କେରଳର ଜଣେ ସାଧାରଣ ନର୍ସ ନିମିଷା ପ୍ରିୟା, ଯିଏ ୨୦୦୮ ମସିହାରେ ଉନ୍ନତ ଜୀବନର ଆଶାରେ ଯୁଦ୍ଧଗ୍ରସ୍ତ ଦେଶ ୟମନ ଯାଇଥିଲେ, ଆଜି ସେ ଇସଲାମିକ ଦେଶରେ ଫାଶୀ ଅପେକ୍ଷାରେ ଅଛନ୍ତି। କେବେ ରୋଗୀମାନଙ୍କୁ ଜୀବନ ଦେଉଥିବା ଏହି ନର୍ସ ଏବେ ନିଜେ ମୃତ୍ୟୁର ମୁହାଁମୁହିଁ ହୋଇଛନ୍ତି। ଆର୍ଥିକ ଅଭାବରୁ ମୁକ୍ତି ପାଇବାର ସ୍ୱପ୍ନ ନେଇ ୟମନରେ ପହଞ୍ଚିଥିବା ନିମିଷା ଭାବିଥିଲେ ଯେ ସେଠାକାର ସ୍ୱାସ୍ଥ୍ୟ କ୍ଷେତ୍ର ତାଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ପଥ ଖୋଲିପାରିବ। କିନ୍ତୁ ଦୁଃଖର ବିଷୟ, ତାଙ୍କ ଜୀବନ ଏବେ ଶେଷ ହେବାର ଅପେକ୍ଷାରେ ଅଛି। ୨୦୧୪ ମସିହାରେ, ଯେତେବେଳେ ନିମିଷା ଜଣେ ୟମନୀ ନାଗରିକ ତାଲାଲ ମହଦୀଙ୍କ ସାହାଯ୍ୟରେ ନିଜର କ୍ଲିନିକ ଖୋଲିବାର ଆରମ୍ଭ କଲେ, ସେତେବେଳେ ସେ କେବେ ଭାବି ନଥିଲେ ଯେ ଏହି ବ୍ୟକ୍ତି ପରେ ତାଙ୍କ ଜୀବନର ସବୁଠାରୁ ବଡ଼ ସଙ୍କଟ ହେବ। ୟମନର ତାଲାଲ ମହଦୀ ତାଙ୍କୁ ପ୍ରତାରଣା କଲେ, ଯାହା ନିମିଷା ସହି ପାରିଲେ ନାହିଁ ଏବଂ ଅଭିଯୋଗ ହେଲା ଯେ ସେ ତାଲାଲ ମହଦୀଙ୍କୁ ହତ୍ୟା କଲେ। ଯେଉଁଥି ପାଇଁ ନିମିଷାଙ୍କୁ ଏବେ ଫାଶୀର ଅପେକ୍ଷାରେ ଅଛନ୍ତି।
ନିମିଷା ପ୍ରିୟା ୟମନର ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ଏବଂ ତାଙ୍କ ଜୀବନ ଧୀରେ ଧୀରେ ତାଙ୍କ ଯୋଜନା ଅନୁସାରେ ଆଗେଇ ଚାଲିଥିଲା। ୨୦୧୧ ମସିହାରେ ସେ କତାରରେ ଡ୍ରାଇଭର ଟମି ଥୋମାସଙ୍କୁ ବିବାହ କରିବା ପାଇଁ କେରଳ ଫେରି ଆସିଥିଲେ ଏବଂ କିଛି ସମୟ ଭାରତରେ ରହିବା ପରେ ଉଭୟେ ପୁନର୍ବାର ୟମନ ଯାଇଥିଲେ। କିଛି ସମୟ ପରେ ତାଙ୍କର ଝିଅର ଜନ୍ମ ହେଲା। ଏହାପରେ ତାଙ୍କ ସ୍ୱାମୀ ଟମି ଥୋମାସ ନିମିଷାଙ୍କୁ ଭାରତରେ ରହିବାକୁ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଯେ ଉଭୟେ ଭାରତରେ ରହିବେ, ୟମନ ଫେରିବେ ନାହିଁ। କିନ୍ତୁ ନିମିଷା ତାଙ୍କ ସ୍ୱାମୀଙ୍କ ପରାମର୍ଶକୁ ଅଗ୍ରାହ୍ୟ କରି ଏକାକୀ ୟମନ ଯାଇଥିଲେ। କିନ୍ତୁ ଏଥର ସେ ଫେରିବା ପାଇଁ ଯାଇ ନଥିଲେ। ସେ ଏପରି ପ୍ରତାରଣାର ଶିକାର ହେଲେ, ଯାହାର ଆଶା ସେ କେବେ କରି ନଥିଲେ।
