ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ନିର୍ବାସିତ ନେତା ତଥା ମୁତ୍ତାହିଦ କୌମୀ ମୁଭମେଣ୍ଟ (ଏମକ୍ୟୁଏମ୍)ର ପ୍ରତିଷ୍ଠାତା ଅଲତାଫ ହୁସେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁହାଜିର ସମୁଦାୟକୁ ରକ୍ଷା କରିବା ପାଇଁ ଅପିଲ କରିଛନ୍ତି। ମୁହାଜିର ହେଉଛନ୍ତି ସେହି ଉର୍ଦ୍ଦୁ ଭାଷାଭାଷୀ ମୁସଲମାନମାନେ, ଯେଉଁମାନେ ୧୯୪୭ ମସିହାରେ ଭାରତ ବିଭାଜନ ପରେ ପାକିସ୍ତାନ, ବିଶେଷତଃ କରାଚୀ ସହରରେ ବସବାସ କରିବାକୁ ଆସିଥିଲେ। ଏକ ସମୟରେ ପାକିସ୍ତାନର ରାଜନୀତିରେ ମଜବୁତ ପ୍ରଭାବ ରଖୁଥିବା ମୁହାଜିର ସମୁଦାୟର ଅବସ୍ଥା ଦଶନ୍ଧି ଧରି ଖରାପ ହେବାରେ ଲାଗିଛି। ସେମାନେ ପାକିସ୍ତାନରେ ଭେଦଭାବ ଓ ଉତ୍ପୀଡ଼ନର ଶିକାର ହେଉଛନ୍ତି।
ଅଲତାଫ ହୁସେନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ବଲୋଚ ଜନତାଙ୍କ ଅଧିକାର ପାଇଁ ସମର୍ଥନ ଜଣାଇଛନ୍ତି, ଯାହା ଏକ ସାହସୀ ଓ ପ୍ରଶଂସନୀୟ ପଦକ୍ଷେପ। ସେ ମୁହାଜିର ସମୁଦାୟ ପାଇଁ ମଧ୍ୟ ସେହିଭଳି ସମର୍ଥନ ଦେବାକୁ ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଲଣ୍ଡନରେ ନିର୍ବାସିତ ଜୀବନ ଯାପନ କରୁଥିବା ଏମକ୍ୟୁଏମ୍ ନେତା କହିଛନ୍ତି ଯେ ତାଙ୍କ ଦଳ ନିରନ୍ତର ଭାବେ ମୋହାଜିର ସମୁଦାୟର ଅଧିକାର ପାଇଁ ଲଢ଼େଇ କରୁଛି। ସେ ପାକିସ୍ତାନୀ ସେନା ଉପରେ ଅଭିଯୋଗ କରି କହିଛନ୍ତି ଯେ ସେନାର କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୨୫,୦୦୦ରୁ ଅଧିକ ମୁହାଜିରଙ୍କର ମୃତ୍ୟୁ ହୋଇଛି ଏବଂ ହଜାର ହଜାର ଲୋକ ନିଖୋଜ ହୋଇଛନ୍ତି।
ଅଲତାଫ ହୁସେନ କିଏ?
ଅଲତାଫ ହୁସେନ ଏମକ୍ୟୁଏମ୍ ଦଳର ପ୍ରତିଷ୍ଠାତା ଏବଂ କରାଚୀର ଏକ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କର ଏକ ଆଦେଶରେ ସହରରେ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା। ଲଣ୍ଡନରେ ନିର୍ବାସନରେ ରହି ମଧ୍ୟ ସେ କରାଚୀ ଉପରେ ନିଜର ପ୍ରଭାବ ବଜାୟ ରଖିଥିଲେ, କିନ୍ତୁ ଏବେ ତାଙ୍କର ସେହି ପ୍ରଭାବ ପ୍ରାୟ ଶେଷ ହୋଇଛି ।
ଅଲତାଫ ହୁସେନଙ୍କର ଜନ୍ମ ୧୯୫୩ ମସିହା ସେପ୍ଟେମ୍ବର ୧୭ରେ କରାଚୀରେ ହୋଇଥିଲା। ଛାତ୍ର ରାଜନୀତିରୁ ଆରମ୍ଭ କରି ସେ ଖୁବ୍ ଶୀଘ୍ର ମୁହାଜିର ସମୁଦାୟ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। କିନ୍ତୁ ଏମକ୍ୟୁଏମ୍ ଉପରେ କରାଚୀରେ ହିଂସା, ଦାଦାବଟି ଆଦାୟ ଓ ଟାର୍ଗେଟ କିଲିଂ ଭଳି ଅଭିଯୋଗ ଲାଗିଥିଲା। ୧୯୯୨ ମସିହାରେ ସେ ପାକିସ୍ତାନ ଛାଡ଼ି ଲଣ୍ଡନ ଚାଲିଯାଇଥିଲେ ଏବଂ ସେଠାରେ ବ୍ରିଟିଶ ନାଗରିକତା ଗ୍ରହଣ କରିଥିଲେ। ତଥାପି, ବିବାଦ ତାଙ୍କୁ ଛାଡ଼ି ନଥିଲା। ପାକିସ୍ତାନରେ ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି ଏବଂ ଲଣ୍ଡନରେ ମଧ୍ୟ ତାଙ୍କ ବିରୋଧରେ ମନି ଲଣ୍ଡରିଂ ଓ ଉସ୍କାଣୀମୂଳକ ଭାଷଣ ସହ ଜଡ଼ିତ ମାମଲାର ତଦନ୍ତ ହୋଇଛି। ୨୦୧୬ରେ ତାଙ୍କର ଏକ ଭାଷଣ ପରେ ଏମକ୍ୟୁଏମ୍ ଦୁଇଟି ଭାଗରେ ବିଭାଜିତ ହୋଇଥିଲା- ଗୋଟିଏ ଭାଗ ପାକିସ୍ତାନରେ ରହିଥିଲା (ଏମକ୍ୟୁଏମ୍-ପାକିସ୍ତାନ) ଏବଂ ଅନ୍ୟ ଭାଗ ଲଣ୍ଡନରେ ତାଙ୍କ ସହ ଜଡ଼ିତ ରହିଥିଲା।
କାହିଁକି ଏହି ଅପିଲ?
ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ ଆତଙ୍କବାଦୀ ଶିବିର ଉପରେ “ଅପରେସନ ସିନ୍ଦୁର” ନାମକ ଏକ ଅଭିଯାନ ଆରମ୍ଭ କରିଥିଲା, ଯେଉଁଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ। ଏହାର ଜବାବରେ ପାକିସ୍ତାନ ମଧ୍ୟ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲା। ଯଦିଓ ଏବେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇଛି, ତଥାପି ଉତ୍ତେଜନା କମି ନାହିଁ। ଏହି ପରିପ୍ରେକ୍ଷୀରେ ଅଲତାଫ ହୁସେନଙ୍କର ଏହି ଅପୀଲ ପାକିସ୍ତାନର ଆଭ୍ୟନ୍ତରୀଣ ରାଜନୀତି ଓ ମାନବାଧିକାର ପ୍ରସଙ୍ଗକୁ ଆଲୋକପାତ କରୁଛି।
