ଶୁଣିବାକୁ ଅଜଣା ଲାଗିବ, କିନ୍ତୁ ଏହା ସତ। ଏମିତି ଏକ ମୁସଲମାନ ଦେଶ ଅଛି ଯେଉଁଠାରେ ଝିଅମାନେ ପ୍ଲେଜର ମ୍ୟାରେଜ କରୁଛନ୍ତି। ମାନେ କିଛିଦିନ ପାଇଁ ବିବାହର ମଜା, ତା’ପରେ ଛାଡ଼ପତ୍ର । ତା’ ବି ଆଇନଗତ ଭାବେ। ଏଭଳି ବିବାହ ମାତ୍ର ୧୦-୧୫ କିମ୍ବା କୋଡ଼ିଏ ଦିନ ପାଇଁ ହୋଇଥାଏ। ଅର୍ଥାତ୍ ସେମାନେ ଅଜଣା ଲୋକଙ୍କୁ କିଛିଦିନ ପାଇଁ ସ୍ୱାମୀ କରୁଛନ୍ତି, ସ୍ୱାମୀଙ୍କ ସହ ସ୍ତ୍ରୀ ପରି ରହୁଛନ୍ତି। ତା’ପରେ ସ୍ତ୍ରୀ ରାସ୍ତା ଏବଂ ସ୍ୱାମୀ ରାସ୍ତା ଅଲଗା ହୋଇଯାଏ। ଉଭୟେ ଏପରି ଅଲଗା ହୁଅନ୍ତି ଯେମିତି ସେମାନେ ପରସ୍ପରକୁ କେବେ ଜାଣିନଥିଲେ। ହଁ, ଏହା ବଦଳରେ ଝିଅଟିକୁ ବଡ଼ ପରିମାଣରେ ଅର୍ଥରାଶି ମିଳିଥାଏ।
ଆମେ ଯେଉଁ ଦେଶ କଥା କହିବାକୁ ଯାଉଛୁ,ସେହି ଦେଶ ଉପରେ ଗୋଟିଏ ସମୟରେ ହିନ୍ଦୁ ରାଜାମାନଙ୍କର ଶାସନ ଥିଲା। ସେମାନେ ସେଠାରେ ରାଜ କରୁଥିଲେ। ଏହି ଦେଶର ସଂଖ୍ୟାଧିକ ନାଗରିକ ମଧ୍ୟ ହିନ୍ଦୁ ଥିଲେ। କିନ୍ତୁ ଏହାପରେ ସେଠାରେ ସମୟ ବଦଳିଥିଲା। ରାଜାମାନେ ନିଜର ଧର୍ମ ବଦଳାଇଲେ, ଏବଂ ଦେଖୁ ଦେଖୁ ପୂରା ଦେଶ ମୁସଲମାନ ଦେଶ ହୋଇଗଲା। ପ୍ରଜା ମଧ୍ୟ ଦ୍ରୁତ ଗତିରେ ହିନ୍ଦୁ ଧର୍ମରୁ ମୁସଲମାନ ଧର୍ମକୁ ଧର୍ମାନ୍ତରିତ ହୋଇଥିଲେ। ଏବେ ସେଠାକାର ମହିଳାମାନେ ଆସୁଥିବା ପର୍ଯ୍ୟଟକମାନଙ୍କ ସହ ପ୍ଲେଜର ମ୍ୟାରେଜ୍ କରୁଛନ୍ତି। ଟଙ୍କା ନେଉଛନ୍ତି। ୧୫-୨୦ ଦିନ ପରେ ବିବାହ ଶେଷ ହୁଏ ଏବଂ ସେମାନେ ନୂଆ ସ୍ୱାମୀ ସନ୍ଧାନ କରନ୍ତି।
ଏବେ ଆମେ ଆପଣଙ୍କୁ କହୁଛୁ ଯେ ଏହି ଦେଶର ନାମ କ’ଣ ଓ ଏହା କେଉଠି ଅଛି। ତଥା ଓଡ଼ିଶା ସହିତ ଏହାର ସମ୍ପର୍କ କ’ଣ। ଓଡ଼ିଶା ସହିତ ସମ୍ପର୍କ କ’ଣ ତାହା ଆପଣ କଟକର ବାଲିଯାତ୍ରାରୁ ଜାଣି ପାରିବେ। ବାଲି ଦ୍ୱୀପ ସହିତ ଓଡ଼ିଶାର ବାଣିଜ୍ୟକ ସମ୍ପର୍କକୁ ମନେପକାଇ ଏହି ଯାତ୍ରା ପ୍ରତିବର୍ଷ ପାଳିତ ହୋଇଥାଏ। ଏବେ ଲାଗୁଛି ଆପଣ ଜାଣି ସାରିବେଣି ସେହି ଦେଶର ନାମ କ’ଣ। ତଥାପି ଆମେ ନାମ କହି ଦେଉଛୁ । ଦେଶର ନାମ ହେଉଛି ଇଣ୍ଡୋନେସିଆ।
ପ୍ଲେଜର ମ୍ୟାରେଜ୍ କ’ଣ?
