ସରିଲା ସମୟ, ଏଥର କଟିବ ରାସନ କାର୍ଡ। ଇ-କେୱାଇସିକୁ ନେଇ ଏବେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସରକାର। ୨୦୨୪ ଅଗଷ୍ଟ ମାସରୁ ରେସନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧି ବାରମ୍ବାର ବଢ଼ୁଥିଲା। ଏଥର କିନ୍ତୁ ଆଉ ସମୟ ଅବଧି ବଢ଼ାଇଲାନି ଖାଦ୍ୟ ଯୋଗାଣ ବିଭାଗ। ଜୁନ ଶେଷ ସୁଦ୍ଧା ୨୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଇ-କେୱାଇସି କରିନଥିବା ହିତାଧିକାରୀଙ୍କୁ ଆଉ ରେସନ ସାମଗ୍ରୀ ମିଳିବନି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ କାର୍ଡ ବାତିଲ କରାଯିବ। ୨୦ ଲକ୍ଷ ୫୮ ହଜାର କାର୍ଡ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ। ଏହି ଅବଧି ମଧ୍ୟରେ ଯେଉଁମାନେ ଆସିବେ ଇ-କେୱାଇସି କରି ସେମାନଙ୍କୁ ରେସନ ଦିଆଯିବ। ଯେଉଁମାନେ ନ ଆସିବେ ସେମାନଙ୍କ କାର୍ଡ ସବୁଦିନ ପାଇଁ ବନ୍ଦ ହେବ।
ଅଗଷ୍ଟ ୨୦୨୪ ରେ ଆରମ୍ଭ ହୋଇଥିବା ଇ-କେୱାଇସି ଯାଞ୍ଚର ଜାତୀୟ ନିର୍ଦ୍ଦେଶ ପରେ ଅନେକ କାରଣ ଯୋଗୁଁ ବହୁବାର ବୃଦ୍ଧି କରାଯାଇଥିଲା, ବିଶେଷକରି ରାଜ୍ୟର ଦୂରଦୂରାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଖରାପ ଥିବାରୁ ଏହାର ଅବଧି ବୃଦ୍ଧି ହୋଇଥିଲା । ସରକାର ଶେଷରେ ମେ ମାସରେ ସମୟ ସୀମା ୩୦ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଏବଂ ଏକ ସ୍ପଷ୍ଟ ସୂଚନା ଦେଇଥିଲେ ଯେ ଯେଉଁମାନେ ସେହି ସମୟ ପର୍ଯ୍ୟନ୍ତ ପ୍ରକ୍ରିୟା ସମାପ୍ତ କରିବେ ନାହିଁ ସେମାନଙ୍କୁ ହିତାଧିକାରୀଙ୍କ ତାଲିକାରୁ ବାଦ ଦିଆଯିବ। ଇ-କେୱାଇସି ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୫.୨ ଲକ୍ଷ ହିତାଧିକାରୀଙ୍କ ନାମ ବାଦ ଦିଆଯାଇଛି, ଯେଉଁଥିରେ ଚାରି ଲକ୍ଷରୁ ଅଧିକ ମୃତ ଏବଂ ଏକ ଲକ୍ଷ ଅଯୋଗ୍ୟ କାର୍ଡଧାରୀ ସାମିଲ ଅଛନ୍ତି। ରାଜ୍ୟ ସରକାରଙ୍କୁ ରାସନ କାର୍ଡ ପ୍ରଦାନ ପାଇଁ ୧୩.୮୬ ଲକ୍ଷରୁ ଅଧିକ ନୂତନ ଆବେଦନ ମିଳିଛି। ରାଜ୍ୟର ୯୬ ଲକ୍ଷ ପରିବାରର ପ୍ରାୟ ୩.୩ କୋଟି ଲୋକ କେନ୍ଦ୍ର ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ। ହିତାଧିକାରୀଙ୍କ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩.୨୬ କୋଟି ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬.୪୮ ଲକ୍ଷରୁ ଅଧିକ ଲୋକ ଅନ୍ତର୍ଭୁକ୍ତ ଅଟନ୍ତି ।
ଓଡ଼ିଶା ବାହାରେ ରହୁଥିବା ୩ ଲକ୍ଷ ୬ ହଜାର ହିତାଧିକାରୀ ଇ-କେୱାଇସି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ହେଲେ ଓଡ଼ିଶାରେ ରହୁଥିବା ଲକ୍ଷ ଲକ୍ଷ ହିତାଧିକାରୀ ଏବେ ବି ଇ-କେୱାଇସି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ଏହା ପଛରେ ଅନେକ କାରଣ ରହିଛି। ଅନେକ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି। ଉପାନ୍ତ ଅଞ୍ଚଳରେ ନେଟୱର୍କ ସମସ୍ୟା ଯୋଗୁଁ ବହୁ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି। ବୟସ୍କ ଓ ଶଯ୍ୟାଶାୟୀଙ୍କ ଇ-କେୱାଇସି ଅପଡେଟରେ ସମସ୍ୟା ରହିଛି। ଦାଦନ ଖଟିବାକୁ ଯାଇ ବାହାରେ ରହୁଥିବା ଶ୍ରମିକ ମଧ୍ୟ ଇ-କେୱାଇସି କରିପାରିନଥିବା ଜଣାପଡ଼ିଛି।