ଅଲତାଫ କହିଛନ୍ତି ଯେ ଭାରତ ବିଭାଜନ ପରେ ପାକିସ୍ତାନର ସୈନ୍ୟ ପ୍ରତିଷ୍ଠାନ କେବେ ହେଲେ ମୁହାଜିରମାନଙ୍କୁ ଦେଶର ବୈଧ ନାଗରିକ ଭାବେ ପୂର୍ଣ୍ଣ ରୂପେ ଗ୍ରହଣ କରି ନାହିଁ। ଏମକ୍ୟୁଏମ୍, ଯିଏ ସବୁବେଳେ ନିଷ୍ପେଷିତ ସମୁଦାୟର ଅଧିକାର ପାଇଁ ଲଢ଼େଇ କରିଆସୁଛି, ଅନେକ ସୈନିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛି, ଯାହାଫଳରେ ୨୫,୦୦୦ରୁ ଅଧିକ ମୁହାଜିର ମୃତ୍ୟୁବରଣ କରିଛନ୍ତି ଏବଂ ହଜାର ହଜାର ଲୋକ ନିଖୋଜ ହୋଇଛନ୍ତି।
ସେ ମଧ୍ୟ ସମ୍ପ୍ରତି ଯୁକ୍ତରାଷ୍ଟ୍ରରେ ହୋଇଥିବା ଏକ ଘଟଣାର ନିନ୍ଦା କରିଛନ୍ତି, ଯେଉଁଠାରେ ହ୍ୟୁଷ୍ଟନରେ ପାକିସ୍ତାନୀ କନସୁଲ ଜେନେରାଲ ଆଫତାବ ଚୌଧୁରୀ ଏକ ପ୍ରୋ-ପାକିସ୍ତାନ ଇଭେଣ୍ଟରେ ଅଲତାଫ ହୁସେନ ଓ ଏମକ୍ୟୁଏମକୁ ଭାରତୀୟ ଏଜେଣ୍ଟଭାବେ ଚିତ୍ରଣ କରୁଥିବା ଏକ ଭିଡ଼ିଓ ପ୍ରଦର୍ଶନ କରିଥିଲେ। ଅଲତାଫ କହିଛନ୍ତି ଯେ ଏହା ମୁହାଜିର ମୁଦ୍ଦାକୁ ଦୁର୍ବଳ କରିବା ପାଇଁ ଏକ ବୃହତ୍ ଭୁଲ ସୂଚନା ରଣନୀତିର ଅଂଶ। ସେ କହିଛନ୍ତି ଯେ ମୁହାଜିରମାନେ ପାକିସ୍ତାନରେ ନିଃସ୍ୱର ଓ ଶକ୍ତିହୀନ ହୋଇପଡ଼ିଛନ୍ତି ।
ଅଲତାଫ ହୁସେନଙ୍କର ରାଜନୈତିକ ଯାତ୍ରା
୧୯୭୮ରେ ଅଲତାଫ ହୁସେନ ଅଲ ପାକିସ୍ତାନ ମୁହାଜିର ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ (ଏପିଏମଏସଓ) ପ୍ରତିଷ୍ଠା କରିଥିଲେ, ଯାହା ୧୯୮୪ରେ ଏମକ୍ୟୁଏମ୍ ଭାବେ ଏକ ରାଜନୈତିକ ଦଳରେ ପରିଣତ ହୋଇଥିଲା। ଏହି ଦଳ ମୁହାଜିରମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା। ୧୯୮୦ରେ କରାଚୀ ବିଶ୍ୱବିଦ୍ୟାଳୟରେ ଦେଇଥିବା ଏକ ଭାଷଣରେ ଅଲତାଫ ଉର୍ଦ୍ଦୁ ଭାଷାଭାଷୀ ମୁହାଜିରମାନଙ୍କୁ ପାକିସ୍ତାନର ସିନ୍ଧୀ, ବଲୋଚ, ପଞ୍ଜାବୀ ଓ ପାକ୍ତୁନ ସହ ଏକ ଜାତିଗତ ଗୋଷ୍ଠୀ ଭାବେ ମାନ୍ୟତା ଦେବା ପାଇଁ ଦାବି କରିଥିଲେ।
