ODISHA: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନାର ଦୃଷ୍ଟିକୋଣରୁ ପୂର୍ବ ଭାରତର କେନ୍ଦ୍ରସ୍ଥଳରେ ଥିବା ଓଡ଼ିଶାର ସଡ଼କ ଭିତ୍ତିଭୂମିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଯୋଗାଯୋଗ ବୃଦ୍ଧି, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିବଦ୍ଧତାର ସହିତ ଗଡ଼କରୀ ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଯାହା ଓଡ଼ିଶାର ଚିତ୍ରକୁ ନୂଆ ରୂପ ଦେବ ।
୬ ଲେନ୍ ବିଶିଷ୍ଟ ରାଜପଥଠାରୁ ଆରମ୍ଭ କରି ଷ୍ଟ୍ରାଟେଜିକ୍ ବ୍ରିଜ୍ ଓ ଅଣ୍ଡରପାସ୍ ପର୍ଯ୍ୟନ୍ତ ରାଜ୍ୟରେ ପରିବହନ ବିପ୍ଳବ ଚାଲିଥିବା ବେଳେ ୨୦୨୭ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଓ ୩ ଲକ୍ଷ କୋଟି ଟଙ୍କାର ସାହସିକ ଲକ୍ଷ୍ୟ ରଖାଯାଇଛି।
ଗଡ଼କରୀଙ୍କ ଯୋଗୁଁ ପରିବର୍ତନମୂଳକ ପଦକ୍ଷେପ ସହ ଓଡ଼ିଶାର ଜାତୀୟ ରାଜପଥ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ରାଜ୍ୟର ଭବିଷ୍ୟତ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ଏହା ସ୍ପଷ୍ଟ।
ନୂତନ ଯୁଗ
ପୁରୀ ଓ ଭୁବନେଶ୍ବର ଭଳି ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଦୁର୍ଗମ ଆଦିବାସୀ ଅଞ୍ଚଳ ଓ ଶିଳ୍ପକେନ୍ଦ୍ର ସହ ଯୋଡ଼ିବା ସହ ଓଡ଼ିଶାର ସଡ଼କ ନେଟୱର୍କ ଦୀର୍ଘ ଦିନ ଧରି ଜନସାଧାରଣଙ୍କ ପାଇଁ ଲାଇଫ୍ ଲାଇନ୍ ପାଲଟିଛି। ତେବେ ବିଭିନ୍ନ ଦୃଷ୍ଟିରୁ କିଛି ବର୍ଷ ଧରି ରାଜ୍ୟର ରାଜପଥ ପଛରେ ପଡି ରହିଥିଲା। ୨୦୧୪ ମସିହାରୁ ଗଡ଼କରୀ ଓ ମୋଦି ସରକାରଙ୍କ ନେତୃତ୍ୱରେ ଓଡ଼ିଶାର ଜାତୀୟ ରାଜପଥ ଭିତ୍ତିଭୂମିରେ ନାଟକୀୟ ପରିବର୍ତ୍ତନ ହୋଇଛି।
ଗତ ଦଶନ୍ଧି ମଧ୍ୟରେ ୩୩,୦୦୦ କୋଟି ଟଙ୍କା ବ୍ୟୟରେ ୪,୨୫୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୨୦୧୪ ରେ ଏନଏଚ ନେଟୱାର୍କ ୪,୬୩୯ କିଲୋମିଟର ଥିଲା । ୨୦୨୪ ସୁଦ୍ଧା ଏହା ୫,୭୫୩ କିଲୋମିଟରକୁ ବୃଦ୍ଧି ପାଇଛି । ୨୨,୦୦୦ କୋଟି ଟଙ୍କା ମୂଲ୍ୟର ଆଉ ୧୩୧୨ କିଲୋମିଟର ଏବେ ନିର୍ମାଣାଧୀନ ରହିଛି, ଯାହା୨୦୨୫ ଶେଷ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।
୨୦୨୫ ଏପ୍ରିଲରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଭଳି ଜିଲ୍ଲାରେ ୧୫୪ କିଲୋମିଟର ବ୍ୟାପୀ ୪୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରାଯାଇଥିଲା। ଓଡ଼ିଶାର ବିବିଧ ଆବଶ୍ୟକତା ଅନୁଯାୟୀ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି ଦିଗରେ ସରକାରଙ୍କ ଗୁରୁତ୍ବକୁ ଏହି ପ୍ରକଳ୍ପଗୁଡ଼ିକ ପ୍ରମାଣିତ କରୁଛି ।
ବଆଁରପାଳ-ଗୋଡିବନ୍ଧ ରାସ୍ତାର ୪ ଲେନ୍, ତାଳଚେର-କାମାକ୍ଷାନଗର କରିଡର (ଏନ୍ଏଚ୍-୧୪୯ ଓ ଏନ୍ଏଚ୍-୫୩)ର ୪ ଲେନ୍ ଏବଂ ଭୁବନେଶ୍ବର-ପୁରୀ ରାଜପଥର ପରିବର୍ତନମୂଳକ ୬ ଲେନ୍ ନିର୍ମାଣ ଏଥିରେ ଅନ୍ତର୍ଭୁକ୍ତ । ଆଗାମୀ ଶତାବ୍ଦୀ ପାଇଁ ଟ୍ରାଫିକ୍ ଚାହିଦା ପୂରଣ ସକାଶେ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରାଯାଇଛି।
ସେହିପରି ବ୍ରହ୍ମପୁର-ଗୋପାଳପୁର ଓ ରାଉରକେଲା-ବୀରମିତ୍ରପୁର ରାଜପଥ କଡ଼ରେ ଥିବା ୪ଟି ପୋଲ ସହ ବାଲିକୁଦା, ଶିଖରପୁର ଓ ବଡ଼ଚଣାଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଅଣ୍ଡରପାସ୍ ନିର୍ମାଣ କରାଯାଇ ସୁରକ୍ଷା ଓ ଯୋଗାଯୋଗ ବୃଦ୍ଧି କରାଯିବ।
ଭବିଷ୍ୟତ ଯୋଜନା
ଏପ୍ରିଲ ୨୦୨୫ର ଘୋଷଣା ଭାତହାଣ୍ଡିରୁ ଭାତଟିଏ ଚିପିବା ଭଳି । ୧୦୫ କିଲୋମିଟର ବ୍ୟାପୀ ୨୯୦୫ କୋଟି ଟଙ୍କାର ୧୩ଟି ଅତିରିକ୍ତ ଏନଏଚ ପ୍ରକଳ୍ପ ଏବଂ ଭୁବନେଶ୍ୱରରେ ଗଙ୍ଗୁଆ ନାଳ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁର ଶିଳାନ୍ୟାସ କରିଛନ୍ତି ଗଡ଼କରୀ । ଏହି ପଦକ୍ଷେପଗୁଡ଼ିକ ଏକ ବ୍ୟାପକ ପାଇପଲାଇନର ଏକ ଅଂଶ ଯେଉଁଥିରେ ଚାଲୁଥିବା ୬୦,୦୦୦ କୋଟି ଟଙ୍କାର ପ୍ରକଳ୍ପ, ୬୦,୦୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ କାର୍ଯ୍ୟ ଏବଂ ୪୦,୦ କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଅନ୍ତର୍ଭୁକ୍ତ ।
ଆଗାମୀ ଦୁଇ ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ଓଡ଼ିଶାର ରାଜପଥଗୁଡ଼ିକୁ ଆମେରିକୀୟ ସ୍ତରରେ ପହଞ୍ଚାଇବା ଗଡ଼କରୀଙ୍କ ଚୂଡ଼ାନ୍ତ ଲକ୍ଷ୍ୟ।
ନିର୍ମାଣାଧୀନ ପ୍ରମୁଖ କରିଡର ଗୁଡ଼ିକ ମଧ୍ୟରେ ରାୟପୁର-ବିଶାଖାପାଟଣା ରାଜପଥ ଅନ୍ତର୍ଭୁକ୍ତ, ଯାହା ୨୦୨୫ ଶେଷ ସୁଦ୍ଧା ନବରଙ୍ଗପୁରରୁ ବିଶାଖାପାଟଣାକୁ ଯାତ୍ରା ସମୟ ୮.୫ ଘଣ୍ଟାରୁ ମାତ୍ର ୪ ଘଣ୍ଟାକୁ ହ୍ରାସ କରିବ । ବନ୍ଦର ଯୋଗାଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ଚଣ୍ଡିଖୋଲ-ପାରାଦୀପ କରିଡର ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।
ଏହାବ୍ୟତୀତ ୮,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ଦ୍ୱିତୀୟ ରାଞ୍ଚି-ସମ୍ବଲପୁର କରିଡର ଆଞ୍ଚଳିକ ବାଣିଜ୍ୟ ଓ ଗତିଶୀଳତାକୁ ସୁଦୃଢ଼ କରିବ। ୬୨୫୩ କୋଟି ଟଙ୍କା ବ୍ୟୟରେ ୧୧୧ କିଲୋମିଟର ଗ୍ରୀନଫିଲ୍ଡ ପ୍ରକଳ୍ପ ଭୁବନେଶ୍ୱର ରିଙ୍ଗରୋଡ ରାଜଧାନୀ ଅଞ୍ଚଳରେ ଭିଡ଼ କମାଇବା ସହ ସଂଯୋଗ କରିବ । ଏହା ଦ୍ୱାରା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଉପକୃତ ହେବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରସ୍ତାବିତ ଉପକୂଳ ରାଜପଥକୁ ୪ ଲେନ୍ ଓ ସଡ଼କ ବିକାଶ ପାଇଁ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ଦେବାକୁ ଅନୁରୋଧ କରିଛନ୍ତି। ଏକ ପ୍ରାକୃତିକ ଏବଂ ଅର୍ଥନୈତିକ କରିଡର ଭାବରେ ପରିକଳ୍ପନା କରାଯାଇଥିବା ଏହି ଉପକୂଳ ରାଜପଥ ଓଡ଼ିଶାର ୪୮୦ କିଲୋମିଟର ଉପକୂଳରେ ପର୍ଯ୍ୟଟନ ଏବଂ ବାଣିଜ୍ୟକୁ ପୁନଃପରିକଳ୍ପିତ କରିପାରିବ ।
ପ୍ରଗତିର ଦଶନ୍ଧି
୨୦୧୫ମସିହାରେ ୩୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ବଳରେ ଗଡ଼କରୀ ୨,୦୦୦ କିଲୋମିଟର ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ମାନ୍ୟତା ଘୋଷଣା କରିବା ପରେ ଓଡ଼ିଶାର ରାଜପଥ ପରିବର୍ତ୍ତନର ବିହନ ବୁଣାଯାଇଥିଲା। ଏଥିରେ ଭାରତମାଳା ପରିଯୋଜନା ଅଧୀନରେ ୧୨୬୦ କିଲୋମିଟର ଓ ୧୨ ବାଇପାସ୍ ବିଶିଷ୍ଟ ୭ଟି ନୂଆ ଏନ୍ଏଚ୍, ଜଗତସିଂହପୁର, ଯାଜପୁର ଓ ଧାର୍ମିକ ମହତ୍ତ୍ବ ଥିବା ପଛୁଆ ଅଞ୍ଚଳକୁ ଟାର୍ଗେଟ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ବର୍ତ୍ତମାନର ଭିତ୍ତିଭୂମି ଉନ୍ନତି ପାଇଁ ସହାୟକ ହେବ ସହ ଯାହା ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ଯୋଗାଯୋଗ ବ୍ୟବଧାନକୁ ଦୂର କରିବ ।
ଆଜି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ରକ୍ଷଣାବେକ୍ଷଣ ଓ ଟୋଲ୍ ଆଦାୟ ପାଇଁ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ କୁ ଉପଯୋଗ କରି ଓଡ଼ିଶାର ଏନ୍ଏଚ୍ ନେଟୱାର୍କକୁ ପରିଚାଳନା କରୁଛି। ରଣନୈତିକ ଯୋଜନା ସହିତ ଉନ୍ନତମାନର ନିର୍ମାଣ ଉପରେ ଗୁରୁତ୍ବ ଦେବା ଓଡ଼ିଶାକୁ ଭାରତରେ ରାଜପଥ ବିକାଶ ପାଇଁ ଏକ ମଡେଲ ଭାବେ ସ୍ଥାନିତ କରିଛି।
ଭୁବନେଶ୍ୱର-ପୁରୀ କରିଡର ଭଳି ପର୍ଯ୍ୟଟନ କେନ୍ଦ୍ରୀତ ପ୍ରକଳ୍ପ ଉପରେ ଗଡ଼କରୀ ଗୁରୁତ୍ୱ ାରୋପ କରିବା ଦ୍ୱାରା ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହ ଯୋଡ଼ି ହୋଇ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଜଗନ୍ନାଥ ମନ୍ଦିର ଭଳି ପ୍ରସିଦ୍ଧ ସ୍ଥାନକୁ ଯିବା ସହଜ ହୋଇପାରିବ।
ଆଗକୁ ରାସ୍ତା
