CM Mohan Majhi: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ବି ଏବେବି ଖାଲି ପଡ଼ିଛି। ତାଙ୍କର ସୀମିତ ପ୍ରଶାସନିକ ଅଭିଜ୍ଞତା ଯୋଗୁଁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ଟିମ୍ ଚୟନ କରିବା ପାଇଁ କିଛି ସମୟ ନେଉଛନ୍ତି।
ମୋହନ ମାଝୀ କ୍ଷମତାକୁ ଆସିବାର ପ୍ରାରମ୍ଭିକ କିଛିମାସ ମଧ୍ୟରେ ପ୍ରଶାସନରେ ଦ୍ୱନ୍ଦ୍ୱ ଓ ବିଭ୍ରାଟ ଦେଖାଦେଇଥିଲା। ସରକାର ଗଠନ ହେବାର ୧୦ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ସରକାର ଚଳାଇବାରେ ସାହାଯ୍ୟ କରିବା ପାଇଁ ନିଜର କୋର ଟିମ୍ ଗଠନ କରିବାରେ ଏବେ ସଫଳ ହୋଇଛନ୍ତି।
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ର ୪-୫ ଜଣ ଅଧିକାରୀ ଏବଂ ଜଣେ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କୁ ନେଇ ଗୋଟିଏ ଛୋଟ ଟିମ୍ ମୋହନ ମାଝୀ ଗଠନ କରିଛନ୍ତି। କୋର ଟିମ୍ର ନେତୃତ୍ୱ ନେଉଛନ୍ତି ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଯିଏ କି ପୂର୍ବରୁ କେନ୍ଦ୍ର କୃଷି ସଚିବ ଥିଲେ।
ତେବେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରର ୧୦ ମାସ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ଏବେବି ଖାଲି ପଡ଼ିଛି। ବାସ୍ତବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ପ୍ରମୁଖ ସଚିବ ରାଜେଶ ବର୍ମା କେନ୍ଦ୍ରକୁ ଯିବା ପରଠାରୁ ଅଦ୍ୟାବଧି ୨୦୧୯ରୁ ଏହି ପଦବୀ ପୂରଣ ହୋଇପାରିନାହିଁ।
ମୋହନ ମାଝୀ ଦାୟିତ୍ୱ ଗ୍ରହଣ କରିବାର ମାସକ ପରେ ସ୍ୱତନ୍ତ୍ର ସଚିବଭାବେ କାର୍ଯ୍ୟ କରୁଥିବା ଆର.ବିନୀଲ କ୍ରିଷ୍ଣାଙ୍କ ଭଳି କିଛି ପୂର୍ବତନ ଅଧିକାରୀଙ୍କୁ ହଟାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କ ଭଳି କିଛି ପ୍ରାରମ୍ଭିକ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ୭ ମାସ ପରେ ବଦଳି କରାଯାଇଛି।
ତାଙ୍କର ସୀମିତ ପ୍ରଶାସନିକ ଅଭିଜ୍ଞତା ଯୋଗୁଁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ଦଳ ଚୟନ କରିବାକୁ ମଧ୍ୟ କିଛି ସମୟ ନେଉଛନ୍ତି। ଯଦିଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମାର୍ଗଦର୍ଶନ ମିଳୁଛି, କିନ୍ତୁ ମୋଟାମୋଟି ଭାବେ ଦୈନନ୍ଦିନ ଶାସନ ସମ୍ବନ୍ଧୀୟ ମାମଲାରେ କୌଣସି ହସ୍ତକ୍ଷେପ ହେଉନାହିଁ। ତାଙ୍କ କୋର ଟିମ୍ ଏହାକୁ ପରିଚାଳନା କରୁଛି ବୋଲି ପ୍ରଶାସନିକ ମହଲରେ ଆଲୋଚନା ହେଉଛି। ବାସ୍ତବରେ ମୁଖ୍ୟ ଶାସନ ସଚିବ ଆହୁଜାଙ୍କୁ କେନ୍ଦ୍ରର ପସନ୍ଦ ବୋଲି କୁହାଯାଉଛି।
ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ସରକାରଙ୍କ ଅଧୀନରେ ଅଧିକାଂଶ ଅମଲାତନ୍ତ୍ର କାର୍ଯ୍ୟ କରିଆସୁଥିବାବେଳେ ଅନେକ ତତ୍କାଳୀନ ଶାସକ ଦଳର ଅତି ନିକଟତର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ଅଧିକାରୀଙ୍କ ଉପରେ ଭରସା କରିପାରିବେ, ସେମାନଙ୍କୁ ନେଇ ଏକ ଟିମ୍ ଗଠନ କରିବା ଏତେ ସହଜ ନ ଥିଲା। ତେଣୁ ଟିମ୍ ମୋହନ ଗଠନ କରିବାରେ ୧୦ ମାସ ମସୟ ଲାଗିଛି।
ବିଜେଡି ସରକାର କ୍ଷମତାରେ ଥିବା ୨୪ ବର୍ଷ ମଧ୍ୟରୁ ଅଧିକାଂଶ ସମୟ ଓଡ଼ିଶାରେ ବରିଷ୍ଠ ଅଧିକାରୀଙ୍କ ସମେତ ଅମଲାତନ୍ତ୍ର କେବଳ ଜଣେ ବ୍ୟକ୍ତି, ପୂର୍ବତନ ବ୍ୟକ୍ତିଗତ ସଚିବ ତଥା ନବୀନ ପଟ୍ଟନାୟକଙ୍କ ସବୁଠାରୁ ବିଶ୍ୱସ୍ତ ସହଯୋଗୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କଠାରୁ ଆଦେଶ ନେବାରେ ଅଭ୍ୟସ୍ତ ହୋଇପଡ଼ିଥିଲା। ସେମାନେ ଦୀର୍ଘ ଦିନ ଧରି ଗଣତାନ୍ତ୍ରିକ ଭାବରେ କାମ କରିନାହାନ୍ତି। ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ପ୍ରଶାସନିକ ସେବାର କିଛି ଅଧିକାରୀଙ୍କୁ ସିଏମ୍ଓକୁ ଆଣିଛନ୍ତି।
ମାଝୀଙ୍କ କୋର ଟିମର ଅଧିକାରୀଙ୍କ ଉପରେ ନଜର:-
ମନୋଜ ଆହୁଜା, ମୁଖ୍ୟ ଶାସନ ସଚିବ
ଜୁନ୍ ୨୦୨୪ରେ ମୋହନ ମାଝୀ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମନୋଜ ଆହୁଜାଙ୍କୁ ଦିଲ୍ଲୀରୁ ତାଙ୍କ ହୋମ୍ କ୍ୟାଡରକୁ ଅକାଳରେ ପ୍ରତ୍ୟାବର୍ତ୍ତନ କରାଯାଇଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ। ଜୁନ୍ ୩୦ରେ ମୁଖ୍ୟ ଶାସନ ସଚିବଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମନୋଜ ଆହୁଜା କେନ୍ଦ୍ର କୃଷି ସଚିବ ଥିଲେ।
ତିନି ଦଶନ୍ଧିରୁ ଅଧିକ ସମୟ ଧରି ଆଇଏଏସ୍ଭାବେ କାର୍ଯ୍ୟ କରିଥିବା ୬୧ ବର୍ଷୀୟ ଏହି ବ୍ୟକ୍ତି ଜଟିଳ ଏବଂ ଆହ୍ୱାନପୂର୍ଣ୍ଣ ପ୍ରଶାସନିକ ସମସ୍ୟାର ମୁକାବିଲା କରିବାର ସମୃଦ୍ଧ ଅଭିଜ୍ଞତା ହାସଲ କରିଛନ୍ତି। ନିଜର ସଚ୍ଚୋଟତା ଓ ପ୍ରଶାସନିକ ଦକ୍ଷତା ପାଇଁ ଜଣାଶୁଣା ଆହୁଜାଙ୍କ ଗୁରୁତ୍ୱ ଦିଆଯାଉଥିବାରୁ ଡିସେମ୍ବର ୩୧ତାରିଖରେ ଅବସର ନେବା ପୂର୍ବରୁ ତାଙ୍କୁ ଏକ ବର୍ଷ ପାଇଁ ଅବଧି ବୃଦ୍ଧି କରାଯାଇଛି।
