ରାଜ୍ୟ ବିଧାନସଭା ଏବେ ଭିନ୍ନ ଚର୍ଚ୍ଚାରେ ରହିଛି। ଏହି ବିଧାନସଭା ଦିନେ ଶୃଙ୍ଖଳିତ ଆଚରଣ ପାଇଁ ଗର୍ବ କରୁଥିଲା। ଆଜି ତାହା ବିଶୃଙ୍ଖଳା ଲାଗି ନିନ୍ଦିତ ହୋଇଛି। ଏହି ଘଟଣା ଦେଶର ବିଭିନ୍ନ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ରାଜ୍ୟବାସୀଙ୍କ ଟିକସରେ ବିଧାନସଭା ପରିଚାଳନା ପାଇଁ ଦୈନିକ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏତେ ଟଙ୍କା ଖର୍ଚ୍ଚ କରାଯାଇ ବିଧାନସଭାରେ ଜନସାଧାରଣଙ୍କ ସମସ୍ୟା ଆଲୋଚନା ହେବା କଥା। କିନ୍ତୁ ତାହା ଆଦୌ ହୋଇପାରୁନାହିଁ।
ବିରୋଧୀଙ୍କ ଜିଦ୍ ଆଗରେ ସରକାରୀ ଦଳ ଅସହାୟ ମନେ ହେଉଛନ୍ତି। ଏହା ତାଙ୍କର ଗୃହ ପରିଚାଳନାରେ ଅନଭିଜ୍ଞତାକୁ ସ୍ପଷ୍ଟ କରୁଛି। ଯାହାଫଳରେ ରାଜନୀତିକ ସ୍ତରରେ ଯେଉଁ ଅଙ୍କର ସମାଧାନ ହେବା କଥା ତାହା ରାଜରାସ୍ତାରେ ପହଞ୍ଚିଛି। ଏହା କିଛି ନୂଆ କଥା ନୁହେଁ ବୋଲି କହି ଶାସକ ଦଳ ନିଜର ଦୁର୍ବଳତାକୁ ଏଡ଼ାଇବାକୁ ଚେଷ୍ଟା କରୁଛି। ବିଧାନସଭା ଆରମ୍ଭରୁ ଯଦି ଏପରି ଅଚଳାବସ୍ଥା ତେବେ ଆଗାମୀ ୫ ବର୍ଷ ବିଧାନସଭା ଚାଲିବ କେମିତି? ଏକୁଟିଆ ତାରାପ୍ରସାଦ ବାହିନିପତିଙ୍କ ଭଳି ଲୋକଙ୍କୁ କେମିତି ସମ୍ମୁଖୀନ ହେବେ ରାଜ୍ୟର ବିଜେପି ନେତାମାନେ? ଏ ପ୍ରସଙ୍ଗ ଆଜି ଆଲୋଚନା କରିବା।
କଂଗ୍ରେସ ଯେଉଁ ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ତାହା ଅତ୍ୟନ୍ତ ସମ୍ବେଦନଶୀଳ। ଏଥିରେ କେହି ବି ଦ୍ୱିମତ ହେବେ ନାହିଁ। ଗଲା କିଛିଦିନ ହେଲା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ହୋଇଛି। ପୋଲିସ ପ୍ରଶାସନ ଶିଥିଳ ହୋଇଛି। ବିଭିନ୍ନ ସ୍ଥାନରେ ଅପରାଧ ବଢ଼ିଛି। ମହିଳାଙ୍କ ଉପରେ ନିର୍ଯାତନା ଖବର ସାମ୍ନାକୁ ଆସୁଛି। ଆଦିବାସୀ ହଷ୍ଟେଲରେ ଝିଅମାନେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଏସବୁ ଢିଲା ଶାସନ, କଳୁଷିତ ପ୍ରଶାସନର ଉଦାହରଣ ଦେଉଛି। ଅର୍ଥାତ୍ ମୋହନ ମାଝିଙ୍କ ନେତୃତ୍ୱାଧୀନ ସରକାର ଏହାଦ୍ୱାରା ବଦନାମ ହେଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
