନ ପାଇପାରୁନଥିବାରୁ ପରିସ୍ଥିତି ଜଟିଳ ହେଉଛି। ଲୋକମାନେ ଏବର ଶାସନକୁ ପୂର୍ବ ଶାସନ ସହ ତୁଳନା କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସର୍ବୋଚ୍ଚ ଶାସନମୁଖ୍ୟ ବୋଲି ବି କହିବାରେ ଥ-ଥ-ମ-ମ ହେଉଛନ୍ତି। କାରଣ ତାଙ୍କର ନିଜ କାର୍ଯ୍ୟାଳୟ ନିଜ ଅଧିନରେ ନାହିଁ ବରଂ ଆଉ କିଏ ଚଳାଉଛି ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଧିକାରୀଙ୍କ ବାରମ୍ବାର ପରିବର୍ତ୍ତନ ଏହାକୁ ସ୍ପଷ୍ଟ କରୁଛି।
କଥାରେ ଅଛି ପୁଅ ଯଦି ଯୋଗ୍ୟ ହେଲା ସଞ୍ଚୟ କରିବି କାହିଁକି? ପୁଅ ଯଦି ଅଯୋଗ୍ୟ ହେଲା ସଞ୍ଚୟ କରିବି କାହିଁକି? ଅର୍ଥାତ୍ ଆମର ଭବିଷ୍ୟତ ଆମର ସଞ୍ଚୟ ଉପରେ ନୁହେଁ ବର୍ତ୍ତମାନର ଯୋଗ୍ୟତା, ଦକ୍ଷତା ଓ କାର୍ଯ୍ୟଧାରା ଉପରେ ନିର୍ଭର କରେ। ଏହା ଆମେ କହୁନାହୁଁ ବହୁ କାଳରୁ ଓଡ଼ିଆ ଢଗଢମାଳିରେ ନୀତିଶିକ୍ଷା ଭାବେ ଏହାକୁ ଗ୍ରହଣ କରାଯାଇଛି।
ଆଜି ଏ କଥାଟି ଓଡ଼ିଶା ସରକାରଙ୍କ କାରବାର ସହ ମେଳ ଖାଉଛି। ଜୁନ୍ ୧୨ ତାରିଖ, ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳ ସହ ଶପଥ ଗ୍ରହଣ କରିଲେ। ଏହା ପୂର୍ବରୁ ବିଧାୟକ ମୋହନ ମାଝୀଙ୍କୁ କେନ୍ଦ୍ରୀୟ ନେତାମାନେ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରିଥିଲେ। ଏବେ ବି ସେ ଆମର ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି କିନ୍ତୁ ନିଷ୍ପତ୍ତି ସେଇ କେନ୍ଦ୍ରୀୟ ନେତାଙ୍କ ଦ୍ୱାରା ହିଁ ନିଆଯାଉଛି ବୋଲି ଅଭିଯୋଗ ହୋଇଛି।
ଏପରିକି ମୁଖ୍ୟମନ୍ତ୍ରୀ ନିଜ ପାଇଁ ନିଜର କ୍ଷମତାଶାଳୀ କାର୍ଯ୍ୟାଳୟରେ ଆବଶ୍ୟକ ଅଧିକାରୀଙ୍କୁ ପାଇପାରୁ ନାହାନ୍ତି। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଧିକାରୀଙ୍କ ଅଦଳବଦଳ ଲାଗି ରହିଛି। ଏକବର୍ଷ ହେବାକୁ ବସିଲାଣି କିନ୍ତୁ କାର୍ଯ୍ୟାଳୟର ଅଧିକାରୀଙ୍କ ଭିତରେ ଏକ ପ୍ରତିବଦ୍ଧତା ସମ୍ପନ୍ନ ବନ୍ଧନ ବା ଘନିଷ୍ଠତା ବିକଶିତ ହୋଇପାରୁନାହିଁ। ଫଳରେ ସେମାନେ ରାଜ୍ୟ ଶାସନକୁ ଦିଗ୍ଦର୍ଶନ ଦେବେ କେମିତି?
