ରାଜ୍ୟ ରାଜନୀତିରୁ ଏବେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସନ୍ୟାସ ନେଇଗଲେ କି? ସେ କ’ଣ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ପଥକୁ ଅନୁସରଣ କରୁଛନ୍ତି କି? ଏପରି ଅନେକ ଚର୍ଚ୍ଚା ଏବେ ହେବାରେ ହେଉଛି। ଏପରି କାହିଁକି ହେଉଛି ଓ ଏହାର କାରଣ କ’ଣ ଆସନ୍ତୁ ଆଲୋଚନା କରିବା।
ନବୀନ କେବଳ ଏକ୍ସରେ ନିଜର ପ୍ରତିକ୍ରିୟା ଦେବାରେ ସିମୀତ
ଏପରି ଚର୍ଚ୍ଚା ହେବାର କାରଣ ହେଉଛି ଗତ ସେପ୍ଟେମ୍ବର ୭ ତାରିଖରୁ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ କାମରେ ଅଦ୍ୟାବଧି ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଇତି ମଧ୍ୟରେ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଯାଇଛି। ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାରୁ ସିନା ହଟାଇଛନ୍ତି, କିନ୍ତୁ ରାଜ୍ୟର ଶାସନ କ୍ଷମତାକୁ ଆସିଥିବା ବିଜେପି ସରକାର ଉପରେ ନଜର ରଖିବାକୁ ଦାୟିତ୍ୱ ଦେଇଛନ୍ତି। ନବୀନ କିନ୍ତୁ କ୍ଷମତାରୁ ଯିବା ପରଠାରୁ ମ୍ରିୟମାଣ ହେବା ସହିତ ବିରୋଧୀ ଦଳର ଦାୟିତ୍ୱ ତୁଲାଇବାକୁ ଆଦୌ ଇଚ୍ଛୁକ ନୁହଁନ୍ତି।
ଇତି ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ବସିସାରିଛି। ଏହି ସମୟରେ ବିରୋଧୀଦଳ ନେତା ବିଧାନସଭାରେ ରହିବାକୁ ଉଚିତ ମଣି ନାହାନ୍ତି। ଅବଶ୍ୟ ଶାସନ କ୍ଷମତାରେ ଥିବାବେଳେ ଶେଷ ପାଞ୍ଚବର୍ଷ ମଧ୍ୟ ବିଧାନସଭାକୁ ଆସୁନଥିଲେ।
Shocked to know that one more recruitment exam cancelled in #Odisha today.
The Combined Police Service Examination 2024, meant to recruit Sub-Inspectors, was cancelled today by the Odisha Police Recruitment Board.
This marks the fourth recruitment examination scrapped since… pic.twitter.com/grp7dXaXgP
— Naveen Patnaik (@Naveen_Odisha) September 30, 2025
କେବଳ ବିଧାନସଭା ନୁହେଁ, ରାଜ୍ୟର ବହୁ ଚର୍ଚ୍ଚିତ ପୁଲିସ୍ ଏସ୍ଆଇ ନିଯୁକ୍ତି ଦୁର୍ନୀତି ଓ କଟକରେ ଦୁର୍ଗାପୂଜା ଭସାଣୀ ସମୟରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ନବୀନ କେବଳ ଏକ୍ସରେ ନିଜର ପ୍ରତିକ୍ରିୟା ଦେବାରେ ସିମୀତ ରହିଛନ୍ତି। ଏପରିକି ଗତକାଲି ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ମଧ୍ୟ ନବୀନଙ୍କୁ ଦେଖିବାକୁ ମିଳିନାହିଁ। ଫଳରେ ଦଳ ଓ ବିରୋଧୀ ଦଳ ଏବେ ମୁରବୀ ଶୂନ୍ୟ ହୋଇପଡ଼ିଛି। ଏପରକି ଆଗାମୀ ନୂଆପଡ଼ା ଉପନିର୍ବାଚନରେ ସେ ଦଳ ପାଇଁ ପ୍ରଚାର କରିବାର ସନ୍ଦେହ ମଧ୍ୟ ରହିଛି।
ବିରୋଧୀ ଦଳରେ ବସିଥିବା ବିଜୁଙ୍କୁ ଓଡ଼ିଶା ଭଲ ଲାଗୁ ନ ଥିଲା
ନବୀନ ପଟ୍ଟନାୟକ ବାପାଙ୍କ ରାସ୍ତାରେ ଚାଲିବା କଥା କହିବାର ଅନେକ କାରଣ ରହିଛି। ସେଥିପାଇଁ ଆମକୁ ୧୯୯୭ର ନୂଆପଡ଼ା ଉପ ନିର୍ବାଚନ କଥା ମନେପକାଇବାକୁ ପଡ଼ିବ। ୨୮ ବର୍ଷ ତଳର ଏହି କାହାଣୀରେ ତତ୍କାଳୀନ ଜନତା ଦଳର ନେତା ଘାସିରାମ ମାଝୀଙ୍କ ଦେହାନ୍ତ ଯୋଗୁ ଉପ ନିର୍ବାଚନ ହୋଇଥିଲା। ସେତେବେଳେ ବିଜୁ ବାବୁ ବି ବିରୋଧୀ ଦଳରେ ଥିଲେ। ଶାସନରୁ ଯାଇ ବିରୋଧୀରେ ବସିଥିବା ବିଜୁଙ୍କୁ ଓଡ଼ିଶା ଭଲ ଲାଗୁ ନ ଥିଲା। ସେ ପ୍ରଣବ ପ୍ରକାଶ ଦାସଙ୍କ ବାପା ଅଶୋକ ଦାସଙ୍କୁ ବିଧାନସଭାରେ ବିରୋଧୀ ଦଳ ଦାୟିତ୍ୱ ଦେଇ ଦିଲ୍ଲୀରେ ରହୁଥିଲେ। ଉପ ନିର୍ବାଚନ ପ୍ରଚାରରେ ଆସିନଥିଲେ। ଆଉ ତାଙ୍କ ଦଳ ସେତେବେଳେ ପରାଜୟ ଦେଖିଥିଲା।
ଅଶୋକ ଦାସଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦେଇ ବିଜୁ ଦିଲ୍ଲୀରେ ରହିଲେ
ସେଦିନକୁ ମୁଁ ଏଠାରେ ଉପସ୍ଥାପନ କରିବାର କାରଣ ହେଉଛି ବର୍ତ୍ତମାନ ବିଜେଡିର ପରିସ୍ଥିତି ସେ ସମୟର ଜନତା ଦଳର ପରିସ୍ଥିତି ସହିତ ସମାନ। ଆପଣ ମନେପକାନ୍ତୁ ସେ ସମୟକୁ। ୧୯୯୦ରୁ ୯୫ ମସିହା ଯାଏ ନିରଙ୍କୁଶ ଜନ ସମର୍ଥନ ଲାଭ କରି କ୍ଷମତା ଉପଭୋଗ କରିଥିଲେ ବିଜୁ ପଟ୍ଟନାୟକ। ତାଙ୍କ ଆଗରେ ବିରୋଧୀ ଦଳ ଏତେ କ୍ଷୀଣ ହୋଇଯାଇଥିଲା ଯେ ସାମ୍ବିଧାନିକ ଭାବେ କୌଣସି ନେତାଙ୍କୁ ବିରୋଧୀ ଦଳ ନେତାର ଆଖ୍ୟା ମିଳିପାରିନଥିଲା। କିନ୍ତୁ ବିଜୁ ପଟ୍ଟନାୟକ ୧୯୯୫ ନିର୍ବାଚନରେ ଚିତ୍ପଟାଙ୍ଗ ମାରିଥିଲେ। ଏହାପରେ ସେ ବିରୋଧୀ ଦଳ ନେତାଭାବେ ବିଧାନସଭାରେ ବସିବାକୁ ବାଧ୍ୟ ହେଲେ। କିନ୍ତୁ ଏହା ବିଜୁଙ୍କୁ କେବେ ଭଲ ଲାଗୁ ନ ଥାଏ। ପୁଣି ନିଜ ସ୍ୱାସ୍ଥ୍ୟାବସ୍ଥା ଭଲ ନ ରହିବାରୁ ଅଶୋକ ଦାସଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦେଇ ସେ ଦିଲ୍ଲୀରେ ରହିବା ଆରମ୍ଭ କଲେ।
ନବୀନ ବି ବିରୋଧୀ ଦଳ ନେତା ରହିବାକୁ ପସନ୍ଦ କରୁନାହାନ୍ତି
ଆଉ ଗଲା ୧୫ ମାସର ସମୟ ଭିତରେ ନବୀନଙ୍କ ନବୀନଙ୍କ ପ୍ରତିଟି ରାଜନୀତିକ ଗୋଟି ଚାଳନାରେ ଏହା ଦେଖିବାକୁ ମିଳୁଛି ଯେ ସେ ବିରୋଧୀ ଦଳ ନେତା ରହିବାକୁ ପସନ୍ଦ କରୁନାହାନ୍ତି। ସେଥିପାଇଁ କେତେବେଳେ ସେ ସହରରେ ରହି ବିଧାନସଭା ଭିତରକୁ ଆସୁ ନହାନ୍ତି ତ ଆଉ କେତେବେଳେ ବିଧାନସଭା ଚାଲିଥିବାବେଳେ ରାଜ୍ୟରେ ରହୁ ନାହାନ୍ତି। ଏପରିକି ସେ ବିଜୁ ବାବୁଙ୍କ ଭଳି ନୂଆପଡ଼ା ଉପନିର୍ବାଚନରେ ଦଳର ପ୍ରଚାର କରିନପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଏପରି ଆଚରଣ କ’ଣ ପ୍ରତିପାଦନ କରୁଛି? ଏହା ତାଙ୍କ ଭିତରେ ଆତ୍ମ ବିଶ୍ୱାସର ଅଭାବକୁ ଦର୍ଶାଉଛି। ଓଡ଼ିଶାବାସୀଙ୍କ ଉପରେ ତାଙ୍କର ବିତୃଷ୍ଣା ଭାବକୁ ମଧ୍ୟ ଦର୍ଶାଉଛି। ଯଦି ଓଡ଼ିଶା ଓ ଓଡ଼ିଶା ରାଜନୀତି ପ୍ରତି ତାଙ୍କ ବିତୃଷ୍ଣାଭାବ ଆସିଛି ତେବେ ସେ ସସମ୍ମାନେ ଏହାକୁ ତ୍ୟାଗ କାହିଁକି କରୁନାହାନ୍ତି?
ସୁଜାତାଙ୍କୁ ଦେବେ କି ଦଳର ଦାୟିତ୍ୱ
ରାଜନୀତିକ ମହଲର ଆଲୋଚନା ଅନୁସାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଭଳି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତାମିଲ ବୋହୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଦଳର ଦାୟିତ୍ୱ ଦେଇ ଆଉ ଓଡ଼ିଶା କଥାରେ ମୁଣ୍ଡ ପୁରାଇବେ ନାହିଁ। ଏପରିକି ସେ ତାଙ୍କର ସହାୟକ ପାଣ୍ଡିଆନଙ୍କ ପରି ରାଜନୀତିରୁ ସନ୍ୟାସ ନେବେ।
ଅବଶ୍ୟ ଏହା ତାଙ୍କ ବ୍ୟକ୍ତିଗତ ବିଚାର, ରାଜନୀତିକ ଅଙ୍କ ଆଉ ଗୋଟିଚାଳନା ଅପେକ୍ଷା ତାଙ୍କ ସେବକଙ୍କ ପରାମର୍ଶ ଉପରେ ନିର୍ଭର କରେ। ଏଣୁ କେବଳ ଅପେକ୍ଷା ହିଁ ରାଜ୍ୟବାସୀଙ୍କ ପାଇଁ ସାର ହେବ, ନୁହେଁ କି?
Also readhttps://purvapaksa.com/bjd-doubts-bjp-is-cutting-across-rural-areas/
BJD doubts BJP is cutting across rural areas ।। ବିଜେଡିର ସନ୍ଦେହ, ବିଜେପି କାଟୁଛି ପଞ୍ଚାୟତର କ୍ଷମତା