୧୯୮୫ରେ ଜଣେ ମୁହାଜିର ଛାତ୍ରୀ ବୁଶ୍ରା ଜାଇଦିଙ୍କ ହତ୍ୟା ଓ ମୁହାଜିର-ପାକ୍ତୁନ ଦଙ୍ଗା ପରେ ଏମକ୍ୟୁଏମ୍ ଦ୍ରୁତ ଗତିରେ ନିଜକୁ ଅସ୍ତ୍ରଶସ୍ତ୍ରରେ ସଜିତ କରିଥିଲା । ସେହି ସମୟରେ ସୋଭିଏତ-ଆଫଗାନ ଯୁଦ୍ଧ ଚାଲିଥିଲା ଏବଂ ଆଫଗାନ ମୁଜାହିଦ୍ଦୀନଙ୍କ ପାଇଁ ଆମେରିକୀୟ ଅସ୍ତ୍ରଶସ୍ତ୍ର କରାଚୀ ଦେଇ ଯାଉଥିଲା, ଯାହା ଏମକ୍ୟୁଏମ୍କୁ ଅସ୍ତ୍ରଶସ୍ତ୍ରରେ ସହଜ ପ୍ରବେଶ ଦେଇଥିଲା। ଏହା ଏମକ୍ୟୁଏମ୍ର “ଷ୍ଟ୍ରିଟ ନ୍ୟାସନାଲିଜମ” ବିକାଶରେ ସହାୟକ ହୋଇଥିଲା। ଦଳଟି କରାଚୀକୁ ଏକ “ମୁହାଜିର ସୁବାହ” ଘୋଷଣା କରିବାକୁ ଦାବି କରିଥିଲା ଏବଂ ଏହାର ଦାବି ପୂରଣ ପାଇଁ ହିଂସାର ଆଶ୍ରୟ ନେଇଥିଲା।
୧୯୯୨ରେ ସରକାରୀ ଦମନରୁ ବଞ୍ଚିବା ପାଇଁ ଅଲତାଫ ଲଣ୍ଡନ ପଳାଇଥିଲେ। ଅନେକ ରିପୋର୍ଟ ଅନୁସାରେ, ଲଣ୍ଡନରୁ ଏକ ମାତ୍ର ଫୋନ କଲ ଦ୍ୱାରା ସେ କରାଚୀକୁ ଅଚଳ କରି ଦେଉଥିଲେ। ତାଙ୍କୁ ବିରୋଧ କରୁଥିବା ଦଳୀୟ କର୍ମୀମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି। ୧୯୯୨ରୁ ୧୯୯୯ ମଧ୍ୟରେ ପାକିସ୍ତାନୀ ସୁରକ୍ଷା ବାହିନୀର ଏକ ବୃହତ ଦମନ ଅଭିଯାନରେ ୧୦,୦୦୦ରୁ ଅଧିକ ଏମକ୍ୟୁଏମ୍ କର୍ମୀ ନିହତ ହୋଇଥିବା ରିପୋର୍ଟ ହୋଇଛି। ।
ଅଲତାଫ ହୁସେନଙ୍କ ବିବାଦ
ଅଲତାଫ ହୁସେନଙ୍କ ବିରୋଧରେ ହିଂସା, ମନି ଲଣ୍ଡରିଂ ଓ ଉସ୍କାଣୀମୂଳକ ଭାଷଣ ଦେବା ଭଳି ଅନେକ ଅଭିଯୋଗ ରହିଛି। ୨୦୧୫ ମସିହାରୁ ସେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟରେ ହତ୍ୟା, ଟାର୍ଗେଟ କିଲିଂ, ରାଜଦ୍ରୋହ, ହିଂସା ଉସ୍କାଣୀ ଓ ଘୃଣାମୂଳକ ଭାଷଣ ଦେବା ଅଭିଯୋଗରେ ଫେରାର ଅଟନ୍ତି। ଲଣ୍ଡନରେ ମଧ୍ୟ ତାଙ୍କୁ ୨୦୦୬ର ଯୁକ୍ତରାଷ୍ଟ୍ରର ଆତଙ୍କବାଦ ଆଇନର ଧାରା ୧(୨) ଅନୁସାରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ମେଟ୍ରୋପଲିଟାନ ପୁଲିସ କାଉଣ୍ଟର-ଟେରରିଜମ କମାଣ୍ଡ ଦ୍ୱାରା ଅଭିଯୁକ୍ତ କରାଯାଇଛି ଏବଂ କଡ଼ା ଜାମିନ ସର୍ତ୍ତରେ ରହିଛନ୍ତି।
୨୦୧୬ରେ ତାଙ୍କର ଏକ ଭାଷଣରେ ସେ ପାକିସ୍ତାନକୁ “ବିଶ୍ୱ ପାଇଁ ଏକ କ୍ୟାନସର” ଓ “ଆତଙ୍କବାଦର କେନ୍ଦ୍ରବିନ୍ଦୁ” ବୋଲି ଅଭିହିତ କରିଥିଲେ, ଯାହା ପରେ ତାଙ୍କ ଅନୁଗାମୀମାନେ ଦୁଇଟି ଟେଲିଭିଜନ ଷ୍ଟେସନ ଓ ସେମାନଙ୍କର ସାଟେଲାଇଟ ଟ୍ରକ ଉପରେ ଆକ୍ରମଣ କରିଥିଲେ ଏବଂ ଗୁଳିଚାଳନା କରିଥିଲେ।
ଅନ୍ୟାନ୍ୟ ପ୍ରସଙ୍ଗ ପ୍ରତି ଅଲତାଫଙ୍କ ମନୋଭାବ
ଅଲତାଫ ହୁସେନ ଅନେକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ସେ ଭାରତ ବିଭାଜନକୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି, ବାଂଲାଦେଶରେ ଅଟକି ରହିଥିବା ପାକିସ୍ତାନୀମାନଙ୍କ ପ୍ରତ୍ୟାବର୍ତ୍ତନକୁ ସମର୍ଥନ କରିଛନ୍ତି, ତାଲିବାନଙ୍କ ବିରୋଧ କରିଛନ୍ତି ଏବଂ ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖାକୁ ସମ୍ମାନ କରିବାକୁ କହିଛନ୍ତି। ୨୦୧୯ରେ ସେ ଅୟୋଧ୍ୟା ରାୟକୁ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ମୁସଲମାନମାନଙ୍କ ପାଇଁ ସୃଷ୍ଟି ହୋଇଥିବାରୁ ଭାରତର ହିନ୍ଦୁ ରାଜ ସ୍ଥାପନ କରିବାର ଅଧିକାର ରହିଛି। ସେ ମଧ୍ୟ ଭାରତରେ ଆଶ୍ରୟ ମାଗିଥିଲେ ଏବଂ ବଲୋଚ, ସିନ୍ଧୀ, ମୁହାଜିର ଓ ଅନ୍ୟ ଜାତିଗତ-ଧାର୍ମିକ ଅଳ୍ପସଂଖ୍ୟକଙ୍କ ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟରେ ମାମଲା ଲଢ଼ିବା ପାଇଁ ଆର୍ଥିକ ସାହାଯ୍ୟ ମାଗିଥିଲେ
ଏହି ଅପୀଲ ଅଲତାଫ ହୁସେନ ଲଣ୍ଡନରୁ ଏକ ଲାଇଭ ପ୍ରସାରଣ ସମୟରେ କରିଥିଲେ, ଯେଉଁଥିରେ ସେ ମୁହାଜିର ସମୁଦାୟର ଦୁର୍ଦଶାକୁ ବଲୋଚ ଜନତାଙ୍କ ସହ ତୁଳନା କରିଥିଲେ। ସେ କହିଛନ୍ତି ଯେ ଏହା ରାଜନୀତି ନୁହେଁ, ବରଂ ମୁହାଜିରମାନଙ୍କର ବଞ୍ଚିବା ଓ ସମ୍ମାନର ପ୍ରଶ୍ନ।
Also readhttps://purvapaksa.com/what-was-the-disagreement-between-nehru-and-sardar-patel-regarding-kashmir/