ହରିୟାଣାର ମୂଳ ବାସିନ୍ଦା ଆହୁଜା ପଟିଆଲାର ଥାପର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ମେକାନିକାଲ ଇଞ୍ଜିନିୟରିଂ ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ। ସେ ହାର୍ଭାର୍ଡରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ସେ ସିବିଏସଇ ଅଧ୍ୟକ୍ଷ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ ସମେତ କେନ୍ଦ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି, ଯେଉଁଠାରେ ସେ ଅଲଗା ଅଲଗା କାର୍ଯ୍ୟକାଳରେ ୧୨ ବର୍ଷ କାର୍ଯ୍ୟ କରିଥିଲେ।
ପ୍ରକାଶ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା
କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ପୂର୍ବତନ ଡିଜି ପ୍ରକାଶ ମିଶ୍ର ଆଇନ ଶୃଙ୍ଖଳା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶଦାତା ହୋଇଛନ୍ତି। ତାଙ୍କ ପଦବୀ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ସମାନ। ୧୯୭୭ ବ୍ୟାଚ୍ର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ୨୦୧୨ରୁ ୨୦୧୪ ମଧ୍ୟରେ ଓଡ଼ିଶା ଡିଜିପିଭାବେ କାର୍ଯ୍ୟ କରିଥିଲେ।
ଜଣେ ଅତ୍ୟନ୍ତ ଦକ୍ଷ ଅଧିକାରୀଭାବେ ପରିଚିତ ଶ୍ରୀ ମିଶ୍ର କେନ୍ଦ୍ରର ସୁରକ୍ଷା ପ୍ରତିଷ୍ଠାନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଡିଜି ଥିଲେ ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥାର ଅତିରିକ୍ତ ଡିଜି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଓଡ଼ିଶା କ୍ୟାଡରର ଦ୍ୱିତୀୟ ଆଇପିଏସ ଅଧିକାରୀ ଶ୍ରୀ ମିଶ୍ର ମାଝୀଙ୍କୁ ଆଇନଶୃଙ୍ଖଳା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରାମର୍ଶ ଦେଇ ଆସୁଛନ୍ତି। ପ୍ରକାଶ ମିଶ୍ରଙ୍କର ନବୀନ ପଟ୍ଟନାୟକ ସରକାରଙ୍କ ସହ ମତଭେଦ ଥିଲା। ବାସ୍ତବରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲେ ନବୀନ ସରକାର। ପରବର୍ତ୍ତୀ ସମୟରେ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଥିଲା।
ଶ୍ରୀ ମିଶ୍ର ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ସେ ମଧ୍ୟ କଟକରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ନିର୍ବାଚନ ହାରିଥିଲେ। ମାଝୀଙ୍କ ପୂର୍ବବର୍ତ୍ତୀ ନବୀନ ପଟ୍ଟନାୟକ ମଧ୍ୟ କିଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ପରାମର୍ଶଦାତାଭାବେ ନିଯୁକ୍ତି ଦେଇଥିଲେ।
ନିକୁଞ୍ଜ ବିହାରୀ ଧଳ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ
୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ଗତ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଭାବେ ନିଯୁକ୍ତି ଦିଆଯାଇଥିଲା। ଜଣେ ସଚ୍ଚୋଟ ଅଧିକାରୀ ଧଳଙ୍କୁ ଗତବର୍ଷ ସଚିବଭାବେ ମଧ୍ୟ ନିଯୁକ୍ତି ମିଳିଥିଲା।
