Naveen and BJD future : ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ସମେତ ପ୍ରାୟ ସମସ୍ତ ପ୍ରମୁଖ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଓ ଅବଦାନର ଛାପ ସୁସ୍ପଷ୍ଟ।
ଭାସ୍କର ପରିଚ୍ଛା
ଗତ ବିଧାନସଭା ନିର୍ବାଚନରେ ପରାଜୟରୁ ମୁକ୍ତି ପାଇବା ପାଇଁ ୨୦୦୦ମସିହାରୁ ୨୪ବର୍ଷ ଧରି ରାଜ୍ୟକୁ ନିରବଚ୍ଛିନ୍ନ ଶାସନ କରୁଥିବା ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜୁ ଜନତା ଦଳ କେବଳ ରାଜନୈତିକ ସଂଶୋଧନ ପାଇଁ ନୁହେଁ ବରଂ ଆତ୍ମବିଶ୍ୱାସ ଫେରାଇବାକୁ ଚେଷ୍ଟା କରୁଛି। ଓଡ଼ିଶା-କେନ୍ଦ୍ରୀକ ପ୍ରସଙ୍ଗ ଉଠାଇବା ସେହି ରଣକୌଶଳର ଅଂଶ ବିଶେଷ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ପାଇଁ ସ୍ଵତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଏବଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ପୋଲାଭାରାମ ଜଳସେଚନ ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ପାଇଁ ସୃଷ୍ଟି ହୋଇଥିବା ବିପଦକୁ ପ୍ରସଙ୍ଗରୂପେ ଗ୍ରହଣ କରାଯାଇଛି।
ଏହି ପ୍ରସଙ୍ଗଗୁଡ଼ିକ ଗତ ନିର୍ବାଚନରେ ବିଜେଡିର ପ୍ରଚାରରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିନଥିଲା। ଭାରତୀୟ ଜନତା ପାର୍ଟିଦ୍ୱାରା ନବୀନ ପଟ୍ଟନାୟକ ଏବଂ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ଆସିଥିବା ଅଭିଯୋଗର ମୁକାବିଲା ଉପରେ ବିଜେଡି ଅଧିକ ଧ୍ୟାନ ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ନବୀନ-ପାଣ୍ଡିଆନ ଯୋଡ଼ିଙ୍କ ଉପରେ ବର୍ଷିବା ଲକ୍ଷ୍ୟ କରାଯାଇଥିଲା। ବିଜେପିର ଚାଲରେ ପଡ଼ିଯିବା ପରେ ବିଜେଡିର ଭୋଟ ଅଭିଯାନ ଆଭିମୁଖ୍ୟ ହରାଇଲା ଏବଂ ୨୪ ବର୍ଷ ଧରି କ୍ଷମତାରେ ରହିଆସିଥିବା ଏହି ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ।
ଏବେ ପାଣ୍ଡିଆନଙ୍କ ଛାୟାରୁ ବାହାରି ନବୀନ ପଟ୍ଟନାୟକ ବିଜେଡିର ଭବିଷ୍ୟତକୁ ପୁନର୍ଜୀବିତ କରିବା ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏହି କାରଣରୁ ଦଳ ଓଡ଼ିଶାକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗ ପ୍ରତି ଜୋର୍ ଦେଉଛି। ଏଥିମଧ୍ୟରେ ପୋଲାରାମ ପ୍ରକଳ୍ପ ଏବଂ ସ୍ଵତନ୍ତ୍ର ପାହ୍ୟା, ମହାନଦୀ ବିବାଦ ଏବଂ ମହିଳାଙ୍କ ସଶକ୍ତିକରଣ ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ। ଏହି ପ୍ରସଙ୍ଗଗୁଡ଼ିକୁ ପୁନର୍ବାର ସାମ୍ନାକୁ ଆଣି ବିଜେଡି ପୁଣିଥରେ ନିଜର ରାଜନୈତିକ ପତିଆରାକୁ ପ୍ରମାଣ କରିବା ପାଇଁ ଉଦ୍ୟମ କରୁଛି। ଅନ୍ୟ ଅର୍ଥରେ ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଦଳ।
ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ନିକଟରେ ଏକ ବିଜେଡି ପ୍ରତିନିଧି ଦଳ ନୂଆଦିଲ୍ଲୀରେ ପରିବେଶ ଓ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟି ପୋଲାଭରାମ ଜଳସେଚନ ପ୍ରକଳ୍ପରୁ ମାଲକାନଗିରିର ଆଦିବାସୀ ବାସିନ୍ଦାଙ୍କ ପ୍ରତି; ବିଶେଷ କରି ଏହାର ମୋଟୁ ଏବଂ ପଡ଼ିଆ ବ୍ଲକଗୁଡ଼ିକରେ ଥିବା ଆଦିବାସୀଙ୍କ ପ୍ରତି ବିପଦ ବିଷୟରେ ସୂଚନା ଦେଇଥିଲେ। ୨୦୦ରୁ ଅଧିକ ଗାଁ’ ଏହି ପ୍ରକଳ୍ପର ବ୍ୟାକ ୱାଟର ଦ୍ୱାରା ଜଳମଗ୍ନ ହେବାର ଆଶଙ୍କା ଥିବା କଥା ଉପସ୍ଥାପନ କରିଥିଲେ। ପ୍ରକଳ୍ପରେ ସ୍ୱଚ୍ଛତାର ଅଭାବ, ବ୍ୟାକ୍ ୱାଟରଜନିତ କ୍ଷତିର ଅଧ୍ୟୟନ ଏବଂ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ କ୍ଷତିପୂରଣ ଯୋଜନାଗୁଡ଼ିକର ସମାଧାନ ପାଇଁ ଜରୁରୀ ଆବଶ୍ୟକତା ଦର୍ଶାଇ ଏହି ଟିମ୍ କେନ୍ଦ୍ରୀୟ ଅଧିକାରୀଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଥିଲା।
ଭୂମି ପୂଜାର ଏକ ଦଶନ୍ଧି ପରେ ୨୦୧୪ରେ କାର୍ଯ୍ୟ ଆରମ୍ଭ ହୋଇଥିବା ଏହି ବହୁମୁଖୀ ପ୍ରକଳ୍ପରେ ଡ୍ୟାମର ମୂଳ ପରିକଳ୍ପିତ ବନ୍ୟାଜଳ ନିଷ୍କାସନ କ୍ଷମତାରେ ସାଙ୍ଘାତିକ ପରିବର୍ତ୍ତନ କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି। ଓଡ଼ିଶା ଏବଂ ଛତିଶଗଡ଼ର ଅପଷ୍ଟ୍ରିମ ରାଜ୍ୟଗୁଡ଼ିକରେ ବ୍ୟାକ୍ ୱାଟର ପ୍ରଭାବକୁ ପର୍ଯ୍ୟାପ୍ତ ବିଚାର ନ କରି ଡ୍ୟାମର ବନ୍ୟା ଜଳ ନିଷ୍କାସନ କ୍ଷମତା କୁ ୩୬ଲକ୍ଷ କ୍ୟୁସେକ୍ରୁ ୫୦ଲକ୍ଷ କ୍ୟୁସେକ୍କୁ ବୃଦ୍ଧି କରିଥିବା ଅଭିଯୋଗ କରିଛି ବିଜେଡି। ଏହା ମାଲକାନଗିରିର ମୋଟୁ ଏବଂ ପଡିଆ ବ୍ଲକରେ ଜମି ଜଳମଗ୍ନ ହେବା ନେଇ ଆଶଙ୍କା ସୃଷ୍ଟି କରିଛି।
ପୂର୍ବତନ ବିଜେଡି ବିଧାୟକ ଲତିକା ପ୍ରଧାନ କହିଛନ୍ତି ଯେ ମାଲକାନଗିରିରେ ରହୁଥିବା ହଜାର ହଜାର ଆଦିବାସୀଙ୍କ ଜୀବନ ଓ ଜୀବିକାକୁ ନେଇ ଏହି ପ୍ରସଙ୍ଗ ଉଠାଇବା ପାଇଁ ନେଇଥିବା ନିଷ୍ପତ୍ତି ଯଥାର୍ଥ। ଅତୀତରେ ଏହାକୁ କେନ୍ଦ୍ର ସରକାରୀ କର୍ତ୍ତୃପକ୍ଷଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା । କିନ୍ତୁ ସେମାନଙ୍କଠାରୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ଆସିନାହିଁ। ବାସ୍ତବରେ, ଓଡ଼ିଶାର ସ୍ୱାର୍ଥ ପାଇଁ କୌଣସି ଚିନ୍ତା ନ କରି କେନ୍ଦ୍ର ଏହି ପ୍ରକଳ୍ପକୁ ସକ୍ରିୟଭାବେ ସମର୍ଥନ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ବର୍ଷ ବର୍ଷ ଧରି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା ଓଡ଼ିଶାକୁ ସ୍ୱତନ୍ତ୍ର ବର୍ଗର ରାଜ୍ୟ ମାନ୍ୟତା ପାଇଁ ଦଳ ଦାବିକୁ ଦୋହରାଇଛି । ନିକଟରେ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ପ୍ରାକୃତିକ ବିପର୍ଯ୍ୟୟର ଘନତାକୁ ଦୃଷ୍ଟିରେ ରଖି ରାଜ୍ୟକୁ ସ୍ଵତନ୍ତ୍ର ବର୍ଗ ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲା ବିଜେଡି।
୧୯୯୯ ମସିହାର ମହାବାତ୍ୟାରେ ପ୍ରାୟ ଦଶ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ସମଗ୍ର ଉପକୂଳ ଧ୍ୱଂସାବଶେଷରେ ପରିଣତ ହୋଇଥିଲା। ପରେ ଫାଇଲିନ୍, ହୁଡ୍ହୁଡ୍, ତିତିଲି, ଫନି ଏବଂ ଦାନା ଭଳି ବାତ୍ୟା ମଧ୍ୟ ଅନେକ ବିପର୍ଯ୍ୟୟ ଘଟାଇଛି। ରାଜ୍ୟକୁ ସ୍ଵତନ୍ତ୍ର ପାହ୍ୟା ମାନ୍ୟତା ଦିଆଗଲେ ୯୦:୧୦ କେନ୍ଦ୍ର-ରାଜ୍ୟ ଅର୍ଥ ଅନୁପାତରେ ଅଧିକାର ମିଳିବ। ଏହା ପ୍ରାକୃତିକ ବିପର୍ଯ୍ୟୟ ପରେ ପୁନଃନିର୍ମାଣ ପାଇଁ ସାହାଯ୍ୟ କରିବ।
ସ୍ୱତନ୍ତ୍ର ବର୍ଗ ମାନ୍ୟତା ପାଇଁ ଦାବି ପ୍ରଥମେ ବିଜେଡି ୨୦୦୦ରେ ଉଠାଇଥିଲା। ରାଜ୍ୟରେ ବିଜେଡିର ପ୍ରଥମ ସରକାର ଗଠନବେଳେ ଏହାର ମିଳିତ ସହଯୋଗୀ ଭାବରେ ବିଜେପି ଶାସନରେ ଥିଲା। ମୁଖ୍ୟମନ୍ତ୍ରୀ ଭାବରେ ପଟ୍ଟନାୟକ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ନିକଟରେ ଏହି ଦାବି ଗ୍ରହଣ କରିବା ପାଇଁ କଠିନ ପରିଶ୍ରମ କରିଥିଲେ ମଧ୍ୟ ସେ ବିଜେପିର ସମର୍ଥନ ପାଇନଥିଲେ। ଏହି ଦାବିକୁ ବିଜେପି ବଞ୍ଚାଇ ରଖିଥିବାବେଳେ ପଟ୍ଟନାୟକ ଏହାକୁ ସମୟ ସମୟରେ ଉଠାଇ ଚାଲିଥିଲେ। ତେବେ କେନ୍ଦ୍ରରେ କ୍ରମାଗତ ସରକାର ଏହାକୁ ଅଣଦେଖା କରିଥିଲେ। ବିଜେଡି ବର୍ତ୍ତମାନ ସେହି ସବୁ ପ୍ରସଙ୍ଗକୁ ପାଥେୟ କରି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରୁଛି।
(ସମାପ୍ତ)
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର। ସେ ଓଡ଼ିଶା ଅନେକ ଖବର କାଗଜରେ କାମ କରିଛନ୍ତି। ଉଭୟ ଇଂରାଜୀ ଓ ଓଡ଼ିଆରେ ଅନେକ ପୁସ୍ତକ ରଚନା କରିଛନ୍ତି।)
Also readhttps://purvapaksa.com/naveen-bjd-and-future/