ଜାତିଭିତ୍ତିକ ରାଜନୀତିର କ୍ଷମତାକୁ ଆକଳନ କରିବାରେ ଅସମର୍ଥ ହୋଇଥିବା କଂଗ୍ରେସ ୯୦ ଦଶକରୁ ପତନାଭିମୁଖୀ ହୋଇଥିଲା। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧିଙ୍କ ଦକ୍ଷ ନେତୃତ୍ୱ, କଂଗ୍ରେସ ପାର୍ଟିର ଦୀର୍ଘ ରାଜନୀତିକ ଅଭିଜ୍ଞତା ବି ସେତେବେଳେ ପାର୍ଟିକୁ ରକ୍ଷା କରିପାରିନଥିଲା।
ଫଳରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଭାରତୀୟ ରାଜନୀତିରେ ଅନିଶ୍ଚିତତା ଲାଗି ରହିବା ପରେ କଂଗ୍ରେସ ପହଞ୍ଚିଛି ବିରୋଧୀ ଦଳରେ। ଆଜି ପୁଣିଥରେ ସେହିପରି ଏକ ପରିବେଶ ଭାରତୀୟ ରାଜନୀତିରେ ଉଭା ହୋଇଛି। ତାହା ହେଉଛି ସଂଗଠିତ ଓବିସି ରାଜନୀତି।
ଇଂରେଜଙ୍କ ସମୟରେ ଯେଉଁ ସାମାଜିକ ବିଭାଜନର ମଞ୍ଜି ବୁଣାଯାଇଥିଲା ତାହାକୁ ଆୟୁଧ କରି ପୁଣି କଂଗ୍ରେସ ଭାରତୀୟ ରାଜନୀତିରେ ପଲ୍ଟି ମାରିବାକୁ ଚେଷ୍ଟା କରିଛି। ଏହା କ’ଣ ନରେନ୍ଦ୍ର ମୋଦୀଙ୍କ ଅଭିଜ୍ଞ ଓ ପରିପକ୍ୱ ଶାସନକୁ ରଦ୍ଦ କରିବାରେ ସମର୍ଥ ହୋଇପାରିବ?
ଏବେ ପ୍ରସଙ୍ଗକୁ ଆସିବା। ଭାରତୀୟ ରାଜନୀତିରେ ୧୯୭୫ର ଜରୁରୀକାଳୀନ ପରିସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ପରିବର୍ତ୍ତନକାରୀ ଘଟଣା ଥିଲା। କଂଗ୍ରେସର ଜଡ଼କୁ ଦୋହଲାଇ ପାରିଥିଲା ଏ ଘଟଣା। ଏହା ସହ ଆଉ ଏକ ପରିସ୍ଥିତି କଂଗ୍ରେସର ଅଧୋପତ୍ତନର କାରଣ ହୋଇଥିଲା ତାହା ହେଲା ଜାତିଭିତ୍ତିକ ରାଜନୀତି।
ଏ ରାଜନୀତିର ସୂତ୍ରଧର ଥିଲେ ମୋରାରଜୀ ଦେଶାଇ। ୧୯୭୭ ମସିହାରେ ଶାସନ କ୍ଷମତାକୁ ଆସିଥିବା ମୋରାରଜୀ ଦେଶାଇ ସରକାର କଂଗ୍ରେସକୁ ତଳିତଳାନ୍ତ କରିବା ଲାଗି ଦେଶରେ ସାମାଜିକ ଓ ଆର୍ଥିକଭାବେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ଲାଗି ପ୍ରୟାସ ଆରମ୍ଭ କରିଲେ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପି ମଣ୍ଡଳଙ୍କୁ ନେଇ ଏକ କମିଶନ ଗଠନ କରାଗଲା। ମଣ୍ଡଳ କମିଶନ ଭାବରେ ପରିଚିତ ଏହି କମିଶନ ଇଂରେଜମାନଙ୍କ ୧୯୩୧ ଗଣନା ଆଧାରରେ ସାମାଜିକ, ଶିକ୍ଷାଗତ ଓ ଅର୍ଥନୀତିକ ଦୃଷ୍ଟିରୁ ପଛୁଆ ଜାତି ବା ଗୋଷ୍ଠୀଙ୍କୁ ଏସ୍ଇବିସିଭାବେ ଚିହ୍ନଟ କରିଥିଲା। ୧୯୫୩ ମସିହାରେ କାଳିଙ୍ଗେଶ୍ୱର କମିଶନ ଦେଇଥିବା ସୁପାରିସକୁ ଗ୍ରହଣ କରି ମଣ୍ଡଳ କମିଶନ ସରକାରୀ ଚାକିରି ଓ ଶିକ୍ଷା ପ୍ରତିଷ୍ଠାନରେ ଓବିସିଙ୍କ ପାଇଁ ୨୭ % ଆରକ୍ଷଣ ସୁପାରିସ କରିଥିଲେ।
୧୯୮୦ ମସିହାରେ ଏହି କମିଶନ ନିଜ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ସେତେବେଳେ ମୋରାରଜୀ ଦେଶାଇଙ୍କ ନେତୃତ୍ୱଧୀନ ସରକାର ଆଉ କ୍ଷମତାରେ ନ ଥିଲେ। ଇନ୍ଦିରା ଗାନ୍ଧି ପୁଣିଥରେ ନିର୍ବାଚନ ଜିତି କ୍ଷମତା ଦଖଲ କରିସାରିଥିଲେ। ଯେହେତୁ ମଣ୍ଡଳ କମିଶନକୁ ନେଇ ଉଚ୍ଚଜାତିଙ୍କ ବିରୋଧ ରହିଥିଲା ଏବଂ ଏହାଦ୍ୱାରା ବ୍ରାହ୍ମଣ, କ୍ଷତ୍ରୀୟ, କରଣ ଆଦି ଜାତି ଉତ୍କ୍ଷୀପ୍ତ ଥିଲେ, ଇନ୍ଦିରା ଗାନ୍ଧି ଏହି ରିପୋର୍ଟ ସପକ୍ଷରେ ରହିଲେ ନାହିଁ ବୋଲି କୁହାଗଲା।
କିନ୍ତୁ ସେତେବେଳେ ଓବିସି ଗୋଷ୍ଠୀ ସଂଗଠିତ ନ ଥିଲେ। ଏମାନଙ୍କ ସଂଖ୍ୟା ୫୨ ପ୍ରତିଶତରୁ ଅଧିକ ଥିଲେ ବି ସେମାନଙ୍କ ଭୋଟ୍ ଯେ ଏହି ସୁପାରିସ ଲାଗୁ କରିବାଦ୍ୱାରା କଂଗ୍ରେସ ପକ୍ଷକୁ ଆସିବ ତାହାର କୌଣସି ଗ୍ୟାରେଣ୍ଟି ନ ଥିଲା। ଅର୍ଥାତ୍ ତତ୍କାଳୀନ ଭୋଟ୍ ରାଜନୀତିରେ ମଣ୍ଡଳ କମିଶନଙ୍କ ସୁପାରିସ କଂଗ୍ରେସକୁ ହରଡ଼ଘଣାରେ ପକାଇଥିଲା।
ଅପରପକ୍ଷେ କଂଗ୍ରେସ ନିଜକୁ ସମସ୍ତ ଜାତି ଓ ବର୍ଗର ପ୍ରତିନିଧିଭାବେ ଉପସ୍ଥାପନ କରୁଥିଲା। ମଣ୍ଡଳ କମିଶନଙ୍କ ସୁପାରିଶକୁ ଗ୍ରହଣ କଲେ ଏହା ଜାତିବାଦୀ ରାଜନୀତିକୁ ପ୍ରୋତ୍ସାହନ ସହ ଦଳର “ସର୍ବଭାରତୀୟ” ଚିତ୍ରକୁ କ୍ଷତି ପହଞ୍ଚାଇବ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ ପରାମର୍ଶ ଦେଇଥିଲେ।
ସେହିପରି ମଣ୍ଡଳ କମିଶନର ସୁପାରିଶ ଲାଗୁ ହେଲେ ଉଚ୍ଚ ଜାତି ଓ ଓବିସି ମଧ୍ୟରେ ସାମାଜିକ ଉତ୍ତେଜନା ସୃଷ୍ଟି କରିବାର ଭୟ ଥିଲା। ୧୯୯୦ରେ ଭି.ପି. ସିଂହଙ୍କ ସରକାର ଏହାକୁ କାର୍ଯ୍ୟକାରୀ କରିବା ପରେ ଯେପରି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ, ହିଂସା ଓ ଛାତ୍ର ଆନ୍ଦୋଳନ ହୋଇଥିଲା, କଂଗ୍ରେସ ଏହାକୁ ପୂର୍ବରୁ ଅନୁମାନ କରିପାରିଥିଲା।
ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସରକାର ଏହାକୁ ଏକ ସମ୍ବେଦନଶୀଳ ବିଷୟଭାବେ ଦେଖୁଥିଲେ। ଏଥିପାଇଁ ସାମାଜିକ ଅସ୍ଥିରତା ଏଡ଼ାଇବାକୁ ଚାହୁଁଥିଲେ। ଏହା ପୂର୍ବରୁ କାଳିଙ୍ଗେଶ୍ୱର କମିଶନଙ୍କ ରିପୋର୍ଟକୁ ସମାନ କାରଣ ଦର୍ଶାଇ ଲାଗୁ କରାଯାଇନଥିଲା। ଏଣୁ କଂଗ୍ରେସର ଟାଣୁଆ ନେତାମାନେ ବି ମଣ୍ଡଳ କମିଶନଙ୍କ ସୁପାରିସକୁ ଲାଗୁ କରିଲେ ନାହିଁ।
ପୁଣି ଆଇନଗତ ଜଟିଳତା ବି ସେତେବେଳେ ରହିଥିଲା। ମଣ୍ଡଳ କମିଶନ ପ୍ରାୟ ୩,୭୪୩ ଜାତିଙ୍କୁ ଓବିସିଭାବେ ଚିହ୍ନଟ କରିଥିଲେ, କିନ୍ତୁ ଏହି ତାଲିକାର ବୈଧତା ଓ ସଠିକତା ନେଇ ବିବାଦ ଥିଲା।
ଆହୁରି ମଧ୍ୟ ସଂରକ୍ଷଣ ଲାଗୁ ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୫୦% ସୀମା ଅତିକ୍ରମ ହେବାର ଆଶଙ୍କା ଥିଲା। ଏହା ଆଇନଗତ ବିବାଦ ସୃଷ୍ଟି କରିବ ବୋଲି ଆଶଙ୍କା କରି କଂଗ୍ରେସ ତାହାକୁ ଲାଗୁ କରିନଥିଲା।
ଏ ସବୁ କାରଣ ଏବେ ବି ରହିଛି। ଏବେ ବି ସରକାରଙ୍କ ସାମ୍ନାରେ ତାହା ଆହ୍ୱାନ ହୋଇ ଠିଆ ହୋଇଛି। ଚିହ୍ନିତ ଓବିସି ତାଲିକାକୁ ନେଇ ଟଣାଓଟରା ଲାଗିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରଣ ବି ମୁଣ୍ଡ ଉପରେ କଣ୍ଟା ହୋଇ ରହିଛି। ଉଚ୍ଚ ଜାତିଙ୍କ ଭୋଟ୍ ହ୍ରାସ ଓ ଦଙ୍ଗାର ଆଶଙ୍କା ବି ଅଛି।
ତଥାପି କଂଗ୍ରେସ ନିଜର ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ୧୯୮୦ ଦଶକରେ ଯେଉଁ ପ୍ରସ୍ତାବକୁ ଏଡ଼ାଇ ଥିଲା ତାକୁ ଆପଣାଇବାକୁ ଚାହୁଁଛି। ଅର୍ଥାତ୍ ଏହା ବଳରେ କ୍ଷମତାକୁ ଫେରିବାକୁ ଚାହୁଁଛି କଂଗ୍ରେସ।
ଖାଲି ସେତିକି ନୁହେଁ ଯେଉଁଭଳିଭାବେ ଜାତିବାଦକୁ କେନ୍ଦ୍ରକରି ଦେଶରେ ଅଣ କଂଗ୍ରେସ ଦଳମାନେ ଯେଉଁ ରାଜନୀତିକ ନିଅଁ ପକାଇବାକୁ ଚାହିଁଥିଲେ ସେହି ଚାଲ୍କୁ ଆପଣାଇବାକୁ ଚାହିଁଛି ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ କଂଗ୍ରେସ ପାର୍ଟି।
