ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଝାରସୁଗୁଡା ଗସ୍ତ କରି ପ୍ରମୁଖ ରେଳ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ସେ ଓଡ଼ିଶାର ବ୍ରହ୍ମପୁରକୁ ଗୁଜରାଟର ସୁରତ ଜିଲ୍ଲାର ଉଧନା ସହିତ ସଂଯୋଗ କରୁଥିବା ଅମୃତ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ୍ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ୧,୭୦୦ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିକଟସ୍ଥ ଅମଲିପାଲି ଗ୍ରାଉଣ୍ଡରେ ‘ନମୋ ଯୁବ ସମାବେଶ’କୁ ମଧ୍ୟ ସମ୍ବୋଧିତ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ହେବାର ୧୫ ମାସ ମଧ୍ୟରେ ଏହା ମୋଦୀଙ୍କ ଷଷ୍ଠ ଓଡ଼ିଶା ଗସ୍ତ।
ପ୍ରଧାନମନ୍ତ୍ରୀ ମୋଦୀ ଆଜିର ଗସ୍ତ ସମୟରେ ଏହି ସବୁ ପ୍ରକଳ୍ପଗୁଡ଼ିକର ମଧ୍ୟ ଉଦଘାଟନ କରିଛନ୍ତି। ରେଳ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ମୋଦୀ ୩୪ କିଲୋମିଟର ଲମ୍ବା କୋରାପୁଟରୁ ବୈପାରୀଗୁଡ଼ା ଏବଂ ୮୨ କିଲୋମିଟର ଲମ୍ବା ମାନାବାର-କୋରାପୁଟ-ଗୋରାପୁର ରେଳ ଡବଲିଂ ଲାଇନର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ଖର୍ଚ୍ଚ ପ୍ରାୟ ୧୪୦୦ କୋଟି ଟଙ୍କା ଆକଳନ ହୋଇଛି। ସମ୍ବଲପୁର ସହରରେ, ପ୍ରଧାନମନ୍ତ୍ରୀ ମୋଦୀ ସମ୍ବଲପୁର ସିଟି ଓ ସର୍ଲା ମଧ୍ୟରେ୨୭୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ କିଲୋମିଟର ଲମ୍ବା ଫ୍ଲାଏଓଭରର ଉଦଘାଟନ କରିଛନ୍ତି। ଏହାସହ ଭୁବନେଶ୍ବରରେ ସେମି କଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହା ଖଣିଜ ପରିବହନକୁ ସହଜ କରିବ ଏବଂ ଓଡ଼ିଶାର ଶିଳ୍ପ ଏବଂ ଲୋକଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ବିକାଶ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଇଛି।
ମୋଦି ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁରର ଭୀମସାରକୁ ସୁପର-ସ୍ପେଶାଲିଟି ମାନ୍ୟତା ପ୍ରଦାନ କରିଛନ୍ତି । ଏହାସହ ସେ ଆଠଟି ଆଇଆଇଟିରର ସମ୍ପ୍ରସାରଣ ଘୋଷଣା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜାତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏବଂ ଅନ୍ତ୍ୟୋଦୟ ଯୋଜନା ଅଧୀନରେ ୫୦,୦୦୦ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଟେଲିକମ୍ କ୍ଷେତ୍ରରେ, ପ୍ରଧାନମନ୍ତ୍ରୀ ମୋଦୀ ବିଏସଏନଏଲର ସ୍ୱଦେଶୀ ୪-ଜି ଷ୍ଟାକ୍ ଆରମ୍ଭ କରିଛନ୍ତି । ଏହି ପ୍ରଯୁକ୍ତିବିଦ୍ୟା ସମ୍ପୂର୍ଣ୍ଣ ଭାବରେ ଭାରତରେ ନିର୍ମିତ, କ୍ଲାଉଡ୍ରେ ଚାଲିଥାଏ ଏବଂ ସହଜରେ ୫-ଜକୁ ଅପଗ୍ରେଡ୍ କରାଯାଇପାରିବ। ଏହା ସହିତ, ଭାରତ ନିଜସ୍ୱ ଟେଲିକମ୍ ଉପକରଣ ନିର୍ମାଣ କରୁଥିବା କିଛି ବଛା ବଛା ଦେଶମାନଙ୍କରେ ସାମିଲ ହେବ। ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।
