CM Mohan Charan Majhi: “କିଏ ଧରାଇଲା ମୋହନଙ୍କୁ କାଗଜ ?” ଏ ଖବରର ଶୀର୍ଷକ ଆପଣଙ୍କୁ ଅଡୁଆ ଲାଗୁଥିବ ନିଶ୍ଚୟ। ଅପଣଙ୍କ ମନରେ ପ୍ରଶ୍ନ ଆସୁଥିବ ମୁଖ୍ୟମନ୍ତ୍ରୀ ଏବେ କେଉଁ ପାଠ ପଢ଼ୁଛନ୍ତି ଯେ ସେ ପଢ଼ିବା ଛାଡ଼ିବା ପାଇଁ ଆମେ କହୁଛୁ।
ଦୀର୍ଘ ଦିନର ବିଜେଡି ସରକାର ହଟିବା ପରେ ରାଜ୍ୟରେ ଏବେ ପ୍ରଥମ ଥର ପାଇଁ ବିଜେପି ଏକାକି ସରକାର ଗଠନ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ।
ମୋହନ ଚରଣ ମାଝୀଙ୍କ ବିଷୟରେ କୁହାଯାଏ ସେ ଜଣେ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ, ଯାହା ଆମ ସଭିଙ୍କୁ ବେଶ୍ ଭଲ ଭାବରେ ଜଣା। ପରେ ଶିକ୍ଷକତାରୁ ରାଜନୀତିକୁ ଆସିଲେ। ତାଙ୍କ ପାଇଁ ଶିକ୍ଷକତାରୁ ମୁଖ୍ୟମନ୍ତ୍ରୀ ରାସ୍ତାଟା ଏତେ ସହଜ ନ ଥିଲା। ସାଧରଣ ଜନତାରୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବା ଭିତରେ ତାଙ୍କର ଅନେକ ସଂର୍ଘଷ ରହିଛି। ଯାହା ଉଣାଅଧିକ ଆମ ସଭିଙ୍କୁ ଜଣା।
ପୂର୍ବରୁ ଯେତେବେଳେ ମୋହନ ଚରଣ ମାଝୀ ବିରୋଧି ଦଳର ମୁଖ୍ୟ ସଚେତକ ଥିଲେ, ସେତେବେଳେ ତାଙ୍କର ଘଣ୍ଟା ଘଣ୍ଟା ଧରି ଦେଉଥିବା ଅଭିଭାଷଣକୁ ଆମେ ଦେଖିଛେ। ରାଜ୍ୟ ବିଜେପିରେ ସେ ଜଣେ ଭଲ ବକ୍ତା ମଧ୍ୟ, କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀମାଝୀ ଭାଷଣକୁ ନେଇ ଅନେକ ଥର ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି। ଠିକ୍ ସେଇଭଳି ଭାବରେ ଏବେ ପୁଣି “ସମ୍ବିଧାନ ଦିବସ”କୁ “ସ୍ୱାଧୀନତା ଦିବସ” କହି ଟ୍ରୋଲ ହେଉଛନ୍ତି।
ଆମେ ସେ ଦିଗକୁ ଯାଉନୁ, କାହିଁକିନା “ଟଙ୍ଗ ସ୍ଲିପ” ହେବା ଏକ ସ୍ୱାଭାବିକ କଥା। ପୂର୍ବରୁ ନବୀନ ପଟ୍ଟନାୟକ ମଧ୍ୟ ଅନେକ ବାର ଅନେକ କଥା କହି ଟ୍ରୋଲ ହୋଇଛନ୍ତି। କିନ୍ତୁ ଅନେକ କହିପାରନ୍ତି ନବୀନଙ୍କ କଥା ଅଲଗା ଥିଲା ମୋହନ ମାଝୀଙ୍କ କଥା ଅଲଗା । କାରଣ ନବୀନଙ୍କୁ ଭଲ ଭାବରେ ଓଡ଼ିଆ ଜଣାନଥିଲା । କିନ୍ତୁ ମୋହନ ଚରଣ ମାଝୀଙ୍କୁ ତ ଜଣାଅଛି ।
ତେବେ ସେ କାହିଁକି ବାରମ୍ବାର ଏଭଳି ଭୁଲ୍ କରୁଛନ୍ତି ?
ଏ ପ୍ରଶ୍ନର କେବଳ ଗୋଟିଏ ଉତ୍ତର “ମୁଖ୍ୟମନ୍ତ୍ରୀ ପଢ଼ିବା ଛାଡ଼”
ଆମେ ପୂର୍ବରୁ କହିଛୁ ମୁଖ୍ୟମନ୍ତ୍ରୀ ଜଣେ ଭଲ ବକ୍ତା। ତେବେ ଜଣେ ଭଲ ବକ୍ତାର ଗୁଣ ହେଉଛି ସେ ବିନା କାଗଜରେ ଅଭିଭାଷଣ ରଖିବା। ଯାହା ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭଲ ଭାବରେ ଜଣାଅଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଦି ଅଫିସରଙ୍କ ଦ୍ୱାରା ଦିଆଯାଉଥିବା କାଗଜ ନ ଦେଖିକି ନିଜ ମନରୁ ଭାଷଣ ଦିଅନ୍ତେ ତେବେ ବୋଧହୁଏ ଏଭଳି ଭାବରେ ଟ୍ରୋଲ ହେବାକୁ ପଡ଼ନ୍ତାନି। ନିଜେ ଜଣେ ଭଲ ବକ୍ତା ଭାବରେ ନିଜ ଷ୍ଟାଇଲରେ ଭାଷଣ ଦେଲେ ଲୋକେ ଅଧିକ ଖୁସି ହୁଅନ୍ତେ।
ଆମେ ଜାଣିନାହୁଁ ମୁଖ୍ୟମନ୍ତ୍ରୀଙ୍କୁ ଧରାଇଛି ଏହି କାଗଜ କିମ୍ବା ମୁଖ୍ୟମନ୍ତ୍ରୀ ନିଜେ କାହିଁକି ଧରୁଛନ୍ତି ଏଇଭଳି କାଗଜ। କିନ୍ତୁ ଚର୍ଚ୍ଚା ଅନୁଯାୟୀ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଏ କାଗଜ ଦେଖି ପଢ଼ିବା ଛାଡ଼ିବାଟା ନିହାତି ଦରକାର।
You Can Also Read -: https://purvapaksa.com/bjd-bjp-alliance-workers-in-tension/