ମନୋଜ କୁମାର ମହାପାତ୍ର
ରାତ୍ରି ପ୍ରାୟ ବାରଟା ହେବ। କ୍ଷୀପ୍ର ଗତିରେ ଲିଫ୍ଟ ତିରିଶ ମହଲାରୁ ଗ୍ରାଉଣ୍ଡ ଫ୍ଲୋର ଅଭିମୁଖେ ଆସୁଥିଲା। କ୍ଵାଣ୍ଟମ ଫିଜିକ୍ସର ସୁନାମଧନ୍ୟ ବୈଜ୍ଞାନିକ ମାର୍ଶାଲ ଇମର୍ଶନଙ୍କର ମୁହଁ ବିମର୍ଶ, ଚୁପ୍ଚାପ୍ ଠିଆ ହେଇଥିଲେ ଲିଫ୍ଟ ଭିତରେ। ହଠାତ୍ ଲିଫ୍ଟ କାନ୍ଥରେ ମରାଯାଇଥିବା ଛୋଟ ଗୋଲାକାର ଛବିଟି ଉପରେ ନଜର ପଡ଼ିବାରୁ ସେ ତାକୁ ନିଠେଇ ଚାହିଁଲେ। ଭିତରଟା ଧଳାରଙ୍ଗ ଓ ତାହା ଭିତରେ ଛୋଟ ଗୋଲେଇ କଳାରଙ୍ଗ, ପତାଶୂନ୍ୟ ଆଖି ଭଳି ଅବଶ୍ୟ ଦେଖାଯାଉଥିଲା କିନ୍ତୁ ଆଖି କହିଲେ ଭୁଲ୍ ନିଶ୍ଚିତ ହେବ।
ତାଙ୍କର ଆଖି ଏମିତି ସେଇ ଚକାଆଖିରେ ଲାଖିଗଲା ଯେ ସେଥିରୁ ଫେରେଇ ଆଣିବା ଅସମ୍ଭବ ମନେହେଉଥିଲା ତାଙ୍କ ପାଇଁ। କି ଅଦ୍ଭୁତ ଚକା ଆଖି! ଜୀବନରେ ଏଭଳି ଚକାଆଖି ଦେଖିବା ବୋଧେ ପ୍ରଥମ। ଘୋର ଭାବନାରେ ସେ ସ୍ଥିର କିନ୍ତୁ ଭିତରେ ଘାଣ୍ଟି ହେଉଥିଲେ ଅନିଶ୍ଚିତତାର ଦୁଃଖ ପାଇଁ। ସେ ଅତ୍ୟନ୍ତ ବିବ୍ରତ। ଇତ୍ୟବସରେ ଲିଫ୍ଟ ଗ୍ରାଉଣ୍ଡ ଫ୍ଲୋରରେ ପହଞ୍ଚିଗଲା।
ଚଞ୍ଚଳ ପାଦରେ ନିକଟସ୍ଥ ହସ୍ପିଟାଲ ଭିତରକୁ ପ୍ରବେଶ କଲେ ବୈଜ୍ଞାନିକ ମାର୍ଶାଲ। ଏକମାତ୍ର ଦଶବର୍ଷର ପୁଅ ୱାର୍ଡ ବେଡ଼ରେ ଶୋଇଛି ଏବଂ ପତ୍ନୀ ଅଶ୍ରୁଭରା ଆଖିରେ ପୁଅର କପାଳକୁ ଆଉଁସି ଦେଉଛନ୍ତି।
ପତ୍ନୀ ବାଷ୍ପରୁଦ୍ଧ କଣ୍ଠରେ ପଚାରିଲେ- ଚର୍ଚ୍ଚରେ ପ୍ରଭୁଙ୍କ ନିକଟରେ ପୁଅ ପାଇଁ ପ୍ରାର୍ଥନା ତୁମେ କଲ ତ?
ମାର୍ଶାଲ କହିଲେ- ହଁ, ପ୍ରଭୁଙ୍କ ଇଛା।
ଏମନ୍ତ ସମୟେ ପୁଅ ଆଖି ଖୋଲିଲା। ବାପାଙ୍କୁ ଚାହିଁ ହସିଲା। ତା’ର ମୁହଁ ବେଶ୍ ଦୀପ୍ତିବନ୍ତ। କ୍ଷୀଣ ସ୍ୱରରେ କହିଲା- ଡାଡି, କାଲି ମୁଁ ଆଖିବୁଜି ମନେମନେ ଯୀଶୁଙ୍କର କ୍ରସକୁ ଚାହିଁ ପ୍ରାର୍ଥନା କରୁଥିଲି। ହଠାତ୍ ଆଖିରେ ପ୍ରବଳ ନିଦ ଘୋଟିଗଲା, ଶୋଇପଡ଼ିଲି, ଓହୋଃ…. ମାଇଁ ଗଡ଼,ଏମିତି ନିଦ!
ଏତକ କହି ପୁଅ ପୁଣି ହସିଲା। ଏଥର ହସ ଆଗ ଅପେକ୍ଷା ଖୁବ୍ ସ୍ପଷ୍ଟ ଥିଲା। ଡାଡିଙ୍କୁ ଚାହିଁ ହସୁ ହସୁ କହିଲା- ଡାଡି, ନିଦ ମୋତେ କୋଳେଇ ନେଲା ସତ, କିନ୍ତୁ ପହଞ୍ଚାଇ ଦେଲା ଏମିତି ଏକ ସ୍ୱପ୍ନ ଜଗତରେ ଯେ ସେଠାରୁ ମୋତେ ଆସିବାକୁ ଇଛା ହେଉନଥିଲା।
ମାର୍ଶାଲ ଚିହିଁକି ଉଠିଲେ। ଏଇ ଚିହିଁକି ଉଠିବା ଭିତରେ ସେ ଅନୁଭବ କଲେ, ସତେ ଯେମିତି ତାଙ୍କର ସର୍ବାଙ୍ଗ ଶରୀରର ଲୋମକୂପ ଉଷ୍ଣ ପ୍ରଶ୍ରବଣ ପାଲଟି ଯାଉଛି? ସେ ପୁଅ ଆଡ଼କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ କହିଲେ- ହ୍ୱାଟ ନେକଷ୍ଟ ଫ୍ରେଡ୍ରିକ !!!!!
ପୁତ୍ର ଫ୍ରେଡ୍ରିକ ପୁଣି ହସିଲା କିନ୍ତୁ ଏଇ ହସ ଆଗ ଦୁଇଟି ହସ ଅପେକ୍ଷା ଖୁବ୍ ପ୍ରଶାନ୍ତିରେ ପରିପୂର୍ଣ୍ଣ ଥିଲା। ସେ କହିଲା- ଡାଡି, ଯେଉଁ କ୍ରସକୁ ଚାହିଁ ମୁଁ ପ୍ରଭୁ ଯୀଶୁଙ୍କୁ ସ୍ମରଣ କରୁଥିଲି, ସେହି କ୍ରସଟି ହଠାତ ସରୁ ନାଲି ଦ୍ଵିତୀୟା ଜହ୍ନରେ ବଦଳି ଗଲା। ସତେକି ନାଲି ଜହ୍ନଟି ଦିଗହୀନ ନୀଳ ଆକାଶରେ ଲୁଚକାଳି ଖେଳ ଖେଳୁଥିଲା, ବେଳେ ଦେଖାଯାଉଥିଲା ପୁଣି ବେଳେ ଦେଖାଯାଉନଥିଲା। ଡାଡି, ସତରେ ତୁମେ ନ ଦେଖିଲେ ଏହି ଦୃଶ୍ୟକୁ ବୁଝିପାରିବନି।
ମାର୍ଶାଲଙ୍କର ଧୈର୍ଯ୍ୟଚ୍ୟୁତ ପ୍ରବଳ ବେଗରେ ଘଟୁଥିଲା। ସେ ବିକଳ ହେଇ କହୁଥିଲେ- ଆରେ ଫ୍ରେଡ୍ରିକ, କହନା ଶୀଘ୍ର, ଆଉ କ’ଣ ଦେଖିଲୁ?
ଏଥର ଫ୍ରେଡ୍ରିକର ହସ ଅତି ବିଚିତ୍ର ଥିଲା, ଯାହା ତା’ର ଗୋଟାକଯାକ କୈଶରିକ ମୁହଁକୁ ଆଲୋକିତ କରୁଥିଲା। ସେ କହିଲା- ଡାଡି….. ହଠାତ୍ ଦେଖିଲି ନାଲି ଦା’ ଭଳି ଦେଖାଯାଉଥିବା ଜହ୍ନଟା ଏକ ପ୍ରକାଣ୍ଡ ଗୋଲାକାର ଚକ ପାଲଟିଗଲା। ଚକ ଭିତରଟା ଧଳାରଙ୍ଗ, ତା’ର ମଝିରେ କଳାରଙ୍ଗର ବୃହତ ବିନ୍ଦୁ। ମୋତେ କିଏ ସେଇ କଳାବିନ୍ଦୁ ଭିତରକୁ ଠେଲିଦେଲା। ତା’ପରେ ସବୁ କଳା, ଯେଉଁ ଧଳାରଙ୍ଗ ଦେଖିଥିଲି ତାହା ବି କିଟିମିଟି କଳା ପାଲଟିଗଲା। ମୋତେ ଲାଗୁଥିଲା ସତେକି ମୁଁ ଗୋଟିଏ ବୃହତ୍ ଘୁର୍ଣ୍ଣୟମାନ ଚକ ଭିତରେ କେବଳ ଘୁରୁଛି। କିନ୍ତୁ କଳା ଭିତରଟା ଆଦୌ କଳା ନୁହେଁ ବରଂ ଶୁଭ୍ର ଜ୍ୟୋତିର୍ମୟ। ତା’ପରେ ନିଦ ଭାଙ୍ଗିଗଲା।
ମାର୍ଶାଲ ଇମର୍ଶନ ହତବାକ୍, ଡିମା ଡିମା ଆଖିରେ ସିନା ପୁଅକୁ ଅନାଇଥିଲେ, କିନ୍ତୁ ଲିଫ୍ଟର କାନ୍ଥରେ ମରାଯାଇଥିବା ଚକାଆଖିର ରୂପ ବାରମ୍ବାର ଉଦ୍ଭାସିତ ହେଉଥିଲା ତାଙ୍କ ମାନସପଟରେ।
ଓହୋଃ…. ତା’ହାଲେ ବିଜ୍ଞାନ ଯାହା କହେ ତାହା ବୋଧେ ସତ୍ୟ- ସମଗ୍ର ବ୍ରହ୍ମାଣ୍ଡରେ ଯାହା ଦେଖାଯାଏ ତାହା କେବଳ ପାଞ୍ଚ ପ୍ରତିଶତ, ଆଉ ପଞ୍ଚାନବେ ପ୍ରତିଶତ ଘନ ଅନ୍ଧାର ଅର୍ଥାତ ବ୍ଲାକ୍ ବସ୍ତୁ ଓ ଉର୍ଜାରେ ଭରପୁର। କିନ୍ତୁ ପୁଅ କ’ଣ କହୁଛି? ବ୍ଲାକ୍ ଭିତରେ କ’ଣ ଲାଇଟ?
ଡାକ୍ତର ତ କହିସାରିଛନ୍ତି ପୁଅ ଫ୍ରେଡ୍ରିକର ଜୀବନ କାଳ କ୍ଷୀପ୍ର ବେଗରେ ସରିଆସୁଛି। ଦୁଇ ଦୁଇଟା ଅପରେସନ ସତ୍ତ୍ୱେ ବଞ୍ଚିବାର ଆଶା ଆଉ ନାହିଁ, ଲିଭର ଖୁବ୍ କ୍ଷତିଗ୍ରସ୍ତ। ଡାକ୍ତର ହାତ ଟେକିଦେଇ କହିଛନ୍ତି- ଈଶ୍ଵର ହିଁ ଭରସା।
ମାର୍ଶାଲ ପୁଅ ପାଖରେ ଠିଆ ହେଇପାରିଲେନି, ଏଭଳି ସ୍ୱପ୍ନ କ’ଣ ମୃତ୍ୟୁ ପୂର୍ବର ସଂକେତ ନା କ’ଣ!!!! ସେ ଡାକ୍ତରଙ୍କ ଚେମ୍ବରକୁ ଥର ଥର ପାଦରେ ପ୍ରବେଶ କଲେ, ପରାମର୍ଶ ପୁଣି ନେବେ। ତାଙ୍କ ପରାମର୍ଶ ଯୋଗୁ ତ ସେ ବାରମ୍ବାର ଚର୍ଚ୍ଚ ଯାଇ ପ୍ରାର୍ଥନା କରୁଛନ୍ତି। ପୁଅର କିଛି ଉନ୍ନତି ହେଉଛି କି ନାହିଁ ପୁଣି ତାଙ୍କୁ ପଚାରିବେ ବୋଲି ଧାଇଁ ଆସିଛନ୍ତି ତାଙ୍କ ଚେମ୍ବରକୁ।
ଯେଉଁ ଡାକ୍ତର ଫ୍ରେଡ୍ରିକକୁ ଟ୍ରିଟମେଣ୍ଟ୍ କରନ୍ତି, ଦେଖିଲେ ଯେ ସେ ଚେମ୍ବରରେ ନାହାନ୍ତି। ହତାଶବୋଧରେ ତାଙ୍କର ଗଳା ଶୁଖିଗଲା, ଗଳା ଭିତରଟା ଅଠା ଅଠା ଲାଗିଲା। ଯେମିତିହେଲେ ଆଜି ଡାକ୍ତରଙ୍କୁ ଭେଟିବେ ବୋଲି ନିଷ୍ପତ୍ତି ନେଲେ। କ’ଣ କରିବେ କିଛି ଭାବି ପାରୁନଥିଲେ କି ଚିନ୍ତା କରିପାରୁନଥିଲେ। ସବୁ ଚିନ୍ତାଗୁଡ଼ାକ ସତେକି କଳା ବାଦଲରେ ଢାଙ୍କି ହେଇଯାଇଛି!
