ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU), ନୂଆଦିଲ୍ଲୀ ଓଡ଼ିଆ ଭାଷାରେ ବିଭିନ୍ନ ସ୍ନାତକ, ସ୍ନାତକୋତ୍ତର, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ କାର୍ଯ୍ୟକ୍ରମ ପ୍ରଦାନ କରିବା ପାଇଁ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି । ଚୁକ୍ତିନାମା ଅନୁଯାୟୀ, ଇଗ୍ନୋ ଏବେ ସମଗ୍ର ରାଜ୍ୟରେ ଓଡ଼ିଆ ଭାଷାରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ, ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା, ସାର୍ଟିଫିକେଟ୍ ଏବଂ ସ୍ୱତନ୍ତ୍ର କାର୍ଯ୍ୟକ୍ରମ – ଯାତ୍ରା ଏବଂ ପର୍ଯ୍ୟଟନ ପରିଚାଳନା ସମେତ ବ୍ୟବିଏ, ଏମବିଏ ଏବଂ ଅନ୍ୟାନ୍ୟ ବୃତ୍ତିଗତ ପାଠ୍ୟକ୍ରମ ପ୍ରଦାନ କରିବ। ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିରେ ସୋମବାର ଏହି ବୁଝାମଣା ସ୍ୱାକ୍ଷର ହୋଇଥିବା ଜଣା ପଡିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି “ଏହି ବୁଝାମଣାପତ୍ର ମାଧ୍ୟମରେ, ଆମର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆରେ ଉଚ୍ଚଶିକ୍ଷା ଗ୍ରହଣ କରିପାରିବେ”। ମନ୍ତ୍ରୀ କହିଛନ୍ତି ଯେ, ମାତୃଭାଷାରେ ପାଠ୍ୟକ୍ରମ ପ୍ରଦାନ କରିବା ଦ୍ୱାରା ଶିକ୍ଷାର୍ଥୀଙ୍କ ପାଇଁ ରହିଥିବା ପ୍ରତିବନ୍ଧକ ଦୂର ହେବ। ଇଗ୍ନୋର ଏମ୍ବିଏ ପାଠ୍ୟକ୍ରମ ଓଡ଼ିଆରେ ଅନୁବାଦ ହୋଇଛି। ଏମ୍ବିଏ ପାଠ୍ୟକ୍ରମ ଲୋକାର୍ପଣ ଉତ୍ସବରେ ହିଁ ଇଗ୍ନୋର ସମସ୍ତ ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ପ୍ରଦାନ କରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଆଗ୍ରହ ଦେଖାଇଥିଲେ ତାହାର ସଫଳ ରୂପାୟନ ଏହି ଐତିହାସିକ ପଦକ୍ଷେପ ମାଧ୍ୟମରେ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ସମସ୍ତ ପୁସ୍ତକକୁ ଓଡ଼ିଆରେ ଅନୁଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଭାଷା କିମ୍ବା ମାଧ୍ୟମ ଆଉ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ, ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଶିକ୍ଷା ଓ ଉଚ୍ଚଶିକ୍ଷା ନିତ୍ୟାନ୍ତ ଅପରିହାଯ୍ୟ ବୋଲି ସେ କହିଛନ୍ତି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ହାତକୁ ନେଇଛନ୍ତି। ବିଦ୍ୟାଳୟ ଶିକ୍ଷା ଗ୍ରହଣ କରୁଥିବା ୧୦୦ ବିଦ୍ୟାର୍ଥୀଙ୍କ ମଧ୍ୟରୁ ମାତ୍ର ୨୨ଜଣ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ୨୦୩୬ ସୁଦ୍ଧା ଏହି ସଂଖ୍ୟା ଯେପରି ୫୦%ରେ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ସେ କହିଥିଲେ। ଏହାସହ ସେ କହିଛନ୍ତି ଯେ, ଏହି ପଦକ୍ଷେପ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ ଉପରେ ଜାତୀୟ ଶିକ୍ଷା ନୀତିର ଧ୍ୟାନକୁ ସୁଦୃଢ଼ କରିବ। ଏହି ବୁଝାମଣାପତ୍ର ଛାତ୍ରଛାତ୍ରୀଙ୍କ ସୃଜନଶୀଳତାକୁ ବୃଦ୍ଧି କରିବ, ଡ୍ରପ ଆଉଟ୍ ହାର ହ୍ରାସ କରିବ ଏବଂ ଉଚ୍ଚଶିକ୍ଷାରେ ରାଜ୍ୟର ମୋଟ ନାମଲେଖା ଅନୁପାତ ବୃଦ୍ଧି କରିବ।
ତଏବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୪୦୦ ସ୍ନାତକ, ୨୦୦ ସ୍ନାତକୋତ୍ତର ଓ ୫୦ରୁ ଅଧିକ ଡିପ୍ଲୋମା ପାଠ୍ୟକ୍ରମର ଅନୁବାଦ ହେବ। ଏଥିପାଇଁ ୨କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିସହ ଅନ୍ଲାଇନ୍ରେ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମଗୁଡ଼ିକ ମଧ୍ୟ ଓଡ଼ିଆରେ ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖଯାଇଛି। ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ବିଭାଗ ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ, ଇଗ୍ନୋର ଭାଇସ୍ ଚାନ୍ସେଲର ପ୍ରଫେସର ଉମା କାଞ୍ଜିଲାଲ ଏବଂ ରେଜିଷ୍ଟ୍ରାର ଡକ୍ଟର ଆଲୋକ ଚୌବେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଇଗ୍ନୋର ଏବେ ଯେତିକି ଷ୍ଟଡି ସେଣ୍ଟର ରହିଛି ତାହାକୁ ବୃଦ୍ଧି କରାଯିବ ବୋଲି ଇଗ୍ନୋ କୁଳପତି ପ୍ରଫେସର କାଞ୍ଜିଲାଲ କହିଛନ୍ତି । ଇଗ୍ନୋ କେନ୍ଦ୍ର ବଢ଼ିବା ସହ ଦିନକୁ ଦିନ ଏହା ସୁଦୃଢ଼ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି।
Also readhttps://purvapaksa.com/drdos-project-vishnu-is-going-to-be-a-turning-point-for-pakistan-and-china/