ରାଜ୍ୟ ବିଜେପିର ମଙ୍ଗୁଆଳ ଭାବେ ପୁଣିଥରେ ଦାୟିତ୍ୱ ନେବେ ମନମୋହନ ସାମଲ। ଆଜି ଔପଚାରିକ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ, ଏହି ଘୋଷଣା ମାଧ୍ୟମରେ ବିଜେପି ଏହି ବାର୍ତ୍ତା ଦେଇଛି ଯେ ଦଳରେ ସବୁକିଛି ଠିକ୍ଠାକ ଚାଲିଛି। ଗଲା ୨ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ସଭାପତି ଥିବା ମନମୋହନ ସାମଲଙ୍କ ବିରୋଧରେ କୌଣସି ସ୍ୱର ଉଠି ନାହିଁ। ସେ ଦଳକୁ ଚଳାଇବାକୁ ଅପ୍ରତିଦ୍ୱନ୍ଦ୍ୱୀ। କିନ୍ତୁ ସତରେ କ’ଣ ଏ ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ଥିଲା, ନା ଦଳ ଭିତରେ ଥିବା ବିବାଦ, ମତଭେଦ ଓ ସମୀକରଣକୁ ଚାପରେ ଚେପା କରିଦିଆଗଲା? ଯଦି ଚାପରେ ଚେପା ହୋଇଥାଏ ତେବେ ସେ ନେତାମାନେ ଆଗକୁ ପାଉଁଶ ତଳର ନିଆଁ ଭଳି କୁହୁଳିବେ ନାହିଁ ତ? ପୁଣି ଦୀର୍ଘ ଦିନ ହେଲା ବିଜେପିରେ ଚାଲିଥିବା ଖିଟିର-ପିଟିର କେମିତି ପ୍ରଶମିତ ହେଲା?
ଏଠି ପାଉଁଶ ତଳର ନିଆଁ କଥା କହିଲେ ରାଜ୍ୟ ବିଜେପିର ଅସନ୍ତୋଷ କଥାକୁ ସାମ୍ନାକୁ ଅଣାଯାଇପାରେ। ଏହି ଅସନ୍ତୋଷ କିଛି ବରିଷ୍ଠ ନେତାମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ମଧ୍ୟ ଆଲୋଚନା ହୁଏ। ସେଥିଲାଗି ଅନ୍ତିମ ମୁହୂର୍ତ୍ତରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ କୁହାଯାଇଥିଲା। ଏପରିକି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ଦିଲ୍ଲୀରୁ ଫେରିବାକୁ କୁହାଯାଇଥିଲା। ରାଜ୍ୟ ସଭାପତି ରେସରେ ଗୋଲକ ମହାପାତ୍ର ଏବଂ ପୂର୍ବତନ ଅଧ୍ୟକ୍ଷ ସମୀର ମହାନ୍ତିଙ୍କ ନାଁକୁ ବି ଚର୍ଚ୍ଚା କରାଯାଇଥିଲା।
ଏ ଚର୍ଚ୍ଚାର ମୂଳରେ ଥିଲେ ରାଜ୍ୟ ବିଜେପିର ଅନ୍ୟତମ କ୍ଷମତା କେନ୍ଦ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓରଫ ମୁକୁଭାଇ। ସଭାପତି ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ବୁଲିବା, ଅଧିକାରୀ ଓ ସଂଗଠନକୁ ତାଗିଦ କରିବା ପ୍ରଭୃତି ବାସ୍ତବରେ ଏକ ସମାନ୍ତରାଳ ନେତୃତ୍ୱ ସୃଷ୍ଟିର ଉଦ୍ୟମ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେ ଏକମାତ୍ର ବ୍ୟକ୍ତି ଯିଏ ମନମୋହନଙ୍କୁ ପୁଣିଥରେ ଆଉ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାକୁ ସମର୍ଥନ କରୁନଥିଲେ ବୋଲି ଚର୍ଚ୍ଚା ହୁଏ ଆଉ ସେଥିଲାଗି ନିର୍ବାଚନ ପୂର୍ବରୁ ତାଙ୍କୁ ତାଗିଦ କରିଥିଲେ ବରିଷ୍ଠ କେନ୍ଦ୍ରୀୟ ନେତା। ଖାଲି ସେତିକି ନୁହେଁ, ରାଜ୍ୟ ସଭାପତି ପଦ ପାଇଁ ମନମୋହନ ସାମଲ ସଂଘର ପ୍ରଥମ ପସନ୍ଦ ବୋଲି ବି ଜଣାଇ ଦିଆଯାଇଥିବା କୁହାଯାଏ। ଆଉ ଏହା ଜାଣିବା ପରେ ରାତି ଅଧରେ ଯେଉଁ ସମୀକରଣ ବଦଳାଇବା ଲାଗି ନେତାଙ୍କୁ ଡକାଯାଇଥିଲା ତାହା ଅଧା ଅଧୁରା ସ୍ୱପ୍ନ ଭଳି ମିଳାଇଗଲା। ଆଉ କେହି ରହିଲେ ନାହିଁ ମନମୋହନଙ୍କୁ ବିରୋଧ କରିବା ପାଇଁ।
ମନମୋହନ ସାମଲ ୨୦୦୪ ନିର୍ବାଚନରେ ଏକ ପ୍ରମୁଖ ଅଂଶୀଦାର ଥିଲେ। ବିଧାୟକ ଭାବେ ନିର୍ବାଚିତ ହୋଇ ସେ ରାଜ୍ୟର ରାଜସ୍ୱମନ୍ତ୍ରୀ ହୋଇଥିଲେ। ଏହାଛଡ଼ା ଏହା ପୂର୍ବରୁ ସେ ୨୦୦୦ ନିର୍ବାଚନ ପରିଚାଳନାରେ ମୁଖ୍ୟ ଅଂଶୀଦାର ଥିଲେ। ସେତେବେଳେ ବିଜେପି ରାଜ୍ୟସଭାପତି ଭାବେ ଦଳକୁ ବିଜୟ ଦେଇଥିଲେ। ସଭାପତି ଥିବା ସମୟରେ ସେ ରାଜ୍ୟସଭାକୁ ବି ନିର୍ବାଚିତ ହୋଇଥିଲେ। ଏସବୁ କହିବାର କାରଣ ହେଉଛି ରାଜନୀତିରେ ମନମୋହନ ଅତ୍ୟନ୍ତ ପରିପକ୍ୱ ନେତା। ଜଣେ ସ୍ୱୟଂ ସେବକ। ତାଙ୍କରି ନେତୃତ୍ୱରେ ଦଳ ପୁଣିଥରେ ନିର୍ବାଚନ ଜିତିଥିବାରୁ ତାଙ୍କୁ ଦଳ ପାଇଁ ଶୁଭଙ୍କର ବୋଲି ଗ୍ରହଣ କରୁଛି ସଂଘ। ଏଭଳି ମୁହୂର୍ତ୍ତରେ ତାଙ୍କୁ ଅସନ୍ତୁଷ୍ଟ କରି ଦଳରେ ବିଭ୍ରାଟ ବଢ଼ାଇବା ଅପେକ୍ଷା ପୁଣିଥରେ ତାଙ୍କୁ ସୁଯୋଗ ଦେଇ ଦଳକୁ ଆହୁରି ଦୃଢ଼ କରିବାକୁ ଆଶା ପ୍ରକାଶ କରିଛି ସଂଘ। ହେଲେ ଏହାକୁ ସବୁ ନେତା ଗ୍ରହଣ କରିପାରିନଥିଲେ। ଏଣୁ ତାଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି ବୋଲି ଏକ ଗୋଷ୍ଠୀ ଚାହିଁଥିଲେ। ଏଥିଲାଗି ଜଣକ ପରେ ଜଣେ ପ୍ରାର୍ଥୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା।
ଯେଉଁମାନଙ୍କ ନାଁ ଚର୍ଚ୍ଚା ହେଉଥିଲା ସେମାନଙ୍କ ନାଁ ଆଗରୁ ସୂଚନା ଦେଇଛି। ଏହି ସୂଚନା ଅନୁସାରେ ପୂର୍ବତନ ସଭାପତି ସମୀର ମହାନ୍ତି, ଉପ ସଭାପତି ଗାଲକ ମାହାପାତ୍ର , କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଦୌଡ଼କୁ ଓହ୍ଲାଇବେ ବୋଲି କୁହାଯାଉଥିଲା।
ଆଉ ଏହି ଚର୍ଚ୍ଚାକୁ ଖୋରାକି ଦେଇଥିଲା କେନ୍ଦ୍ରୀୟ ନେତୃତ୍ୱଙ୍କ ଭିତରେ ମତଭେଦ। ଯାହାଦ୍ୱାରା ମୋହନ-ମନମୋହନଙ୍କ ଯୋଡ଼ି ଆଗକୁ ଚାଲିପାରିବ କି ନା ସେ ନେଇ ସଂଶୟ ସୃଷ୍ଟି ହୋଇଥିଲା। ଯେହେତୁ ବିଜେପିର ନେତୃତ୍ୱ ନେଉଥିବା ମନମୋହନ ହେଉଛନ୍ତି ବୟସ୍କ ଓ ଅଭିଜ୍ଞତାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ ସକ୍ଷମ ଏଣୁ ଦୁହିଁଙ୍କ ଭିତରେ ବିବାଦ ସୃଷ୍ଟି ହୋଇପାରେ ବୋଲି କିଛି ନେତା ମତବ୍ୟକ୍ତ କରିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମୋହନ ମାଝୀ କେବଳ ବିଧାୟକ ଓ ବିରୋଧୀ ଦଳର ମୁଖ୍ୟ ସଚେତକ ଭୂମିକା ନିର୍ବାହ କରିଥିଲେ। କିନ୍ତୁ ମନମୋହନ ସାମଲ ବିଧାୟକ ହେବା ସହ ଦଳର ସଭାପତି ଭାବେ ମଧ୍ୟ ପୂର୍ବରୁ ସଂଗଠନକୁ ମଜଭୁତ କରିଥିଲେ। ସେଥିଲାଗି ମୋହନଙ୍କଠାରୁ କମ୍ ଅଭିଜ୍ଞତାସମ୍ପନ୍ନ ଜଣେ ନେତାଙ୍କୁ ଦଳର ଦାୟିତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା।
ହେଲେ ବିଶ୍ୱସ୍ତ ସୂଚନା ଅନୁସାରେ ଦଳର ମୁଖ୍ୟ ଇଞ୍ଜିନ୍ ଭାବେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସ ଏହି ମତବାଦକୁ ଅସ୍ୱୀକାର କରିଥିଲା। ୨୦୨୪ ନିର୍ବାଚନରେ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ମୋହନ ଦଳକୁ ବେଡ଼ା ପାର କରାଇଥିଲେ। ନବୀନଙ୍କ ୨୪ ବର୍ଷର ଲୋକପ୍ରିୟତାକୁ ଚିତ୍ ପଟାଙ୍ଗ କରି ଦଳରେ ଏକତା ଆଣିଥିଲେ।
ଏତେ କାମ କରିବା ପରେ ବି ଦଳ ତାଙ୍କୁ କୌଣସି ପଦପଦବୀ ଏଯାଏ ଦେଇ ନାହିଁ। ପୁଣି ସେ ୨୦୨୪ ନିର୍ବାଚନରେ ନିଜର ସଂଗଠନ ଦକ୍ଷତା ଦର୍ଶାଇଛନ୍ତି। ଆଜି ଯାଏ ଏକ ବର୍ଷ ହେଲା ସରକାର-ଦଳ ଭିତରେ ତାଳମେଳ ଠିକ୍ ଚାଲିଛି। ଏଣୁ ଏହାକୁ ବିବାଦୀୟ ନ କରି ପୁଣିଥରେ ମୋହନ-ମନମୋହନକୁ ରାଜ୍ୟ ବିଜେପିର ଡବଲ ଇଞ୍ଜିନ୍ କରିବା ଲାଗି ସଂଘ ଚାପ ପକାଇଥିଲା। ଆଉ ଏ ଚାପ ଶେଷରେ ନିର୍ଦ୍ୱନ୍ଦ୍ୱରେ ମନମୋହନଙ୍କୁ ରାଜ୍ୟ ସଭାପତି କରାଇଛି।
ଅପେକ୍ଷା ୨୦୨୯ ପୂର୍ବରୁ ରାଜ୍ୟରେ ସରକାର ଓ ଦଳ କିପରି ଆଗକୁ ବଢ଼ୁଛନ୍ତି। କାରଣ ଆସନ୍ତା ବର୍ଷଠାରୁ ହିଁ ଦଳ ନିର୍ବାଚନ ଦେଖିବାକୁ ଯାଉଛି। ପୌର ନିର୍ବାଚନ, ମେୟର ନିର୍ବାଚନ ଆଉ ପରେ ପଞ୍ଚାୟତ ନିର୍ବାଚନ ଭଳି ଭାର ସଭାପତିଙ୍କ ଉପରେ ରହିଛି। ଏବେ ପ୍ରଶ୍ନ ଦଳର ଗୋଷ୍ଠୀ ସଂଘର୍ଷକୁ ଏଇଠି ସିନା ପ୍ରଶମିତ କରାଯାଇ ପାରିଲା କିନ୍ତୁ ଯଦି ଆଗକୁ ଗୋଟିଏ ନିର୍ବାଚନରେ ବି ଦଳ ଦୁର୍ବଳ ପ୍ରଦର୍ଶନ କରେ ତେବେ ଏହା ଗୋଷ୍ଠୀସଂଘର୍ଷରେ ପରିଣତ ହୋଇପାରେ। ଏଣୁ କେମିତି ସନ୍ତୁଳନ କରିବେ ତାହା ମନମୋହନଙ୍କ ପାରିଲାପଣିଆ କହିବ।
Also readhttps://purvapaksa.com/rain-in-literature-culture-and-lifestyle/
Rain in literature, culture and lifestyle ।। ସାହିତ୍ୟ,ସଂସ୍କୃତି ଓ ଜୀବନଧାରାରେ ବର୍ଷା
