NEW WORLD CHESS CHAMPION: ଭାରତର ଏକମାତ୍ର ଚେସ ଯାଦୁଗର ଥିଲେ ବିଶ୍ୱନାଥନ ଆନନ୍ଦ। ୫ଥର ବିଶ୍ୱ ଟାଇଟଲ ଜିତିଥିଲେ ଓ ଅନେକ ପ୍ରସିଦ୍ଧ ଖେଳାଳିଙ୍କୁ ହରାଇଥିଲେ। ଦୀର୍ଘ ଦିନ ଧରି ସେ ବିଶ୍ୱ ଚେସରେ ରାଜୁତି କରିଥିଲେ। ନରୱେର ମାଗନସ କାର୍ଲସେନଙ୍କ ଆବିର୍ଭାବ ହେବା ପରେ ଆନନ୍ଦଙ୍କ ଆଧିପତ୍ୟରେ ବ୍ରେକ ଲାଗିଥିଲା। ସେବଠୁ ଭାରତ ଜଣେ ନୂଆ ତାରକାଙ୍କ ଅନ୍ୱେଷଣରେ ରହିଥିଲା। ୧୧ବର୍ଷ ପରେ ଭାରତର ଏହି ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ପଡ଼ିଛି। ଡୋମାରାଜୁ ଗୁକେଶଙ୍କ ଆବିର୍ଭାବ ଘଟିଛି। ସେ ଏବେ ଚେସ ଜଗତର ବାଦଶାହ।
- ୧୮ତମ ଖେଳାଳି ଭାବେ ଜିତିଲେ ବିଶ୍ୱ ଟାଇଟଲ
- ୧୮ ବର୍ଷ ବୟସରେ ସର୍ବୋଚ୍ଚ ସ୍ଥାନ
ସବୁ ଆଲୋଚନାର ଅନ୍ତ ଘଟିଛି । ୧୮ଦିନର କଡ଼ା ମୁକାବିଲା ପରେ ଡିଫେଣ୍ଡିଂ ଚାମ୍ପିଅନ୍ ଡିଙ୍ଗ ଲିରେନଙ୍କୁ ହରାଇ ଭାରତର ଡି ଗୁକେଶ ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି । ସର୍ବକନିଷ୍ଠ ଖେଳାଳି ଭାବେ ମାତ୍ର ୧୮ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନସିପ ଜିତି ସେ ଇତିହାସ ରଚିଛନ୍ତି । ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ଗୁକେଶ ବିଶ୍ୱ ଟାଇଟଲ ହାସଲ କରିଛନ୍ତି ।
୧୩ ରାଉଣ୍ଡ ପର୍ଯ୍ୟନ୍ତ ବିଜେତା ସ୍ପଷ୍ଟ ହୋଇ ପାରିନଥିଲା । ଉଭୟ ୨ଟି ଲେଖାଏଁ ମ୍ୟାଚ ଜିତିଥିଲେ ଓ ବାକି ୯ଟି ମ୍ୟାଚ ଡ୍ର’ ରହିଥିଲା । ଉଭୟ ୬.୫ ପଏଣ୍ଟ ଲେଖାଏଁ ଅର୍ଜନ କରିଥିଲେ । ଅନ୍ତିମ ରାଉଣ୍ଡ ମୁକାବିଲା ଉପରେ ସବୁ ନିର୍ଭର କରୁଥିଲା । ଲିରେନ୍ ଧଳା ଗୋଟିରେ ଖେଳୁଥିବାରୁ ବିଜୟର ପ୍ରମୁଖ ଦାବିଦାର ରହିଥିଲେ । ଗୁକେଶଙ୍କ ତୁଳନାରେ ଲିରେନଙ୍କ ନିକଟରେ ଅନେକ ଅଭିଜ୍ଞତା ରହିଥିଲା। ବିଶେଷ କରି ଲିରେନଙ୍କୁ ରାପିଡ ଓ ବ୍ଲିଜ ବର୍ଗରେ ଶ୍ରେଷ୍ଠ ବିବେଚନା କରାଯାଉଥିଲା । ତେଣୁ ୧୪ତମ ରାଉଣ୍ଡ ଡ୍ର’ ରହିଲେ ଟାଇବ୍ରେକରରେ ଗୁକେଶ ଜିତିବା ଅସମ୍ଭବ ହୋଇଯିବ ବୋଲି ଅନେକ ମଦ ପ୍ରକାଶ ପାଇଥିଲା। କିନ୍ତୁ ଆଜି ଗୁକେଶ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଦେଇଥିଲେ ।
ଲିରେନଙ୍କ ତ୍ରୁଟିରେ ଜିତିଥିଲେ ଗୁକେଶ
ମ୍ୟାଚ୍ ଆରମ୍ଭରୁ ଗୁକେଶ କଡ଼ା ଟକ୍କର ଦେଇଥିଲେ ହେଁ ଲିରେନ ସତର୍କତାର ସହ ଖେଳି ମ୍ୟାଚକୁ ଡ୍ର’ ଆଡ଼କୁ ଆଗେଇ ନେଉଥିଲେ । ଲିରେନଙ୍କ ୫୫ତମ ଗୋଟି ଚାଳନା ତ୍ରୁଟିପୂର୍ଣ୍ଣ ରହିଥିଲା । ସେ ତାଙ୍କ ରୁକ କୁ ଏଫ୍-୨ ସ୍ଥାନକୁ ଚଳାଇବା ପରେ ଗୁକେଶଙ୍କ ଉତ୍ସାହ ବଢି ଯାଇଥିଲା । ଲିରେନ ତ୍ରୁଟି କରିଥିବା ଗୁକେଶ ଅନୁଭବ କରି ସାରିଥିଲେ । ବିଜୟର ଆଭାସ ମିଳିଯାଇଥିଲା । ଗୁକେଶ ହାଲକା ବିରାମ ନେଇ ପାଣି ପିଇଥିଲେ ଓ ୫୮ତମ ଚାଳନାରେ ଲିରେନଙ୍କୁ ହରାଇଥିଲେ । ଟାଇବ୍ରେକର ପର୍ଯ୍ୟନ୍ତ ମ୍ୟାଚକୁ ଟାଣିନେବା ପାଇଁ ଲିରେନଙ୍କ ଯୋଜନା ଫେଲ ମାରିଥିଲା । ନୂଆ ବିଶ୍ୱଚାମ୍ପିଅନଙ୍କ ନାମ ଘୋଷଣା ସହ ଭାରତରେ ବିଜୟ ପର୍ବ ଆରମ୍ଭ ହୋଇଯାଇଥିଲା ।
ମ୍ୟାଚ ପରେ ଗୁକେଶ ପୁନର୍ବାର ସବୁ ଗୋଟିକୁ ବୋର୍ଡ ଉପରେ ସଜାଇଥିଲେ। କିଛି ସମୟ ଶାନ୍ତ ହୋଇ ବୋର୍ଡ ଆଗରେ ବସିଥିଲେ ଓ ବିଜୟର ଅନୁଭୁତିକୁ ମନ ଭରି ଉପଭୋଗ କରିଥିଲେ। ଆଖିରୁ ଧାର ଧାର ଲୁହ ଗଡ଼ିଯାଇଥିଲା। ଏହା ବିଜୟର ଅଶ୍ରୁ। ମ୍ୟାଚ୍ କକ୍ଷରୁ ବାହାରି ପ୍ରଥମେ ବାପାଙ୍କୁ ଆଲିଙ୍ଗନ କରିଥିଲେ ଓ ମା’ଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ।
୧ ପଏଣ୍ଟର ବ୍ୟବଧାନ
ଉଭୟଙ୍କ ମଧ୍ୟରେ ମାତ୍ର ୧ ପଏଣ୍ଟର ବ୍ୟବଧାନ ରହିଥିଲା । ଫାଇନାଲ ପଏଣ୍ଟ ରହିଥିଲା ୭.୫-୬.୫ । ୧୪ରାଉଣ୍ଡ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ସଠିକ ସମୟକୁ ଅପେକ୍ଷା କରିବା ଜଣେ ୧୮ବର୍ଷର ବାଳକ ପାଇଁ ସହଜ ନୁହେଁ । ଗୁକେଶଙ୍କ ପଛରେ ଏକ ଦଳ କାର୍ଯ୍ୟ କରୁଥିଲା । ଅବଶ୍ୟ ମ୍ୟାଚ ପରେ ଗୁକେଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ୨୦୧୧ ଦିନିକିଆ ବିଶ୍ୱକପ ସମୟରେ ଭାରତୀୟ ଦଳର ମନସ୍ତତ୍ତ୍ୱବିତ ଭାବେ କାର୍ଯ୍ୟ କରିଥିବା ପ୍ୟାଡି ଅପଟନ ମଧ୍ୟ ଗୁକେଶଙ୍କ ସହ ରହିଥିଲେ । ମ୍ୟାଚ ପରେ ଗୁକେଶ ପ୍ରଥମେ ଅପଟନଙ୍କୁ ଆଲିଙ୍ଗନ କରିଥିଲେ ।
ଗୁକେଶଙ୍କ ପୂର୍ବରୁ ଏକମାତ୍ର ଭାରତୀୟ ଖେଳାଳିଭାବେ ବିଶ୍ୱ ନାଥନ ଆନନ୍ଦ ବିଶ୍ୱ ଚାମ୍ପିଅନସିପ ଟାଇଟଲ ହାସଲ କରିଥିଲେ। ସେ ୫ଥର ବିଶ୍ୱଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ୨୦୧୩ରେ ସେ ମାଗନସ କାର୍ଲସେନଙ୍କ ଠାରୁ ପରାଜିତ ହେବା ବେଳେ କୁଗୁକେଶଙ୍କ ବୟସ ଥିଲା ୮ ବର୍ଷ । ବିଶ୍ୱ ଚାମ୍ପିଅନସିପ ଟାଇଟଲକୁ ପୂନର୍ବାର ଭାରତକୁ ଫେରାଇ ଆଣିବା ପାଇଁ ସେତେବେଳେ ଗୁକେଶ ଲକ୍ଷ୍ୟ ରଖିଥିଲେ । ଆଜି ସେହି ସ୍ୱପ୍ନ ପୂରଣ ହୋଇଥିବା ଗୁକେଶ ପ୍ରକାଶ କରିଥିଲେ ।
ଚେନ୍ନାଇରେ ଜନ୍ମ
ଗୁକେଶ ୨୦୦୬ ରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ । ସାତ ବର୍ଷ ବୟସରୁ ସେ ଚେସ ଖେଳିବା ଆରମ୍ଭ କରିଥିଲେ । ଖୁବ କମ ସମୟ ମଧ୍ୟରେ ତାଙ୍କ ଦକ୍ଷତା ବିକଶିତ ହୋଇଥିଲା ଓ ସେ ଗୋଟିଏ ପରେ ଗୋଟିଏ ଟାଇଟଲ ଜିତିଚାଲିଥିଲେ । ଏସୀୟ ଓ ବିଶ୍ୱ ଯୁବ ଚେସ ଚାମ୍ପିଅନସିପ ଭଳି ପ୍ରମୁଖ ଟାଇଟଲ ଜିତି ସେ ଭାରତର ଚେସ ଭବିଷ୍ୟତ ରୂପେ ଗଣାହୋଇଥିଲେ ।
୨୦୨୩ରେ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇ ୨୭୫୦ ରେଟିଂ ପଏଣ୍ଟ ଅତିକ୍ରମ କରିବାରେ ସେ ସର୍ବକନିଷ୍ଠ ସାବ୍ୟସ୍ତ ହୋଇଥିଲେ । ଶୃଙ୍ଖଳିତ ଆଭିମୁଖ୍ୟ ଏବଂ ଖେଳ ପ୍ରତି ସମପର୍ଣ ବଳରେ ଗୁକେଶ ଖୁବ କମ ଦିନ ମଧ୍ୟରେ ଗ୍ରାଣ୍ଡ ମାଷ୍ଟର ମାନ୍ୟତା ହାସଲ କରିଥିଲେ। ବିଭିନ୍ନ ଘରୋଇ ଚେସ ଟୁର୍ଣ୍ଣାମେଣ୍ଟ ଥିଲା ତାଙ୍କ ପାଇଁ ପ୍ରଶିକ୍ଷଣର ଶିକ୍ଷାନୁଷ୍ଠାନ, ଯେଉଁଠାରେ ସେ ନିଜର ଅସାଧାରଣ ପ୍ରତିଭା ଦେଖାଇବା ସହ ପ୍ରତିଦ୍ୱନ୍ଦ୍ୱୀତାମୂଳକ ମନୋଭାବକୁ ଶାଣିତ କରିଥିଲେ । ତାଙ୍କ ପିତା ଡାକ୍ତର ରଜନୀକାନ୍ତ ଜଣେ ସମ୍ମାନଜନକ ଇଏନଟି ସର୍ଜନ ଓ ମା’ ଡାକ୍ତର ପଦ୍ମଜା ଜଣେ ଉତ୍ସର୍ଗୀକୃତ ମାଇକ୍ରାବାୟୋଲାଜିଷ୍ଟ । ଏହି ପରିବେଶ ଗୁକେଶଙ୍କ ଉତ୍କର୍ଷତା ପାଇଁ ଏକ ସୁଦୃଢ ଭିତ୍ତିଭୂମି ସ୍ଥାପନ କରିଥିଲା ।
ଏହି ଯୁବ ଚେସ୍ ଯାଦୁଗରଙ୍କ କ୍ୟାରିୟର ଅନେକ ଚିତ୍ତାକର୍ଷକ ବିଜୟ ସହ ଆରମ୍ଭ ହାଇଥିଲା । ୨୦୧୫ରେ ସେ ଏସିଆନ ସ୍କୁଲ ଚେସ ଚାମ୍ପିୟନସିପରେ ୯ ବର୍ଷରୁ କମ ବର୍ଗରେ ଟାଇଟଲ ଜିତିଥିଲେ । ତିନି ବର୍ଷ ପରେ ୨୦୧୮ରେ ସେ ବିଶ୍ୱ ଯୁବ ଚେସ ଚାମ୍ପିଅନସିପ ହାସଲ କରିବା ସହ କିଶୋରାବସ୍ଥା ପୂର୍ବରୁ ଏସୀୟ ଯୁବ ଚେସ ଚାମ୍ପିଅନସିପରେ ୫ଟି ସ୍ୱର୍ଣ୍ଣ ପଦକ ଜିତି ଏକ ଅସାଧାରଣ ସଫଳତା ହାସଲ କରିଥିଲେ। ୨୦୨୩ରେ ଗୁକେଶଙ୍କ କ୍ୟାରିୟର ସଫଳତାର ଶିଖର ଛୁଇଁଥିଲା । ମାତ୍ର ୧୭ ବର୍ଷ ବୟସରେ ସେ ସର୍ବକନିଷ୍ଠ ଖେଳାଳିଭାବେ ୨୭୫୦ ଇଏଲ୍ଓ ରେଟିଂ ପଏଣ୍ଟ ହାସଲ କରିବା ସହ କିମ୍ବଦନ୍ତୀ ଚେସ ଖେଳାଳି ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇ ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ହୋଇଥିଲେ ।
