ରାଜ୍ୟର ଲୋକଙ୍କ ସେବା ପାଇଁ ସରକାରଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ ଆନ୍ଦୋଳନ କରିପାରିବେ କି? ପୁଣି ସେ ଆନ୍ଦୋଳନ ଗୋଷ୍ଠୀଭିତ୍ତିରେ ଜଣେ ଲୋକ ବିରୋଧରେ ପ୍ରେରିତ ହୋଇପାରିବ କି? ଗତ ତିନିଦିନ ହେଲା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନରେ ଅତିରିକ୍ତ କମିଶନରଙ୍କୁ ମାଡ଼ ପ୍ରତିବାଦରେ ଯେଉଁଭଳି ଭାବେ ସାରାରାଜ୍ୟର ପ୍ରଶାସନିକ ସେବା ଅଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି ତାହା ଆଇନ ଦୃଷ୍ଟିରେ ଯୁକ୍ତିଯୁକ୍ତ କି? ସାଧାରଣ ଲୋକଙ୍କୁ ସେବା ଦେବାକୁ ନିଯୁକ୍ତି ପାଇଥିବା ଏ ଅଧିକାରୀଙ୍କୁ ସାଧରଣ ଲୋକଙ୍କ ସେବା ବ୍ୟାହତ କରିବାର ଅଧିକାର କିଏ ଦେଇଛି? କାହା ବଳରେ ବଳୀୟାନ ହୋଇଛନ୍ତି ରାଜ୍ୟ ପ୍ରଶାସନିକ ଅଧିକାରୀ ସଂଘ। ଏମିତି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି ଆଉ ସେ ସବୁକୁ ବିଶ୍ଳେଷଣ କରିବା।

ଗଲା ତିନିଦିନ ହେଲା ରାଜ୍ୟ ପ୍ରଶାସନରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ୩୦ ତାରିଖରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ର ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା, ସର୍ବସମ୍ମୁଖରେ ଅପମାନିତ କରିବା, ଧମକାଇବାକୁ ନିନ୍ଦା କରି ରାଜ୍ୟର ଓଏଏସ୍ ବା ଓଡ଼ିଶା ପ୍ରଶାସନିକ ସେବାଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି। ଅର୍ଥାତ୍ ରାଜ୍ୟରେ ସରକାରୀ ସେବା ଅନେକ ପରିମାଣରେ ଠପ୍ ହୋଇଛି। ମୁଖ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ହେବା ପରେ ନିଜ ଦାବିକୁ ହାସଲ କରିବା ତଥା ସରକାରଙ୍କ ଉପରେ ଚାପ ପକାଇବା ଲାଗି ଅଧିକାରୀ ସଂଘ ଏହି ନିଷ୍ପତ୍ତି ନେଇଛି।
ପ୍ରଶ୍ନ ଉଠୁଛି ଏହା କେତେଦୂର ଯୁକ୍ତଯୁକ୍ତ? ସରକାରୀ କର୍ମଚାରୀ ହୋଇ ସରକାରଙ୍କ କାର୍ଯ୍ୟ ନ କରି ସରକାରଙ୍କ ଉପରେ ଚାପ ପକାଇବା ଆଇନ ସମ୍ମତ କି? ପୂର୍ବରୁ ଏଭଳି ମାମଲାରେ ସୁପ୍ରିମକୋର୍ଟ କି ନିର୍ଦ୍ଦେଶ ଦେଇଛନ୍ତି? ଆସନ୍ତୁ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିବା।

ସମ୍ବିଧାନର ଧାରା ୧୯ ଆମକୁ କଥା କହିବାର ଅଧିକାର ଦେଇଛି। ଆମର ଅଭାବ ଅସୁବିଧା ବିଷୟରେ ଜଣାଇବା ବା ବ୍ୟକ୍ତ କରିବାର ସ୍ୱାଧିକାର ଦେଇଛି। ଏହି ଧାରାଟି ହିଁ ଆମ ଦେଶରେ ମିଡିଆ ବା ଗଣମାଧ୍ୟମ ଚଳାଇବା ସ୍ୱାଚ୍ଛନ୍ଦ୍ୟ ଦିଏ। ଏହା ଏକ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର। ଅର୍ଥାତ୍ ସରକାର ଯିଏ ବି ଆସୁ ଏହାକୁ କ୍ଷୁର୍ଣ୍ଣ କରିପାରିବ ନାହିଁ। ଏହି ଧାରା ଅନୁସାରେ ଆମେ ସଂଘ ଗଠନ କରିପାରିବା, ଆନ୍ଦୋଳନ କରିପାରିବା। ସମ୍ବିଧାନର ଧାରା-୧୯ ଉପଧାରା (୧) (କ) ଅନୁସାରେ ପ୍ରତିଟି ନାଗରିକ ନିଜର କଥା, ଭାବ, ବ୍ୟକ୍ତ କରିବାର ଅଧିକାର ଲାଭ କରିଛନ୍ତି। ସେହିପରି ଧାରା ୧୯ ଉପଧାରା ୧-ଗ ଅନୁସାରେ ଆମେ କୌଣସି ସଂଘ, ୟୁନିୟନ ଗଠନ କରିବାର ସ୍ୱାଧୀନତା ପ୍ରାପ୍ତ କରିଛୁ। ଏହି ଅନୁସାରେ ସରକାରୀ କର୍ମଚାରୀ ହୁଅନ୍ତୁ ବା ସାଧାରଣ ନାଗରିକ ସେମାନଙ୍କ ସାଧାରଣ ଲକ୍ଷ୍ୟକୁ ହାସଲ କରିବା ପାଇଁ ସଂଘ, ସଂଗଠନ ଗଢ଼ିପାରିବେ। ସରକାରଙ୍କ ଉପରେ ଚାପ ପକାଇପାରିବେ।

ହେଲେ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହି ଧାରା ଲାଗୁ ହେବ ନା ନାହିଁ? ଯଦି ଲାଗୁ ତେବେ ରାଜ୍ୟରେ ଗଲା କିଛିଦିନ ହେଲା ଯେଉଁଭଳି ଭାବେ ରାଜ୍ୟ ସରକାରଙ୍କ ଅଧିକାରୀସବୁ ଏକକାଳୀନ ଛୁଟିରେ ଯାଇ ସରକାରୀ କାର୍ଯ୍ୟରେ ବାଧା ଆଣିଛନ୍ତି ତାହା ଆଇନ ସମ୍ମତ କି? ସାଧାରଣ ଲୋକଙ୍କୁ ସେବା ଯୋଗାଇବା ଲାଗି ନିଯୁକ୍ତ ଏ କର୍ମଚାରୀଙ୍କ ଏପରି ଭାବ ସାଧାରଣ ସେବାରେ ବାଧା ଆଣିବା ଲାଗି ପ୍ରରୋଚିତ ନୁହେଁ କି? ଏଠାରେ ଆମେ ରାଜନୀତିକ ସ୍ୱାର୍ଥ କଥା ବିଚାର କରୁନାହୁଁ, ଆନ୍ଦୋଳନର କାରଣ କଥା ବି ପଚାରୁନୁ କିନ୍ତୁ ଆନ୍ଦୋଳନ କରିବାର ଅଧିକାର ବାବଦରେ ନ୍ୟାୟିକ ଟିପ୍ପଣୀ ଆପଣଙ୍କୁ ଜଣାଇବାକୁ ଚାହୁଁ।
ଏ ପ୍ରଶ୍ନର ଉତ୍ତର ଆଜି ନୂଆ ନୁହେଁ। ୧୯୬୨ ମସିହାରୁ ଏପରି ବିବାଦ କୋର୍ଟଙ୍କ ଦ୍ୱାରରେ ବିଚାର ହୋଇ ଆସୁଛି। ସରକାର ଓ ଅଫିସରଙ୍କ ବିବାଦ କୋର୍ଟରେ ପଡ଼ି ସେ ବାବଦରେ ରାୟ ମଧ୍ୟ ଦିଆସରିଛି। କିନ୍ତୁ ବାରମ୍ବାର ରାଜ୍ୟର ଅଧିକାରୀମାନେ ଏହାକୁ ଉଲ୍ଲଂଘନ କରିଛନ୍ତି। ଯେମିତି ଆମ ରାଜ୍ୟରେ ଗଲା ତିନିଦିନ ହେଲା ଚାଲିଛି।
୧୯୬୨ ମସିହାରେ ଏମିତି ଏକ ମାମଲା ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା। ଏହା ବିହାର ରାଜ୍ୟ ସରକାର ବନାମ କାମେଶ୍ୱର ପ୍ରସାଦ ମାମଲା ନାମରେ ଖ୍ୟାତ। କାମେଶ୍ୱର ପ୍ରସାଦ ସୁପ୍ରିମକୋର୍ଟରେ ମାମଲା ଦାୟର କରି ସରକାରୀ କର୍ମଚାରୀଙ୍କ ଅଧିକାରକୁ ସରକାର ହନନ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ବିହାର ସରକାର ସେତେବେଳେ କର୍ମଚାରୀଙ୍କ ଆନ୍ଦୋଳନକୁ ବେଆଇନ ଘୋଷଣା କରିଥିଲେ।
ସୁପ୍ରିମକୋର୍ଟ ମାମଲାକୁ ଶୁଣାଣି କରି ଭବିଷ୍ୟତରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନକୁ ଚେତାବନୀ ଦେଇଥିଲେ। କୋର୍ଟ ନିଜ ରାୟରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନକୁ ବାରଣ କରି ସରକାର ଦେଇଥିବା ନୋଟିସ୍କୁ ଉଚିତ ବୋଲି ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ କହିଥିଲେ, ଧାରା ୧୯ ଆମକୁ ସଂଘ ଗଠନ ଲାଗି ଅଧିକାର ଦେଉଛି। କିନ୍ତୁ ଧାରା ୧୯ ଉପଧାରା ୨ରେ ସରକାର ଏ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଅନୁମତି ଦେଇଛି। ଯେତେବେଳେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେବ ତାହା ଭରତର ସାର୍ବଭୌମତ୍ୱ, ସାଧାରଣ ଶୃଙ୍ଖଳାକୁ ବ୍ୟାହତ କରୁନଥିବା ଦରକାର ବୋଲି ସୁପ୍ରିମକୋର୍ଟ ସ୍ଥିର କରିଥିଲେ।
ଏହାପରେ ୨୦୦୩ ମସିହାରେ ସମାନ ଏକ ଘଟଣାକୁ ନେଇ ତାମିଲନାଡ଼ୁ ସରକାର ଏବଂ ସରକାରୀ କର୍ମଚାରୀ ଟି.କେ ରଙ୍ଗରାଜନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ସମ୍ବିଧାନର ନିର୍ଦ୍ଦେଶକୁ ନଜରରେ ରଖି ନିର୍ଦ୍ଦେଶ ଏପରି ଦେଇଥିଲେ ଯାହା ଐତିହାସିକ ହୋଇ ରହିଛି। ଜଷ୍ଟିସ ଏମ୍ବି ଶାହ ଏବଂ ଏ ଆର ଲକ୍ଷ୍ମଣନ୍ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଥିଲେ, ‘ଧାରଣା ବା ଆନ୍ଦୋଳନ ଲାଗି ସରକାରୀ କର୍ମଚାରୀଙ୍କ ମୌଳିକ, ସାମ୍ବିଧାନିକ ବା ନୈତିକ ଅଧିକାର ନାହିଁ’।
ସରକାରୀ କର୍ମଚାରୀଙ୍କ ଦ୍ୱାରା ଆନ୍ଦୋଳନ ସାଧାରଣ ବ୍ୟବସ୍ଥାକୁ ବାଧା ପହଞ୍ଚାଉଛି। ଏହାଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହୁଅନ୍ତି। ଏପରି ନିଷ୍ପତ୍ତି ସ୍ପଷ୍ଟ କରୁଛି ଯେ, ସରକାରୀ କର୍ମଚାରୀ ସାଧାରଣ ନାଗରିକଙ୍କ ସେବା ବା ଦାୟିତ୍ୱକୁ ନୁହେଁ ଧାରଣା, ଆନ୍ଦୋଳନକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି।