ଇଣ୍ଡୋନେସିଆର ପୁଙ୍କାକରେ କମ ଆୟ କରୁଥିବା ପରିବାରର ଯୁବତୀମାନେ ଟଙ୍କା ବଦଳରେ ପୁରୁଷ ପର୍ଯ୍ୟଟକମାନଙ୍କ ସହ ସ୍ୱଳ୍ପକାଳୀନ ବିବାହ କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟକମାନଙ୍କୁ ଆନନ୍ଦ ଦେଇ ଟଙ୍କା ରୋଜଗାର କରିବା। ମୁତାହ ନିକାହ ନାମରେ ଜଣାଶୁଣା ଏହି ପ୍ରଥା ଏଠାରେ ଏକ ଆକର୍ଷଣୀୟ ଶିଳ୍ପ ଭାବେ ଉଭା ହୋଇଛି। ଏହା ପର୍ଯ୍ୟଟନ ଏବଂ ସ୍ଥାନୀୟ ଅର୍ଥନୀତିକୁ ବଢ଼ାଇବାରେ ସହାୟକ ହେଉଛି।
‘ପ୍ଲେଜର ମ୍ୟାରେଜ’ କାହିଁକି କରୁଛନ୍ତି?
କମ ଆୟ କରୁଥିବା ପରିବାରର ଯୁବତୀମାନେ ଟଙ୍କା ବଦଳରେ ପୁରୁଷ ପର୍ଯ୍ୟଟକମାନଙ୍କ ସହ ମୁତାହ ବିବାହ କରୁଛନ୍ତି। ଏହା ଇସ୍ଲାମରେ ଅସ୍ଥାୟୀ ବିବାହ ବୋଲି ଗଣାଯାଏ। ଯଦିଓ ଏହି ପ୍ରଥାର ତୀବ୍ର ସମାଲୋଚନା ହୋଇଛି କାରଣ ଅନେକ ପର୍ଯ୍ୟଟକ ସ୍ଥାନୀୟ ମହିଳାମାନଙ୍କର ଅପବ୍ୟବହାର କରୁଛନ୍ତି।
ପ୍ଲେଜର ମ୍ୟାରେଜ୍ କ’ଣ ?
ଆନନ୍ଦ ବିବାହ ହେଉଛି ଗରିବ ମହିଳାମାନେ ଏବଂ ମୁଖ୍ୟତଃ ମଧ୍ୟପ୍ରାଚ୍ୟରୁ ଆସୁଥିବା ପୁରୁଷ ପର୍ଯ୍ୟଟକମାନଙ୍କ ମଧ୍ୟରେ ଟଙ୍କା ବଦଳରେ ହେଉଥିବା ସ୍ୱଳ୍ପକାଳୀନ ବିବାହ।
ଏହି ବିବାହ ଇଣ୍ଡୋନେସିଆରେ କିପରି ଏକ ଶିଳ୍ପ ହୋଇଛି?
