ଚଳିତ ବର୍ଷ ନଭେମ୍ବରରେ ଦରଦାମ୍ ସ୍ଥିତିରେ ସାମାନ୍ୟ ସୁଧାର ଘଟିଛି। ଏହାର ପ୍ରଭାବରେ ଦେଶରେ ମୁଦ୍ରାସ୍ଫୀତି ହାର ୫.୪୮ ପ୍ରତିଶତକୁ ହ୍ରାସ ପାଇଛି। ଏହି ମାସରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ୬.୭୮ ପ୍ରତିଶତକୁ ଖସିଆସିଛି। ଅକ୍ଟୋବରରେ ତାହା ୭.୫୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ଉଭୟ ଗ୍ରାମୀଣ ଓ ସହରାଞ୍ଚଳ ମୁଦ୍ରାସ୍ଫୀତିରେ ସୁଧାର ହୋଇଛି। ଅକ୍ଟୋବରରେ ଗ୍ରାମୀଣ ମୁଦ୍ରାସ୍ଫୀତି ୮.୨୩ ପ୍ରତିଶତ ଓ ସହରାଞ୍ଚଳରେ ୫.୫୮ ପ୍ରତିଶତ ଥିଲା।
ନଭେମ୍ବରରେ ତାହା ଯଥାକ୍ରମେ ଯଥାକ୍ରମେ ୭.୪୪ ପ୍ରତିଶତ ଓ ୫.୦୮ ପ୍ରତିଶତକୁ ହ୍ରାସ ପାଇଛି। ଗତ ନଭେମ୍ବରରେ ଜାତୀୟ ସ୍ତରରେ ରସୁଣ, ଆଳୁ, ଫୁଲ କୋବି, ବନ୍ଧା କୋବି ଓ ନଡ଼ିଆ ତେଲ ଦାମ୍ ଖୁଚୁରା ବଜାରରେ ବଢ଼ିଥିଲା। କିନ୍ତୁ ଜିରା, ଅଦା ଓ ଶୁଖିଲା ଲଙ୍କା ଦାମ୍ କମ୍ ହୋଇଥିଲା।

ପନିପରିବା, ଡାଲି, ଚିନି, ଚକୋଲେଟ, ଫଳ, ଅଣ୍ଡା, ଦୁଗ୍ଧ, ମସଲା, ପରିବହନ ଓ ଯୋଗାଯୋଗ ଏବଂ ବ୍ୟକ୍ତିଗତ ଯତ୍ନ ସାମଗ୍ରୀ ଶସ୍ତା ହୋଇଥିଲା। ନଭେମ୍ବରରେ ଦରଦାମ୍ ସ୍ଥିତିରେ ସୁଧାର ଘଟିବ ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଅବ୍ୟାହତି ନେଇଥିବା ଶକ୍ତିକାନ୍ତ ଦାସ ପୂର୍ବାନୁମାନ କରିଥିଲେ।

ଦେଶରେ କୋତୋଟି ହାତଗଣତି ମହଙ୍ଗା ବଜାର ଭିତରେ ଓଡ଼ିଶା ରହିଛି। ନଭେମ୍ବରରେ ମଣିପୁର ଥିଲା ସବୁଠୁ ମହଙ୍ଗା ବଜାର ଯେଉଁଠାରେ ଖୁଚୁରା ମୁଦ୍ରାସ୍ଫୀତି ୧୦.୧୨ ପ୍ରତିଶତ ଭଳି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଯାଇଛି। ଅଶାନ୍ତ ପରିବେଶ ରାଜ୍ୟରେ ଦରଦାମ୍ ସ୍ଥିତିକୁ ବେଲଗାମ କରିଥିବା ଅନୁମାନ କରାଯାଉଛି।
ମଣିପୁର ତଳକୁ ରହିଛି ଛତିଶଗଡ଼ ଯାହାର ମୁଦ୍ରାସ୍ଫୀତି ହାର ୮.୩୯ ପ୍ରତିଶତ ରହିଛି। ତୃତୀୟ ମହଙ୍ଗା ବଜାର ବିହାରରେ ମୁଦ୍ରାସ୍ପୀତି ହାର ୭.୫୫ ପ୍ରତିଶତ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬ ପ୍ରତିଶତ ସୀମା ଉପରେ ଉତ୍ତରପ୍ରଦେଶ (୬.୫୬%), ଅରୁଣାଚଳପ୍ରଦେଶ (୬.୪୨%), କେରଳ (୬.୩୨%) ଓ ମଧ୍ୟପ୍ରଦେଶ (୬.୦୫%) ରହିଛନ୍ତି। ଦିଲ୍ଲୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ସର୍ବନିମ୍ନ ୨.୬୫% ରହିଛି।
Also read https://purvapaksa.com/rs-167000-crore-to-be-invested-in-smart-city-mission/