ନେତୃତ୍ୱ ଶକ୍ତ ନ ହେବାରୁ ଅନେକ ସମୟରେ କିଛି କୁଜି ନେତା ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଟ, କେନ୍ଦ୍ରମନ୍ତ୍ରୀଙ୍କ ଏଜେଣ୍ଟ ବୋଲି କହି ସ୍ୱଚ୍ଛ ଶାସନରେ ବାଧା ଆଣୁଥିବା ଅଭିଯୋଗ ହୋଇଛି। ଏମିତି ଦୁଇଜଣ ନେତାଙ୍କୁ ଏବେ ଆଉ ତୃତୀୟ ମହଲାରେ ପ୍ରବେଶ ଅନୁମତି ମିଳୁ ନାହିଁ। କିନ୍ତୁ ଅଧିକାରୀଙ୍କ ଭିତରେ ନେତୃତ୍ୱ ସୃଷ୍ଟି ନ ହେବାରୁ କେବଳ ଦୋଷ ଲଦାଲଦିରେ ପ୍ରଶାସନ ଅଟକି ରହୁଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏମିତି ଉତ୍କଟ ଅବସ୍ଥା ଦେଖିବାକୁ ମିଳୁଛି। ଏଠାରେ ଓଡ଼ିଆ ଅଧିକାରୀଙ୍କ ଆଧିପତ୍ୟ ରହିଛି, କିନ୍ତୁ କିଏ କେତେବଳେ କାହାକୁ ନିୟନ୍ତ୍ରଣ କରୁଛି ତାହା ଜଣାପଡ଼ୁନାହିଁ। କ୍ଷମତାକୁ ଆସିବା ପରେ ଏହି କାର୍ଯ୍ୟାଳୟରେ ଯେଉଁ ଅଧିକାରୀମାନେ ଥିଲେ ସେମାନେ ବିଜୁ ଜନତା ଦଳର ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ନିକଟତର ଥିଲେ। ସେମାନଙ୍କୁ ଏ ସରକାର ଆସ୍ଥାକୁ ନ ନେଇ ଏକ ନୂଆ ଟିମ୍ ଗଠନ କରିବାକୁ ଚାହିଁଲେ।
ଆଉ ଏହି ପୁନର୍ଗଠନ ପ୍ରକ୍ରିୟାକୁ ୩ ମାସ ବିତିଗଲାପରେ କିଛି ଅଧିକାରୀକୁ ନେଇ କାର୍ଯ୍ୟାଳୟ ନବୀକରଣ ହେଲା। ତଥାପି ଯେଉଁ ଅଧିକାରୀଙ୍କୁ ବିଭିନ୍ନ ପରାମର୍ଶ ପରେ ଏଠାକୁ ଅଣାଗଲା ସେମାନଙ୍କ ଭିତରୁ ଅନେକ ବିଜେଡି ଭାବଧାରାରେ ପ୍ରବାହିତ ହେଉଥିବା ଅଭିଯୋଗ ଆସିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ସେମାନେ ବେଶୀ ବିରୋଧୀ ଦଳ ନେତା ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ନିକଟତର ହୋଇଥିବା ଅଭିଯୋଗ ଆସିଥିଲା। ଏଣୁ ତାଙ୍କୁ ବଦଳି କରାଗଲା। ପୁଣି ତାଙ୍କ ବଦଳରେ ଯାହାଙ୍କୁ ଅଣାଗଲା ସେ ଅଧିକାରୀମାନେ ବି ସମାନ ବ୍ୟବହାର କରିଲେ।
ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଅନୁସାରେ ତାଙ୍କ କାର୍ଯ୍ୟକ୍ରମ ମେଳ ଖାଇଲା ନାହିଁ। ଏଣୁ ସ୍ୱତନ୍ତ୍ରଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଁ ଆସିଥିବା ଅରିନ୍ଦମ ଡାକୁଆଙ୍କୁ ପୁଣିଥରେ ବଦଳି କରାଯାଇଥିବା କୁହାଯାଏ। ଖାଲି ସେ ନୁହଁନ୍ତି, ନିର୍ବାଚନ ସମୟରେ ଯଥେଷ୍ଟ ପାରଦର୍ଶିତା ପ୍ରଦର୍ଶନ କରିଥିବା ନିକୁଞ୍ଜ ବିହାରୀ ଧଳଙ୍କ ଉପରେ ବି କିଛିମାସ ଭିତରେ ଆସ୍ଥା ହରାଇଲେ ଶାସନ କଳ। ତାଙ୍କୁ କେନ୍ଦ୍ରକୁ ପଠାଇ ଆଉ ଜଣେ ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ଲାଗି କେନ୍ଦ୍ରକୁ ଅନାଇଛନ୍ତି ରାଜ୍ୟ ସରକାର।