ନିମିଷାଙ୍କର କ୍ଲିନିକ ସ୍ୱପ୍ନ ଓ ପ୍ରତାରଣା
୨୦୧୪ ମସିହାରେ ନିମିଷାଙ୍କର ସାକ୍ଷାତ ୟମନର ତାଲାଲ ଅବଦୋ ମହଦୀ ନାମକ ଜଣେ ଯୁବକଙ୍କ ସହ ହେଲା, ଯିଏ ତାଙ୍କ କ୍ଲିନିକକୁ ନିୟମିତ ଆସୁଥିଲେ। ସ୍ଥାନୀୟ ନିୟମ ଅନୁସାରେ, ୟମନରେ ବିଦେଶୀ ନାଗରିକଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗ ଆବଶ୍ୟକ। ତାଲାଲ ଏହି ପ୍ରକ୍ରିୟାରେ ସାହାଯ୍ୟ କରିବାର ପ୍ରସ୍ତାବ ଦେଇଥିଲେ ଏବଂ ନିମିଷା ତାଙ୍କୁ ପ୍ରାୟ ୬ ଲକ୍ଷ ଯେମେନୀ ରିୟାଲ ମଧ୍ୟ ଦେଇଥିଲେ। ଏହାପରେ, ଯେତେବେଳେ ସେ ତାଙ୍କ ଝିଅର ବାପ୍ଟିଜମ ପାଇଁ ଭାରତ ଆସିଥିଲେ, ତାଲାଲ ମଧ୍ୟ ସାଙ୍ଗରେ ଆସିଥିଲେ। ଭାରତରୁ ଫେରିବା ପରେ, ୟମନରେ ଗୃହଯୁଦ୍ଧ ଆହୁରି ତୀବ୍ର ହେଉଥିଲା ଏବଂ ଭାରତ ସରକାର ୟମନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଦେଲେ। ଫଳରେ ନିମିଷା ୟମନରେ ଅଟକି ପଡ଼ିଲେ। ତଥାପି ସେ ହାର ନ ମାନି ଏପ୍ରିଲ ୨୦୧୫ରେ ନିଜର କ୍ଲିନିକ ଖୋଲିଲେ। ଏହି ସମୟରେ ନିମିଷାଙ୍କ ସ୍ୱାମୀ ଝିଅକୁ ନେଇ ଭାରତ ଫେରି ଆସିଥିଲେ।
ତେବେ ଖୁବଶୀଘ୍ର ତାଲାଲଙ୍କର ପ୍ରକୃତ ରୂପ ସାମ୍ନାକୁ ଆସିଲା। ସେ ଜାଲ ଦସ୍ତାବିଜ ଜରିଆରେ କ୍ଲିନିକରେ ୩୩% ଅଂଶୀଦାରୀ ଦାବି କଲେ ଏବଂ ନିମିଷାଙ୍କ ପାସପୋର୍ଟ ଛଡ଼ାଇ ନେଲେ। ସେ ଏକ ଜାଲ ବିବାହ ପ୍ରମାଣପତ୍ର ମଧ୍ୟ ତିଆରି କଲେ। ସେ ନିମିଷାଙ୍କ ବିବାହ ଫଟୋକୁ ଏଡିଟ କରି ଏହା ଦେଖାଇବାକୁ ଚେଷ୍ଟା କଲେ ଯେ ସେମାନେ ସ୍ୱାମୀ-ସ୍ତ୍ରୀ। କୋର୍ଟରେ ମଧ୍ୟ ସେ ଜାଲ କାଗଜପତ୍ର ଉପସ୍ଥାପନ କଲେ, ଯାହାକୁ ମାନ୍ୟତା ମିଳିଗଲା। ପ୍ରକୃତ ସତ୍ୟ ଜାଣିବା ପରେ ନିମିଷା ପୁଲିସରେ ଅଭିଯୋଗ ଦାୟର କଲେ, ଯାହାପରେ ଉଭୟଙ୍କୁ କିଛି ସମୟ ପାଇଁ ଜେଲ ପଠାଯାଇଥିଲା। ସେ ମହଦୀଙ୍କ ଉପରେ ଯୌନ ନିର୍ଯାତନା ଓ ମାରପିଟ ଭଳି ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇଥିଲେ। ଯଦିଓ ୨୦୧୬ ମସିହାରେ କୋର୍ଟ କ୍ଲିନିକ ଏବଂ କ୍ଲିନିକର ଦସ୍ତାବିଜଗୁଡ଼ିକ ନିମିଷାଙ୍କୁ ଫେରାଇ ଦେଇଥିଲା।
ନିମିଷା କେମିତି ହତ୍ୟାକାରୀ ପାଲଟିଲେ?