ହସ୍ପିଟାଲରୁ ସଅଳ ପାଦରେ ବାହାରିଆସିଲେ। ଡାକ୍ତରଙ୍କ ଭିଜିଟିଂ କାର୍ଡରେ ଲେଖାଥିବା ଘର ଠିକଣା ଦେଖି, କାର ଡ୍ରାଇଭିଂ କଲେ। ସେ ଏବେ ଅନେକ ଆଶା ଓ ଆଶଙ୍କା ଜାଲରେ ଛଟ୍ପଟ୍।
ଫାଟକ ଖୋଲି ଡାକ୍ତରଙ୍କ ଘର ସାମ୍ନା ଛୋଟ ଲନରେ ଚାଲୁ ଚାଲୁ ଦେଖିଲେ ଜଣେ ଭାରତୀୟ ବୃଦ୍ଧା ମୁଣ୍ଡରେ ଓଢ଼ଣା ଟାଣି ଘର ବାରଣ୍ଡାରେ ଚୌକିରେ ବସିଛନ୍ତି ଏବଂ ହାତରେ ରୁଦ୍ରାକ୍ଷ ମାଳା ଗଡ଼ାଉଛନ୍ତି।
ମାର୍ଶାଲ ପହଞ୍ଚି କହିଲେ- ମାଡାମ ଗୁଡ ଇଭନିଂ। ଡାକ୍ତର ମିଶ୍ର ଅଛନ୍ତି?
ବୃଦ୍ଧା କହିଲେ- ହଁ, ସେ ଠାକୁର ଘରେ ପ୍ରାର୍ଥନା କରୁଛନ୍ତି। ଆପଣ ବୈଜ୍ଞାନିକ ମାର୍ଶାଲ ନା?
ହଁ ହଁ। ଏତକ କହି ସେ ହେଲେ ତତ୍କ୍ଷଣାତ ବିସ୍ମୟ ବିମୁଢ଼…… ଇୟେ କେମିତି ମୋ ନାଁ ଜାଣିଲେ?
ଇତ୍ୟାବସରେ ବୃଦ୍ଧା ବାଡ଼ି ଠୁକ୍ ଠୁକ୍ କରି, ସାମାନ୍ୟ କୁଜେଇ ଚାଲି ଚାଲି, ଦାଣ୍ଡ ଦୁଆର ଖୋଲି, ଡ୍ରଇଂ ରୁମରେ ତାଙ୍କୁ ବସାଇଲେ ଏବଂ ସେ ତାଙ୍କ ସାମ୍ନାରେ ପଡ଼ିଥିବା ଚେୟାରରେ ବସି ମୁରୁକି ମୁରୁକି ହସିବାକୁ ଲାଗିଲେ।
ମାର୍ଶାଲ ବୃଦ୍ଧାଙ୍କ ଭଦ୍ରୋଚିତ ବ୍ୟବହାରରେ ମୁଗ୍ଧ, ସେ ତାଙ୍କୁ ବାରମ୍ବାର ଚାହୁଁଥିଲେ। ଅସ୍ଥି କଙ୍କାଳ ସାର ଦେହ, ଚମ ଧୁଡୁ ଧୁଡୁ, ଉତ୍ଫୁଲ୍ଲିତ ପାକୁଆ ପାଟି, ହାଡ଼ୁଆ ମୁଖ ଅଧରରେ ଲହରୀତ ସ୍ମିତହାସ୍ୟ। ପକ୍ଵକେଶୀ, ତଥାପି ହାତରେ ଗଡ଼ୁଥିଲା ରୁଦ୍ରାକ୍ଷ ମାଳା। ନିଶ୍ଚିତ ସେ ହେଇଥିବେ ଶତାୟୁ।
ବୃଦ୍ଧାଙ୍କ ବାତ୍ସଲ୍ୟ-ଭରା ଚାହାଁଣୀ ଓ ଆପଣାର-ଭାବ ଭିତରେ ମାଡାମ ସମ୍ବୋଧନଟି ଅପ୍ରତ୍ୟାଶିତ କେଉଁଠି ହଜିଗଲା ଯେ ବୈଜ୍ଞାନିକ ପ୍ରବର ଜାଣିପାରିଲେନି। ସେ କୌତୁହଳ ବଶତଃ ବୃଦ୍ଧାଙ୍କୁ ପଚାରିଲେ- ମଦର, ମୋ ନାଁ ଏବଂ ମୋର ଆସିବା ବିଷୟରେ ଆପଣ କେମିତି ଜାଣିଲେ?
‘ଡାକ୍ତର ମିଶ୍ର ଠାକୁରଘରକୁ ପ୍ରାର୍ଥନା କରିବାକୁ ଯିବା ପୂର୍ବରୁ ମୋତେ କହିଥିଲେ ଯେ ବୈଜ୍ଞାନିକ ମାର୍ଶାଲ ଆସିବେ ଏବଂ ତାଙ୍କୁ ଡ୍ରଇଂ ରୁମରେ ବସାଇବ।’
‘ଆପଣ କ’ଣ ତାଙ୍କର ମଦର?’
‘ନୋ ନୋ ବୈଜ୍ଞାନିକ ଆଇ ଏମ ହିଜ୍ ଗ୍ରାଣ୍ଡ-ମଦର। ଏତକ କହି ସେ ଖୁବ୍ ଜୋରରେ ହସି ଉଠିଲେ।’
ମାର୍ଶାଲ ଅବାକ ହେଇ ଗ୍ରାଣ୍ଡମଦରଙ୍କ ଉଛୁଳା ହସକୁ ଚାହିଁ ଅନୁଭବ କରୁଥିଲେ- ସତେକି ଏଇ ହସ ଅସାଧାରଣ! କେତେ ଆପଣାପଣ ଭରି ରହିଛି ହସରେ!! ତାଙ୍କୁ ଚାହିଁଥିବା ସମୟରେ ମାର୍ଶାଲଙ୍କ ଦୃଷ୍ଟି ହଠାତ୍ ପଡ଼ିଲା ଗ୍ରାଣ୍ଡମଦରଙ୍କ ମୁଣ୍ଡ ଉପରକୁ କାନ୍ଥରେ ଟଙ୍ଗା ହେଇଥିବା ଚକାଆଖି ଉପରେ। ସେ ଚମକି ଉଠିଲେ- ଲିଫ୍ଟ ଭିତରେ ମରାଯାଇଥିବା ଚକାଆଖି ତ ଠିକ୍ ଏମିତି!! ସେ ଏଥର ନିଠେଇ ଚାହିଁଲେ ଚକା ଆଖିକୁ ଆପଲକ ନୟନରେ। ଏକାଗ୍ରତା ଯେତିକି ଦୃଢ଼ ହେଉଥିଲା, ଚକ ସେତିକି ଜୋରରେ ଘୁରୁଥିଲା। କ୍ରମଶଃ ଚକ ଭିତରସ୍ଥ ଧଳା ଓ କଳା ରଙ୍ଗ ଏକାବାରେ ରଙ୍ଗଶୂନ୍ୟ ହେବାକୁ ଲାଗିଲା। କେବଳ ଶୂନ୍ୟ…..ମହାଶୂନ୍ୟ!! ସତେକି ତାଙ୍କର ଅସ୍ତିତ୍ୱ ନାହିଁ।
ଇୟା ଭିତରେ କେତେ ସମୟ ଅତିକ୍ରାନ୍ତ ହେଲାଣି ତାଙ୍କୁ ଜଣାନାହିଁ। ଆଗରେ ଯେଉଁ ସୋଫାରେ ଗ୍ରାଣ୍ଡମଦର ବସିଥିଲେ, ସେଠି ସେ ନାହାନ୍ତି। କେବଳ ଘରଭିତରୁ ମୃଦୁ ସଙ୍ଗୀତର ସ୍ୱର ଭାସି ଆସୁଥିଲା- ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳାଚଳ କାଳିଆକୁ…।
ଅବଶ୍ୟ ଗୀତଟା ଦୁର୍ବୋଧ୍ୟ ତାଙ୍କ ପାଇଁ କିନ୍ତୁ ସ୍ୱରର ସୁମଧୁର ଲାଳିତ୍ୟରେ ଆତ୍ମହରା ହେଉଥିଲେ। ଇତ୍ୟାବସରେ ତାଙ୍କର ମୋବାଇଲ ରିଙ୍ଗ ହେଲା। ତାଙ୍କର ପତ୍ନୀ କହୁଥିଲେ- ମାର୍ଶାଲ ତୁମକୁ କହିବାକୁ ଭୁଲି ଯାଇଥିଲି ଯେ ଡାକ୍ତର ମିଶ୍ର ମୋତେ କହିଥିଲେ, ତାଙ୍କ ରେସିଡେନ୍ସରେ ତୁମେ ଯାଇ ତାଙ୍କୁ ଆଜି ସନ୍ଧ୍ୟାବେଳେ ଭେଟିବ।
ମାର୍ଶାଲଙ୍କ ମନ ଭିତରେ ଯେଉଁ ବିସ୍ମୟକର ପ୍ରଶ୍ନର କୁହେଳିକା କିଛି ସମୟ ପୂର୍ବରୁ ସୃଷ୍ଟି ହେଇଥିଲା, ତାହାର ପରିସମାପ୍ତି ଘଟିଲା ପତ୍ନୀଙ୍କର ଫୋନ୍କଲ ଯୋଗୁ।
ଇୟାଭିତରେ ପରିଚାରିକ କୋଲଡ କଫି ଓ ସ୍ନାକ୍ସ ଟି-ପୟ ଉପରେ ରଖି ଚାଲିଗଲା। ପୁଣି ଗ୍ରାଣ୍ଡମଦର ବାଡ଼ି ଠୁକ୍ ଠୁକ୍ କରି ଆସି ସୋଫାରେ ବସି କହିଲେ- ସାର, କଫି ପିଅନ୍ତୁ।
ବୈଜ୍ଞାନିକ ମହାଶୟ କଫି ପିଇବେ କ’ଣ? ସେ ତ କାନ୍ଥରେ ଟଙ୍ଗା ଯାଇଥିବା ଦୁଇଟି ଗୋଲାକାର ଚକାଆଖି ମାୟାରେ ଏକ୍ଷଣି ବାୟା। କିମ୍ଭୁତକିମାକାର ଯୋଡ଼ିଏ ରହସ୍ୟମୟ ଚକାଆଖି ସେତେବେଳକୁ ତାଙ୍କୁ ସମ୍ମୋହିତ କରିସାରିଲେଣି। ସତେକି ସେ ବାକ୍ରୁଦ୍ଧ! ଆଗରେ ବସିଥିବା ଗ୍ରାଣ୍ଡମଦରଙ୍କୁ କିଛି ପଚାରିପାରୁଛନ୍ତି ନା କୋଲଡ କଫି ପିଇବାକୁ ହାତ ଯାଉଛି?
ଗ୍ରାଣ୍ଡମଦର ବୋଧେ ବୁଝିଗଲେ ବୈଜ୍ଞାନିକ ମହାଶୟଙ୍କର ବିବସତା, କାହିଁକି ନା ସେ ଦେଖିଲେ ଯେ ମାର୍ଶାଲଙ୍କ ଦୃଷ୍ଟି ବାରମ୍ବାର କାନ୍ଥରେ ଝୁଲୁଥିବା ସେହି ଫଟୋଆଡ଼କୁ ଧାଉଁଛି। ସ୍ମିତ ହସି କହିଲେ- ଆପଣ ଖୁବ୍ ବିବ୍ରତ। କ’ଣ ପୁଅ ପାଇଁ?
