ବିଗତ କିଛିବର୍ଷ ଧରି ଓଡ଼ିଶାର ରାଜନୈତିକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିବା ‘ନବୀନ ନିବାସ’ ପୁଣିଥରେ ଏବେ ଆଲୋଚନାର ଶିରୋନାମାରେ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ଅପ୍ରତ୍ୟାଶିତ ପରାଜୟ ପରେ ବି ଏହି ବାସଭବନ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆବାସ ହୋଇ ରହିନାହିଁ, ବରଂ ଏହା ଏକ ପରିବର୍ତ୍ତିତ ରାଜନୈତିକ ଶକ୍ତି-କେନ୍ଦ୍ରର ପ୍ରତୀକ ପାଲଟିଛି। ଦିନେ ଯିଏ ଏହି ଦୁର୍ଗର ଅଲିଖିତ ମୁଖ୍ୟ ସେନାପତି ଭାବେ ନିରଙ୍କୁଶ ଭାବେ ବିଚରଣ କରୁଥିଲେ ସେ ହେଲ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ସେହି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରଭାବ ହ୍ରାସ ପାଇବା ପରେ, ରାଜନୈତିକ ଶୂନ୍ୟତାକୁ ପୂରଣ କରିବାକୁ ଜଣେ ନୂତନ ବିଶ୍ୱସ୍ତଙ୍କ ଆବିର୍ଭାବ ହୋଇଛି, ଯାହାଙ୍କୁ ଦଳୀୟ ମହଲରେ ‘ମିନି ପାଣ୍ଡିଆନ’ ଭାବେ ଆଖ୍ୟା ଦିଆଯାଉଛି; ସେ ହେଉଛନ୍ତି ମନୋଜ ମିଶ୍ର।

ମଠର ମୁଖ୍ୟ ସେବାୟତ କିଏ?
ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଏହି ନିବାସ କେବଳ ମୁଖ୍ୟମନ୍ତ୍ରୀଙ୍କ ଘର ନୁହେଁ, ବରଂ ଦଳୀୟ ନିଷ୍ପତ୍ତି, ଅଧିକାରୀ ନିଯୁକ୍ତି, ମନ୍ତ୍ରୀଙ୍କ ଭାଗ୍ୟ ଓ ବିଧାୟକଙ୍କ ଭବିଷ୍ୟତ ନିର୍ଣ୍ଣୟର ଅନୌପଚାରିକ ମୁଖ୍ୟାଳୟ ଥିଲା।
ବିଗତ କିଛିବର୍ଷ ଧରି ନବୀନ ନିବାସ ଅଧିକ ଚର୍ଚ୍ଚାରେ ରହିଛି- କାରଣ ହେଉଛି ଏଠାରେ ରାଜନୈତିକ ଶକ୍ତିର ଚାଳନା ହେଉଛି। ଏହି ରାଜନୈତିକ ଶକ୍ତି ଚାଳନାର ମୁଖ୍ୟ ଚରିତ୍ର ଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ଦିନ ଥିଲା, ଯେତେବେଳେ ପାଣ୍ଡିଆନଙ୍କ ବିଚରଣ ବିନା ନବୀନ ନିବାସର ଦିନ ଆରମ୍ଭ ହେଉନଥିଲା। ବିଧାୟକଠାରୁ ମନ୍ତ୍ରୀ, ସାଂସଦଠାରୁ ସଚିବ- ସମସ୍ତଙ୍କ ପାଇଁ ପାଣ୍ଡିଆନ ଏହି ମଠର ମୁଖ୍ୟ ସେବାୟତ ଥିଲେ।
କିନ୍ତୁ ୨୦୨୪ ନିର୍ବାଚନ ପରେ ପରିସ୍ଥିତି ବଦଳିଛି। ବିଜେଡିର ଅପେକ୍ଷାକୃତ ଅପରାଜେୟ ଦୃଢ଼ ଗଡ଼ ଭାଙ୍ଗିବା ସହିତ ଦଳ ଭିତରେ ଦାୟିତ୍ୱ ଓ ଦୋଷାରୋପର ରାଜନୀତି ଆରମ୍ଭ ହୋଇଛି। ଏହି ଦୋଷାରୋପର କେନ୍ଦ୍ରବିନ୍ଦୁରେ ଅଛନ୍ତି ପାଣ୍ଡିଆନ। ଫଳସ୍ୱରୂପ, ନବୀନ ନିବାସରେ ତାଙ୍କ ପୂର୍ବଭଳି ଅବାଧ ବିଚରଣ ଏବେ ଦୃଶ୍ୟମାନ ହେଉ ନାହିଁ।
ପାଣ୍ଡିଆନ ପଛକୁ ହଟିଲେ, କିନ୍ତୁ ପାୱାର ଛାଡ଼ିଲେ କି?