ନିମିଷାଙ୍କୁ କ୍ଲିନିକ ମିଳିଗଲା ସତ, କିନ୍ତୁ ତାଙ୍କ ପାସପୋର୍ଟ ତଥାପି ତାଲାଲଙ୍କ ପାଖରେ ଥିଲା। ତାଲାଲ ଖୁବଶୀଘ୍ର ଆଉ ଏକ ପ୍ରତାରଣା ମାମଲାରେ ଜେଲରେ ବନ୍ଦ ହେଲେ। ନିଜର ପାସପୋର୍ଟ ଫେରସ୍ତ କରି ସାଧାରଣ ଜୀବନ ଯାପନ କରିବାକୁ ବ୍ୟାକୁଳ ନିମିଷା ଜେଲରେ ତାଙ୍କୁ ଭେଟିବାକୁ ଆରମ୍ଭ କଲେ ଏବଂ ତାଙ୍କ ଦସ୍ତାବିଜ ଫେରାଇବା ଏବଂ ତଲାକର କାଗଜରେ ଦସ୍ତଖତ କରିବାକୁ କହିଲେ, କାରଣ ତାଙ୍କ ମତରେ ଏହା ତାଙ୍କ ମିଥ୍ୟା ବିବାହକୁ ରଦ୍ଦ କରିଦେବ। ୨୦୧୭ ମସିହାରେ, ଯେତେବେଳେ ତାଲାଲ ଆଉ ଏକ ପ୍ରତାରଣା ମାମଲାରେ ଜେଲରେ ଥିଲେ, ନିମିଷା ବାରମ୍ବାର ତାଙ୍କୁ ଭେଟି ନିଜର ଦସ୍ତାବିଜ ଓ ପାସପୋର୍ଟ ଫେରାଇବାକୁ ଦାବି କରୁଥିଲେ। ଜୁଲାଇ ୨୦୧୭ରେ, ନିମିଷା ମହଦୀଙ୍କଠାରୁ ନିଜର ପାସପୋର୍ଟ ଫେରସ୍ତ କରିବା ପାଇଁ ତାଙ୍କୁ ବେହୋସ କରୁଥିବା ଇଞ୍ଜେକସନ ଦେଲେ। ନିମିଷା ତାଙ୍କୁ ବେହୋସ କରି ପାସପୋର୍ଟ ନେଇ ପଳାଇବାକୁ ଚାହୁଁଥିଲେ, କିନ୍ତୁ ବେହୋସ ଔଷଧର ଅତ୍ୟଧିକ ମାତ୍ରା ଯୋଗୁ ତାଲାଲଙ୍କର ମୃତ୍ୟୁ ହେଲା। ଏହାପରେ ନିମିଷା ତାଙ୍କର ଜଣେ ୟମନୀ ନର୍ସ ବନ୍ଧୁଙ୍କଠାରୁ ସାହାଯ୍ୟ ମାଗିଲେ, ଯିଏ ପରାମର୍ଶ ଦେଲେ ଯେ ଶବକୁ କାଟି ତାହାର ଖଣ୍ଡଗୁଡ଼ିକୁ ପାଣି ଟାଙ୍କିରେ ଫୋପାଡ଼ି ଦେବା ଉଚିତ।
ଯଦିଓ ଏହା କରିବା ପରେ ଉଭୟେ ଲୁଚିଗଲେ, କିନ୍ତୁ ପୁଲିସ ସେମାନଙ୍କୁ ଧରିବାରେ ସଫଳ ହେଲା। ୨୦୨୦ ମସିହାରେ ୟମନର ଏକ କୋର୍ଟ ନିମିଷାଙ୍କୁ ତିନିଥର ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ଆପୀଲ କୋର୍ଟ ଗୋଟିଏ ଦଣ୍ଡକୁ ରଦ୍ଦ କଲା, କିନ୍ତୁ ଅନ୍ୟ ଦୁଇଟି ଦଣ୍ଡକୁ ଯେମେନର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ବଜାୟ ରଖିଲା। ଜାନୁଆରୀ ୨୦୨୫ରେ ଯେମେନର ହୁତି ସରକାରର ମୁଖ୍ୟ ମହଦୀ ଅଲ-ମଶାତ ମଧ୍ୟ ଏହି ଦଣ୍ଡକୁ ଅନୁମୋଦନ କଲେ। ୧୬ ଜୁଲାଇ ୨୦୨୫ରେ ତାଙ୍କୁ ଫାଶୀ ଦେବାର ତାରିଖ ନିର୍ଦ୍ଧାରିତ ହୋଇଛି। ନିମିଷା ପ୍ରିୟା ବର୍ତ୍ତମାନ ଯେମେନର ରାଜଧାନୀ ସନାରେ ଏକ ଜେଲରେ ବନ୍ଦୀ ଅଛନ୍ତି।
ଏବେ ମଧ୍ୟ କିଛି ଚମତ୍କାର ସମ୍ଭବ କି?
ୟମନର ଶରିଆ ଆଧାରିତ ନ୍ୟାୟ ପ୍ରଣାଳୀରେ ଏକମାତ୍ର ରାସ୍ତା ବଳକା ଅଛି ‘ବ୍ଲଡ ମନି’। ଅର୍ଥାତ୍ ବ୍ଲଡ ମନି ବଦଳରେ ପୀଡ଼ିତ ପରିବାରଠାରୁ କ୍ଷମା ପାଇବା। ନିମିଷାଙ୍କ ସମର୍ଥନରେ ଗଠିତ “ସେଭ ନିମିଷା ପ୍ରିୟା ଇଣ୍ଟରନ୍ୟାସନାଲ ଆକ୍ସନ କାଉନସିଲ” ତାଲାଲଙ୍କ ପରିବାରକୁ ୧୦ ଲକ୍ଷ ଡଲାର ଅର୍ଥାତ୍ ପ୍ରାୟ ୮.୫ କୋଟି ଭାରତୀୟ ଟଙ୍କା ଅଫର କରିଛି ଏବଂ ମହଦୀଙ୍କ ପରିବାର ସହ ଆଲୋଚନା କରିବା ପାଇଁ ସାମାଜିକ କାର୍ଯ୍ୟକର୍ତ୍ତା ସାମୁଏଲ ଜେରୋମଙ୍କୁ ଯେମେନ ପଠାଇଛି। ନିମିଷାଙ୍କ ମାଆ, ଯିଏ ଜଣେ ଘରୋଇ ସହାୟିକା, ସେ ମଧ୍ୟ ୨୦୨୪ ମସିହା ଏପ୍ରିଲରେ ଯେମେନ ଯାଇ ପୀଡ଼ିତ ପରିବାରଠାରୁ କ୍ଷମା ମାଗିଥିଲେ। କିନ୍ତୁ ଏଯାଏ କୌଣସି ଉତ୍ତର ମିଳି ନାହିଁ। କାଉନସିଲ ସହ ଜଡ଼ିତ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ବାବୁ ଜନ ବିବିସିକୁ କହିଛନ୍ତି ଯେ “ଅଭିଯୋଜନ ମହାନିର୍ଦ୍ଦେଶକ ଜେଲ କର୍ତ୍ତୃପକ୍ଷଙ୍କୁ ଫାଶୀର ତାରିଖ ଜଣାଇ ଦେଇଛନ୍ତି। ଆମେ ଏବେ ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛୁ।” ତାଙ୍କୁ କ୍ଷମା ମିଳିଗଲେ ତାଙ୍କ ଜୀବନ ବଞ୍ଚିଯିବ, ନଚେତ ତାଙ୍କ ମୃତ୍ୟୁ ନିଶ୍ଚିତ।
Also Readhttps://purvapaksa.com/turkey-building-mosques-madrasas-on-india-nepal-border/