କିନ୍ତୁ ଯେଉଁଭଳିଭାବେ କଂଗ୍ରେସର ବିଧାୟକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ତାହା ଭୋକ ବିକଳରେ ତାଟିଆ କାମୁଡ଼ିବା ଭଳି ନୁହେଁ ତ ? ଗଲା୨୫ ବର୍ଷ ହେଲା କ୍ଷମତାରୁ ବାହାରେ ଥିବା ଏହି ଦଳ କେବଳ ମହିଳାଙ୍କ ଉପରେ ବଢ଼ୁଥିବା ନିର୍ଯାତନା ଯୋଗୁ ହିଁ ରାଜ୍ୟବାସୀଙ୍କ ଆସ୍ଥା ହରାଇଥିଲା। ଯେତେ ଚେଷ୍ଠା କଲେ ବି ଲୋକଙ୍କ ଆସ୍ଥା ସେମାନେ ଫେରି ପାଇ ପାରୁନାହାନ୍ତି । ସେଥିଲାଗି ଦିନକୁ ଦିନ ଏ ଦଳ ସଙ୍କୁଚିତ ହୋଇ ଚାଲିଛି। ଆଜି ଗଣତାନ୍ତ୍ରିକ ବିରୋଧ ନାଁରେ ବିଶୃଙ୍ଖଳା ସୃଷ୍ଟି କ’ଣ ରାଜ୍ୟବାସୀଙ୍କୁ କଂଗ୍ରେସ ମୁହାଁ କରାଇପାରିବ? ଏହାହିଁ ଜନମାସନସକୁ ଆନ୍ଦୋଳିତ କରିବାରେ ଲାଗିଛି।
ସମସ୍ତେ ଜାଣନ୍ତି ବଜେଟ୍ ଅଧିବେଶନ ବିଧାନସଭାର ଅନ୍ୟ ଅଧିବେଶନ ତୁଳନାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଥିରେ ରାଜ୍ୟର ବିକାଶ କେଉଁ ଦିଗରେ ଯିବ ତାହା ସ୍ପଷ୍ଟ ହୋଇଥାଏ। ସରକାରଙ୍କ ନୀତି, ଶୈଳୀ ଓ କାର୍ଯ୍ୟ ରୂପାୟନର ମନୋବୃତ୍ତି ସାମ୍ନାକୁ ଆସିଥାଏ। ଏହି ଅଧିବେଶନରେ ବିରୋଧୀ ଦଳର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିଲାଗି ଏହା ଦୁଇଟି ପର୍ଯ୍ୟାୟରେ ଦୀର୍ଘକାଳୀନ ହୋଇଥାଏ। ହେଲେ ବିଧାନସଭାରେ ହେଉଛି କ‘ଣ? ଆରମ୍ଭ ଦିନରୁ ହିଁ ବିଜେଡି ଓ କଂଗ୍ରେସ ବିଧାୟକମାନେ ବିକ୍ଷୋଭ, ଧାରଣା, ବିରୋଧ ପାଇଁ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି। ମିଡିଆ ଚର୍ଚ୍ଚାରେ ରହିବା ଲାଗି ବିଭିନ୍ନ ଅଭିନବ ବିରୋଧ କୌଶଳ ମଧ୍ୟ ଗ୍ରହଣ କରୁଛନ୍ତି।
ଗୃହର ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁଠାରୁ ବଡ଼ ପ୍ରତିବାଦ ଭାବେ ଗ୍ରହଣ କରାଯାଏ। କିନ୍ତୁ ଆମ ବିରୋଧୀ ଦଳ ବିଧାନସଭାରେ ଅଧିକାଂଶ ସମୟ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ଗୃହ କାର୍ଯ୍ୟରେ ବାଧା ଆଣୁଛନ୍ତି। ଗୃହରେ ପୋଷ୍ଟର, ପ୍ଲାକାର୍ଡ, ସ୍ଲୋଗାନ ମର୍ଯ୍ୟାଦାଜନକ ନୁହେଁ। ଏସବୁକୁ କୌଣସି ସମୟରେ ବାଚସ୍ପତି ଅନୁମତି ଦିଅନ୍ତି ନାହିଁ। କିନ୍ତୁ ଏହା ଏକ ପରମ୍ପରାଭାବେ ପିଢ଼ି ପରେ ପିଢ଼ି ଚାଲି ଆସିଲାଣି। ଏମିତିକି ଗୃହ ମୁଲତବୀ ନ ହେବା ବିରୋଧୀ ଦଳର ନିଷ୍କ୍ରିୟତା ବୋଲି ବି କେହି କେହି କହୁଛନ୍ତି।