ଏଠି ଅଭିଯୋଗ ଆସୁଛି ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅର୍ଥାତ୍ ସିଏମ୍ଓରେ ଏବେ ପିଏମ୍ଓ ବା ପ୍ରଧାନାମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଛି। କାରଣ ଯେଉଁ ଅଧିକାରୀମାନେ ନିଯୁକ୍ତ ହେଉଛନ୍ତି ସେମାନେ କୁଆଡ଼େ ପିଏମ୍ଓର ନିଷ୍ପତ୍ତି ଅନୁସାରେ ହିଁ ଏଠାକୁ ଆସୁଛନ୍ତି।
ଏହା କେତେ ଠିକ୍ ସେ ନେଇ ଆମେ ସ୍ପଷ୍ଟ ନୁହଁ, କିନ୍ତୁ ଓଡ଼ିଶା ବାହାର କ୍ୟାଡର ଅଧିକାରୀ ମନୋଜ ସାହୁଙ୍କ ନିଯୁକ୍ତି ସମୟରେ ଏହି କଥା ସାମ୍ନାକୁ ଆସିଛି। ସେ ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି। ଏହାଙ୍କ ପୂର୍ବରୁ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ଡିଜି ନିଯୁକ୍ତିବେଳେ ମଧ୍ୟ ପିଏମ୍ଓର ହାତ ଥିବା ଅଭିଯୋଗ ହେଉଛି।
ରାଜ୍ୟ ଶାସନର ମୁଖ୍ୟ ଯେମିତି ମୁଖ୍ୟମନ୍ତ୍ରୀ, ପ୍ରଶାସନର ମୁଖ୍ୟ ହେଉଛନ୍ତି ମୁଖ୍ୟ ଶାସନ ସଚିବ। ହେଲେ ରାଜ୍ୟରେ ମୁଖ୍ୟ ଶାସନ ସଚିବ ଠିକାରେ ନିଯୁକ୍ତି ହୋଇଛନ୍ତି। ତାଙ୍କର ଅବସର ହୋଇସାରିଥିଲେ ବି ତାଙ୍କ ଚାକିରିକାଳକୁ ବଢ଼ାଇ ମୁଖ୍ୟ ସଚିବ ଦାୟିତ୍ୱ ଦିଆଯାଇଛି।
ବଡ଼କଥା ହେଲା ଦାୟିତ୍ୱ ନେବା ପୂର୍ବରୁ ସେ ଅନେକ ଦିନ ହେଲା ଓଡ଼ିଶାରେ ନ ଥିଲେ କି ସେ ଜଣେ ଓଡ଼ିଆ ଭାଷାଭାଷୀ ବ୍ୟକ୍ତି ନୁହଁନ୍ତି। ଠିକ୍ ସେହିପରି ପୁଲିସ ପ୍ରଶାସନର ମୁଖ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଡେପୁଟେସନ୍ ହଟାଇ ଦିଆଯାଇ ରାଜ୍ୟରେ ନିଯୁକ୍ତ କରାଯାଇଛି।
ଓଡ଼ିଆ ଅସ୍ମିତା କହି ଆନ୍ଦୋଳନ ଆରମ୍ଭ କରିଥିବା ଏହି ବିଜେପି ପାଖରେ ଓଡ଼ିଶାରେ ପ୍ରଶାସନ ଚଳାଇବାକୁ ନା ପୁଲିସ ନା ସାଧାରଣ ପ୍ରଶାସନରେ ଓଡ଼ିଆ ଅଧିକାରୀ ନ ମିଳିବା ଚର୍ଚ୍ଚାକୁ ଖୋରାକ ଦେଇଛି।
ଅବଶ୍ୟ ରାଜ୍ୟରେ ଭଲ ସରକାର ପ୍ରଚଳନ ପାଇଁ କେନ୍ଦ୍ର ସହ ତାଳମେଳର ଆବଶ୍ୟକତା ରହିଛି। କିନ୍ତୁ, ପ୍ରତିଟି ମାମଲାରେ କେନ୍ଦ୍ରର ପରାମର୍ଶ ଏବେ ହସ୍ତକ୍ଷେପ ସଦୃଶ ପରିଲକ୍ଷିତ ହୋଇଛି। ମୋହନ ଯେ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ତାହାକୁ ପ୍ରମାଣିତ କରୁଛି। ଏଥିରେ ଦୋଷ କାହାର ବୋଲି ଯଦି ପ୍ରଶ୍ନ କରାଯାଏ, ଉତ୍ତରରେ ପୁଣି ଏକ ଓଡ଼ିଆ ଢଗ ସାମ୍ନକୁ ଆସିବ ତାହା ହେଲା ହାତର ସୁନା ଯଦି ଭେଣ୍ଡି ତେବେ କହିବି କାହାକୁ?
Also readhttps://purvapaksa.com/gst-on-upi-transactions-over-rs-2000-centre-issues-important-statement/
୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଜିଏସଟି: ଗୁରୁତ୍ୱପୂର୍ଣ୍ଣ ବୟାନ ଜାରି କଲା କେନ୍ଦ୍ର ସରକାର