ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କୁ ଖୋଲା ଧମକ ଦେଇଛନ୍ତି ଅନ୍ୟତମ ସାଂସଦ ମୁଜିବୁଲ୍ଲା ଖାନ୍ ଓରଫ ମୁନା ଖାନ୍। ବିଜୁ ଜନତା ଦଳର ଆଦର୍ଶ ଓ ନେତାଙ୍କ ବିରୋଧରେ ଯାଇଥିବା ଅଭିଯୋଗ କରି ଶ୍ରୀ ଖାନ୍ ସସ୍ମିତଙ୍କୁ କହିଛନ୍ତି ଯଦି ବିଜେପି ଭଲ ଲାଗୁଛି ତେବେ ସେ ସେଠାକୁ ଚାଲିଯିବା ଆବଶ୍ୟକ । ତାଙ୍କର ବିଜେଡିରେ ରହିବାର ଆବଶ୍ୟକତା ନାହିଁ। ସସ୍ମିତ କାହିଁକି ବିଜେଡି ମୁଖିଆଙ୍କ ନୀତି ବିରୁଦ୍ଧରେ ଯାଇ ସେ ବିଜେପି ସପକ୍ଷରେ ଭୋଟ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ମୁନା ଖାନ୍।
ଆଜି ଭୁବନେଶ୍ୱର ଫେରିବା ପରେ ମୁନା କହିଛନ୍ତି, ମୁଁ ବାରମ୍ବାର ସସ୍ମିତଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚାହିଁଛି କିନ୍ତୁ ସେ କୌଣସି ଉତ୍ତର ଦେଇ ନାହାନ୍ତି। ଏଣୁ ମୁଁ ଭାବୁଛି ସଭାପତିଙ୍କୁ ଏ ବାବଦରେ ସବୁକିଛି ଅବଗତ କରିବି। ଆଉ ସଭାପତି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ।
ଗତ ୩ ତାରିଖରେ ୱାକଫ୍ ସଂଶୋଧନ ବିଧେୟକ ନେଇ ରାଜ୍ୟସଭାରେ ବିଜେପି ଭୋଟ୍ ଭାଗଭାଗ ହେବାକୁ ନେଇ ରାଜ୍ୟ ରାଜନୀତି ବେଶ୍ ଚର୍ଚ୍ଚିତ ହୋଇଛି। ବିଜେଡିର ୭ଟି ଭୋଟରୁ ୨ଟି ଭୋଟ ବିଧେୟକ ସପକ୍ଷରେ ଥିବାବେଳେ ୩ଟି ଭୋଟ୍ ବିପକ୍ଷରେ ପଡ଼ିଥିଲା। ଅନ୍ୟ ଜଣେ ସାଂସଦ ଭୋଟ୍ ଦେବାରୁ ବିରତ ରହିଥିଲେ। ବିଜେଡିର ଏହି ବିଭାଜନ ଦଳରେ ଶୃଙ୍ଖଳା ଓ ପ୍ରଶାସନର ଅଭାବକୁ ସ୍ପଷ୍ଟ କରୁଛି। ଖାଲି ସେତିକି ନୁହେଁ ବରିଷ୍ଠ ନେତାମାନେ ବିଜୁ ଜନତା ଦଳର ସଭାପତିଙ୍କୁ ଏ ବାବଦରେ ସ୍ମାରକପତ୍ର ଲେଖି ଜଣାଇଛନ୍ତି। ଏପରିକି ପ୍ରତି ଦିନ ମିଡିଆରେ ସଭାପତିଙ୍କ ମତକୁ ଅପେକ୍ଷା କରୁଥିଲେ ମଧ୍ୟ ନବୀନଙ୍କ ପକ୍ଷରୁ କୌଣସି ଉତ୍ତର ଶୁଣିବାକୁ ମିଳୁ ନାହିଁ।
