Education System in Naveen Era: ରାଜ୍ୟର ୬୧୯୩ ସରକାରୀ ହାଇସ୍କୁଲ ମଧ୍ୟରୁ ୨୧୫୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଅର୍ଥାତ୍ ୩୫ ପ୍ରତିଶତ ବିଦ୍ୟାଳୟ ମୁଖିଆ ବିହୀନ ହୋଇ ଚାଲିଛି।
ବିଜେଡି ଶାସନରେ ଶିକ୍ଷା ବ୍ୟବସ୍ଥା କେମିତି ଥିଲା? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ଆଜିର ବିଧାନସଭାରେ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଥିବା ପ୍ରଶ୍ନର ଉତ୍ତରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ। ଦୁଇଟି ପୃଥକ୍ ଜବାବରେ ଉଭୟ ମନ୍ତ୍ରୀ ରାଜ୍ୟର ସ୍କୁଲ୍ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ସ୍ୱୀକାର କରିଛନ୍ତି।
ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟର ୬୧୯୩ ସରକାରୀ ହାଇସ୍କୁଲ ମଧ୍ୟରୁ ୨୧୫୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଅର୍ଥାତ୍ ୩୫ ପ୍ରତିଶତ ବିଦ୍ୟାଳୟ ମୁଖିଆ ବିହୀନ ହୋଇ ଚାଲିଛି। ଏଣୁ ସରକାର କାମଚଳା ପ୍ରଧାନଶିକ୍ଷକ ନିଯୁକ୍ତ କରିଛନ୍ତି। କାହିଁକି ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇନି ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗଣ୍ଡ କହିଛନ୍ତି ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ଏହି ପଦବୀସବୁ ଏମିତି ଖାଲି ପଡ଼ିଛି।
ସେ କହିଛନ୍ତି ରାଜ୍ୟରେ ବରିଷ୍ଠ ଶିକ୍ଷକମାନଙ୍କର ଅଭାବ ରହିଛି। ଯେଉଁମାନେ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ତୁଲାନ୍ତି। କିନ୍ତୁ ସରକାର ଏହାକୁ ପୂରଣ କରିପାରୁନାହାଁନ୍ତି। ଏ ଦିଗରେ ହାଇକୋର୍ଟରେ ଏକ ମାମଲା ଚାଲିଛି। ମାମଲାରେ କୋର୍ଟ ଗତ ନଭେମ୍ବର ୫ ତାରିଖରେ ରହିତାଦେଶ ଲାଗୁ କରିଛନ୍ତି। ରହିତାଦେଶ ଅପସାରଣ ହେବା ପରେ ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ ୯୨ଟି ହାଇସ୍କୁଲରେ ବରିଷ୍ଠ ଶିକ୍ଷକପଦ ବି ଖାଲି ପଡ଼଼ିଛି। ଏମାନେ ସବୁ ଓଇଏସ୍ ବର୍ଗର।
ସେହିପରି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ବି ୩୫ ପ୍ରତିଶତ ପଦବୀ ଖାଲି ପଡ଼ିଛି। ସମୁଦାୟ ୧୭ଟି ବିଶ୍ୱବିଦ୍ୟାଳୟରେ ୨୦୦୩ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ଲାଗି ବ୍ୟବସ୍ଥା ରହିଛି। କିନ୍ତୁ ସେଥିରେ ମାତ୍ର ୬୯୬ ଜଣ କାର୍ଯ୍ୟ କରୁଛନ୍ତି। ବାକି ୧୩୦୭ ପଦବୀ ଖାଲି ପଡ଼ିଛି। ଏମାନଙ୍କ ଅଭାବକୁ ପୂରଣ କରିବା ଲାଗି ସରକାର ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତ କରିଛନ୍ତି। ଏମାନଙ୍କ ସଂଖ୍ୟା ୯୬୩ ବୋଲି ମନ୍ତ୍ରୀ ସୂରଜ କହିଛନ୍ତି।
ନୂଆ ବିଶ୍ୱବିଦ୍ୟାଳୟ ବିଧେୟକ ପାରିତ ହୋଇ ଆଇନରେ ପରିଣତ ହେବାପରେ ନୂଆ ନିଯୁକ୍ତି ଲାଗି ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି।
Also readhttps://purvapaksa.com/usaid-funds-for-india-or-bangladesh-bjp-vs-congress-spar-over-new-report/
ଭାରତ ନା ବାଂଲାଦେଶ ପାଇଁ ୟୁଏସଏଆଇଡି ପାଣ୍ଠି? ନୂଆ ରିପୋର୍ଟକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ


