KiiT Student Sucide Case: କିଟ୍ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସଚିବସ୍ତରୀୟ କମିଟି, ଘଟଣାକୁ ଚପାଇବାକୁ ଉଦ୍ୟମ କି?
କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗର ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ସଚିବସ୍ତରୀୟ କମିଟି ଗଠନ କରିଛି। ଏହାସହ କିଟ୍ ପ୍ରଶାସନକୁ ନେପାଳୀ ଛାତ୍ରଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପଦ୍ୱାରା କିଟ୍ ଉପରେ ଅଧିନ ନିୟନ୍ତ୍ରଣ ରକ୍ଷା ଓ ଘଟଣାର ପଅ୍ରକୃତ କାରଣ ପଦାକୁ ଆସିବ ବୋଲି ଆଶା କରାଯାଇଛି। ହେଲେ ବାସ୍ତବରେ କିନ୍ତୁ ସରକାରୀ ବାବୁ ଓ କିଟ୍ ଭିତରେ ଥିବା ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଯେଉଁ କିଟ୍ ପରିଚାଳନାରେ ଅନେକ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ରହିଛନ୍ତି ପୁଣି ଅନେକ କ୍ଷମତାରେ ଥିବା ଅଧିକାରୀଙ୍କ ପତ୍ନୀ ତଥା ସମ୍ପର୍କୀୟଙ୍କ ପାଇଁ ଏହା ଚାକିରିର ବିକଳ୍ପ ହୋଇଛି ସେଠାରେ ଏହି ଅଧିକରୀସ୍ତରୀୟ କମିଟି ଘଟଣାକୁ ଉନ୍ମୋଚନ କରିପାରିବ କି?
ସମସ୍ତଙ୍କୁ ଜଣା ଯେ, କିଟ୍ କର୍ତ୍ତୃପକ୍ଷ ରାଜ୍ୟର ଜଣେ ପ୍ରଭାବଶାଳୀ ବ୍ୟକ୍ତି। ସାରାବିଶ୍ୱର ବିଭିନ୍ନ ଅନୁଷ୍ଠାନରୁ ସେ ଡକ୍ଟରେଟ୍ ଲାଭ କରିଛନ୍ତି। ଜଣେ ପୂର୍ବତନ ସାଂସଦଭାବେ ମଧ୍ୟ ତାଙ୍କ ଖ୍ୟାତି ରହିଛି। ଅପରପକ୍ଷେ ତାଙ୍କ ଅନୁଷ୍ଠାନରେ ରାଜ୍ୟର ଅନେକ ସଚିବ ତଥା ବ୍ୟୁରୋକ୍ରାଟ ଅବସର ପରେ ଚାକରି କରିଛନ୍ତି। କିଛି ବ୍ୟୁରୋକ୍ରାଟଙ୍କ ପତ୍ନୀ ତଥା ସମ୍ପର୍କୀୟ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀ ମଣ୍ଡନ କରିଛନ୍ତି। ଏହିକ୍ରମରେ କର୍ତ୍ତୃପକ୍ଷ ପୂର୍ଭଳି ଚାପ ପକାଇ ଏହି ଘଟଣାକୁ ଲୁଚାଇ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାକୁ ଇଙ୍ଗିତ କରି ଉଭୟ ବିରୋଧୀ ଓ ଶାସକ ଦଳର କିଛି ବିଧାୟକ ଆଜି ବିଧାନସଭାରେ ଏହି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି। ଏହାର ଜବାବରେ ସରକାର ଏବେ ଯେଉଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ତାହା ଘଟଣାକୁ ଉନ୍ମୋଚନ କରିବ ନା ଅଧିକ ଘୋଡ଼ାଇବାକୁ ସୁଯୋଗ ଦେବ ତାହାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।
ପୁଣି କିଟ୍ ବିଶ୍ୱବିଦ୍ୟାଳୟରେ ଏପରି ଆତ୍ମହତ୍ୟା ନୂଆ ଘଟଣା ନୁହେଁ। ୨୦୨୪ ବର୍ଷ ଦୁଇଜଣ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ୨୦୨୩ ମସିହାରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ। ଏବେ ଏହି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏହା କାହିଁକି ଚାପି ଦେବା ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ୟମ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରଫେସନାଲ୍ ଶିକ୍ଷା କ୍ଷେତ୍ରରେ ନାଁ କରିଥିବା କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରବର୍ତ୍ତୀ ଘଟଣା ଉଗ୍ରରୂପ ନେଇଛି। ଏହା ରାଜ୍ୟ ଭିତରେ ସୀମିତ ନ ରହି ରାଜ୍ୟ ବାହାରେ ତଥା ନେପାଳ ସରକାରଙ୍କୁ ଆନ୍ଦୋଳିତ କରିଛି। ଓଡ଼ିଶା ବିଧାନସଭାରେ ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ତମ୍ବିତୋଫୋନ କରିବା ପରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଏହାର ତଦନ୍ତ ଆଦେଶ ଦେଇଛନ୍ତି। ପୁଣି ସମସ୍ତ ନେପାଳୀ ଛାତ୍ରଙ୍କୁ ତୁରନ୍ତ ବିଶ୍ୱବିଦ୍ୟାଳୟ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ କହିଛନ୍ତି, ସରକାରଙ୍କ ପକ୍ଷରୁ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରଭାବେ ଗ୍ରହଣ କରାଯାଇଛି। ଏହାର ତଦନ୍ତ ଲାଗି ଏକ ସଚିବସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ସହ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ସଦସ୍ୟଭାବେ ଗ୍ରହଣ କରାଯାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସରକାର ତୁରନ୍ତ କ୍ୟାମ୍ପସରୁ ବାହାର କରାଯାଇଥିବା ଛାତ୍ରଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଛାତ୍ରମାନଙ୍କୁ ଗତକାଲି ହଷ୍ଟେଲ ଛାଡ଼ିବାକୁ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଧମକ ଦିଆଯାଇଥିଲା। ଏପରିକି ସୁରକ୍ଷା କର୍ମୀ ପିଲାଙ୍କୁ ମାଡ଼ ମାରୁଥିବା ଘଟଣା ମଧ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଘଟଣା ପରେ ଭାରତ ଏବଂ ନେପାଳ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଥିଲା। ନେପାଳର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରଦୂତ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।
ଏବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଛାତ୍ରମାନେ କେଉଁଠି ଅଛନ୍ତି ତାହାର ବିବରଣୀ ମଗାଯାଇଛି। ଏହା ସହ ପ୍ରତି ଘଣ୍ଟାରେ କେତେ ପିଲା ଫେରୁଛନ୍ତି ତାହାର ବିବରଣୀ ଦେବାକୁ କୁହାଯାଇଛି।
ଅପରପକ୍ଷେ ମୃତ ଛାତ୍ରୀଙ୍କ ବାପା ଓ ଭାଇଙ୍କ ଉପସ୍ଥିତିରେ ମୃତ ଦେହର ବ୍ୟବଚ୍ଛେଦ କରାଯାଇଛି। ଏମ୍ସରେ ବ୍ୟବଚ୍ଛେଦ ପରେ ମୃତ ଦେହକୁ ବିମାନ ଯୋଗେ ତାଙ୍କ ଘରକୁ ଫେରାଇ ନେବାକୁ ସରକାର ବ୍ୟବସ୍ଥା କରିଥିବା ସୂଚନା ମିଳିଛି।