ବୈଜ୍ଞାନିକଙ୍କର ଆଖିର ଡୋଳା ଅଟକିଗଲା, ସେ ବିସ୍ଫାରିତ ନୟନରେ ବୃଦ୍ଧାଙ୍କୁ ଚାହିଁ କହିଲେ- ହଁ ପୁଅ ପାଇଁ ତ ନିଶ୍ଚିତ କିନ୍ତୁ ଆପଣଙ୍କ ମୁଣ୍ଡ ଉପରେ ଝୁଲନ୍ତ ଚକ ଭଳି ଗୋଲାକାର ଆଖି ଦୁଇଟି ମୋତେ ବାରମ୍ବାର କାହିଁକି କେଜାଣି ବିସ୍ମୟ ବିମୁଢ଼ କରିଦେଉଛି। ସେ କିଏ?
ଗ୍ରାଣ୍ଡମଦରଙ୍କ ଶୁଖିଲା ଅଧରରୁ ଉଛୁଳି ଉଠିଲା ହସର ଜୁଆର। ଓହୋଃ… ଏଇ କଥା। ସେ ପରା ଆମର ଓଡ଼ିଆ ସାଆନ୍ତ।
ବୁଝିପାରୁନି ଆଜ୍ଞା, ମାର୍ଶାଲ କହିଲେ।’
‘ତେବେ ଶୁଣ କହୁଛି ସଂକ୍ଷେପରେ। ଇଣ୍ଡିଆରେ ଗୋଟେ ଷ୍ଟେଟ୍ ଅଛି ଯାହାର ନାଁ ଓଡ଼ିଶା। ସେଠିକାର ବାସିନ୍ଦା ଓଡ଼ିଆ, ସେମାନଙ୍କର ଯୁଗ ଯୁଗ ଧରି ଗ୍ରାଣ୍ଡଫାଦର ହେଉଛନ୍ତି ଏଇ ଓଡ଼ିଆ ସାଆନ୍ତ ଯିଏ ସେମାନଙ୍କର ଦୁଃଖ ସୁଖ, ଜୟ ପରାଜୟ, ଜନ୍ମ ମୃତ୍ୟୁ ଭଳି ସମସ୍ତ ସାଂସାରିକ କାର୍ଯ୍ୟର ସାଥୀ।’
ସବୁକିଛି ଅବୁଝା ଲାଗୁଥିଲା ମାର୍ଶାଲଙ୍କୁ। ସେ କେବଳ ବୃଦ୍ଧାଙ୍କୁ ଚାହିଁଥିଲେ କିନ୍ତୁ କିଛି କହିପାରୁନଥିଲେ।
ଗ୍ରାଣ୍ଡମଦର କହିଲେ- ମୁଁ ଜାଣୁଛି, ଆପଣ ମୋ କଥା ବୁଝିବାକୁ ଅକ୍ଷମ। ତଥାପି ବୁଝାଇ ଦେଉଛି। ସେ କହିଲେ- ଆପଣଙ୍କ ଯୀଶୁଖ୍ରୀଷ୍ଟଙ୍କ ଫାଦର କିଏ? ସେ କେଉଁଠି ଅଛନ୍ତି?
‘ଈଶ୍ଵର, ସେ ହେଭେନ୍ସ ଅର୍ଥାତ୍ ସ୍ୱର୍ଗରେ ରହନ୍ତି।’
‘ଆପଣ ତାଙ୍କୁ ଦେଖିଛନ୍ତି?’
ବୈଜ୍ଞାନିକ କହିଲେ- ନା, ସମ୍ଭବ ନୁହେଁ। ସେ ନିରାକାର ନିର୍ଗୁଣ। ମନୁଷ୍ୟ ପକ୍ଷରେ ଦେଖିବା ଏକବାରେ ଅସମ୍ଭବ।
‘ତେବେ ତାଙ୍କୁ କିଏ ଦେଖିଛି?’
‘ତାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ।’
‘ଆପଣ ଦେଖିନାହାନ୍ତି, ତଥାପି କାହିଁକି ତାଙ୍କୁ ପ୍ରାର୍ଥନା କରନ୍ତି?’
‘ବିଶ୍ୱାସ।’
ବୃଦ୍ଧା ହସି ହସି ଗଡ଼ିଗଲେ। ସେ କହିଲେ- ଠିକ୍ ସେମିତି ଆମ ଓଡ଼ିଆ ସାଆନ୍ତ ହେଉଛନ୍ତି ଆମର ଈଶ୍ୱର।
ମାର୍ଶାଲ କହିଲେ- ଆପଣଙ୍କ ଈଶ୍ଵର ପରା ଶ୍ରୀରାମ, ଶ୍ରୀକୃଷ୍ଣ ଏବଂ ଆହୁରି ଅନେକ, କାଳେ ତେତିଶକୋଟି ଦେବଦେବୀ ଈଶ୍ଵର ହିନ୍ଦୁଧର୍ମରେ?
ବୃଦ୍ଧା କହିଲେ- ନା ନା ହେ ବୈଜ୍ଞାନିକ। ଏକଦମ ଭୁଲ୍ କଥା କହୁଛ। ଈଶ୍ଵର ତ ଏକ ଓ ଅଦ୍ୱୈତ, ସେ ବହୁ କେମିତି ହେବେ?
ମାର୍ଶାଲ ପଚାରିଲେ- ତେବେ ଆପଣଙ୍କର ଓଡ଼ିଆ ସାଆନ୍ତେ କିଏ?
ସେ ସବୁ ଈଶ୍ଵର ଓ ଦେବତାଙ୍କ ଗ୍ରାଣ୍ଡଫାଦର ଅର୍ଥାତ ପୁରାଣପୁରୁଷ। ଶ୍ରୀକୃଷ୍ଣ, ଶ୍ରୀରାମଙ୍କ ଭଳି ଅନେକେ ବିଭିନ୍ନ ଗୁଣ ଓ ଶକ୍ତି ନେଇ ମାନବଦେହୀ ଅବତାର, ମହାପୁରୁଷ ଓ ଦିବ୍ୟଦେହୀ ଦେବଦେବୀ ତାଙ୍କ ପାଖରୁ ଆସନ୍ତି, ପୁଣି ଫେରନ୍ତି ତାଙ୍କ ପାଖକୁ, ଏପରିକି ଆପଣଙ୍କର ଯୀଶୁଖ୍ରୀଷ୍ଟ ମଧ୍ୟ। ଏମାନେ ଯୁଗକୁ ଯୁଗ ଆସନ୍ତି ଓ ଫେରନ୍ତି କିନ୍ତୁ ଇୟେ ସବୁବେଳେ ଥାଆନ୍ତି।
ମାର୍ଶାଲ ଜଣେ କ୍ଵାଣ୍ଟମ ଫିଜିକ୍ସର ବୈଜ୍ଞାନିକ ସତ କିନ୍ତୁ ତାଙ୍କର ବିଶ୍ଵର ସବୁଧର୍ମ ସମ୍ବନ୍ଧରେ ସମ୍ୟକ୍ ଜ୍ଞାନ ଅଛି। ବିଶେଷକରି ସେ ଉପନିଷଦର ତତ୍ତ୍ୱଦ୍ୱାରା ବେଶୀ ପ୍ରଭାବିତ। ବୃଦ୍ଧାଙ୍କର ତାତ୍ପର୍ଯ୍ୟର ରହସ୍ୟକୁ ଠଉରେଇ କହିଲେ- ଗ୍ରାଣ୍ଡମା’, ଈଶ୍ଵର ତ ନିରାକାର ନିର୍ଗୁଣ ପରଂବ୍ରହ୍ମ କିନ୍ତୁ ଆପଣଙ୍କର ଓଡ଼ିଆ ସାଆନ୍ତଙ୍କର ରୂପ ଅଛି ସେ କେମିତି ସର୍ବଶ୍ରେଷ୍ଠ ଈଶ୍ଵର ହେବେ?
ଗ୍ରାଣ୍ଡମଦର କହିଲେ- ନାହିଁ ହେ ବୈଜ୍ଞାନିକ, କଥାଟା ସେମିତି ନୁହେଁ। ଆମର ଓଡ଼ିଆ ସାଆନ୍ତ ବି ନିରାକାର ନିର୍ଗୁଣ ପରଂବ୍ରହ୍ମ, ତାଙ୍କର ଟେର କେହି ପାଇବେନି କିନ୍ତୁ ଓଡ଼ିଆମାନେ ତାଙ୍କୁ ସଗୁଣ ଦାରୁବ୍ରହ୍ମ ଭାବରେ ପୂଜା କରନ୍ତି। ଏହି ଜାତିର ଉତ୍ପତ୍ତିଠାରୁ ସେ ଆମ ପାଖେ ପାଖେ ଅଛନ୍ତି। ଓଡ଼ିଆଙ୍କ ଠାକୁର ସେ, ତେଣୁ ସେ ହିଁ ପ୍ରଥମ ଓଡ଼ିଆ। ଈଶ୍ଵର ଫିଶ୍ଵର ଆମେ ଜାଣୁନା, ସେ ହିଁ ଆମର ଓଡ଼ିଆ ଯିଏ ସର୍ବବିଦ୍ୟମାନ, ସର୍ବଶକ୍ତିମାନ ଓ ସର୍ବଜ୍ଞ। ହଁ ଆଉ ଗୋଟିଏ କଥା ଶୁଣନ୍ତୁ- ଯିଏ ଯେଉଁ ରୂପରେ ତାଙ୍କୁ ଡାକିବ ସେ ସେହି ରୂପରେ ତାଙ୍କୁ ଦେଖାଦେବେ।
ମାର୍ଶାଲଙ୍କ ମୁହଁ ଦିପ୍ତିମନ୍ତ ହେଇଉଠିଲା। ସେ ଏକାନିଶ୍ୱାସେ ପଚାରିଲେ- ମୁଁ ତାଙ୍କୁ ଯଦି ପ୍ରଭୁ ଯୀଶୁ ଭାବେ ଡାକେ, ସେ କ’ଣ ସେଇ ରୂପରେ ମୋତେ ଦେଖାଦେବେ?
ହଁ ହଁ ନିଶ୍ଚୟ। ଅନେକେ ଖ୍ରୀଷ୍ଟିଆନ ତାଙ୍କୁ ଯୀଶୁ ରୂପରେ ଦେଖିଛନ୍ତି, ଅନେକେ ମୁସଲମାନ ବି ତାଙ୍କୁ ଆଲ୍ଲାରୂପେ ଦେଖିଛନ୍ତି। କହିଲି ପରା ଯିଏ ତାଙ୍କୁ ଯେଉଁ ରୂପରେ ଡାକିବ ସେ ସେହି ରୂପରେ ଦେଖାଦେବେ।
ମାର୍ଶାଲ କେବଳ ତାଙ୍କୁ ଚାହିଁଲେ, ହୃଦୟରେ ଉଠୁଥିବା ଅନିଶ୍ଚିତତାର ଲହରୀ ଧୀରେ ଧୀରେ ନିଶ୍ଚିତତାରେ ପରିଣତ ହେବାକୁ ଲାଗିଲା। ସେ ତ ଓଡ଼ିଆ ଠାକୁର, ଅନ୍ୟମାନଙ୍କର ଠାକୁର କ’ଣ ସେ ହେଇପାରିବେ?
ବୃଦ୍ଧା ଫେ କିନା ହସି ପଚାରିଲ – ଆପଣଙ୍କ ନାଁ କ’ଣ?
‘ଆଜ୍ଞା ମୋ ନାଁ ମାର୍ଶାଲ ଇମେର୍ଶନ।’
‘ଠିକ ଅଛି। ଯେହେତୁ ଆପଣ ଏଇ ଆମେରିକାର ଖ୍ରୀଷ୍ଟିଆନ ପରମ୍ପରାରେ ଜନ୍ମ, ତେଣୁ ଆପଣଙ୍କ ନାଁ ଏଇୟା ହେଇଛି। ଆପଣ ଏଠି ଯାହାଙ୍କୁ ଗଡ୍ କହନ୍ତି, ଇଣ୍ଡିଆର ଖ୍ରୀଷ୍ଟିଆନ ତାଙ୍କୁ ଈଶ୍ୱର କହନ୍ତି। ଆପଣ ଯଦି ଇଣ୍ଡିଆରେ ଜନ୍ମ ହେଇଥାନ୍ତେ ଆପଣଙ୍କ ନାଁ ଇଣ୍ଡିଆନ ନାଁ ହେଇଥାନ୍ତା। ଆମେରିକାନ ଗଡ୍ କ’ଣ ଇଣ୍ଡିଆନ ପ୍ରଭୁଙ୍କଠାରୁ ଅଲଗା କି?
ତା’ବାଦେ ଯୀଶୁଖ୍ରୀଷ୍ଟ ତ ଆମେରିକାବାସୀ ନ ଥିଲେ, ସେ ଥିଲେ ଇହୁଦି ଜେରୁଜେଲମ ବାସିନ୍ଦା, ତଥାପି ସେ ସମଗ୍ର ବିଶ୍ଵର ବନ୍ଦନୀୟ ପ୍ରଭୁ। ସେହିଭଳି ଆମର ଓଡ଼ିଆ ସାଆନ୍ତ, ଓଡ଼ିଶାରେ ଆବିର୍ଭୁତ ଓ ପୂଜିତ ହେଲେ ବି ସମଗ୍ର ଜଗତର ସେ ନାଥ ଓ ପ୍ରଭୁ।
ବୃଦ୍ଧା ପୁଣି ହସି ହସି କହିଲେ- ଦେଖୁନ, ଏଇ ସାଆନ୍ତଙ୍କର କୌଣସି ରୂପ ଅଛି କି? ଯାହା ଦେଖୁଛନ୍ତି ତାହା କ’ଣ ରୂପ ପଦବାଚ୍ୟ କି? ଦୁଇଟି କେବଳ ଚକାଆଖି। ସମଗ୍ର ବ୍ରହ୍ମାଣ୍ଡକୁ କେବଳ ସାକ୍ଷୀ ଭାବରେ ଦେଖନ୍ତି। କେବଳ ବିଶ୍ୱାସ ଦରକାର। ସେ ଭାବଗ୍ରାହୀ, ଭାବରେ ବନ୍ଧା।
ଇତ୍ୟବସରେ ଡାକ୍ତର ଜଗନ୍ନାଥ ମିଶ୍ର ପହଞ୍ଚି କହିଲେ- ମିଷ୍ଟର ମାର୍ଶାଲ- ଆଇ ଏମ ସରୀ, ସାନ୍ଧ୍ୟ ପ୍ରାର୍ଥନା ମୋର ଘଣ୍ଟାଏ ଲାଗିଲା। କ୍ଷମା କରିବେ।
ମାର୍ଶାଲ କହିଲେ- ନୋ ପ୍ରୋବ୍ଲେମ ଡକ୍ଟର। ଗ୍ରାଣ୍ଡମଦର ମୋର ପ୍ରତିକ୍ଷିତ ସମୟର ସଦୁପଯୋଗ କରିଛନ୍ତି। ତାଙ୍କ ନିକଟରେ ମୁଁ କୃତଜ୍ଞ।
ଡକ୍ଟର ମିଶ୍ରଙ୍କ ମୁହଁରେ ଉଙ୍କି ମାରିଲା ଏକ ଆଶ୍ୱାସନାର ଚିହ୍ନ। ସେ କହିଲେ- ମିଷ୍ଟର ମାର୍ଶାଲ, ଆପଣ ପ୍ରାର୍ଥନା କଲେ ତ?
ହଁ, ଅନେକ ଥର ମୁଁ ଓ ମୋର ପତ୍ନୀ ଚର୍ଚ୍ଚରେ ପ୍ରାର୍ଥନା କରୁଛୁ।
ବେଶ୍ ଭଲ କଥା। ମୋର ଡାକିବାର କାରଣ ଯେ ପୁଅର ସାମାନ୍ୟ ଉନ୍ନତି ଦେଖୁଛି। ଭାବିଛି କାଲି ଗୋଟିଏ ଛୋଟ ଧରଣର ଅପରେସନ କରିବି। ଭାବୁଛି ପୁଅ ଠିକ୍ ହେଇଯିବ। ଆପଣଙ୍କର ମତ ଦରକାର।
ଆଜ୍ଞା ମୋର ମତ କ’ଣ ଦରକାର? ଆପଣ ଡକ୍ଟର ଯାହା ଭଲ ତାହା କରନ୍ତୁ।
ଡକ୍ଟର ମିଶ୍ର କହିଲେ- ଓକେ। ମାର୍ଶାଲ କହିଲେ- ତେବେ ମୁଁ ଯାଉଛି। ଡକ୍ଟର ମିଶ୍ର ତାଙ୍କୁ ବିଦାୟ ଦେବା ପାଇଁ ଫାଟକ ପର୍ଯ୍ୟନ୍ତ ଯାଉଥିବା ସମୟରେ ମାର୍ଶାଲ ବୁଲିପଡ଼ି କହିଲେ- ଡକ୍ଟର ଆପଣଙ୍କ ଠାକୁରଘର ମୁଁ ଦେଖିପାରିବି?
ଓ ୟେସ। ଆସନ୍ତୁ। ମାର୍ଶାଲଙ୍କୁ ସାଥିରେ ନେଇ ଡକ୍ଟର ନିଜ ଠାକୁର ଘରେ ପହଞ୍ଚି ଦେଖନ୍ତି- ଚକାଡୋଳା ଖଟୁଲି ଉପରେ ବସିଛନ୍ତି, ଦୁଇଟି ଚକାଆଖି, ତା’ତଳେ ଖେଳୁଛି ନାଲି ଦ୍ଵିତୀୟା ଜହ୍ନ। ମହ ମହ ଧୂଆଁ ବାସ୍ନାରେ ସାରା ଘର ମହକିତ। ଚକାଆଖି ତାଙ୍କୁ ଅନାଇଛନ୍ତି। ନାଲି ଦ୍ଵିତୀୟା ଜହ୍ନ ହସୁଛନ୍ତି। ମାର୍ଶାଲ ହାତଯୋଡ଼ି ପ୍ରଣାମ କରିବା ସମୟରେ ଗ୍ରାଣ୍ଡମଦର ବାଡ଼ି ଠୁକ୍ ଠୁକ୍ କରି ସେଠାରେ ପହଞ୍ଚି କହିଲେ- ହଇଏ ବୈଜ୍ଞାନିକ, ନିଅ ଏଇ ଛଡ଼ାତୁଳସୀ, ପୁଅକୁ ଖୁଆଇଦେବ। ଆମର ଓଡ଼ିଆ ସାଆନ୍ତ ସାହା ହେବେ ତାକୁ ନିଶ୍ଚୟ।
ବୈଜ୍ଞାନିକ ଏକ ଅବ୍ୟକ୍ତ ଆନନ୍ଦରେ ଶିହରିତ ହେଇ ଛଡ଼ାତୁଳସୀଙ୍କୁ ସାର୍ଟର ଉପର ପକେଟରେ ରଖିଲେ। ଏବଂ ଆଶ୍ୱସିତ ମନରେ ବିଦାୟ ନେଇ ଚାଲିଗଲେ।
