Cattle Feed: ଗାଁ ଗହଳରେ ଏବେ ଗୋଟିଏ କିଲୋ କୁଣ୍ଡାର ଦର ୧୦ ଟଙ୍କା ହୋଇଥିବାବେଳେ ଚୋକଡ଼ କିଲୋ ୨୦ ଟଙ୍କା ଛୁଇଁଲାଣି। ଅନ୍ୟାନ୍ୟ ଗୋଖାଦ୍ୟର ଦର ବି ଆକାଶଛୁଆଁ। ଗୋଟିଏ ପଟେ ସରକାରୀ ସ୍ତରରେ ଦୁଗ୍ଧ ଦର ବୃଦ୍ଧି ପାଉନଥିବାବେଳେ ଅନ୍ୟପଟେ ବ୍ୟବସାୟୀମାନେ ଗୋଖାଦ୍ୟର ଦର ବଢ଼ାଇ ଚାଲିଥିବାରୁ ଦୁଗ୍ଧଚାଷୀମାନଙ୍କ ଆୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି।
ଗୋଖାଦ୍ୟ ପାଇଁ ଓଡ଼ିଶା ବି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଭଳି ରାଜ୍ୟର ନିର୍ଭରଶୀଳତା ଯୋଗୁଁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡ଼ିଶାରୁ ଏ ବାବଦରେ କୋଟି କୋଟି ଟଙ୍କାର ମୁନାଫା ଉଠାଉଛନ୍ତି।
ରାଜ୍ୟରେ ଗୋପାଳନକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହା ଜରିଆରେ ଆତ୍ମନିଯୁକ୍ତି ବୃଦ୍ଧି ପାଉଛି। ରାଜ୍ୟ ସରକାର ମଧ୍ୟ ଗୋପାଳନ ପାଇଁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ରାଜ୍ୟରୁ କେବଳ ଓମଫେଡ୍ ୫ଲକ୍ଷ ୪୦ହଜାର କିଲୋରୁ ଅଧିକ ଦୁଗ୍ଧ ସଂଗ୍ରହ କରୁଥିବାବେଳେ ଅନ୍ୟାନ୍ୟ ଘରୋଇ ଦୁଗ୍ଧ ସଂଗ୍ରହକାରୀମାନେ ମଧ୍ୟ ରହିଛନ୍ତି।
ତେବେ ଗୋପାଳନକୁ ରୋଜଗାର ଭାବେ ଆପଣେଇ ନେଇଥିବା ଗାଁ ଗହଳର ଲୋକଙ୍କୁ ଏବେ ଗୋଖାଦ୍ୟର ଦର ବାଧୁଛି। ଓମଫେଡ୍ର ଯେଉଁ ଦୁଇଟି ଗୋଖାଦ୍ୟ ଉତ୍ପାଦନ ପ୍ଲାଣ୍ଟ ରହିଛି ତାହା ସମୁଦ୍ରକୁ ଶଙ୍ଖେଭଳି। ଗୋଖାଦ୍ୟ ଆକାରରେ ମୁଖ୍ୟତଃ ଆବଶ୍ୟକ ହେଉଥିବା କୁଣ୍ଡା, ଚୋକଡ଼, ଚୁନି ଆଦି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ରାୟପୁର ଓ କୋଲକତାରୁ ଓଡ଼ିଶାକୁ ଦୈନିକ ଟ୍ରକ ଟ୍ରକ କୁଣ୍ଡା ଆସୁଥିବାବେଳେ ଉତ୍ତରପ୍ରଦେଶ, ରାୟପୁର ଓ କୋଲକତାରୁ ଚୋକଡ଼ ଓ ଚୁନି ଆଦି ଆସୁଛି।
ବାହାର ରାଜ୍ୟରୁ ଗୋଖାଦ୍ୟ ଆସୁଥିବାରୁ ଓଡ଼ିଶାର ଦୁଗ୍ଧଚାଷୀମାନେ ପରିବହନ ଖର୍ଚ୍ଚ ବାବଦରେ କୋଟି କୋଟି ଟଙ୍କା ଗଣୁଛନ୍ତି। ଗାଁ ଗହଳରେ ଏବେ ଗୋଟିଏ କିଲୋ କୁଣ୍ଡାର ଦର ୧୦ ଟଙ୍କା ହୋଇଥିବାବେଳେ ଚୋକଡ଼ କିଲୋ ୨୦ ଟଙ୍କା ଛୁଇଁଲାଣି। ଅନ୍ୟାନ୍ୟ ଗୋଖାଦ୍ୟର ଦର ବି ଆକାଶଛୁଆଁ। ଗୋଟିଏ ପଟେ ସରକାରୀ ସ୍ତରରେ ଦୁଗ୍ଧ ଦର ବୃଦ୍ଧି ପାଉନଥିବାବେଳେ ଅନ୍ୟପଟେ ବ୍ୟବସାୟୀମାନେ ଗୋଖାଦ୍ୟର ଦର ବଢ଼ାଇ ଚାଲିଥିବାରୁ ଦୁଗ୍ଧଚାଷୀମାନଙ୍କ ଆୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି।