ସଡକ ପରିବହନ କ୍ଷେତ୍ରରେ ପ୍ରଗତି ନିଶ୍ଚିତ ହୋଇଥିଲେ ମଧ୍ୟ ଆହ୍ୱାନ ରହିଛି। ୨୦୧୫ରେ ଘୋଷଣା କରାଯାଇଥିବା ପ୍ରକଳ୍ପ ବିଳମ୍ବର ସମ୍ମୁଖୀନ ହେଉଥିବାରୁ ଡିପିଆର୍ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଜରୁରୀ। ବିଶେଷ କରି ଭାରତମାଳା ଭଳି ବୃହତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏବଂ ପରିବେଶ ମଞ୍ଜୁରୀ ବାଧା ସୃଷ୍ଟି କରିପାରେ । ସର୍ବଶେଷ ତଥ୍ୟ କହୁଛି ଯେ ପ୍ରକଳ୍ପ ସବୁ ସୁରୁଖୁରୁରେ ଚାଲିଛି। ଏହାବ୍ୟତୀତ ନବନିର୍ମିତ ରାଜପଥଗୁଡ଼ିକର ଦୀର୍ଘକାଳୀନ ପ୍ରଭାବକୁ ବଜାୟ ରଖିବା ପାଇଁ ଏହାର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ହେବ।
ଗଡ଼କରୀଙ୍କ ଦୃଷ୍ଟିକୋଣ କେବଳ ସଡ଼କ ନିର୍ମାଣରେ ସୀମିତ ନୁହେଁ ଏହା ଅଧିକ ବିସ୍ତାରିତ। ଉନ୍ନତ ଜ୍ଞାନକୌଶଳ, ସ୍ଥାୟୀ ବ୍ୟବସ୍ଥା ଏବଂ ଅର୍ଥନୈତିକ ଉନ୍ନତି ଉପରେ ଗୁରୁତ୍ବ ଦେଇ ଓଡ଼ିଶାର ରାଜପଥଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ୍ରେ ପରିଣତ ହେବାକୁ ଯାଉଛି।
ଚଣ୍ଡିଖୋଲ-ପାରାଦୀପ କରିଡର ଭଳି ବନ୍ଦର ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଗଲେ ସାମୁଦ୍ରିକ ବାଣିଜ୍ୟରେ ଓଡ଼ିଶାର ଭୂମିକା ସୁଦୃଢ଼ ହେବ ଏବଂ ପଛୁଆ ଅଞ୍ଚଳର ପ୍ରକଳ୍ପସାମାଜିକ-ଅର୍ଥନୈତିକ ବୈଷମ୍ୟ ଦୂର କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ରାଜପଥ ଗୁଡ଼ିକ ବିଶ୍ୱସ୍ତରୀୟ କରିଡରରେ ପରିଣତ ହେଉଥିବା ବେଳେ ନୀତିନ ଗଡ଼କରୀଙ୍କ ପଦକ୍ଷେପ ରାଜ୍ୟର ଭବିଷ୍ୟତରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିବ ଏହା ନିଃସନ୍ଦେହ ।
କିଛି ଦିନ ତଳେ ଉଦଘାଟିତ ହୋଇଥିବା ୪,୧୩୭ କୋଟି ଟଙ୍କାର ପ୍ରକଳ୍ପ ଏବଂ ୩ ଲକ୍ଷ କୋଟି ଟଙ୍କାର ରୋଡମ୍ୟାପ୍ ରାଜନୈତିକ ବିବାଦକୁ ଅତିକ୍ରମ କରି ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ପ୍ରତିଫଳିତ କରୁଛି। ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ରାସ୍ତାଠାରୁ ଆରମ୍ଭ ଶାନ୍ତ ଉପକୂଳ ପର୍ଯ୍ୟନ୍ତ ଓଡ଼ିଶାର ରାଜପଥ ଗୁଡ଼ିକ କେବଳ ଆସ୍ଫାଲ୍ଟର ମାର୍ଗ ନୁହେଁ, ଏହା ହେଉଛି ସୁଯୋଗର ଜୀବନରେଖା। ସ୍ୱପ୍ନକୁ ବାସ୍ତବତା ସହ ଯୋଡ଼ିବାର ପ୍ରଚେଷ୍ଟା ।
ଓଡ଼ିଶା ନିରବଚ୍ଛିନ୍ନ ଯୋଗାଯୋଗର ଏକ ସୁନ୍ଦର ଭବିଷ୍ୟତ ଆଡ଼କୁ ଗତି କରୁଛି।
ରେକର୍ଡ ଭାଙ୍ଗିଲା ସୁନା ଦର: ୨୪ କ୍ୟାରେଟ ୯୮,୦୦୦ ଟପିଲା, ରୁପା ମୂଲ୍ୟରେ ବୃଦ୍ଧି