କାଲିଠୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ(ନୂଆ ବର୍ଷ) ଟେଷ୍ଟ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲିଠଉ ପଞ୍ଚମ ଟେଷ୍ଟ ଆରମ୍ଭ ହେବ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ଘରୋଇ ଅଷ୍ଟ୍ରେଲିଆ ଦଳ ୨-୧ରେ ସିରିଜ ଆଗୁଆ ରହିଛି। ଫଳରେ ଟ୍ରଫି ବଜାୟ ରଖିବା ପାଇଁ ହେଲେ ଭାରତକୁ ଏହି ଟେଷ୍ଟ ଜିତିବାକୁ ହେବ। ଖାଲି ସେତିକି ନୁହେଁ, ସିଡନୀରେ ବିଜୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲରେ ପହଞ୍ଚାଇ ପାରିବ। ସୂଚନାଯୋଗ୍ୟ ୨୦୧୪/୧୫ରୁ ବର୍ଡର-ଗାଭାସ୍କର ଟ୍ରଫି ଭାରତ ନିକଟରେ ରହିଛି।
ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଶୁକ୍ରବାର ଠାରୁ ଆରମ୍ଭ ହେବ। ଇତି ମଧ୍ୟରେ ଅଷ୍ଟ୍ରେଲଆ ଦଳ ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି। ମେଲବର୍ଣ୍ଣରେ ଖେଳିଥିବା ଏକାଦଶରୁ କେବଳ ଜଣେ ଖେଳାଳି ବାଦ ପଡ଼ିଛନ୍ତି। ସେ ହେଉଛନ୍ତି ଅଲରାଉଣ୍ଡର ମିଚେଲ ମାର୍ଶ। ତାଙ୍କ ସ୍ଥାନରେ ବ୍ୟୁ ୱେବଷ୍ଟରଙ୍କୁ ଡ଼ାକରା ମିଳିଛି। ସେ ସିଡନୀରେ ପଦାର୍ପଣ କରିବେ। ୱେବଷ୍ଟର ୯୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୫୨୯୭ ରନ୍ ସଂଗ୍ରହ କରିବା ସହ ୧୪୮ଟି ୱିକେଟ ନେଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୨ଟି ଶତକ ଓ ୨୪ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଗତ ସେଫିଲ୍ଡ ସିଲ୍ଡ ସିଜନରେ ସେ ୩୦ଟି ୱିକେଟ ନେବା ସହ ୯୩୮ ରନ୍ ସଂଗ୍ରହ କରିଥିଲେ। ଚଳିତ ସିଜନରେ ସେ ୪ଟି ମ୍ୟାଚ୍ ଖେଳି ୩୦୩ ରନ୍ ସଂଗ୍ରହ କରିବା ସହ ୯ଟି ୱିକେଟ ନେଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧିନାୟକ କମିନ୍ସ କହିଛନ୍ତି ଯେ, ଉନ୍ନତ ତଥା ଶୃଙ୍ଖଳିତ ବୋଲିଂ ଏବଂ ମାର୍ଶ ଠାରୁ ଅଧିକ କାର୍ଯ୍ୟଭାର ସମ୍ଭାଳିବାର କ୍ଷମତା ଯୋଗୁଁ ୱେବଷ୍ଟରଙ୍କୁ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆାଯାଇଛି।
ଖରାପ ଫର୍ମକୁ ନେଇ ମାର୍ଶଙ୍କୁ ଏକାଦଶରୁ ବାଦ ଦିଆଯାଇଛି। ସେ ଗତ ୪ଟି ଟେଷ୍ଟରେ ୭୩ ରନ୍ ସଂଗ୍ରହ କରିବା ସହ ୩ଟି ୱିକେଟ ନେଇଛନ୍ତି। ଫଳରେ ତାଙ୍କୁ ଏକାଦଶରୁ ବାଦ ଦିଆ ଯାଇଛି। ଚତୁର୍ଥ ଟେଷ୍ଟରେ ଆହତ ହୋଇଥିବା ମିଚେଲ ଷ୍ଟାର୍କ ଫିଟ ଘୋଷିତ ହୋଇଛନ୍ତି। ସେ ଆସନ୍ତା କାଲି ଗ୍ରାଉଣ୍ଡକୁ ଓହ୍ଲାଇବେ।
ପଞ୍ଚମ ଟେଷ୍ଟ ପାଇଁ ଘୋଷିତ ଚୂଡ଼ାନ୍ତ ଏକାଦଶ: ସାମ୍ କନଷ୍ଟାସ୍ , ଉସମାନ ଖୱାଜା, ମାର୍ନସ୍ ଲାବୁସାନ, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ବ୍ୟୁ ୱେବଷ୍ଟର, ଆଲେକ୍ସ କ୍ୟାରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ୍ ଲାୟନ୍, ସ୍କଟ୍ ବୋଲାଣ୍ଡ।
previous test: https://purvapaksa.com/all-the-shortlists-across-multiple-categories-for-the-annual-icc-awards-2024/
ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଟ ଟେଷ୍ଟ ଖେଳାଳି ପୁରସ୍କାର ତାଲିକାରେ ବୁମରା