କେତେ ପୁରସ୍କାର ରାଶି ପାଇେଲ ଗୁକେଶ
ବିଶ୍ୱ ଚେସ୍ ଚାମ୍ପିଅନସିପର ପ୍ରତ୍ୟେକ ମ୍ୟାଚ୍ରେ ବିଜୟ ବାବଦରେ ୨,୦୦,୦୦୦ ଡଲାର (ପାଖାପାଖି ୧.୬୯ କୋଟି ଟଙ୍କା) ପୁରସ୍କାର ରହିଥିଲା। ଗୁକେଶ ୩ଟି ମ୍ୟାଚ୍ ଜିତି ମୋଟ ୬,୦୦,୦୦୦ ଡଲାର (ପାଖାପାଖି ୫.୦୭ କୋଟି ଟଙ୍କା) ହାସଲ କରିଥିଲେ। ଅନ୍ୟପକ୍ଷରେ ଦୁଇଟି ମ୍ୟାଚ୍ ଜିତିଥିବା ଲିରେନ୍ ଙ୍କୁ ୪,୦୦,୦୦୦ ଡଲାର (ପାଖାପାଖି ୩.୩୮ କୋଟି ଟଙ୍କା) ମିଳିଥିଲା। ଅବଶିଷ୍ଟ ୧.୫ ନିୟୁତ ଡଲାର ପୁରସ୍କାର ରାଶି ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯାଇଥିଲା। ଏହା ସହିତ ଗୁକେଶଙ୍କ ମୋଟ ପୁରସ୍କାର ରାଶି ୧.୩୫ ନିୟୁତ ଡଲାର (ପାଖାପାଖି ୧୧.୪୫ କୋଟି ଟଙ୍କା) ଏବଂ ଲିରେନ୍ ୧.୧୫ ନିୟୁତ ଡଲାର (ପାଖାପାଖି ୯.୭୫ କୋଟି ଟଙ୍କା) ହୋଇଥିଲା। ଏହା ବ୍ୟତୀତ ତାଙ୍କର ଏହି ସଫଳତାର ପାଇଁ ତାମିଲନାଡୁ ସରକାର ମଧ୍ୟ ୫ କୋଟି ଟଙ୍କାର ବଡ଼ ପୁରସ୍କାର ଘୋଷଣା କରିଛନ୍ତି।
ଗୁକେଶଙ୍କ ଆୟ
ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୪ ସୁଦ୍ଧା ଗୁକେଶଙ୍କ ଆନୁମାନିକ ସମ୍ପତ୍ତି ୮.୨୬ କୋଟି ଟଙ୍କା (୧.୫ ନିୟୁତ ଡଲାର) ହେବ। ତାଙ୍କ ରୋଜଗାରର ଏକ ବଡ଼ ଅଂଶ ଉଚ୍ଚ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ତାଙ୍କର ସଫଳତାରୁ ମିଳିଛି । ସେ ଜାତୀୟଏବଂ ଅନ୍ତର୍ଜାତୀୟ ସ୍ତରର ମେଗା ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଶ୍ରେଷ୍ଠ ପ୍ରଦର୍ଶନ କରି ପୁରସ୍କାର ବାବଦରେ ଅର୍ଥ ଆୟକରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ବ୍ରାଣ୍ଡ ସହ ଚୁକ୍ତି ବାବଦରେ ମଧ୍ୟ ସେ ଆୟ କରୁଛନ୍ତି । ଗୁକେଶଙ୍କ ଭଳିଏଲିଟ ଚେସ ଖେଳାଳିଙ୍କୁ ଭାରତ ସରକାର ଅନେକ ସମୟରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥାନ୍ତି ।
previous article:https://purvapaksa.com/the-2034-mens-football-world-cup-will-be-held-in-saudi-arabia/