ଭାରତ ମହାସାଗରରେ ଚୀନ୍ ର ଯୁଦ୍ଧଜାହାଜ ଏବଂ ଗୁପ୍ତଚର ଜାହାଜ ଗୁଡ଼ିକ ଉପରେ କଡ଼ା ନଜର ରଖିଥିବା ବେଳେ, ବିଶାଖାପାଟଣାରେ ୫୫ଟି ଦେଶର ନୌସେନା ସହିତ ସାମୁଦ୍ରିକ ଅଭ୍ୟାସ “ମିଳନ” ଏବଂ ଅନ୍ତର୍ଜାତୀୟ ନୌବାହିନୀ ସମୀକ୍ଷା ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ଯେଉଁଥିରେ ଆମେରିକା ଏବଂ ରୁଷ ସମେତ ୫୫ଟି ପ୍ରମୁଖ ଦେଶ ଏଥିରେ ଅଂଶଗ୍ରହଣ କରିବେ। ଏନେଇ ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ନୌସେନା ଉପାଧ୍ୟକ୍ଷ।
ଭାରତୀୟ ନୌସେନାର ଉପାଧ୍ୟକ୍ଷ ଭାଇସ୍ ଆଡମିରାଲ୍ ସଞ୍ଜୟ ଭାଟସାୟନ ଶୁକ୍ରବାର ଦିନ କହିଛନ୍ତି, “ଭାରତ ମହାସାଗରରେ ବାହ୍ୟ ଶକ୍ତିର ଉପସ୍ଥିତି ନିରନ୍ତର ବୃଦ୍ଧି ପାଉଛି”। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତେକ ସମୟ ଭାରତ ମହାସାଗରରେ ଅତି କମରେ ୪୦ଟି ଯୁଦ୍ଧଜାହାଜ ସକ୍ରିୟ ରହୁଛି, ଏବଂ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇପାରେ। “ଆମେ ସମସ୍ତଙ୍କ ଉପରେ ନଜର ରଖୁଛୁ ଏବଂ ସେମାନଙ୍କର ପ୍ରତ୍ୟେକ ଗତିବିଧି ବିଷୟରେ ଅବଗତ ଅଛୁ”।

୧୦ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଅଭ୍ୟାସ
ନୌସେନା ଫେବୃଆରୀ ୧୫ରୁ ୨୫ପର୍ଯ୍ୟନ୍ତ ବିଶାଖାପାଟଣାରେ ଅଭ୍ୟାସ ମିଳନ, ଆଇ ଏଫ ଆର ଏବଂ ଇଣ୍ଡିଆନ ଓସିଆନ ନୌସେନା ସିମ୍ପୋଜିୟମ (ଆଇ ଓ ଏନ ଏସ) ଆୟୋଜନ କରିବ। ଭାଇସ୍ ଆଡମିରାଲ ଭାଟସାୟନ ସୂଚନା ଦେଇଛନ୍ତି ଯେ ଆମେରିକା ଏବଂ ରୁଷ ଉଭୟ ସେମାନଙ୍କର ଉପସ୍ଥିତି ନିଶ୍ଚିତ କରିଛନ୍ତି ଏବଂ ମିଳନ ଅଭ୍ୟାସକୁ ନିଜ ଦେଶର ଜାହାଜ ପଠାଇବେ। ଭାରତର କ୍ୱାଡ୍, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏହି ଅଭ୍ୟାସରେ ଅଂଶଗ୍ରହଣ କରିବେ। ଭାରତ ଏହି କାର୍ଯ୍ୟକ୍ରମଗୁଡ଼ିକୁ ଚୀନ୍, ପାକିସ୍ତାନ ଏବଂ ତୁର୍କୀକୁ ନିମନ୍ତ୍ରଣ କରିନଥିବା ସେ ସୂଚନା ଦେଇଛନ୍ତି।
ଜାରି ରହିଛି ଅପରେସନ୍ ସିନ୍ଦୂର

ଭାଇସ୍ ଆଡମିରାଲ୍ ଭାଟସାୟନ ଏହା ମଧ୍ୟ କହିଛନ୍ତି ଯେ ମେ ମାସରେ ଭାରତ, ପାକିସ୍ତାନ ବିରୁଦ୍ଧରେ ଆରମ୍ଭ କରିଥିବା ଅପରେସନ୍ ସିନ୍ଦୂର ଏବେ ବି ଜାରି ରହିଛି। ସେ କହିଛନ୍ତି, “ବିଦେଶ ସହିତ ଆମର ଚାଲିଥିବା ଅଭ୍ୟାସରୁ ବାର୍ତ୍ତା ମିଳୁଛି ଯେ ଆମର ଯୋଜନା ସୁରୁଖୁରୁରେ ଆଗକୁ ବଢ଼ୁଛି। ଆମେ ବର୍ତ୍ତମାନ ଏବଂ ଭବିଷ୍ୟତରେ ଅପରେସନ୍ ସିନ୍ଦୂର ଅଧୀନରେ ପ୍ରସ୍ତୁତ ଏବଂ ନିୟୋଜିତ ରହିଛୁ।”
ଚୀନ୍ ଭାରତ ମହାସାଗରରେ ତାର ଶକ୍ତି ବୃଦ୍ଧି କରୁଛି। ବିଶ୍ୱର ସର୍ବବୃହତ ନୌସେନା, ୩୭୦ରୁ ଅଧିକ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ସହିତ, ଚୀନ୍ ଭାରତ ମହାସାଗରରେ ତାର ‘ଅଣ୍ଡର ୱାଟର ଡୋମେନ୍ ଆୱାରନେସକୁ’ ନିରନ୍ତର ସୁଦୃଢ଼ କରୁଛି। ଏଥିପାଇଁ, ଏହା ସର୍ଭେ, ଗବେଷଣା ବା “ଗୁପ୍ତଚର ଜାହାଜ” ର ସ୍ଥାୟୀ ନିୟୋଜନ ଜାରି ରଖିଛି। ଏହି ଜାହାଜଗୁଡ଼ିକ ନାଭିଗେସନ୍ ଏବଂ ବୁଡ଼ାଜାହାଜ କାର୍ଯ୍ୟ ପାଇଁ ଉପଯୋଗୀ ସାମୁଦ୍ରିକ ତଥ୍ୟ ସଂଗ୍ରହ କରନ୍ତି।
Also Read https://purvapaksa.com/3-masked-men-drug-gang-rape-odisha-woman-returning-home-from-work/