ରାଜନୀତିରେ ଶାରୀରିକ ଅନୁପସ୍ଥିତି ମାନେ ଶକ୍ତିର ଅନୁପସ୍ଥିତି ନୁହେଁ। ଏହି ସତ୍ୟଟି ନବୀନ ନିବାସ ଘଟଣାକ୍ରମରେ ଆଉଥରେ ପ୍ରମାଣିତ ହେଉଛି। ବିଜେଡି ମହଲରେ ଆଲୋଚନା ହେଉଛି ଯେ, ପାଣ୍ଡିଆନ ଏବେ ୨୪ ଘଣ୍ଟା ନବୀନ ନିବାସରେ ରହୁନଥିଲେ ମଧ୍ୟ, ନିଜର ଏକାନ୍ତ ବିଶ୍ୱସ୍ତ ଅନୁଗତମାନଙ୍କ ମାଧ୍ୟମରେ ଏହି ରାଜନୈତିକ ଦୂର୍ଗକୁ ଜଗି ରଖିଛନ୍ତି।
ଏହି ପରିପ୍ରେକ୍ଷୀରେ ମଞ୍ଚରେ ପ୍ରବେଶ କରିଛନ୍ତି ମନୋଜ ମିଶ୍ର- ଯାହାଙ୍କୁ ବିଜେଡି ନେତାମାନେ ଏବେ “ମିନି ପାଣ୍ଡିଆନ” ବୋଲି ଡାକୁଛନ୍ତି। ଏହି ଉପନାମ କୌଣସି ସାଧାରଣ ରାଜନୈତିକ ବ୍ୟଙ୍ଗ ନୁହେଁ; ଏହା ଏକ ଗଭୀର ଶକ୍ତି ସଙ୍କେତ।

କ୍ଷମତାର କେନ୍ଦ୍ରରେ ଛାଇ ଓ ପ୍ରତୀକାତ୍ମକ ‘ମଠ’
ନବୀନ ନିବାସକୁ ବିଜେଡିର ନେତାମାନେ ‘ରାଜନୈତିକ ମଠ’ ଭାବେ ବର୍ଣ୍ଣନା କରିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ‘ମଠ’ର ପ୍ରଭାବ କେବଳ ରାଜନୀତିରେ ସୀମିତ ନ ଥିଲା, ବରଂ ପ୍ରଶାସନିକ କଳ ଉପରେ ମଧ୍ୟ ଏହାର ଗଭୀର ଛାପ ରହିଥିଲା। ପୂର୍ବରୁ ପାଣ୍ଡିଆନ ଏଠାରେ ୨୪ ଘଣ୍ଟା ଉପସ୍ଥିତ ରହି ସମସ୍ତ ଗତିବିଧିକୁ ନିୟନ୍ତ୍ରିତ କରୁଥିଲେ। କିନ୍ତୁ ନିର୍ବାଚନ ପରେ ଦଳ ଭିତରୁ ତୀବ୍ର ବିରୋଧ ଓ ଅଭିଯୋଗ ହେତୁ ତାଙ୍କ ଉପସ୍ଥିତି ପ୍ରାୟତଃ କମିଯାଇଛି। କ୍ଷମତାର ଏହି କେନ୍ଦ୍ରକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପାଣ୍ଡିଆନ ଯେଉଁ ରଣନୀତି ଆପଣେଇଛନ୍ତି, ତାହା ହିଁ ‘ମିନି ପାଣ୍ଡିଆନ’ଙ୍କୁ ଆଗକୁ ଆଣିଛି।
ମନୋଜ ମିଶ୍ର: ପାଣ୍ଡିଆନଙ୍କ ବିଶ୍ୱସ୍ତ ସେନାପତି
ନବୀନ ନିବାସକୁ ଜଗିବା ଦାୟିତ୍ୱ ଏବେ ପାଣ୍ଡିଆନଙ୍କ ଅତି ଖାସ୍ ଅନୁଗତ ତଥା ତାଙ୍କର ମୁଖ୍ୟ ‘ଚେଲା’ ମନୋଜ ମିଶ୍ରଙ୍କ ହାତରେ ରହିଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ମନୋଜ ମିଶ୍ରଙ୍କୁ ‘ମିନି ପାଣ୍ଡିଆନ’ କୁହାଯିବାର ମୁଖ୍ୟ କାରଣ ହେଉଛି ତାଙ୍କର ପାଣ୍ଡିଆନଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ ଏବଂ ଅତୀତର କିଛି ବିରଳ ଘଟଣା।