ନିକୁଞ୍ଜ ବିହାରୀ ଧଳ ପ୍ରଥମ ବରିଷ୍ଠ ଆଇଏଏସ୍ ଅଫିସରଭାବେ ସିଏମ୍ଓକୁ ବଦଳି ହୋଇଥିବାବେଳେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ କେନ୍ଦ୍ରୀୟ ଡେପୁଟେସନରେ ଯିବାର ସମ୍ଭାବନା ରହିଛି।
ସେ କେନ୍ଦ୍ରକୁ ଯିବାକୁ ଚାହୁଁଛନ୍ତି। ଯଦି ସେ ଯାଆନ୍ତି, ତେବେ ସିଏମଓରେ ପ୍ରଧାନ ଓ ଅତିରିକ୍ତ ସଚିବଙ୍କ ଦୁଇଟି ଶୀର୍ଷ ପଦବୀ ଖାଲି ପଡ଼ିବ।
ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରରେ ପାଞ୍ଚବର୍ଷ କାର୍ଯ୍ୟକୁ ବାଦ୍ ଦେଲେ ମୁଖ୍ୟତଃ ରାଜ୍ୟରେ ରହିଛନ୍ତି। ସିଏମ୍ଓକୁ ଆସିବା ପୂର୍ବରୁ ସେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ।
ମନୋଜ କୁମାର ସାହୁ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
୨୦୦୬ ଏଜିଏମ୍ୟୁଟି (ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ) କ୍ୟାଡର ଆଇଏଏସ୍ ଅଧିକାରୀ ଶ୍ରୀ ସାହୁଙ୍କୁ ତାଙ୍କ ପୂର୍ବବର୍ତ୍ତୀ ଅରିନ୍ଦମ ଡାକୁଆଙ୍କ ବଦଳି ପରେ ଜାନୁଆରି ମାସରେ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା।
ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟତର ବୋଲି ବିବେଚନା କରାଯାଉଛି। ଜଣେ ଓଡ଼ିଆ ହୋଇଥିଲେ ମଧ୍ୟ ଶ୍ରୀ ସାହୁ ଓଡ଼ିଶା କ୍ୟାଡରର ଅଧିକାରୀ ନୁହଁନ୍ତି। ଗତ ବର୍ଷ ନଭେମ୍ବର ମାସରେ ତାଙ୍କୁ ରାଜ୍ୟକୁ ୩ ବର୍ଷ ପାଇଁ ଆନ୍ତଃ କ୍ୟାଡର ଡେପୁଟେସନ ଆସିବାର ଅନୁମତି ମିଳିଛି।
ଜଗତସିଂହପୁର ଜିଲ୍ଲାର ବାସିନ୍ଦା ଶ୍ରୀ ସାହୁ ଜଣେ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଧିକାରୀ। ଯେତେବେଳେ ତାଙ୍କୁ କନିଷ୍ଠ ପଦବୀରେ ବ୍ୟକ୍ତିଗତ ସଚିବଭାବେ ନିଯୁକ୍ତି ଦିଆଯାଇଥିଲା, ସେତେବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦ ‘‘ରାଜ୍ୟର ଆଇଏଏସ୍ କ୍ୟାଡରରେ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ସଚିବ ପଦର ମାନ୍ୟତା ଏବଂ ଦାୟିତ୍ୱ ସହିତ ସମାନ।’’
ଓଡ଼ିଶା ଆସିବା ପୂର୍ବରୁ ଶ୍ରୀ ସାହୁ ଭାରତୀୟ ନିର୍ବାଚନ ଆୟୋଗରେ ଉପ ନିର୍ବାଚନ କମିଶନରଭାବେ କାର୍ଯ୍ୟ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା
୨୦୧୨ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଅନୂପମ ସାହାଙ୍କୁ ଜୁଲାଇ ୨୦୨୪ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅତିରିକ୍ତ ସଚିବଭାବେ ନିଯୁକ୍ତି ଦିଆଯାଇଥିଲା। ସାହା ପୂର୍ବରୁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳଭାବେ ଅବସ୍ଥାପିତ ଥିଲେ।
ଆଇଏଏସଙ୍କ ବ୍ୟତୀତ ସିଏମଓରେ ଓଡ଼ିଶା ପ୍ରଶାସନିକ ସେବାର ଅନେକ ଅଧିକାରୀ ଅଛନ୍ତି। ଚତୁର୍ଥ ଥର ବିଧାୟକ ହୋଇଥିବାରୁ ମାଝୀ କେନ୍ଦୁଝରର ପୂର୍ବତନ ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତିଙ୍କ ସମେତ କିଛି ଓଏଏସ୍ ଅଫିସରଙ୍କୁ ନିଜ ଟିମରେ ରଖିଛନ୍ତି।
ମାଝୀ ଶପଥ ନେବାର ମାତ୍ର ୫ ଦିନ ପରେ ସିଏମଓରେ ପ୍ରବେଶ କରିଥିବା ପ୍ରଥମ ଅଧିକାରୀ ଶ୍ରୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା।
ଧୀରେ ଧୀରେ ପରିବର୍ତ୍ତନ
ଅନ୍ୟାନ୍ୟ ପ୍ରଶାସନିକ ପ୍ରସଙ୍ଗ ଭଳି ଅମଲାତାନ୍ତ୍ରିକ ଅଦଳବଦଳ ମଧ୍ୟ ଧୀରେ ଧୀରେ ଘଟୁଥିଲେ ହେଁ ପରିସ୍ଥିତି ବଦଳୁଳିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ତାଙ୍କ ନୂଆ ଟିମ୍ ଗଠନ କରୁଛନ୍ତି।
ଏଥିରେ କିଛି ପରିବର୍ତ୍ତନ ମଧ୍ୟ ହୋଇଛି। ମୋହନ ମାଝୀ ସରକାର ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରର ନିକଟତର କୁହାଯାଉଥିବା କିଛି ପ୍ରମୁଖ ଆଇଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି।
କ୍ଷମତାକୁ ଆସିବାର ମାସକ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଥିବା ୧୯୯୪ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଜି ମାଥିଭାଥନନଙ୍କୁ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ଡିଜି (ପ୍ରଶିକ୍ଷଣ ସମନ୍ୱୟ) ଭାବେ ବଦଳି କରାଯାଇଛି।
ପାଣ୍ଡିଆନଙ୍କ ଭଳି ମାଥିଭାଥାନନ ଜଣେ ତାମିଲିଆନ୍ ଏବଂ ତାଙ୍କର ଘନିଷ୍ଠ ବୋଲି ବିବେଚନା କରାଯାଉଥିଲା।
ପାଣ୍ଡିଆନଙ୍କ ଘନିଷ୍ଠ କୁହାଯାଉଥିବା ଅନ୍ୟଜଣେ ଅଧିକାରୀ ଆର୍ ଭିନୀଲ କ୍ରିଷ୍ଣାଙ୍କୁ ସିଏମ୍ଓରୁ ବାହାରକୁ ସ୍ଥାନାନ୍ତର କରାଯାଇଛି। କ୍ରିଷ୍ଣାଙ୍କୁ ଜମିଜମା ରେକର୍ଡ ଓ ସେଟଲମେଣ୍ଟ ବିଭାଗକୁ କମିଶନରଭାବେ ବଦଳି କରାଯାଇଛି।
୨୦୦୫ ବ୍ୟାଚ୍ ଆଇଏଏସ୍ କ୍ରୀଡ଼ା ସଚିବଭାବେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ରାଉରକେଲାର ହକି ଷ୍ଟାଡିୟମ୍ ସମେତ ପଟ୍ଟନାୟକ ଶାସନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ସଫଳ ରୂପାୟନ ପାଇଁ ତାଙ୍କୁ ଶ୍ରେୟ ଦିଆଯାଇଥିଲା।
Also readhttps://purvapaksa.com/roadmap-for-development-of-odisha/