ରାତି ପାହିଲେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରୁ ଯିବେ ବଡ଼ ଠାକୁର। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଘୋଷଯାତ୍ରା ପାଇଁ ରଥପଥ ସବୁ ପ୍ରସ୍ତୁତି ସରିଛି। ବଡଦାଣ୍ଡ ଆସିବାକୁ କଳା ସାଆନ୍ତ ଯେତିକି ଉତ୍ସାହିତ ଭକ୍ତ ମଧ୍ୟ ସେତିକି ଆତୁର। ରଥରେ ତିନି ଠାକୁରଙ୍କୁ ଦର୍ଶନ ପୂର୍ବରୁ ଆଜି ଚାଲିଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ୧୫ ଦିନର ଅଣବସର ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦୁର୍ଲ୍ଲଭ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ନବଯୌବନ ଦର୍ଶନ ପାଇଁ ପୁରୀରେ ଲାଗିଛି ପ୍ରବଳ ଭିଡ଼। କିଏ ଠାକୁରଙ୍କୁ ଦେଖି କାନ୍ଦି ପକାଉଛି ତ କିଏ କହୁଛି ମୋ କାଳିଆ ହାତୀ ଜ୍ଵରରେ ପଡ଼ି ଶୁଖିଲା ଦେଖାଯାଉଛି। ରଥଯାତ୍ରା ପୂର୍ବରୁ ଭକ୍ତ ଆଉ ଭଗବାନଙ୍କ ଏହି ଅପୂର୍ବ ମିଳନ ଅପୂର୍ବ ଅନୁଭୂତି ଦେଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବି କଡାକଡି କରଯାଇଛି ।
ନବଯୌବନ ବେଶ ଶ୍ରୀଜିଉଙ୍କ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ହୋଇଥାଏ। ଏହା ଶ୍ରୀଜୀଉଙ୍କ ଏକ ବିଶେଷ ବେଶ ଅଟେ । ଅଣସର ଶେଷରେ ଏହି ଦୁର୍ଲଭ ବେଶ ଧାରଣ କରନ୍ତି ତିନି ଠାକୁର। ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବର୍ଷବ୍ୟାପୀ ପ୍ରତୀକ୍ଷା କରି ରହିଥାଆନ୍ତି । ନବଯୌବନ ବେଶରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିଲେ କୋଟି ପାପ କ୍ଷୟ ହୁଏ ବୋଲି ବିଶ୍ବାସ କରାଯାଏ। ନବଯୌବନ ବେଶ କେବଳ ଏକ ଧାର୍ମିକ କାର୍ଯ୍ୟ ନୁହେଁ, ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅଂଶ ବୋଲି ବିଶ୍ବାସ କରଯାଏ । ଶ୍ରୀଜଗନ୍ନାଥଙ୍କର ସାର୍ବଜନୀନତା ଓ ସମସ୍ତଙ୍କୁ ଏକତ୍ରିତ କରିବାର ଶକ୍ତି ଏହା ଦ୍ବାରା ପ୍ରତିଫଳିତ ହୁଏ ବୋଲି ବିଶ୍ବାସ କରନ୍ତି ଦାର୍ଶନିକ । ଏହି ବେଶ ଭକ୍ତମାନଙ୍କୁ ନୂଆ ଆଶା, ନୂଆ ଉଦ୍ୟମ ଓ ନୂଆ ଜୀବନର ସନ୍ଦେଶ ଦେଇଥାଏ।
