Modi Cabinet: ୨୦୨୫ର ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚାଷୀଙ୍କ ବୀମା ରାଶି ୬୯ ହଜାର ୫୧୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।
- ଫସଲ ବୀମା ସହାୟତା ରାଶି ବଢ଼ାଇଲେ ମୋଦୀ ସରକାର।
- ଡିଏପି ସାର ଉପରେ ମିଶିବ ଅତିରିକ୍ତ ସବସିଡି।
- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ିହେବେ ଆଉ ୪ କୋଟି କୃଷକ।
ନୂଆବର୍ଷରେ ଚାଷୀଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର। ବଢିଲା ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ସହାୟତା ରାଶି। ୨୦୨୫ର ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚାଷୀଙ୍କ ବୀମା ରାଶି ୬୯ ହଜାର ୫୧୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୦୨୫ର ପ୍ରଥମ କ୍ୟାବିନେଟ ବୈଠକ ପରେ, ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଏହି ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଚାଷୀଙ୍କ ସହ ଜଡ଼ିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ ପାଇଁ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଫସଲ ବୀମା ଯୋଜନାର ପରିସରକୁ ବ୍ୟାପକ କରିଛନ୍ତି ସରକାର। ଏଥିରେ ଆଉ ୪ କୋଟି କୃଷକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଫସଲ ନଷ୍ଟ ସମୟରେ ଆହୁରି ଅଧିକ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିବ।
ସେହିଭଳି ଡିଏପି ସାର ଉପରେ ୩,୮୫୦ କୋଟି ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ କୃଷକମାନଙ୍କୁ ପୂର୍ବଭଳି ୧,୩୫୦ ଟଙ୍କାରେ ୫୦ କିଲୋଗ୍ରାମର ଡିଏପି ସାର ବସ୍ତା ମିଳିବ। ଆନ୍ତର୍ଜାତୀୟ ବଜାରରେ ଡିଏପି ସାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଦେଶର କୃଷକଙ୍କୁ ଶସ୍ତାରେ ସାର ଯୋଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନିଗୁଡିକ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ସବସିଡି ବ୍ୟତୀତ ସରକାର କମ୍ପାନିଗୁଡ଼ିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ।
ଶେଖ ହସିନାଙ୍କ ଭଳି କୌଣସି ପାକିସ୍ତାନୀ ନେତା ଭାରତରେ ଶରଣ ନେଇପାରିବେ କି?
