ଓଡ଼ିଶାରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ସାଧାରଣ ଲୋକଙ୍କ ସରକାର ଗଠନ ହେବା ସ୍ପଷ୍ଟ ଅନୁଭବ ହେଲା। ଓଡ଼ିଆରେ ଲୋକଙ୍କ ସହ କଥା ହେବା, ଓଡ଼ିଆଙ୍କ ଉତ୍ସବରେ ମୁଖ୍ୟମନ୍ତ୍ରୀ ସସ୍ତ୍ରୀକ ସାମିଲ ହେବା ଏବଂ ଓଡ଼ିଆଙ୍କ ଖାଦ୍ୟକୁ ଓଡ଼ିଆଙ୍କ ଭଳି ପ୍ରୋତ୍ସାହିତ କରିବା ପ୍ରଭୃତି ବିଶ୍ୱ ଦେଖିଲା। ସଂକ୍ଷେପରେ କହିଲେ ଦୀର୍ଘଦିନ ହେଲା ଓଡ଼ିଆ ପରମ୍ପରାରେ ଯେଉଁ ପଶ୍ଚିମୀ ଛାପ ଦେଖିବାକୁ ମିଳୁଥିଲା ତାହା ଦୂରେଇଲା। କିନ୍ତୁ ଏହି ସାଧାରଣ ଲୋକଙ୍କ ସରକାରକୁ ଏବେ ଆନ୍ତର୍ଜାତିକ ଅଭିଯୋଗ ଆସି ପହଞ୍ଚିଛି। ତାହା ହେଲା ଓଡ଼ିଶାରେ ନାରୀ ସୁରକ୍ଷିତ ନୁହଁନ୍ତି। ଓଡ଼ିଶା ଏକ ଗଣଧର୍ଷଣକାରୀ ରାଜ୍ୟ। ଏଠାରେ ବଳାତ୍କାର, ହିଂସା ଓ ଆତଙ୍କବାଦ ଭଳି ଅପରାଧ ବଢ଼ି ଚାଲିଛି। ଓଡ଼ିଶାର ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଏହି ମନ୍ତବ୍ୟଦ୍ୱାରା ଅନେକ ଆଘାତ ପାଇଛି। ତଥାପି ଆମ ମୁଖ୍ୟମନ୍ତ୍ରୀ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି, କାହିଁକି? ‘ଓଡ଼ିଶା କ’ଣ ଏକ ଗଣଧର୍ଷଣ’ ବହୁଳ ରାଜ୍ୟ? ଆମେ ଚୁପ୍ ରହିବା କ’ଣ ପାଇଁ?
ଜୁନ୍ ୧୬ ତାରିଖଦିନ ଯୁକ୍ତରାଷ୍ଟ୍ର ଆମେରିକା ଏହାର ନାଗରିକଙ୍କ ଲାଗି ଏକ ଭ୍ରମଣ ମାର୍ଗଦର୍ଶିକା ଜାରି କରିଛି। ଏଥିରେ କୁହାଯାଇଛି ଯେ, ଓଡ଼ିଶା ସମେତ ଭାରତର ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ମେଘାଳୟ ଭଳି ୬ଟି ରାଜ୍ୟ ସମ୍ବେଦନଶୀଳ। ଏସବୁ ଅଞ୍ଚଳରେ ହିଂସା, ଧର୍ଷଣ ଏବଂ ଉତ୍ତେଜନା ବା ଆତଙ୍କବାଦ ଦେଖିବାକୁ ମିଳୁଛି। କେଉଁ ସମୟରେ କେଉଁଠୁ ଆକ୍ରମଣ ହୋଇପାରେ। ପୁଣି ଗ୍ରାମାଞ୍ଚଳରେ ଆମେରିକା ନାଗରିକଙ୍କୁ ସେବା ଯୋଗାଇବା କଷ୍ଟକର। ଏଣୁ ଏ ବିଷୟକୁ ନିଜର ଯାତ୍ରାବେଳେ ଧ୍ୟାନଦେଇ ସତର୍କତା ଅବଲମ୍ବନ ଜରୁରୀ।
ଯୁକ୍ତରାଷ୍ଟ୍ରର ଏହି ଅନୁଶୀଳନ ଏବଂ ମନ୍ତବ୍ୟ ଏବେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପରେ ବିଦେଶୀ ଆଗମନ ଉପରେ ପ୍ରଭାବ ପକାଇପାରେ। କାରଣ ଓଡ଼ିଶାର ଗ୍ରାମାଞ୍ଚଳ ପରିବେଶ ଓ ଏହାର ଶାନ୍ତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣକୁ ଅଙ୍ଗେ ନିଭାଇବାକୁ ବିଦେଶୀ ପର୍ଯ୍ୟଟକମାନେ ଓଡ଼ିଶା ଆସିବାକୁ ପସନ୍ଦ କରିଥାଆନ୍ତି। ହେଲେ ଆମେରିକାର ଏପରି ଅନୁଶୀଳନ କେବଳ ଆମେରିକାର ପର୍ଯ୍ୟଟକ ନୁହନ୍ତି ସମସ୍ତ ବିଦେଶୀ ଓ ଦେଶୀ ପର୍ଯ୍ୟଟକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
ଯେଉଁ ରାଜ୍ୟରେ ଜଣେ ମହିଳା ପ୍ରଭାତୀ ପରିଡ଼ା ହେଉଛନ୍ତି ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଏବଂ ଜଣେ ଆଦିବାସୀ ଗାଁ’ରୁ ଆଦିବାସୀ ଚଳଣୀ ଓ ପରମ୍ପରାରେ ବଢ଼ିଥିବା ସାଧାରଣ ଲୋକ ମୋହନ ଚରଣ ମାଝୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଆମେରିକା ରାଷ୍ଟ୍ରପତିଙ୍କ ଏମିତି ଏକ ବୟାନ ଓଡ଼ିଶାର ଭାବମୂର୍ତ୍ତିକୁ ହନନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ କି? ତେବେ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ବାବଦରେ ନୀରବ କାହିଁକି?