ମୁନା ଖାଁ କହିଛନ୍ତି, ବିଜୁ ଜନତା ଦଳ ଏକ ଧର୍ମ ନିରପେକ୍ଷ ଦଳ। ଆମ ନେତା ଧର୍ମ ନିରପେକ୍ଷ। ଯେତେବଳେ ସଂସଦ ଆରମ୍ଭ ହେବା ପୂର୍ବରୁ ନବୀନ ନିବାସରେ ସଂସଦୀୟ ଦଳ ବୈଠକ ବସିଥିଲା। ସେଥିରେ ଓ୍ୱାକଫ୍ ବିଧେୟକକୁ ବିଜୁ ଜନତା ଦଳ ବିରୋଧ କରିବ ବୋଲି କହିଥିଲେ। ସେହି ସମୟରେ ଓ୍ୱାକଫ୍ ସଂଶୋଧନ ବିରୋଧରେ ଶୋଭାଯାତ୍ରା ପାଇଁ ଆମେ ନବୀନ ବାବୁଙ୍କ ଅନୁମତି ଚାହିଁଥିଲୁ ସେଥିରେ ବି ସେ ସଦିଚ୍ଛା ପ୍ରକାଶ କରିଥିଲେ। ୟୁନିଟ ୪ରୁ ଏକ ଶୋଭାଯାତ୍ରା ବାହାରି ରାଜ୍ୟପାଳଙ୍କୁ ଭେଟିଥିଲା। ଆମେ ବିଧେୟକ ବିରୁଦ୍ଧରେ ତାଙ୍କୁ ସ୍ମାରକ ପତ୍ର ଦେଇଥିଲୁ ବୋଲି ଶ୍ରୀ ଖାଁ କହିଛନ୍ତି। ସେହିପରି ଇଫ୍ତାର ପାର୍ଟିରେ ମଧ୍ୟ ଓ୍ୱାକଫ୍ ବିଧେୟକକୁ ବିରୋଧ କରାଯିବ ବୋଲି କହିଥିଲୋ। ଏହି ଅନୁସାର ମୁଁ ମଧ୍ୟ ରାଜ୍ୟସଭାରେ ନିଜର ଅଭିଭାଷଣ ରଖିବା ସମୟରେ ଓ୍ୱାକଫ୍ ସଂଶୋଧନ ବିଧେୟକକୁ ବିରୋଧ କରି ନିଜର ବକ୍ତବ୍ୟ ରଖିଥିଲି। ଓ ବିରୋଧରେ ଭୋଟ ଦେଇଥିଲି ବୋଲି ସେ ସୂଚନା ଦେଇଛନ୍ତି।
କିନ୍ତୁ ସନ୍ଧ୍ୟାବେଳେ ରାଜ୍ୟସଭାର ନେତା ଦାୟିତ୍ୱରେ ଥିବା ସସ୍ମିତ ପାତ୍ର ଏକ ଟ୍ୱିଟ୍ କହି କହିଲେ ବିବେକ ଅନୁସାରେ ଭୋଟ୍ ଦେବାକୁ। ଆମ ସଂସଦୀୟ ଗଣତନ୍ତ୍ର ଅନୁସାରେ ଯେ କୌଣସି ବିଧାୟକକୁ ସମର୍ଥନ କରାଯାଏ ନ ହେଲ ବିରୋଧ କରାଯାଏ। ବିକଳ୍ପରେ ସମସ୍ତେ କକ୍ଷତ୍ୟାଗ କରିବାର ରହିଛି। ହେଲେ ବିବେକ ଅନୁସାରେ ଭୋଟ୍ ଦେବା ମୁଁ କେବେ ଜାଣି ନାହିଁ। ପୃଥିବୀର କୌଣସି ସ୍ଥାନରେ ଏପରି ନାହିଁ। ଏହି ଟ୍ୱିଟ୍ କଲା ପରେ ମୁଁ ପାଇଲି ନାହିଁ। ଲହା ଆଘାତ ଦେଇଛି ଆଉ ଦୃଢ଼ ଭାବେ ଖଣ୍ଡନ କରୁଛି ବୋଲି କହିଛନ୍ତି ମୁନା।
ବିଜୁ ଜନତା ଦଳ ସଂଖ୍ୟାଲଘୁଙ୍କ ସାଙ୍ଗରେ ରହିଛି। ଯାହାଙ୍କ ଆତ୍ମା ଡାକୁଛି ବିଜେପି ପାଇଁ ସେମାନେ ବିଜେପିକୁ ଚାଲିଯାଉ ନାହାନ୍ତି କାହିଁକି? ତାଙ୍କୁ କିଏ କହିଛି ଦଳରେ ରହିବା ପାଇଁ। ଦୋମୁହାଁ ନୀତିକୁ ବରଦାସ୍ତ କରିବୁ ନାହିଁ। ଯଦି ବିଜେପିକୁ ଚାହୁଁଛନ୍ତି ବିଜେପିକୁ ଚାଲି ଯାଆନ୍ତୁ ବୋଲି କହିଛନ୍ତି ମୁନା।
୨୪ ବର୍ଷର ଦୁର୍ନୀତି ଓ ଗିରଫରୁ ବର୍ତ୍ତିବା ପାଇଁ ବିଜେପି ସହ ଚୁକ୍ତି କରିଛି ବିଜେଡି: ସୋଫିଆ ଫିରଦୌସ