ଓଡିଶାର ଇନିଂସ ପରାଜୟ
ମୁଲାନି ଉଭୟ ଇନିଂସରେ ନେଲେ ୧୧ ଓ୍ୱିକେଟ
ଦ୍ୱିଶତକ ମାରି ଚୟନ କର୍ତ୍ତାଙ୍କୁ ବାର୍ତ୍ତା ଦେଲେ ଶ୍ରେୟାସ
ଚଳିତ ରଣଜୀ ଟ୍ରଫି(ଚତୁର୍ଥ ରାଉଣ୍ଡ)ରେ ଓଡ଼ିଶା ଆଉ ଏକ ଇନିଂସ ପରାଜୟର ସାମ୍ନା କରିଛି। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ବିପକ୍ଷରେ ଓଡ଼ିଶା ଇନିଂସ ଓ ୧୦୩ ରନରେ ପରାଜିତ ହୋଇଛି। ମୁମ୍ବାଇ ପକ୍ଷରୁ ଶ୍ରେୟାସ ଆୟର ୨୩୩ ରନ୍ର ମାରାଥନ ଇନିଂସ ଖେଳିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ଚତୁର୍ଥ ଦ୍ୱିଶତକ ରହିଥିଲା। ସେହିପରି ବାମ ହାତି ସ୍ପିନର ସାମ୍ସ ମୁଲାନି ପ୍ରଥମ ଇନିଂସେର ୬ଟି ଓ ଦ୍ୱିତୀୟ ଇନିଂସେର ୫ଟି ଓ୍ୱିକେଟ୍ ନେଇ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୧୧ଓ୍ୱିକେଟ ସଫଳତା ପାଇଁ ମୁଲାନି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।
କେବଳ ସନ୍ଦିପ ପଟ୍ଟନାୟକଙ୍କୁ ଛାଡିଦେଲେ ଓଡ଼ିଶାର ଅନ୍ୟ ଅନ୍ୟ କୌଣସି ବ୍ୟାଟର ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନଥିଲେ। ସେ ପ୍ରଥମ ଇନିଂସରେ ଶତକୀୟ ପାଳି(୧୦୨) ଖେଳିଥିଲେ। ଦ୍ୱିତୀୟ ଇନିଂସରେ ଆଶୀର୍ବାଦ ସ୍ୱାଇଁ ୫୧ ଓ କାର୍ତ୍ତିକ ବିଶ୍ୱାଳ ଉପଯୋଗୀ ୪୫ ରନ୍ କରିଥିଲେ।
ମୁମ୍ବାଇର ଶରଦ ପାଓ୍ୱାର କ୍ରିକେଟ ଏକାଡେମୀରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଓଡ଼ିଶା ପାଇଁ ମହଙ୍ଗା ପଡିଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ମୁମ୍ବାଇ ଦଳ ୪ଓ୍ୱିକେଟ ବିନିମୟରେ ୬୦୨ ରନ କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ଭାରତୀୟ ଦଳରୁ ବାଦ ପଡିଥିବା ଶ୍ରେୟାସ ଆୟର ୨୨୮ଟି ବଲରୁ ୨୩୩ ରନ ସଂଗ୍ରହ କରିଥିଲେ। ଏହି ଇନିଂସରେ ସେ ୨୪ଟି ଚୌକା ଓ ୯ଟି ବିଶାଳ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧେଶ ଲାଡ ୧୭ଚୌକା ବଳରେ ଅପରାଜିତ ୧୬୯, ଅଙ୍ଗକ୍ରିଶ ରଘୁବଂଶୀ ୧୩ଚୌକା ଓ ୩ଛକା ବଳେର ୯୨ ଓ ସୂର୍ୟାଂଶ ସେଗେ ୩୬ଟି ବଲରୁ ୭ଚୌକା ଓ ୬ ଛକା ବଳରେ ଅପରାଜିତ ୭୯ ରନ କରିଥିଲେ।
ଓଡିଶା ପ୍ରଥମ ଇନିଂସରେ ମାତ୍ର ୨୮୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ସନ୍ଦିପ ୧୦୨, ଦେବବ୍ରତ ପ୍ରଧାନ ୪୫, ଆଶୀର୍ବାଦ ସ୍ୱାଇଁ ୩୭, ଅନୁରାଗ ଷଡଙ୍ଗୀ ୩୯ ଓ ହର୍ଷିତ ରାଠୋଡ ୨୩ ରନ୍ କରିଥିଲେ।
ମୁମ୍ବାଇ ୩୧୭ ରନରେ ପ୍ରଥମ ଇନିଂସ ଆଗୁଆ ରହିବା ପରେ ଓଡ଼ିଶାକୁ ଫଲୋଅନ୍ ଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ପାଇଁ ଡ଼କାଇଥିଲା। ଏଥର ମଧ୍ୟ ଓଡ଼ିଶା ବେପରବାୟ ବ୍ୟାଟିଂ କରି ୨୧୪ ରନରେ ସମସ୍ତ ଓ୍ୱିକେଟ ହରାଇଥିଲା। ଆଶୀର୍ବାଦ ସ୍ୱାଇଁ ୫୧, କାର୍ତ୍ତିକ ୪୫, ସନ୍ଦିପ ୩୯ ଓ ବିପ୍ଳବ ସାମନ୍ତରାୟ ୨୬ ରନ କରିଥିଲେ।
previous article: https://purvapaksa.com/subhadra-third-instalment-on-24th-november/
1 Comment
Pingback: ବର୍ଡର-ଗାଭାସ୍କର ଟ୍ରଫି ଦୌଡ: ରାହୁଲ ପୁଣି ଫେଲ