ହାଲୁକା ହେବ ଶିକ୍ଷକଙ୍କ ଅଣ-ଶିକ୍ଷା କାର୍ଯ୍ୟ ବୋଝ। ରାଜ୍ୟର ଶିଶୁବାଟିକାଗୁଡ଼ିକରେ ନିଯୁକ୍ତ ହେବେ ‘ଶିଶୁ ସେବିକା’। ଶିଶୁ ସେବିକା ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟର ବୋଝ ହାଲ୍କା କରିବାରେ ସହାୟକ ହେବେ । ସେମାନେ ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ୍ ଯିବାରେ ସହଯୋଗ କରିବେ । ପିଲା କାନ୍ଦିଲେ କିମ୍ବା ଅଝଟ ହେଲେ ସେମାନଙ୍କୁ ବୁଝାଇବେ । ଏହା ସହିତ ପିଲାଙ୍କୁ ବହି, ଖେଳଣା ଆଦି ବିଭିନ୍ନ ସହାୟକ ଜିନିଷ ମଧ୍ୟ ଯୋଗାଇବେ । ପିଲା କୌଣସି କାରଣରୁ ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଏମ୍ପର୍କରେ ଅବଗତ କରିବେ ଶିଶୁ ସେବିକା । ଶିକ୍ଷକଙ୍କ ଉପରୁ ଅଣ-ଶିକ୍ଷା କାର୍ଯ୍ୟକୁ ହାଲ୍କା କରିବାକୁ ଲକ୍ଷ୍ୟ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେଣୁ ଶିକ୍ଷକମାନେ କେବଳ ଶିକ୍ଷା ଉପରେ ଦୃଷ୍ଟି କେନ୍ଦ୍ରୀତ କରିପାରିବେ । ଏହାଦ୍ୱାରା ପ୍ରାକ୍-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ଉପସ୍ଥାନ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଛୋଟ ପିଲାମାନଙ୍କୁ ଶ୍ରେଣୀଗୃହରେ ପରିଚାଳନା କରିବା, ସେମାନଙ୍କ ଯତ୍ନ ନେବା ଏକ ଗୁରୁ ଦାୟିତ୍ୱ । ଶିକ୍ଷକମାନଙ୍କ ଉପରେ ଏ ଦାୟିତ୍ୱ ରହିଲେ ଶିକ୍ଷା କାର୍ଯ୍ୟ ବ୍ୟାହତ ହେବ । ସାରା ରାଜ୍ୟରେ ବିଭିନ୍ନ ଶିଶୁବାଟିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଶିକ୍ଷକମାନଙ୍କୁ ଅଣଶିକ୍ଷା କାର୍ଯ୍ୟରେ ସହାୟତା କରିବା ପାଇଁ ଶିଶୁବାଟିକା ମାନଙ୍କରେ ଶିଶୁସେବିକାମାନଙ୍କର ଆବଶ୍ୟକତା ରହିଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସରକାରୀ ବିଦ୍ୟାଳୟରେ ନିଯୁକ୍ତ ପାଚିକାମାନଙ୍କୁ ଯେଉଁ ହାରରେ ଦରମା ଦିଆଯାଉଛି, ଶିଶୁ ସେବିକାମାନଙ୍କୁ ସେହି ହାରରେ ଦରମା ଦିଆଯିବ। ସମଗ୍ର ଶିକ୍ଷାର ବଜେଟରୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଶିଶୁ ସେବିକାମାନଙ୍କ ଦାୟିତ୍ୱ –
• ପିଲାମାନେ ଯେପରି ଇଆଡ଼େ ସେଆଡେ ବୁଲିବେ ନାହିଁ, ଶ୍ରେଣୀଗୃହ ଭିତରେ ସୁରକ୍ଷିତ ଭାବେ ରହିବେ, ସେମାନଙ୍କ ଉପରେ କଡା ନଜର ରଖିବେ ।
• ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ ଯିବା ଏବଂ ଶ୍ରେଣୀଗୃହରେ ବସିବା ଆଦି କାର୍ଯ୍ୟରେ ସହାୟତା କରିବା
• ପିଲା କାନ୍ଦିଲେ କିମ୍ୱା ଅଝଟ ହେଲେ ସେମାନଙ୍କୁ ବୁଝେଇ ସୁଝେଇ ଶାନ୍ତ କରେଇବା
• ପିଲାଙ୍କୁ ବହି, ଖେଳନା ଆଦି ବିଭିନ୍ନ ଶିକ୍ଷା ସହାୟକ ଜିନିଷ ଯୋଗାଇ ଦେବା
• ପିଲା ଯଦି ବାହାରକୁ ଯିବେ କିମ୍ୱା ଟଏଲେଟକୁ ଯିିବେ, ତେବେ ସେବିକାମାନେ ପିଲାଙ୍କ ସହିତ ରହି ସେମାନଙ୍କୁ ସାହାଯ୍ୟ କରିବେ
• ପିଲା ଯଦି କୌଣସି କାରଣରୁ ଅସୁସ୍ଥ ଥିବ, ମନଦୁଃଖରେ ଥିବ କିମ୍ୱା ଅବୁଝା ହେଉଥିବ ତେବେ ସେ ବିଷୟରେ ଶିକ୍ଷକଙ୍କୁ ଜଣାଇବା
• ପ୍ରତ୍ୟେକ ପିଲାଙ୍କ ଦିନ କେମିତି କଟିଲା ସେ ସମ୍ପର୍କରେ ଗୋଟିଏ ଛୋଟ ନୋଟ ପ୍ରସ୍ତୁତ କରିବା
• କୌଣସି ପରିସ୍ଥିତିରେ ଶିଶୁ ସେବିକାମାନେ ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେବେ ନାହିଁ, ପିଲାମାନଙ୍କୁ ଗାଳି କିମ୍ୱା ଦଣ୍ଡ ଦେଇ ପାରିବେନାହିଁ । ପିଲା ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ, କିନ୍ତୁ ଔଷଧ ଦେବା ବା କୌଣସି ଚିକିତ୍ସା କରିପାରିବେ ନାହିଁ ।
Also read https://purvapaksa.com/why-did-sandeep-lohar-become-a-psycho-killer-the-murderer-of-4-truck-drivers/
