ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ରାଜ୍ୟରେ ବିଜେପି ୨୪ ବର୍ଷର ବିଜେଡି ସରକାରକୁ ହଟାଇ ଶାସନକୁ ଆସିଛି । ମାତ୍ର ଭାଷା, ସାହିତ୍ୟ ଶିକ୍ଷା ପରି ଓଡ଼ିଆ ଅସ୍ମିତା ଏବେ ନିଜର ପରିଚୟ ପାଇଁ ସଂଘର୍ଷ କରୁଛି। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ଭାଷାର ବ୍ୟବହାର ହ୍ରାସ ପାଉଥିବାବେଳେ ଏଥିରେ ଶିକ୍ଷାଦାନ ଓ ଗବେଷଣା ପ୍ରଭାବିତ ହୋଇଛି। ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏହି ବିଷୟ ପାଇଁ ପର୍ଯ୍ୟାପ୍ତ ଶିକ୍ଷକ ଅଭାବ ଥିବାରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ଗୁଣାତ୍ମକ ଗବେଷଣା କାର୍ଯ୍ୟରେ ବାଧା ହେଉଛି।
ସରକାରୀ ଡିଗ୍ରୀ କଲେଜରେ ପ୍ରାୟ ୧୦୦୦ ଓଡ଼ିଆ ଅଧ୍ୟାପକ ପଦବୀ ଖାଲି ଥିବାବେଳେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଜଣେରୁ ତିନିଜଣ ଅଧ୍ୟାପକଙ୍କୁ ନେଇ ଓଡ଼ିଆ ବିଭାଗ ଚାଲିଛି । ଏହାର ଏକମାତ୍ର ବ୍ୟତିକ୍ରମ ହେଉଛି କଟକରେ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଗାଇଡଲାଇନ ଅନୁଯାୟୀ ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ରହିଛି ଯେଉଁଠାରେ ଅନୁମୋଦିତ ଓଡ଼ିଆ ଅଧ୍ୟାପକ ପଦବୀ ୭ କିମ୍ବା ୮ ରହିଛି ।
କେବଳ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ଓ କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ଯଥାକ୍ରମେ ୩ ଓ ୪ଟି ମଞ୍ଜୁରୀପ୍ରାପ୍ତ ଓଡ଼ିଆ ଅଧ୍ୟାପକ ପଦବୀ ରହିଛି। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ଉତ୍କଳ ଭଳି ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୧୯୬୯ମସିହାରେ ଓଡ଼ିଆ ବିଭାଗ ଖୋଲିଥିବାବେଳେ ମଞ୍ଜୁରୀପ୍ରାପ୍ତ ୭ଟି ପଦବିରେ ମାତ୍ର ଜଣେ ନିୟମିତ ଓଡ଼ିଆ ଅଧ୍ୟାପକ ଅଛନ୍ତି।
ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଏକ ଉତ୍ସର୍ଗୀକୃତ ଓଡ଼ିଆ ଭାଷା ଓ ସାହିତ୍ୟ ବିଦ୍ୟାଳୟ ଅଛି କିନ୍ତୁ ଏହାର ପରିଚାଳନା ପାଇଁ କୌଣସି ନିୟମିତ ଅଧ୍ୟାପକ ନାହାନ୍ତି। ରମାଦେବୀ ମହିଳା ବଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ପାଇଁ ୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ମାତ୍ର ଜଣେ ନିୟମିତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦ୍ୱାରା ପରିଚାଳିତ ହେଉଛି। କେବଳ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ୭ ଜଣ ଅଧ୍ୟାପକ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଆ ଭାଷା ଓ ସାହିତ୍ୟରେ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରତିଷ୍ଠା ହୋଇଥିବା ଅନେକ ଚେୟାରରେ ଅଧ୍ୟାପକ ନିଯୁକ୍ତି ଅଭାବରୁ ଅଚଳ ହୋଇପଡ଼ିଛି କିମ୍ବା ବନ୍ଦ ହୋଇଯାଇଛି। ପୂର୍ବରୁ ଉକ୍ରଳର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସତ୍ୟବାଦୀ ଚେୟାର ଓ ଆର୍ତ୍ତବଲ୍ଲଭ ମହାନ୍ତି ଚେୟାର ପ୍ରତିଷ୍ଠା ହୋଇଥିଲେ ହେଁ ଉଭୟ ଚେୟାରର ଅଧ୍ୟାପକ ଅବସର ନେବା ପରେ କୌଣସି ନୂଆ ନିଯୁକ୍ତି ନ ମିଳିବାରୁ ସେଗୁଡ଼ିକୁ ବନ୍ଦ କରିଦିଆଯାଇଛି।
ବିଶେଷଜ୍ଞମାନେ ମଧ୍ୟ ଓଡ଼ିଆ ଭାଷା ଓ ସାହିତ୍ୟରେ ଗୁଣାତ୍ମକ ଗବେଷଣାର ଅଭାବ ଦର୍ଶାଇଥିଲେ। ଓଡ଼ିଆ ସମ୍ମାନ ସହ ଏମଏ ଛାତ୍ରଛାତ୍ରୀମାନେ ଏହି ବିଷୟରେ ପିଏଚଡି କରିବାକୁ ଆଗେଇ ଆସୁଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟରେ କରାଯାଉଥିବା ଭାଷା ଗବେଷଣା ସହ ସମାନ ନୁହେଁ କି ପ୍ରତିଷ୍ଠିତ ଓ ସ୍ୱୀକୃତିପ୍ରାପ୍ତ ପ୍ରକାଶନରେ ପ୍ରକାଶିତ ହେଉନାହିଁ।
ଏବେ ବିଶ୍ୱବିଦ୍ୟାଳୟଗୁଡ଼ିକ ନେଟ୍ କିମ୍ବା ଜେଆରଏଫ୍ ପାଇଁ ଯୋଗ୍ୟତା ଅର୍ଜନ କରିନଥିଲେ ମଧ୍ୟ ନିଜର ଗବେଷକ ଚୟନ କରିବାର ବ୍ୟବସ୍ଥା ରହିଛି। ସେମାନଙ୍କ ଗବେଷଣା କାର୍ଯ୍ୟ ଭାଷାର ବିକାଶରେ ସହାୟକ ହେଉନାହିଁ।
ଆମେରିକା, ଚୀନ୍, ଭାରତ: ଆଗାମୀ ୫ ବର୍ଷରେ ବ୍ୟାପାରରେ ଧୂମ ମଚାଇବେ ଏହି ‘ତ୍ରିମୂର୍ତ୍ତି’