ଲସ୍ ଏଞ୍ଜେଲସ୍ ଟାଇମ୍ସ ଅନୁସାରେ, ଇସ୍ଲାମରେ ମୁତାହ ନିକାହ ନାମକ ଏହି ପ୍ରଥା ଏକ ଆକର୍ଷଣୀୟ ଶିଳ୍ପ ଭାବେ ଉଭା ହୋଇଛି, ଯାହା ପଶ୍ଚିମ ଇଣ୍ଡୋନେସିଆର ଏକ ଲୋକପ୍ରିୟ ସ୍ଥାନ ପୁଙ୍କାକରେ ପର୍ଯ୍ୟଟନ ଏବଂ ସ୍ଥାନୀୟ ଅର୍ଥନୀତିକୁ ବଢ଼ାଉଛି, ଯାହା ଆରବ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ଏବେ ଏହି କାମ କିଛି କମ୍ପାନୀ ନିୟନ୍ତ୍ରଣ କରୁଛନ୍ତି। ଏକ ହାଇଲାଣ୍ଡ ରିସର୍ଟରେ ଏଜେନ୍ସିମାନେ ପର୍ଯ୍ୟଟକମାନଙ୍କୁ ସ୍ଥାନୀୟ ମହିଳାମାନଙ୍କ ସହ ମିଶାଇ ଥାଆନ୍ତି। ଉଭୟ ପକ୍ଷର ସହମତିରେ ଏକ ଛୋଟ ଏବଂ ଅନୌପଚାରିକ ବିବାହ ଆୟୋଜନ ପରେ ପୁରୁଷ ମହିଳାକୁ ବଧୂର ମୂଲ୍ୟ ଦେଇଥାଏ। ଯେପର୍ଯ୍ୟନ୍ତ ପର୍ଯ୍ୟଟକ ସେଠାରେ ରହିଥାଏ, ମହିଳା ତାକୁ ଘରୋଇ ଏବଂ ଯୌନ ସେବା ପ୍ରଦାନ କରେ। ପର୍ଯ୍ୟଟକ ଚାଲିଗଲା ପରେ ବିବାହ ଭାଙ୍ଗିଯାଏ।
ଜଣେ ମହିଳା କେତେ ମୁତାହ ନିକାହ କରନ୍ତି?
ଲସ୍ ଏଞ୍ଜେଲସ୍ ଟାଇମ୍ସକୁ ଜଣେ ୨୮ ବର୍ଷୀୟ ଇଣ୍ଡୋନେସିଆଇ ମହିଳା କାହାୟା ଅସ୍ଥାୟୀ ସ୍ତ୍ରୀ ହେବାର କଷ୍ଟଦାୟକ ଅଭିଜ୍ଞତା ବିଷୟରେ କହିଛନ୍ତି। ସେ ଏଲଏ ଟାଇମ୍ସକୁ କହିଛନ୍ତି ଯେ ସେ ୧୫ରୁ ଅଧିକ ଥର ପଶ୍ଚିମ ଏସିଆର ପର୍ଯ୍ୟଟକମାନଙ୍କ ସହ ବିବାହ କରିଛନ୍ତି। ଏହି କାମରେ ଅଧିକାରୀ ଏବଂ ଏଜେଣ୍ଟମାନଙ୍କର ମଧ୍ୟ ଅଂଶ ଥାଏ। ଏହା କାଟିବା ପରେ ମହିଳାଙ୍କୁ ଅଧା ରାଶି ମିଳେ। ରିପୋର୍ଟରେ ଦାବି କରାଯାଇଛି ଯେ କାହାୟା ୧୩ ବର୍ଷ ବୟସରେ ପ୍ରଥମେ ଏପରି ବିବାହ କରିଥିଲେ। ତାଙ୍କ ଜେଜେମା’ ତାଙ୍କୁ ଏଥିପାଇଁ ବାଧ୍ୟ କରିଥିଲେ। ପରେ ଯେତେବେଳେ ତାଙ୍କ ବିବାହ ଭାଙ୍ଗିଗଲା, ତାଙ୍କୁ ନିଜ ଝିଅକୁ ନିଜେ ପାଳିବାକୁ ପଡ଼ିଲା। ସେ ଜେନେରାଲ ଷ୍ଟୋର କିମ୍ବା ଜୋତା ତିଆରି କାରଖାନାରେ କାମ କରିବା ବିଷୟରେ ଚିନ୍ତା କରିଥିଲେ, କିନ୍ତୁ ସେଠାରେ ଦରମା ବହୁତ କମ ଥିଲା। ଏବେ ସେ ପ୍ରତ୍ୟେକ ବିବାହରୁ ୩୦୦ରୁ ୫୦୦ ଡଲାର ରୋଜଗାର କରୁଛନ୍ତି, ଯାହାଦ୍ୱାରା ତାଙ୍କର ଭଡ଼ା ଏବଂ ରୋଗୀ ଜେଜେମା’ଙ୍କ ଖର୍ଚ୍ଚ ଚାଲିଯାଏ। ଯଦିଓ ତାଙ୍କ ପରିବାରକୁ ଜଣାନାହିଁ ଯେ ସେ ଏହି କାମ କରୁଛନ୍ତି। ତେବେ କିଛି ମହିଳା ଏହା କରିବା ପରେ ଏଥିରୁ ବାହାରି ପୂର୍ଣ୍ଣାଙ୍ଗ ଗୃହସ୍ଥାଳୀ ମଧ୍ୟ ଗଢ଼ି ନେଉଛନ୍ତି।
ଏହି ଶିଳ୍ପ କିପରି ଚାଲେ?
ପ୍ଲେଜର ମ୍ୟାରେଜ ସମ୍ପ୍ରତି ଏକ ବ୍ୟବସାୟ ଭାବେ କାୟା ବିସ୍ତାର କରିଛି। ମଝିରେ ଏଜେଣ୍ଟମାନେ ଥାଆନ୍ତି, ଯେଉଁମାନେ କେବେକେବେ ଗୋଟିଏ ମାସରେ ୨୫ଟି ବିବାହ ନିର୍ଦ୍ଧାରଣ କରନ୍ତି। ଯଦିଓ ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି, କାରଣ ଏହାଦ୍ୱାରା ମହିଳାମାନଙ୍କର ଶୋଷଣ ମଧ୍ୟ ହେଉଛି ଏବଂ ସୁରକ୍ଷା ମଧ୍ୟ ପ୍ରାୟତଃ ବିପଦରେ ପଡ଼ୁଛି।
ପ୍ଲେଜର ମ୍ୟାରେଜ୍ ବା ମୁତାହ ନିକାହ ଇସ୍ଲାମରେ ମାନ୍ୟ କି?
ଏହି ପ୍ରଥାର ଉତ୍ପତ୍ତି ସିଆ ଇସ୍ଲାମରେ ହୋଇଛି। ଭାରତରେ ମୋଗଲ ଯୁଗରେ ମଧ୍ୟ ଏପରି ବିବାହ ହେଉଥିଲା। ଖାସକରି ମୋଗଲ ବ୍ୟବସାୟୀମାନେ ଯେତେବେଳେ ଦୀର୍ଘ ଯାତ୍ରା କରୁଥିଲେ, ସେମାନେ ଏପରି ବିବାହ କରୁଥିଲେ। ଯଦିଓ ଅନେକ ଇସ୍ଲାମ ବିଦ୍ୱାନ ଏହି ବିବାହଗୁଡ଼ିକୁ “ଅଗ୍ରହଣୀୟ” ବୋଲି ବିବେଚନା କରିଛନ୍ତି। ଇଣ୍ଡୋନେସିଆରେ ଯେଉଁ ପ୍ରକାର ଚୁକ୍ତି ସହ ଏହି ବିବାହ ହେଉଛି, ତାହା ସେଠାକାର ଆଇନରେ ଗ୍ରହଣୀୟ ନୁହେଁ। ଏହା ବିବାହର ମୌଳିକ ଚିନ୍ତାଧାରାର ବିରୁଦ୍ଧ। ଇଣ୍ଡୋନେସିଆଇ ବିବାହ ଆଇନ ଭାଙ୍ଗିବା ଫଳରେ ଦଣ୍ଡ, ଜେଲ ଦଣ୍ଡ ଏବଂ ସାମାଜିକ କିମ୍ବା ଧାର୍ମିକ ପରିଣାମ ହୋଇଥାଏ।
ଇସ୍ଲାମରେ ମୁତାହ ନିକାହ କ’ଣ?
