ରାଜ୍ୟର ନିକମା ପ୍ରଶାସନ ସହ ମୁଣ୍ଡବିନ୍ଧା ମନ୍ତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ପୂରା ଟେନ୍ସନରେ ଅଛନ୍ତି। ୧୩ମାସର ସରକାର ହୋଇଥିଲେ ବି ରାଜ୍ୟରେ ଦେଖାଦେଉଥିବା ସମସ୍ୟାକୁ ସମାଧାନ କରିବାରେ ତାଙ୍କ କ୍ୟାବିନେଟରେ ଥିବା ଆତ୍ମମୁଗ୍ଧ ମନ୍ତ୍ରୀମାନେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଫଳରେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସରଳ ଭାବମୂର୍ତ୍ତିରେ ଅଳନ୍ଧୁ ଜମିଲାଣି। ଲୋକେ କହିଲେଣି ମୋହନ ଭିଡ଼କୁ ନୁହନ୍ତି। ଆଉ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ପଛରେ ଯଦି କାରଣ ଖୋଜାଯାଏ ତେବେ ଆଗକୁ ଆସିବେ ମୋହନଙ୍କ କ୍ୟାବିନେଟ୍ର ୭ ଜଣ ମନ୍ତ୍ରୀ। ସେମାନେ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବାର ଠିକ୍ ୫ମାସରେ ସରକାରଙ୍କୁ ପ୍ରଥମ ମୃତ୍ୟୁ ଭେଟି ଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କ ବିଭାଗ କନ୍ଧମାଳର ମାଣ୍ଡିପଙ୍କା ଗ୍ରାମର ଲୋକମାନଙ୍କୁ ଦୀର୍ଘ ୬ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଗଣା ଚାଉଳ ବଣ୍ଟନ କରିନଥିଲେ। ଫଳରେ ଗ୍ରାମବାସୀମାନେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସେତେବେଳେ ଆତ୍ମବିଭୋର ମୋହନ ସରକାର କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଯାହା ଫଳରେ ପରବର୍ତ୍ତୀ ସମୟରେ ରାଜ୍ୟରେ ପ୍ରଶାସନିକ ଅରାଜକତାକୁ ସୁଯୋଗ ଦେଇଛି। ଏହା ପୂର୍ବରୁ ୨୦୦୧ରେ ରାୟଗଡ଼ା ଜିଲ୍ଲାରେ ନବୀନ ସରକାର ସମୟରେ ଆମ୍ବ ଟାକୁଆ ଜାଉ ଖାଇ ୨୧ଜଣ ମୃତ୍ୟୁମୁଖରେ ପଡ଼ିଥିଲେ।
କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରେ ଆଦିବାସୀ ଛାତ୍ରମାନଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତାଙ୍କ ବିଭାଗର ଅଧିକାରୀମାନଙ୍କର ଖିଆଲି ମନୋଭାବ ଯୋଗୁଁ ଚିକିତ୍ସା ଅଭାବରୁ ଆଦିବାସୀ ଛାତ୍ରାବାସରେ ରହୁଥିବା ୨୬ ଜଣ ଛାତ୍ର ମୃତ୍ୟୁବରଣ କରିଥିବା କଥାକୁ ନିଜେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିଛନ୍ତି। କେବଳ ସେତିକି ନୁହେଁ ଛାତ୍ରୀନିବାସରେ ରହୁଥିବା ନାବାଳିକା ଛାତ୍ରୀମାନେ ଗର୍ଭବତୀ ହେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି।
ମୋହନ ସରକାର ଓ ରାଜ୍ୟକୁ ଆନ୍ତର୍ଜାତିକ ସ୍ତରରେ ସୁନାମ ପରିବର୍ତ୍ତେ ଅପବାଦ ବୋଳିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା ପରେ ରାଜ୍ୟର କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସ ଦିଲ୍ଲୀରେ ଯାଇ ସାମ୍ବାଦିକ ସମ୍ମିଳନୀ କରିବା ପରେ ଏହି ଘଟଣା ଆନ୍ତର୍ଜାତିକ ମିଡିଆରେ ପ୍ରକାଶ ପାଇଥିଲା। ଯାହା ଫଳରେ ଆମେରିକାର ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ତା’ର ପର୍ଯ୍ୟଟକମାନଙ୍କୁ ଓଡ଼ିଶା ନ ଯିବା ପାଇଁ ବାରଣ କରାଯାଇଛି। ଏଥିରେ କୁହାଯାଇଛି ଯେ ଓଡ଼ିଶା ଏକ ବଳାତ୍କାରୀ ରାଜ୍ୟ। ତେଣୁ ଓଡ଼ିଶା ଗଲେ କୌଣସି ଅଘଟଣ ହେଲେ ସେଥିପାଇଁ ଆମେରିକା ସରକାର ଦାୟୀ ରହିବେ ନାହିଁ ବୋଲି ତା’ର ନାଗରିକମାନଙ୍କୁ ଚେତାବନୀ ଦିଆଯାଇଛି। ଏହି ଘଟଣା ପରେ ରାଜ୍ୟ ସରକାର କିମ୍ବା ରାଜ୍ୟର ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରି ନାହାନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ନାଗରିକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଯୋଜନା କରିଥିଲେ ତାହାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାଏକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳରେ ଯାଜପୁର ସମେତ ଉପକୂଳ ଓଡ଼ିଶା ୯ଟି ଜିଲ୍ଲାରେ ହଇଜା ମହାମାରୀ ରୂପ ନେଇଥିଲା। ଏଥିରେ ୨୨ଜଣ ମୃତ୍ୟୁବରଣ କରିଛନ୍ତି।