ଏଠାରେ ମନେପକାଇ ଦେବା ଜରୁରୀ ଯେ, ୧୯୫୧ ମସିହାରେ ସ୍ୱାଧୀନ ଭାରତ ଯେତେବେଳେ ପ୍ରଥମ ଥର ପାଇଁ ଜନଗଣନା କରିଥିଲା ବ୍ରିଟିଶ୍ ପ୍ରଥାକୁ ବନ୍ଦ କରିବାକୁ ଯାଇ ଜାତିଭିତ୍ତିକ ଜନଗଣନା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଅର୍ଥାତ୍ ଦେଶରେ ଶେଷଥର ପାଇଁ ଜାତିଭିତ୍ତିକ ଜନଗଣନା ୧୯୩୧ ମସିହାରେ ହିଁ ହୋଇଥିଲା। କାରଣ ୧୯୪୧ ମସିହାର ଜନଗଣନା ପୂର୍ଣ୍ଣାଙ୍ଗ ରିପୋର୍ଟ ଆସି ପାରିନଥିଲା। ସେତେବଳେ ଯୁଦ୍ଧ କାରଣରୁ ସବୁକିଛି ବନ୍ଦ ରଖିଥିଲେ ବ୍ରିଟିଶ ସରକାର।
୧୯୮୦ ଦଶକରେ କଂଗ୍ରେସ ସରକାର ଦେଶ ଭୋଗୁଥିବା ଅର୍ଥନୈତିକ ସଙ୍କଟ, ପଞ୍ଜାବ ସମସ୍ୟା, ଅସାମ ଆନ୍ଦୋଳନ ଓ ଶ୍ରୀଲଙ୍କାରେ ଏଲଟିଟିଇ ସମସ୍ୟା ପରି ଅନେକ ଜାତୀୟ ଓ ଆନ୍ତର୍ଜାତୀକ ସଙ୍କଟରେ ଜର୍ଜରିତ ଥିଲା। ମଣ୍ଡଳ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ କରିବା ଅପେକ୍ଷା ଏହି ସଙ୍କଟଗୁଡ଼ିକୁ ସମାଧାନ କରିବାକୁ ଅଧିକ ଅଗ୍ରାଧିକାର ଦିଆଯାଇଥିଲା।
ଏବେ ବି ଅନୁରୂପ ସମସ୍ୟା ଭାରତର ସୁରକ୍ଷା ଓ ରାଜନୀତିକୁ ପ୍ରଭାବିତ କରୁଛି। ତଥାପି ବ୍ରିଟିଶ୍ ଅମଳର ସେହି ନୀତିକୁ ମୋଦୀ ସରକାର ଆପଣାଇବାକୁ ଯାଉଛନ୍ତି। ୧୯୫୧ରୁ ବନ୍ଦ ଥିବା ଜନଗଣନାକୁ ପୁଣିଥରେ ଚାଲୁ କରିବାକୁ ଘୋଷଣା କରିଛି ବିଜେପି ସରକାର।
ବିରୋଧୀଙ୍କ ଚାପରେ ଦେଶରେ ଜାତିଭିତ୍ତିକ ରାଜନୀତିକୁ ଅଧି ଶକ୍ତ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ସରକାର। ଅର୍ଥାତ୍ ଉଭୟ ବିରୋଧୀ ଓ ସରକାର ଏବେ ଜାତିଭିତ୍ତିକ ରାଜନୀତି ହିଁ ଚାହୁଁଛନ୍ତି। କିନ୍ତୁ ଏହାର ପ୍ରଭାବ କିପରି ହେବ? ଯେଉଁ ବିଭାଜନର ମଞ୍ଜି ଇଂରେଜ ବୁଣିଥିଲେ ତାହା ଦ୍ରୁମ ସାଜି ଆମ ସାମାଜିକ ବନ୍ଧନକୁ ଆଘାତ ଦେବନାହିଁ ତ?
ଦେଶରେ ଶେଷଥର ଲାଗି ୧୯୪୧ରେ ଜାତିଭିତ୍ତିକ ଜନଗଣନା କେବେ ହୋଇଥିଲା, କ’ଣ ଥିଲା ଏହାର ପ୍ରଭାବ?