New Tax Regime Deductions: ବ୍ୟକ୍ତିଗତ ଆୟକରକୁ ସରଳ କରିବା ପାଇଁ ଭାରତ ସରକାର ନୂଆ ଟିକସ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ମୋଟ ୭.୨୮ କୋଟି ଆୟକର ରିଟର୍ଣ୍ଣ (ଆଇଟିଆର) ମଧ୍ୟରୁ ୫.୨୭ କୋଟି ରିଟର୍ଣ୍ଣ ନୂଆ ଟିକସ ବ୍ୟବସ୍ଥା ଅଧୀନରେ ଥିବା ବେଳେ ୨.୦୧ କୋଟି ରିଟର୍ଣ୍ଣ ପୁରୁଣା ଟିକସ ବ୍ୟବସ୍ଥା ଅଧୀନରେ ଦାଖଲ ହୋଇଛି। ଏଥିରୁ ଜଣାପଡ଼ୁଛି ଯେ ପ୍ରାୟ ୭୨% ଟିକସଦାତା ନୂଆ ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ଯଦିଓ ନୂଆ ଟିକସ ବ୍ୟବସ୍ଥାରେ ଟିକସ ହାର କମ୍ ରହିଛି, ତଥାପି ଏହା ଗୃହ ଭଡ଼ା ଭତ୍ତା (ଏଚ୍ଆରଏ), ଲିଭ୍ ଟ୍ରାଭେଲ୍ ଭତ୍ତା (ଏଲ୍ଟିଏ), ଗୃହ ଋଣ ଉପରେ ସୁଧ, ଧାରା ୮୦ସି ଇତ୍ୟାଦି ଅନେକ ଲୋକପ୍ରିୟ ରିହାତି ଏବଂ ଛାଡ଼କୁ ହଟାଇ ଦେଇଛି। ତଥାପି ଟିକସଦାତାମାନେ ତିନୋଟି ବଡ଼ ରିହାତି ପାଇପାରିବେ। ସାଧାରଣତଃ ଲୋକମାନେ କେବଳ ଗୋଟିଏ ବିଷୟରେ ଅବଗତ ଥାଆନ୍ତି, ଅନ୍ୟ ଦୁଇଟି ବିଷୟରେ କମ୍ ସଚେତନ ଥାଆନ୍ତି ।
ଷ୍ଟାଣ୍ଡାର୍ଡ ଡିଡକ୍ସନ
ବେତନଭୋଗୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନର ସୁବିଧା ଉପଲବ୍ଧ ରହିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏହି ହ୍ରାସ ୫୦,୦ ଟଙ୍କା ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରୁ ଏହାକୁ ୭୫,୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତନ ଟିକସଦାତାଙ୍କୁ ସେମାନଙ୍କର ଟିକସଯୋଗ୍ୟ ଆୟ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହା ଦ୍ୱାରା ସେମାନଙ୍କର ଟିକସ ଦାୟିତ୍ୱ ହ୍ରାସ ପାଇବ ।
ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ରେ ନିଯୁକ୍ତିଦାତାଙ୍କ ଅବଦାନ
ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ, ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)ରେ ନିଯୁକ୍ତିଦାତା ଦେଇଥିବା ଅବଦାନ ଉପରେ ଟିକସ ଛାଡ଼ ଉପଲବ୍ଧ ହେବ। ଧାରା ୮୦ସିସିଡି(୨) ଅନୁଯାୟୀ ଏହି ରିହାତି ଦିଆଯାଇଛି। ତେବେ ନିଜେ କର୍ମଚାରୀଦେଇଥିବା ଅବଦାନ ଉପରେ କୌଣସି ରିହାତି ନାହିଁ। ନିଯୁକ୍ତିଦାତାଙ୍କ ଅବଦାନ କର୍ମଚାରୀଙ୍କ ମୂଳ ଦରମା ଏବଂ ମହଙ୍ଗା ଭତ୍ତାର ୧୦% ପର୍ଯ୍ୟନ୍ତ ହୋଇପାରେ, ଯାହା ଟିକସ ମୁକ୍ତ ଅଟେ ।
ଗ୍ରାଚ୍ୟୁଇଟି
ନୂଆ ଟିକସ ବ୍ୟବସ୍ଥାରେ ମଧ୍ୟ ଅବସର ସମୟରେ ମିଳୁଥିବା ଗ୍ରାଚ୍ୟୁଇଟି ଟିକସ ମୁକ୍ତ। ଆୟକର ଆଇନର ଧାରା ୧୦(୧୦) ଅନୁଯାୟୀ ଏହି ରିହାତି ପ୍ରଦାନ କରାଯାଇଛି। ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପୂର୍ଣ୍ଣ ଗ୍ରାଚ୍ୟୁଇଟି ରାଶି ଟିକସ ମୁକ୍ତ ହୋଇଥିବା ବେଳେ ବେସରକାରୀ କର୍ମଚାରୀଙ୍କ ପାଇଁ ସର୍ବାଧିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ଟିକସ ମୁକ୍ତ।
ଏହାବ୍ୟତୀତ ସ୍ବେଚ୍ଛାକୃତ ଅବସର ଯୋଜନା (ଭିଆର୍ଏସ୍) ଅଧୀନରେ ମିଳିଥିବା ରାଶି ଉପରେ ଧାରା ୧୦(୧୦ସି) ଅନୁଯାୟୀ ଟିକସ ଛାଡ଼ ମଧ୍ୟ ଉପଲବ୍ଧ। ସେହିପରି ଅବସର ସମୟରେ ଛୁଟି ରେ ଧାରା ୧୦(୧୦ଏଏ) ଅନୁଯାୟୀ ରିହାତିର ସୁବିଧା ମଧ୍ୟ ନୂଆ ଟିକସ ବ୍ୟବସ୍ଥାରେ ଉପଲବ୍ଧ ରହିଛି।
ALSO READ: https://purvapaksa.com/what-is-the-congress-game-plan-in-the-state-to-take-on-the-bjp/