ଏହା ପୂର୍ବରୁ କ୍ୟାପ୍ଟେନ ହରିଶ ଉପ୍ପଲ ଏବଂ ଭାରତ ସରକାରଙ୍କ ଭିତରେ ଚାଲିଥିବା ଏକ ମାମଲାକୁ ବିଚାର କରି ୨୦୦୨ ମସିହାରେ ସୁପ୍ରିମକୋର୍ଟ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ କରିବାର ଅଧିକାର ନାହିଁ ବୋଲି କହିଥିଲେ।
ଓଡ଼ିଶା ହାଇକୋର୍ଟ ମଧ୍ୟ ୨୦୨୦ ମସିହାରେ ଆଇନଜୀବୀଙ୍କ ଦୀର୍ଘ ଦିନର ଆନ୍ଦୋଳନକୁ ନେଇ ନିଜଆଡ଼ୁ ମାମଲା ରୁଜୁ କରି ଆନ୍ଦୋଳନକୁ ବେଆଇନ ଘୋଷଣା କରିଥିଲେ। ଏହା ସୁପ୍ରିମକୋର୍ଟରେ ମଧ୍ୟ କାଏମ ରହିଥିଲା।
ଖାଲି ସେତିକି ନୁହେଁ, ଓଡ଼ିଶା ସରକାରୀ ସେବା ଆଚରଣ ବିଧି ବା ଓଡ଼ିଶା ସିଭିଲ ସର୍ଭିସେସ୍ କଣ୍ଡକ୍ଟ ରୁଲ୍ସ ୧୯୫୯ରେ ସରକାରୀ କର୍ମଚାରୀଙ୍କ କୌଣସି ପ୍ରକାର ଆନ୍ଦୋଳନ, ଧାରଣା, ବିକ୍ଷୋଭକୁ ବାରଣ କରାଯାଇଛି।
ସୁପ୍ରିମକୋର୍ଟଙ୍କ ୧୯୬୨, ୨୦୦୨, ୨୦୦୩ ଏବଂ ହାଇକୋର୍ଟଙ୍କ ୨୦୨୦ ଅନୁଶୀଳନ ତଥା ଓଡ଼ିଶା ସରକାରୀ ସେବା ଆଚରଣ ବିଧି ୧୯୫୯ ଅନୁସାରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନକୁ କୌଣସି ପ୍ରକାରେ ପ୍ରଶ୍ରୟ ଦିଆଯାଇ ନାହିଁ। ଅର୍ଥାତ୍ ରାଜ୍ୟରେ ତିନିଦିନ ହେଲା ଚାଲିଥିବା ଆନ୍ଦୋଳନ କେବଳ ବେଆଇନ ନୁହେଁ ବରଂ କୋର୍ଟଙ୍କ ଆଦେଶର ଅବମାମନାଭାବେ ଗ୍ରହଣ କରାଯାଇପାରେ।
ଏସବୁ ଯେ ଆମ ବିଜ୍ଞ ଅଧିକାରୀମାନେ ଜାଣି ନାହାନ୍ତି ତାହା ନୁହେଁ। କିନ୍ତୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସେମାନେ ଯେଉଁଭଳି ଭାବେ ପ୍ରରୋଚିତ ହେଉଛନ୍ତି ତାହା ରାଜନୀତିକ ଦିଗକୁ ଇଙ୍ଗିତ କରୁଛି। ଏ ସଂଘର ନେତାମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ବିଜେଡି ସାଂସଦଙ୍କ ସ୍ୱାମୀଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଛନ୍ତି ବୋଲି ଏକ ଗଣମାଧ୍ୟମ ପ୍ରକାଶ କରିଛି। ସରକାରଙ୍କ ଗୁଇନ୍ଦା ଏ ଖବରକୁ ନିଶ୍ଚିତ ଭାବେ ପୁଷ୍ଟି କରିପାରିବ। କିନ୍ତୁ ସରକାର ବଦଳିଲା ପରେ ଗଣତନ୍ତ୍ରରେ ନିର୍ବାଚିତ ସରକାରଙ୍କୁ ଗାଢ଼ରେ ପକାଇବାକୁ ଚେଷ୍ଟାକରିବା ସାମ୍ବିଧାନିକ ଅପରାଧ ନୁହେଁ କି? ଆଇନକୁ ତା’ ବାଟରେ ଯିବାକୁ ନ ଦେଇ ଅବରୋଧ କରିବା କ’ଣ ଏକ ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟ।
Also readhttps://purvapaksa.com/pandians-ecosystem-past-and-present-how-elected-governments-become-crippled/
