State Law Commission: ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ରାଜ୍ୟ ବିଧି ଆୟୋଗ ବା ଲ’ କମିଶନ। ଜଷ୍ଟିସ ରଥ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷଭାବେ ଏବେ କାର୍ଯ୍ୟ କରୁଛନ୍ତି।
ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ରାଜ୍ୟ ବିଧି ଆୟୋଗ ବା ଲ’ କମିଶନ। ଏନେଇ ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗଠନ କରାଯାଇଥିବା ଏହି କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ସମୁଦାୟ ୬ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ, ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ବିଧି ବିଭାଗର ପ୍ରମୁଖ ଶାସନ ସଚିବ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରକାଶ ମିଶ୍ର ଏବଂ ସୌର ଚନ୍ଦ୍ର ମହାପାତ୍ର ଓ କମିଶନଙ୍କ ସଚିବ ତଥା ସରକାରଙ୍କ ଅତିରିକ୍ତ ସଚିବ।
ବିଧି ଆୟୋଗ ରାଜ୍ୟରେ ପୁରୁଣା ଆଇନଗୁଡ଼ିକୁ ନିରୀକ୍ଷଣ କରିବ। ଏଥିରେ ଆବଶ୍ୟକ ଥିବା ସଂଶୋଧନକୁ ସରକାରଙ୍କୁ ପ୍ରସ୍ତାବ କରିବ। ଯେଉଁ ଆଇନଗୁଡ଼କ ଅକାମୀ ହୋଇଛି ସେଗୁଡ଼ିକୁ ରଦ୍ଦ କରିବା ପାଇଁ ମଧ୍ୟ ସୁପାରିସ କରିବ।
ଜଷ୍ଟିସ ରଥ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷଭାବେ ଏବେ କାର୍ଯ୍ୟ କରୁଛନ୍ତି। ତାଙ୍କରି ଉପସ୍ଥିତିରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବା ସହ ଗଣତିମଣତି କାର୍ଯ୍ୟ ସ୍ଥିର କରାଯାଇଛି।
କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାକୁ ଆସିବା ପରେ ଦେଶରେ ୧୪୮୬ଟି ଆଇନକୁ ରଦ୍ଦ କରାଯାଇଛି। ସେଗୁଡ଼ିକ ଅନେକ ଦିନ ହେଲା ଆଉ ଦେଶର ସେବାରେ ଆସୁ ନଥଇବାରୁ ସଂସଦରେ ଏହି ଔପନିବେଶ କାଳୀନ ଆଇନଗୁଡ଼ିକୁ ରଦ୍ଦ କରିବା ଲାଗି ବିଭିନ୍ନ ସମୟରେ ବିଧେୟକ ଆଣିଛନ୍ତି କେନ୍ଦ୍ର ସରକାର।
ଏହିକ୍ରମରେ ରାଜ୍ୟରେ ମଧ୍ୟ ଏପରି ଅନେକ ଆଇନ ରହିଛି ଯେଉଁଗୁଡ଼ିକର ଆବଶ୍ୟକତା ଏବେ ଆଉ ନାହିଁ। ଏଣୁ ରାଜ୍ୟ ସରକାର ସେହି ଆଇନଗୁଡ଼ିକୁ ଚିହ୍ନଟ କରିବା ସହ ସେଗୁଡ଼ିକୁ ରଦ୍ଧ କରିବା ଲାଗି ସୁପାରିସ କରିପାରନ୍ତି। ପୁଣି ରାଜ୍ୟରେ ଶାସନ ତଥା ବିଚାର ବ୍ୟବସ୍ଥାକୁ ସହଜ ଓ ସରଳ କରିବା ପାଇଁ ଆବଶ୍ୟକ ବିଧିକୁ ମଧ୍ୟ ପ୍ରଣୟନ କରିବା ଲାଗି ସରକାରଙ୍କୁ ପ୍ରସ୍ତାବ କରିପାରନ୍ତି।
୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ଗେଜେଟ ବିଜ୍ଞପ୍ତି ଅନୁସାରେ ଏହି ବିଧି କମିଶନ ରାଜ୍ୟର ବିଧି ତଥା ଯୁଗ୍ମ ତାଲିକାରେ ଆସୁଥିବା ବିଧିକୁ ସମୀକ୍ଷା କରି ପରାମର୍ଶ ଦେବ। ଏହି କମିଶନଙ୍କ ଅଧ୍ୟକ୍ଷ ଏବଂ ଅନ୍ୟ ପୂର୍ଣ୍ଣକାଳୀନ ସଦସ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ୩ ବର୍ଷ ବା ତାଙ୍କ ବୟସ ୭୦ରେ ପହଞ୍ଚିବା ଯାଏ ରହିବ। ଅଧ୍ୟକ୍ଷ ତାଙ୍କ ଶେଷ ଦରମାକୁ ମାସିକ ଦରମାଭାବେ କମିଶନରୁ ଗ୍ରହଣ କରିବେ। ସେହିପରି ଅନ୍ୟ ସଦସ୍ୟମାନେ ମାସିକ ୭୫ ହଜାର ଟଙ୍କା ଲେଖାଏଁ ଦରମା ପାଇବେ।