ଓଡ଼ିଶାରେ ବହୁ ସଂଖ୍ୟାରେ ଚାଉଳ ମିଲ୍ ଥିଲେ ମଧ୍ୟ ସେଠାରୁ ବାହାରୁଥିବା କୁଣ୍ଡା ଅନ୍ୟ ରାଜ୍ୟ ସମେତ କଳକାରଖାନାକୁ ଚାଲାଣ ହୋଇଯାଉଛି। ଓଡ଼ିଶାର ଚାଉଳ ମିଲ୍ରୁ ବାହାରୁଥିବା କୁଣ୍ଡା ଅନ୍ୟରାଜ୍ୟକୁ ଯାଇ ସେଠାରୁ ପ୍ରକ୍ରିୟାକରଣ ହୋଇ ଓଡ଼ିଶାକୁ ଆସି ବିକ୍ରି ହେଉଛି। ସେହିଭଳି ଚାଉଳକଳଗୁଡନିକରୁ ବାହାରୁଥିବା ଚଷୁ ଓ କୁଣ୍ଡାକୁ ଚଢ଼ା ଦରରେ କଳକାରଖାନାକୁ ବିକ୍ରିକରି ଦେଉଛନ୍ତି। ଓଡ଼ିଶାରେ ସେଭଳି ସଂଖ୍ୟାରେ ବୃହତ୍ ଅଟାକଳ ନ ଥିବାରୁ ଗୋଖାଦ୍ୟର ମୁଖ୍ୟ ଉପାଦାନ ଚୋକଡ଼ ଅନ୍ୟ ରାଜ୍ୟରୁ ଆସୁଛି।
କେବଳ ଗୋଖାଦ୍ୟ ନୁହେଁ, କୁକୁଡ଼ା ଓ ମାଛଙ୍କ ଖାଦ୍ୟ ପାଇଁ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । କୁକୁଡ଼ାଖାଦ୍ୟ ପ୍ରସ୍ତୁତି ପାଇଁ ମୁଖ୍ୟ ଉପାଦାନ ମକା ପଶ୍ଚିମଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ ହେଉଥିଲେ ମଧ୍ୟ ଏହାକୁ ଅଳ୍ପ ଦରରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ କିଣିନେଇ ସେଥିରେ କୁକୁଡ଼ାଖାଦ୍ୟ ପ୍ରସ୍ତୁତ କରି ଓଡ଼ିଶାକୁ ବିକୁଛନ୍ତି । ସେହିଭଳି ଚିଙ୍ଗୁଡ଼ି ଓ ଅନ୍ୟ ମାଛଙ୍କ ପାଇଁ ଆବଶ୍ୟକ ହେଉଥିବା ଦାନା ମଧ୍ୟ ଅନ୍ୟ ରାଜ୍ୟରୁ ଆସିବାରେ ଲାଗିଛି।
ମୋଟାମୋଟି ଭାବେ ଦୁଗ୍ଧ ଉତ୍ପାଦନ, କୁକୁଡ଼ା ଓ ମାଛ ଚାଷଦ୍ୱାରା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ ସହିତ ବ୍ୟାପକ ସବସିଡ୍ ପ୍ରଦାନ କରୁଥିବାବେଳେ ଏହି ଚାଷ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ ପ୍ରସ୍ତୁତି ଶିଳ୍ପ ନ ଥିବାରୁ ଲାଭର ସିଂହଭାଗ ଅନ୍ୟ ରାଜ୍ୟର ବ୍ୟବସାୟୀମାନଙ୍କ ନିକଟକୁ ଚାଲିଯାଉଛି।
Also readhttps://purvapaksa.com/rs-2800-crore-looted-annually-under-free-rice-scheme/