ଡାକ୍ତର ମିଶ୍ର ପରବର୍ତ୍ତୀ ଦିନ ନିର୍ଦ୍ଧାତିତ ସମୟରେ ଫ୍ରେଡ୍ରିକର ଅପରେସନ ସମାପ୍ତ କଲେ। ନୂଆ ସଞ୍ଚରିତ ଆଶାରେ ବିମୋହିତ, ଆଗଭଳି ନୈରାଶ୍ୟ ତାଙ୍କୁ ମାଡ଼ି ବଶୁନି,ଏଇଥିପାଇଁ ଯେ ପିଲାଟି ଆସନ୍ନ ମୃତ୍ୟୁରୁ ଅତି ଆଶ୍ଚର୍ଯ୍ୟଭାବେ ବର୍ତ୍ତିଯିବାର ସମ୍ଭାବନା ରହିଛି। ଯାହାହେଉ ଅପରେସନ ସଫଳ ହେବାରୁ ଡକ୍ଟର ମିଶ୍ର ନିଜ ଚେମ୍ବରକୁ ଫେରିଆସିଲେ।
ମାର୍ଶାଲ ଆକୁଳ ଚିତ୍ତରେ ଇତିମଧ୍ୟରେ ଚେମ୍ବରକୁ ପ୍ରବେଶ କରିବାମାତ୍ରେ ଡାକ୍ତର ମିଶ୍ର ହସି ହସି ମାର୍ଶାଲଙ୍କର କରମର୍ଦ୍ଦନ କରି କହିଲେ- ମାର୍ଶାଲ! ଫ୍ରେଡ୍ରିକ ଇଜ୍ ଅଲ୍ରାଇଟ। ଆପଣଙ୍କର ପ୍ରାର୍ଥନା ଈଶ୍ଵର ଶୁଣିଛନ୍ତି। ବିଶ୍ୱାସର ବିଜୟ ଘଟିଛି।
ବୈଜ୍ଞାନିକ ମାର୍ଶାଲ ନିଜ ଆଖିରୁ ବୋହୁଥିବା ଆନନ୍ଦାଶ୍ରୁ ରୁମାଲରେ ପୋଛି କହିଲେ- ଡକ୍ଟର,ଆପଣଙ୍କର ଗ୍ରାଣ୍ଡମଦର ସତରେ ସେଣ୍ଟ୍ କାଥେରିନ ଅଫ୍ ଆଲେକଜାଣ୍ଡ୍ରିଆଙ୍କ ଭଳି ଜଣେ ସନ୍ଥ ଏବଂ ଈଶ୍ଵରଙ୍କର ସିଦ୍ଧିପ୍ରାପ୍ତ ନାରୀ।
ଠିକଖ୍ କହିଛ ବୈଜ୍ଞାନିକ। ବାଲ୍ୟକାଳରେ ଉଭୟ ପିତାମାତାଙ୍କୁ ହରାଇବା ପରେ ସେ ମୋତେ କୋଳେଇ ନେଇଥିଲେ। ଆଜି ପର୍ଯ୍ୟନ୍ତ ସେ ମୋ ପାଖେ ପାଖେ ଅଛନ୍ତି। ଜାଣିଛ ମାର୍ଶାଲ, ତାଙ୍କୁ ଏଇନେ ଶହେଦୁଇ ବର୍ଷ। ମହାପ୍ରଭୁ ଚକାଡୋଳାଙ୍କର ସେ ଜଣେ ପରମ ଭକ୍ତ। ଏଇ ଆମେରିକାରେ ସେ ମୋ ସହିତ ପ୍ରାୟ ତିରିଶବର୍ଷ ହେଲା ରହୁଛନ୍ତି। ଶ୍ରୀ ଜଗନ୍ନାଥଙ୍କୁ ଓଡ଼ିଆ ସାଆନ୍ତେ ବୋଲି ସେ ପୂଜା କରନ୍ତି।
ପୁତ୍ର ଫ୍ରେଡ୍ରିକ ଗୋଟିଏ ସପ୍ତାହ ପରେ ସୁସ୍ଥ ହେଇ ହସ୍ପିଟାଲରୁ ଡିସଚାର୍ଜ ହେବାକ୍ଷଣି ମାର୍ଶାଲ ଫ୍ରେଡ୍ରିକକୁ ସାଙ୍ଗରେ ଧରି ଗ୍ରାଣ୍ଡମଦରଙ୍କ ପାଖକୁ ନେଇଆସିଲେ। ସାଥିରେ ଥିଲେ ତାଙ୍କର ପତ୍ନୀ କାରଲିନା।
ଗ୍ରାଣ୍ଡମଦର ପୁତ୍ର ଫ୍ରେଡ୍ରିକ ମୁଣ୍ଡକୁ ଆଉଁସି ଗାଲରେ ଚୁମା ଦେଇ ଅନାଇଲେ ବୈଜ୍ଞାନିକ ମାର୍ଶାଲଙ୍କ ଆଡ଼କୁ ଏବଂ କହିଲେ- ଆଉ ମାତ୍ର ଛଅମାସ ରହିଲା ଗୁଣ୍ଡିଚା ଯାତ୍ରା। ଫ୍ରେଡ୍ରିକକୁ ସାଙ୍ଗରେ ନେଇ ପୁରୀରେ ଓଡ଼ିଆ ସାଆନ୍ତେଙ୍କୁ ଭେଟି ଆସିବ। ଭୁଲିବ ନାହିଁ।
ଭୁଲିବନି ବୈଜ୍ଞାନିକ, ଏହା ମୋର ତାଗିଦ। ଏବେ ଯାଅ ଚର୍ଚ୍ଚକୁ, ସେଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରି ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବ। ହଁ ମନେରଖ ଯିଏ ଓଡ଼ିଆ ସାଆନ୍ତେ ସେ ହିଁ ଈଶ୍ଵର, ଭେଦଭାବ ରଖିବନି। ଈଶ୍ୱର ଏକ ଓ ଅଦ୍ୱୈତ, କିନ୍ତୁ ବିଭିନ୍ନ ନାମ ଓ ରୂପରେ ସେ ସର୍ବତ୍ର ବିଦ୍ୟମାନ।
ଛଡ଼ାତୁଳସୀ ପୁଣିଥରେ ଫ୍ରେଡ୍ରିକକୁ ଖୁଆଇ ଦେଇ ଗ୍ରାଣ୍ଡମଦର ପୁଣି ଠାକୁର ଘରକୁ ବାଡ଼ି ଠୁକ୍ ଠୁକ୍ କରି ଚାଲିଗଲେ।
Also readhttps://purvapaksa.com/munirs-dharma-war-mayajaal/