ପୂର୍ବରୁ ଯେତେବେଳେ ବିଜେପି ବିରୋଧୀ ଦଳରେ ରହିଥିଲା ସେତେବଳେ ବି ଅନୁରୂପ ପ୍ରଦର୍ଶନ ଦେଖିବାକୁ ମିଳୁଥିଲା। ବାଚସ୍ପତିଙ୍କ ଟେବୁଲ ଉପରକୁ ଡାଲି ଫୋପାଡ଼ିବା, କଂଗ୍ରେସ ବିଧାୟକଙ୍କ ଦ୍ୱାରା ଗୃହକୁ ଖୁଚୁରା କଏନ ଧରି ଆସିବା ଭଳି ପ୍ରସଙ୍ଗ ଅତୀତରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। କିନ୍ତୁ ବିରୋଧୀଙ୍କ ଏପରି କାର୍ଯ୍ୟ ପରବର୍ତ୍ତୀ ସମୟରେ ସରକାରଙ୍କୁ ଅଧିକ ଶକ୍ତ କରିଥିଲା। ଲୋକେ ସରକାରୀ ଦଳକୁ ବିଶ୍ୱାସକୁ ନେଇଥିଲେ।
ଏବେ ସାରାଦେଶରେ ସଂସଦୀୟ ଗଣତନ୍ତ୍ର ପଟ ପରିବର୍ତ୍ତନ କରିବାରେ ଲାଗିଛି। କେବଳ ଓଡ଼ିଶା ନୁହେଁ ସାରା ଭାରତବର୍ଷରେ ବିରୋଧୀ ବଜେଟ୍ ଅଧିବେଶନକୁ ନିଜର ବିରୋଧ ପ୍ରଦର୍ଶନ ଓ ନିଲମ୍ବନ ଲାଗି ପ୍ରୟୋଗ କରିବାରେ ଲାଗିଛନ୍ତି। ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ, କର୍ଣ୍ଣାଟକ ପ୍ରଭୃତି ବିଧାନସଭାକୁ ଏହାର ଉଦାହରଣଭାବେ ନିଆଯାଇପାରେ। ଏସବୁ ବିଧାନସଭାରେ ବଜେଟ୍ ଅଧିବେଶନରେ ବିରୋଧୀ ଦଳର ଅନେକ ସଦସ୍ୟଙ୍କୁ ନିଲମ୍ବନ ହେବାକୁ ପଡ଼ିଛି।
ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରେ କର୍ଣ୍ଣାଟକ ବିଧାନସଭାରୁ କଂଗ୍ରେସ ସରକାର ୧୮ ଜଣ ବିଜେପି ବିଧାୟକଙ୍କୁ ସର୍ବାଧିକ ୬ ମାସ ପାଇଁ ନିଲମ୍ବନ କରିଛନ୍ତି।
୨୫ ଫେବୃଆରୀ ଦିନ ଦିଲ୍ଲୀ ବିଧାନସଭାରେ ମଧ୍ୟ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ସ୍ଲୋଗାନ ଓ ବିଶୃଙ୍ଖଳା ଲାଗି ୧୨ ଜଣ ଆମ୍ ଆଦମୀ ପାର୍ଟିର ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା। ଏଠାରେ ବିଜେପି ନୂଆକରି ଦାୟିତ୍ୱ ନେଇଛି।
୧୭ ମାର୍ଚ୍ଚରେ ପଶ୍ଚିମବଙ୍ଗ ବିଧାନସଭାରେ ୪ ଜଣ ବିଜେପି ବିଧାୟକଙ୍କୁ ଏକମାସ ଲାଗି ତାଙ୍କୁ ନିଲମ୍ବନ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସି ସରକାରକୁ ବିରୋଧୀ ବିଜେପି ଅନେକ ବିରୋଧ ସତ୍ତ୍ୱେ ତାଙ୍କୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇପାରୁନାହିଁ।
୧୧ମାର୍ଚ୍ଚ, ୨୦୨୫ରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ କରାଯାଇଥିଲା। ଏବେ ତାଙ୍କ ସମେତ ସମସ୍ତ ୧୪ ଜଣ କଂଗ୍ରେସ ବିଧାୟକଙ୍କୁ ଓଡ଼ିଶା ବିଧାନସଭାରୁ ନିଲମ୍ବନ କରାଯାଇଛି।
କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଏହିଭଳି ଅନେକ ଘଟଣା ଭାରତର ରାଜନୀତିରେ ଅନେକ ଥର ଚର୍ଚ୍ଚାରେ ରହିଛି। ହେଲେ ବିଜେପି ସରକାର ଆସିବା ବର୍ଷ ହିଁ ଓଡ଼ିଶାରେ କଂଗ୍ରେସର ଏହିପରି ବିରୋଧ ଏବଂ ସ୍ଲୋଗାନ ଆଗକୁ ଗଣତାନ୍ତ୍ରିକ ପରମ୍ପରାକୁ କି ମୋଡ଼ ଦେବ ତାହା ଉପରେ ସମସ୍ତଙ୍କ ନଜର।
ଲୋକସଭାରେ ମଧ୍ୟ ନିଲମ୍ବନ କିଛି ନୂଆ ଘଟଣା ନୁହେଁ। ଅବଶ୍ୟ ଏହି ସରକାରରେ ନିଲମ୍ବନ ଯାଏ କଥା ଯାଇନି କିନ୍ତୁ ବାଚସ୍ପତି ବାରମ୍ବାର ବିରୋଧୀ ଦଳକୁ ଏଥିନେଇ ଚେତାବନୀ ଦେଇଛନ୍ତି।
କୌଣସି ପ୍ରସଙ୍ଗ ଆସିଲେ ଦୁଇପକ୍ଷଙ୍କୁ ବସାଇ ବିଚାର କରାଇବା ଲାଗି ବାଚସ୍ପତିଙ୍କ ସୁଯୋଗ ରହିଛି। ନିୟମ ଅନୁସାରେ ଗୃହକୁ ଶୃଙ୍ଖଳିତ କରିବା ପାଇଁ ବାରମ୍ବାର ମୁଲତବୀ ରଖିବାର ବିଧି ଓ ପରମ୍ପରା ରହିଛି। ଏହା ଜଣେ ବାଚସ୍ପତିଙ୍କ ଅଭିଜ୍ଞତା, ନିରପେକ୍ଷତା ତଥା ସଂସଦୀୟ ଗଣତନ୍ତ୍ର ପ୍ରତି ସମ୍ମାନ ଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥାଏ। ସେ ହିଁ ଗୃହର ମ୍ୟାନେଜର ଭାବେ ସବୁ ପ୍ରକାର ବିଶୃଙ୍ଖଳାକୁ ଶାନ୍ତ କରିବାର କ୍ଷମତା ରକ୍ଷା କରିଥାଆନ୍ତି। ହେଲେ ବିଧାନସଭାରେ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ତାହା ସିଧାସଳଖ ବାଚସ୍ପତିଙ୍କ ଦାୟିତ୍ୱ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି। ଆଶା ଆଗକୁ ବାଚସ୍ପତି ଅଧିକ ପରିପକ୍ୱତାର ସହ ଏପରି ବିଷୟକୁ ନିୟନ୍ତ୍ରଣ କରିବେ, ଓଡ଼ିଶା ବିଧାନସଭାର ଟେକ ରଖିବେ।
Also readhttps://purvapaksa.com/am-navami-2025-date-special-significance/
ଚଳିତ ବର୍ଷ କେବେ ପାଳନ କରାଯିବ ରାମ ନବମୀ, ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ
