Naveen and BJD future : ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ସମେତ ପ୍ରାୟ ସମସ୍ତ ପ୍ରମୁଖ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଓ ଅବଦାନର ଛାପ ସୁସ୍ପଷ୍ଟ।
ଭାସ୍କର ପରିଚ୍ଛା
ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଏବଂ ଉତ୍ଥାନ ଓଡ଼ିଶା ରାଜନୀତିରେ ଏକ ଯୁଗାନ୍ତକାରୀ ସନ୍ଧିକ୍ଷଣ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧିବ୍ୟାପୀ ଅକ୍ଷୁର୍ଣ୍ଣ ରହିଥିବା ତାଙ୍କ ପତିଆରା, ପ୍ରଭାବ ଓ ଲୋକପ୍ରିୟତାର ମାତ୍ରା ଏତେ ଅଧିକ ଥିଲା ଯେ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରାଶାସନିକ ଢାଞ୍ଚା ଓ ରାଜନୈତିକ ଇତିହାସକୁ ଦୁଇ ଭାଗରେ ବିଭାଜିତ କରାଯାଏ, ଯଥା ନବୀନଙ୍କ ପୂର୍ବବର୍ତ୍ତୀ କାଳଖଣ୍ଡ ଓ ନବୀନଙ୍କ ପରବର୍ତ୍ତୀ କାଳଖଣ୍ଡ। ୨୦୦୦ରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ନିର୍ବାଚିତ ହୋଇଥିଲେ ।
ପରବର୍ତ୍ତୀ ସମସ୍ତ ନିର୍ବାଚନରେ ବିଜୟ ଲାଭ କରି ସେ ଓଡ଼ିଶାର ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେବାର ଗୌରବପ୍ରାପ୍ତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ଗତ ଦୁଇଦଶନ୍ଧି ମଧ୍ୟରେ ଭିତ୍ତିଭୂମିର ବିକାଶଠାରୁ ଆରମ୍ଭ କରି ବିଶ୍ୱମଞ୍ଚରେ ପ୍ରତିଷ୍ଠା ଓ ପ୍ରସିଦ୍ଧି ହାସଲ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଅଭୂତପୂର୍ବ ପ୍ରଗତି ଓ ପତିଆରା ଅର୍ଜନ କରିପାରିଛି। ସଙ୍କଟ ସମୟରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକର ସଫଳ ଓ ନିଷ୍ଠାପର ମୁକାବିଲା କରି ନବୀନବାବୁ ଓଡ଼ିଶାର ଗରିମା ବୃଦ୍ଧି କରିବା ସହିତ ନିଜକୁ ଜଣେ ଅନନ୍ୟ ଓ ଅପ୍ରତିଦ୍ୱନ୍ଦ୍ୱୀ ଲୋକପ୍ରିୟ ଜନନାୟକ ଭାବରେ ପ୍ରତିଷ୍ଠିତ କରିପାରିଛନ୍ତି।
ନିରବଚ୍ଛିନ୍ନ ଭାବରେ ସର୍ବାଧିକ କାଳ ଧରି ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେବାର ପ୍ରକୃତ ରହସ୍ୟ ଥିଲା ନବୀନଙ୍କ ଲୋକାଭିମୁଖୀ ଶାସନ ଓ ନିରଙ୍କୁଶ ଲୋକପ୍ରିୟତା। ନିର୍ମଳ ଭାବମୂର୍ତ୍ତି ଓ ଉନ୍ନୟନମୂଳକ କାର୍ଯ୍ୟପରିସରର ବିଶାଳତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ତାଙ୍କ ପୂର୍ବସୁରୀମାନଙ୍କଠାରୁ ଥିଲେ ଭିନ୍ନ ଓ ଅନନ୍ୟ। ଫଳସ୍ଵରୂପ ୨୦୦୦ ମସିହାଠାରୁ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରତ୍ୟେକଟି ନିର୍ବାଚନରେ ସେ କ୍ରମବର୍ଦ୍ଧମାନ ଜନସମର୍ଥନରେ ବିଜୟଲାଭ କରିଥିଲେ।
ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ସମେତ ପ୍ରାୟ ସମସ୍ତ ପ୍ରମୁଖ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଓ ଅବଦାନର ଛାପ ସୁସ୍ପଷ୍ଟ।
ବିଭିନ୍ନ ଅବସରରେ ତାଙ୍କ ସରକାରକୁ ମିଳିଥିବା ପ୍ରଶଂସା, ସମ୍ବର୍ଦ୍ଧନା ଓ ଅଭିନନ୍ଦନର ପରିସର ଦେଶ ଭିତରେ ସୀମିତ ନରହି ବିଶ୍ୱରେ ପରିବ୍ୟାପ୍ତ ହୋଇଥିଲା। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ପଦରେ ରହି ନବୀନ ବାବୁ ନିରବଚ୍ଛିନ୍ନ ଭାବରେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶା ରାଜ୍ୟ ପ୍ରଶାସନର ମୁଖିଆ ହେବାର ଗୌରବପ୍ରାପ୍ତ ହୋଇଥିଲେ। ଜଣେ ରାଜନୈତିକ ନେତା ଭାବରେ ନିର୍ବାଚନୀ ରାଜନୀତିରେ ନବୀନବାବୁ ଦୀର୍ଘ ୨୫ ବର୍ଷ ଧରି ଅପରାଜେୟ ରହିଆସିଥିଲେ।
୨୦୨୨ ମସିହା ଥିଲା ରାଜନୀତିରେ ନବୀନ ପଟ୍ଟନାୟକଙ୍କର ରୌପ୍ୟଜୟନ୍ତୀ ସମ୍ବତ୍ସର। ଓଡ଼ିଶାର ପ୍ରବାଦପୁରୁଷ ତଥା କିମ୍ବଦନ୍ତୀ ପିତା ବିଜୁ ପଟ୍ଟନାୟକଙ୍କ ପରେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଗତ ଅଢ଼େଇ ଦଶନ୍ଧି ଧରି ଓଡ଼ିଶା ହାସଲ କରିଥିବା ଉଲ୍ଲେଖଯୋଗ୍ୟ ରୂପାନ୍ତରଣକୁ କେହି ଅସ୍ୱୀକାର କରିପାରିବେ ନାହିଁ।
କୁହାଯାଏ ଇତିହାସ ସବୁବେଳେ ସିଧା ରାସ୍ତାରେ ଯାଏ ନାହିଁ, ବେଳେ ବେଳେ ଏହା ବଙ୍କା ରାସ୍ତାରେ ଗତି କରିଥାଏ। କ୍ଷମତା ଓ ଭୋଟ ରାଜନୀତିରେ ଏହି କଥାଟି ଅଧିକ ସତ। ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ବିଜୁ ଜନତା ଦଳ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି। ଆଗକୁ କ’ଣ ହେବ ତାହା ସମୟ ହିଁ କହିବ।
(କ୍ରମଶଃ)
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର। ସେ ଓଡ଼ିଶା ଅନେକ ଖବର କାଗଜରେ କାମ କରିଛନ୍ତି। ଉଭୟ ଇଂରାଜୀ ଓ ଓଡ଼ିଆରେ ଅନେକ ପୁସ୍ତକ ରଚନା କରିଛନ୍ତି।)
Also readhttps://purvapaksa.com/womens-reservation-odisha-vs-other-states/