ଏହି ହଇଜାର ଉତ୍ପତ୍ତିର କାରଣ ଖୋଜି ପାଇବାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିଭାଗ ବିଫଳ ହୋଇଥିଲା। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ବର୍ଷା ଦିନ ପୂର୍ବରୁ ସତର୍କ କରାଇପାରିନଥିବାରୁ ଏପରି ଘଟଣା ଘଟିଲା ବୋଲି କୁହାଯାଉଛି। ଏହି ହଇଜା ଏବେ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ମଧ୍ୟ ବ୍ୟାପିବାରେ ଲାଗିଛି।
ବିଜେପିର ମୋହନ ସରକାରରେ କୁହାଳିଆ ମନ୍ତ୍ରୀ ଭାବରେ ପୃଥ୍ୱୀରାଜ ହରିଚନ୍ଦନ ପରିଚିତ। ସବୁକଥାରେ ମତାମତ ଦେଇ ସେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ତାଙ୍କ ବିଭାଗ କାମ କରିବାରେ ତାଙ୍କର ରୁଚି ଥିଲା ଭଳି ମନେହୁଏ ନାହିଁ। ସରକାର କ୍ଷମତାକୁ ଆସୁ ଆସୁ ୨୦୨୪ରେ ରଥଯାତ୍ରାରେ ବିଭ୍ରାଟ କରିଥିଲେ। ଏଥିରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କିଛି ଶିକ୍ଷା ଲାଭ କଲେ ନାହିଁ। ଯାହାଫଳରେ ଗତ ରଥଯାତ୍ରାରେ ପରିଚାଳନା ଅଭାବରୁ ୩ଜଣ ଭକ୍ତଙ୍କର ଦଳା ଚକଟାରେ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅକଳରେ ପଡ଼ିଯାଇଥିଲେ।
ମୋହନଙ୍କ ମନ୍ତ୍ରିମଣ୍ଡଳରେ ଥିବା ସଦସ୍ୟ ଭିତରୁ ଯାହାଠାରୁ ଲୋକମାନେ ବହୁତ କିଛି ଆଶା କରୁଥିଲେ ସେ ମୂଳରୁ ବିଫଳ ହେବା ସହିତ ବିବାଦ ଭିତରକୁ ଠେଲି ହୋଇଯାଇଛନ୍ତି। କ୍ଷମତାକୁ ମସୁ ଆସୁ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ନାମ ପରିବର୍ତ୍ତନ କରିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପଦସ୍ତ ହୋଇଥିଲେ। ଏହାପରେ ପଟ୍ଟାମୁଣ୍ଡାଇ କଲେଜର ଜଣେ ଛାତ୍ରୀ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ପାଇଁ ଆତ୍ମହତ୍ୟା କରିଛନ୍ତି। ଏତିକିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଚେତିଲେ ନାହିଁ। ଯାହାଫଳରେ କିଟ୍ ବିଶ୍ୱବିଦ୍ୟାଳୟରେ ଦୁଇଜଣ ନେପାଳୀ ଛାତ୍ର ଆତ୍ମହତ୍ୟା କଲେ। ଏହି ଆତ୍ମହତ୍ୟାକୁ ରାଜ୍ୟ ସରକାର ତଦନ୍ତ ଆଳରେ ଚପାଇ ଦେଇଛନ୍ତି। ଯାହାଫଳରେ ବାଲେଶ୍ୱର କଲେଜର ଛାତ୍ରୀଙ୍କୁ ତାଙ୍କ ଏଚଓଡି ଅଶ୍ଳୀଳ ଇଙ୍ଗିତ କରିବାକୁ ପ୍ରୋତ୍ସାହିତ ହେଲେ। ଏହି ମାମଲାକୁ ଛାତ୍ରୀ ଜଣଙ୍କ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପାଇବାରୁ ବିଫଳ ହୋଇ ଆତ୍ମଦାହ କରିଛନ୍ତି। ଏହାକୁ ନେଇ ସରକାରୀ କଳ ଓ ଦଳ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
ଯଦି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି ନିକମା ମନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ରାଜ୍ୟରେ ବିଜେପି କଦଳୀ ଗଛ ହୋଇଯିବ। ଅର୍ଥାତ୍ କଦଳୀ ଗଛ ଥରେ ଫଳିଲେ ଯେପରି ନଷ୍ଟ ହୋଇଯାଏ, ସେହିପରି ଆଗାମୀ ଦିନରେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ଭୁଲି ଯିବ।