ଏବେ ଆସନ୍ତୁ ନଜର ପକାଇବା ଓଡ଼ିଶା ଉପରେ ଏହି ବୟାନର କ’ଣ ପ୍ରଭାବ ପଡ଼ିବ? ଦୁଇଟି ଦୃଷ୍ଟିକୋଣକୁ ଏହାର ବିକାର କରାଯାଇପାରେ। ଗୋଟିଏ ପର୍ଯ୍ୟଟନ ଆଉ ଗୋଟିଏ ହେଉଛି ଷଡ଼ଯନ୍ତ୍ର।
ପ୍ରଥମେ ପର୍ଯ୍ୟଟନ ବିଷୟ। ୨୦୧୯ ପରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକ ଆଗମନ ଅତି ନିମ୍ନମାନରେ ରହିଛି। ପୂର୍ବବର୍ଷଗୁଡ଼ିକୁ ତୁଳନା କଲେ ଏହା ଯଥେଷ୍ଟା ହ୍ରାସ ପାଇଛି। ଗଲା ୫ ବର୍ଷ ହେଲା ଆମେ ପୂର୍ବ ସ୍ଥିତିକୁ ଫେରିବା ସମ୍ଭବ ହୋଇପାରୁନାହିଁ। ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁସାରେ ୨୦୧୪-୧୫ରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଆଗମନ ସଂଖ୍ୟା ୭୨ ହଜାର ୨୧୫ ଥିଲା। ୨୦୧୭ରୁ ୨୦୨୦ ଯାଏ ଏହା ଏକ ଲକ୍ଷରୁ ଅଧିକ ଥିଲା। କିନ୍ତୁ ଏବେ ତାହା କିଛି ହଜାର ମଧ୍ୟରେ ସୀମିତ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ଆସିଥିବା ସମୁଦାୟ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୪୭ ହଜାର ୮୪୭ ରହିଛି। ଆମେରିକାର କଟକଣାସ୍ୱରୂପ ମାର୍ଗଦର୍ଶିକା ଦ୍ୱାରା ଏହି ଆଗମନ ଅନେକ ଭାବରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।
ଆପଣମାନଙ୍କ ମନରେ ପ୍ରଶ୍ନ ଉଠିପାରେ ଆମେରିକାରର ଏହି ମାର୍ଗଦର୍ଶିକା ଆମେରିକାର ପର୍ଯ୍ୟଟକଙ୍କୁ ବାରଣ କରିପାରେ କିନ୍ତୁ ଅନ୍ୟ ରାଷ୍ଟ୍ରର ପର୍ଯ୍ୟଟକଙ୍କ ଉପରେ କାହିଁକି ପ୍ରଭାବ ପକାଇବ?
ଏ ବିଷୟରେ ଆଲୋଚନା କରିବା ପୂର୍ବରୁ କିଛି ତଥ୍ୟ ଆପଣଙ୍କ ସମ୍ମୁଖରେ ରଖିବା ଆବଶ୍ୟକ। କାରଣ ରାଜ୍ୟକୁ ବିଗତ ବର୍ଷରେ ଯେତିକି ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ସେଥିରେ ଆମେରିକାର ନାଗରିକ ସବୁଠାରୁ ଅଧିକ। ୨୦୨୩ ମସିହାରେ ସମୁଦାୟ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୪୫ ହଜାର ୧୭୩ ଥିବାବେଳେ କେବଳ ଯୁକ୍ତରାଷ୍ଟ୍ର ଆମେରିକାରୁ ୬୪୨୭ ଜଣ ପର୍ଯ୍ୟଟକ ଆସିଥିଲେ। ଅନ୍ୟ କୌଣସି ଗୋଟିଏ ଦେଶରୁ ଏତେ ପର୍ଯ୍ୟଟକ ଆସି ନାହାନ୍ତି। ଅର୍ଥାତ୍ ଧାର୍ମିକ ଦୃଷ୍ଟିରୁ ଓଡ଼ିଶା ଆଭ୍ୟନ୍ତରୀଣ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବାବେଳେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜନଜାତୀୟ ସଂସ୍କୃତି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଯଦି ପର୍ଯ୍ୟଟନ ଅର୍ଥନୀତି ପାଇଁ ଏକ ଆଶୀର୍ବାଦ ହୁଏ ତେବେ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାକୁ ପ୍ରଭାବିତ କରୁଥିବା ଏପରି ମନ୍ତବ୍ୟ ନିନ୍ଦନୀୟ ହେବା ଆବଶ୍ୟକ। ତେବେ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ କାହିଁକି ଚୁପ୍ ବସିଛନ୍ତି?
ଏହାର କାରଣ ନିକଟରେ ମିଡିଆ ଦୃଷ୍ଟି ଆକର୍ଷଣ କରିଥିବାର ତିନିଟି ଗଣଦୁଷ୍କର୍ମ ଘଟଣା ହୋଇପାରେ। ଗୋଟିଏ ଗଞ୍ଜାମର ବେଳାଭୂମିରେ ଅନ୍ୟଟି କେନ୍ଦୁଝରରେ ଏବଂ ଆଉ ଗୋଟିଏ ମୟୁରଭଞ୍ଜରେ ଘଟିଥିବା ମିଡିଆ ରିପୋର୍ଟରେ କୁହାଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ମୟୁରଭଞ୍ଜରେ ଅଭିଯୋଗ ହୋଇଥିବା ଗଣଦୁଷ୍କର୍ମ ଘଟଣା ସମ୍ମୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲେ ମଧ୍ୟ ତାହାକୁ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମ ଉଲ୍ଲେଖ କରିବାକୁ ଭୁଲି ଯାଇଛନ୍ତି। ଆଜି ବି ମୟୁରଭଞ୍ଜର ମିଛ ଗଣଦୁଷ୍କର୍ମ ମାମଲା ନ୍ୟୁଜ୍ ହୋଇ ରହିଛି।
କିନ୍ତୁ ଗୋପାଳପୁର ବେଳାଭୂମିରେ ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ସାରାବିଶ୍ୱରେ ଓଡ଼ିଶାର ପ୍ରତିଚ୍ଛବିକୁ ନିନ୍ଦିତ କରିଛି। ଖାଲି ସେତିକି ନୁହେଁ, ଧର୍ମାନ୍ତୀକରଣ ରାଜନୀତି, ଜାତିଭିତ୍ତିକ ହିଂସା,ଦଙ୍ଗା ମଧ୍ୟ ଗଲା କିଛିଦିନ ହେଲା ରାଜ୍ୟରେ ବଢ଼ିଛି। ନିକଟରେ ମାଲକାନଗିରି ଜିଲ୍ଲାରେ ଧର୍ମାନ୍ତୀକରଣକୁ ନେଇ ଗଣ୍ଡଗୋଳ ଏବଂ ରାୟଗଡ଼ାରେ ଅନ୍ୟ ଜାତିରେ ବାହାଘର ଲାଗି କଙ୍ଗାରୁ କୋର୍ଟ ବସିବା, ଭଦ୍ରକ ଜିଲ୍ଲାରେ ସାଂପ୍ରଦାୟିକ ଦଙ୍ଗା ଏ ରାଜ୍ୟର ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି। ଏହାକୁ ନେଇ ରାଜ୍ୟରେ କଂଗ୍ରେସ ବି ସରକାରଙ୍କୁ ଘେରିଛି। ପଲ୍ଲୀରୁ ଦିଲ୍ଲୀ ଯାଏ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରୁଛନ୍ତି। କିନ୍ତୁ ବର୍ଷପୂର୍ତ୍ତି ସମାବେଶରେ ମାତିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସମୟ ପାଉନାହାନ୍ତି। ଏପରିକି ଏ ବିଷୟରେ ମୁହଁ ବି ଖୋଲୁ ନାହାନ୍ତି। ଏଭଳି ପରିସ୍ଥିତିରେ ଆମ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ସତରେ କ’ଣ ଓଡ଼ିଶା ଗଣଦୁଷ୍କର୍ମର ରାଜ୍ୟ? ଯଦି ନୁହେଁ, ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁହଁ ଖୋଲୁ ନାହାନ୍ତି କାହିଁକି?