ମୁତାହ ନିକାହ, ଇସ୍ଲାମରେ ଅସ୍ଥାୟୀ ବିବାହର ଏକ ରୂପ। ଏହାକୁ ନିକାହ ମୁତାହ ମଧ୍ୟ କୁହାଯାଏ। ମୁତାହ ଶବ୍ଦ ଆରବୀ ଭାଷାରୁ ନିଆଯାଇଛି। ଏହାର ଅର୍ଥ ହେଉଛି ‘ଆନନ୍ଦ’ । ମୁତାହ ନିକାହକୁ ଆନନ୍ଦ ବିବାହ ମଧ୍ୟ କୁହାଯାଏ।
- ଏହା ଏକ ବ୍ୟକ୍ତିଗତ ଚୁକ୍ତି, ଯାହା ମୌଖିକ କିମ୍ବା ଲିଖିତ ହୋଇପାରେ।
- ଏଥିରେ ବିବାହ କରିବାର ଉଦ୍ଦେଶ୍ୟରେ ସର୍ତ୍ତଗୁଡ଼ିକର ସ୍ୱୀକୃତି ପରେ ନିକାହ କରାଯାଏ।
- ମୁତାହ ନିକାହର ଅବଧି ଭିନ୍ନ ଭିନ୍ନ ହୋଇପାରେ, ଏହା ଏକ ଘଣ୍ଟା ପର୍ଯ୍ୟନ୍ତ ଛୋଟ ହୋଇପାରେ କିମ୍ବା ୯୯ ବର୍ଷ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ।
- ମୁତାହ ନିକାହରେ, ପୁରୁଷଙ୍କୁ ମହିଳାଙ୍କୁ ସହମତି ରାଶି ପ୍ରଦାନ କରିବାକୁ ପଡ଼େ।
- ମୁତାହ ନିକାହକୁ ନେଇ ଭିନ୍ନ ଭିନ୍ନ ମତ ରହିଛି। କେତେକ ସମ୍ପ୍ରଦାୟ ବିଶ୍ୱାସ କରନ୍ତି ଯେ ଏହି ପ୍ରଥା ଏବେ ବୈଧ ନୁହେଁ, ଆଉ କେତେକ ଏହାକୁ ବୈଧ ବୋଲି ମାନନ୍ତି।
- ମୁତାହ ନିକାହକୁ ନେଇ ସମାଲୋଚକମାନଙ୍କର ଭିନ୍ନ ଭିନ୍ନ ମତ ରହିଛି। କେତେକ ସମାଲୋଚକ କହନ୍ତି ଯେ ଏହା ବିବାହ ପୂର୍ବରୁ କାହା ସହ ଶୋଇବାର ଏକ ଉପାୟ। କେତେକ ଏହାକୁ ‘ବେଶ୍ୟାବୃତ୍ତି’ ମଧ୍ୟ କହନ୍ତି।
କେଉଁ ଦେଶମାନଙ୍କରେ ମୁତାହ ନିକାହ ଏବେ ମଧ୍ୟ ହେଉଛି?
“ମୁତାହ ନିକାହ” ଅର୍ଥାତ୍ ଅସ୍ଥାୟୀ ବିବାହ ହେଉଛି ଇସ୍ଲାମର ଏକ ପ୍ରଥା ଯାହାକୁ ସିଆ ସମ୍ପ୍ରଦାୟ (ଖାସକରି ଇମାମିୟା ସିଆ କିମ୍ବା ଜାଫରୀ ଫିକହ) ମାନ୍ୟତା ଦେଇଥାଏ, ଯେତେବେଳେ ସୁନ୍ନୀ ଇସ୍ଲାମ ଏହାକୁ ହାରାମ ମାନେ।
- ଇରାନରେ ମୁତାହ ନିକାହ ଆଇନଗତ ଭାବେ ମାନ୍ୟ। ଏହାକୁ ଫାରସୀରେ “ସିଗେହ” କୁହାଯାଏ।
- ଇରାକରେ ମଧ୍ୟ ସିଆ ବହୁଳ ଅଞ୍ଚଳରେ, ଖାସକରି ନଜଫ, କର୍ବଲା ଏବଂ ବସରାରେ ମୁତାହ ବିବାହ ପ୍ରଚଳିତ।
- ଲେବାନନରେ ସିଆ ଜନସଂଖ୍ୟା ମୁତାହକୁ ଧାର୍ମିକ ଭାବେ ବୈଧ ମାନେ। ଜାଫରୀ ଶରିଆତ କୋର୍ଟ ଏହାକୁ ମାନ୍ୟତା ଦେଇଥାଏ।
- ସିରିଆରେ ସିଆ ଏବଂ ଆଲୱୀ ସମୁଦାୟ ମଧ୍ୟରେ ମୁତାହ ନିକାହ ସୀମିତ ସ୍ତରରେ ପ୍ରଚଳିତ।
- ଆଫଗାନିସ୍ତାନରେ ହଜାରା ସିଆଙ୍କ ମଧ୍ୟରେ ଏହି ବିବାହ ହୁଏ, ଖାସକରି ବାମିୟାନ, ହେରାତ ଏବଂ କାବୁଲର କିଛି ଅଞ୍ଚଳରେ।
- ପାକିସ୍ତାନରେ ମଧ୍ୟ କରାଚୀ, ଲାହୋର, ପାରାଚିନାର ଏବଂ ଗିଲଗିତ-ବାଲ୍ଟିସ୍ତାନର ସିଆ ସମୁଦାୟରେ ମୁତାହ ଏବେ ମଧ୍ୟ ଧାର୍ମିକ ପ୍ରଥା ଭାବେ ବିଦ୍ୟମାନ।
Also readhttps://purvapaksa.com/cuttack-riot-brotherhood/