ମନୋଜ ମିଶ୍ର କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରାଳୟରେ ଚାକିରି କରୁଥିବା ସମୟରେ, କେବଳ ପାଣ୍ଡିଆନଙ୍କ କଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିବାକୁ ପଛାଇ ନ ଥିଲେ। ଏହି ଘଟଣା ତାଙ୍କୁ ସମସ୍ୟାରେ ପକାଇବା ସହ ତାଙ୍କର ବଦଳି କରାଇଥିଲା। ତେବେ, ଏହାର ପରିଣାମ ସ୍ୱରୂପ, ସେ ୨୦୨୩ ଡିସେମ୍ବର ମାସରେ ଚାକିରି ଛାଡ଼ି ଓଡ଼ିଶାରେ ଆଇଟି ବିଭାଗରେ ଠିକା ପ୍ରମୁଖ ସଚିବ ଭାବରେ ନିଯୁକ୍ତି ପାଇବା ଏକ ଅସାଧାରଣ ଘଟଣା ଥିଲା।
ଓଡ଼ିଶାର ପ୍ରଶାସନିକ ଇତିହାସରେ ଏପରି ପଦକ୍ଷେପ ବିରଳ। ଜଣେ ବ୍ୟକ୍ତି ବିରୋଧରେ ଥିବା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଏତେ ବଡ଼ ପଦବୀରେ ଅବସ୍ଥାପିତ ହେବା ପାଣ୍ଡିଆନଙ୍କ ଅପ୍ରତିଦ୍ୱନ୍ଦ୍ୱୀ ପ୍ରଭାବକୁ ଦର୍ଶାଉଛି। ଏହି ବିଶ୍ୱାସ ଏବଂ ପ୍ରତିବଦ୍ଧତା ହିଁ ମନୋଜ ମିଶ୍ରଙ୍କୁ ପାଣ୍ଡିଆନଙ୍କର ଏକାନ୍ତ ବିଶ୍ୱସ୍ତ ସେନାପତିର ସ୍ୱୀକୃତି ଦେଇଛି, ଯାହା ଫଳରେ ଏବେ ତାଙ୍କୁ ନବୀନ ନିବାସ ରୂପକ ‘ଦୁର୍ଗ’ର ସୁରକ୍ଷା ଦାୟିତ୍ୱ ମିଳିଛି।
ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୁଷ୍ଟ ଶିବିର
ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ଅନୁପସ୍ଥିତିରେ ବିଜେଡି ଭିତରେ ଥିବା ଅସନ୍ତୋଷ ଏବଂ ଗୋଷ୍ଠୀକନ୍ଦଳ ମୁଣ୍ଡ ଟେକିଛି। ଅନ୍ୟତମ ଅନୁଗତ ତଥା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ର ଏବେ ଶ୍ରୀମୟୀ ମିଶ୍ର, ଦେବାଶୀଷ ସାମନ୍ତରାୟଙ୍କ ସମେତ ଅନେକ ବରିଷ୍ଠ ବିଜେଡି ନେତାଙ୍କ ଟାର୍ଗେଟରେ ଅଛନ୍ତି। ସେ ରାଜ୍ୟ ସରକାରଙ୍କ କର୍ମଚାରୀ ହୋଇଥିବାରୁ ‘ସମସ୍ତଙ୍କୁ ସୁହାଇଲା ଭଳି କାମ’ କରୁଥିବା ଅଭିଯୋଗ ହେଉଛି। ଏହା ପାଣ୍ଡିଆନ କ୍ୟାମ୍ପରେ ସନ୍ତୋଷଜନକ ନୁହେଁ।
ଅନ୍ୟପକ୍ଷରେ, ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ମଧ୍ୟ ପାଣ୍ଡିଆନଙ୍କ ଅନୁପସ୍ଥିତିରେ ଦଳୀୟ ବିରୋଧୀଙ୍କୁ ଠିକ୍ ଭାବରେ ସମ୍ଭାଳି ପାରୁନଥିବା କୁହାଯାଉଛି। ସେ ପାଣ୍ଡିଆନଙ୍କୁ ସବୁ କଥାରେ ‘ମାଲିକ ଭଳି’ ରିପୋର୍ଟ କରିବାକୁ ପସନ୍ଦ କରୁନାହାଁନ୍ତି। ଏହାର କାରଣ ହେଉଛି, ବିର୍ଲା କମ୍ପାନୀରେ ଥିବା ସମୟରେ ସେ ଦଳକୁ ଅହେତୁକ ଆର୍ଥିକ ସହାୟତା କରିଥିବାରୁ ନିଜକୁ କର୍ମଚାରୀ ଭାବେ ପରିଚୟ ଦେବାକୁ ଚାହୁଁନାହାଁନ୍ତି। ଏହା ସ୍ପଷ୍ଟ କରୁଛି ଯେ ବିଜେଡିରେ କ୍ଷମତା ଏବଂ ବିଶ୍ୱସ୍ତତାକୁ ନେଇ ଏକ ନୂଆ ସମୀକରଣ ଆରମ୍ଭ ହୋଇଛି, ଯେଉଁଠାରେ ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରୁଥିବା ଅନୁଗତମାନଙ୍କୁ ସନ୍ତୁଷ୍ଟ କରିବା ଏକ ଆହ୍ୱାନ।
ନବୀନ ନିବାସରେ ଦାୟିତ୍ୱ ହସ୍ତାନ୍ତରଣ
ବିଜେଡି ଭିତରେ ଏହି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏବଂ ପାଣ୍ଡିଆନଙ୍କ ଅନ୍ୟ ଅନୁଗତମାନଙ୍କର ବିଫଳତା ହିଁ ମନୋଜ ମିଶ୍ରଙ୍କ ଗୁରୁତ୍ୱ ବଢ଼ାଇ ଦେଇଛି। ନିର୍ବାଚନ ପରବର୍ତ୍ତୀ ସମୟରେ, ବିଶେଷ କରି ନବୀନ ପଟ୍ଟନାୟକ ‘ସମ ଅଲ୍ଟିମେଟମ୍’ରେ ଚିକିତ୍ସିତ ହେଉଥିବାବେଳେ ମନୋଜ ମିଶ୍ର ଛାଇ ଭଳି ପାଣ୍ଡିଆନଙ୍କ ସାଙ୍ଗରେ ଥିଲେ। ଏହି ବିଶ୍ୱସ୍ତତା ହେତୁ ହିଁ ପାଣ୍ଡିଆନ ତାଙ୍କୁ ନବୀନ ନିବାସର ସୁରକ୍ଷା ଦାୟିତ୍ୱ ଦେଇଥିବା ଦଳୀୟ ମହଲରେ ଆଲୋଚନା ହେଉଛି।
‘ମିନି ପାଣ୍ଡିଆନ’ ନିବାସ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ବିଜେଡିର କେତେକ ବିଧାୟକଙ୍କ ଆଲୋଚନା ଅନୁଯାୟୀ, ବିଧାୟକମାନଙ୍କ ବର୍ଦ୍ଧିତ ଦରମା ଓ ଭତ୍ତା ଫେରସ୍ତ ନାଟକ ଆରମ୍ଭ ହେବା ଏହି ପରିବର୍ତ୍ତନର ସୂଚନା ଦେଉଛି। ଏହା ଦର୍ଶାଉଛି ଯେ ନବୀନ ନିବାସ ଏବେ ବି ସେହି ପୂର୍ବ ନିୟନ୍ତ୍ରଣ ବ୍ୟବସ୍ଥାରେ ଚାଲିଛି, କେବଳ ମୁଖ୍ୟ ନିୟନ୍ତ୍ରକଙ୍କ ପ୍ରତିନିଧି ବଦଳି ଯାଇଛନ୍ତି।
ନବୀନ ନିବାସ ସର୍ବଦା ଓଡ଼ିଶା ରାଜନୀତିରେ ଶକ୍ତି ଏବଂ ନିଷ୍ପତ୍ତିର ସ୍ଥାନ ହୋଇ ରହିଆସିଛି। ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ, ଏହି ଦୁର୍ଗର ଗଠନ ଏବଂ ନିୟନ୍ତ୍ରଣ ପ୍ରଣାଳୀରେ ସୂକ୍ଷ୍ମ ପରିବର୍ତ୍ତନ ଆସିଛି। ପାଣ୍ଡିଆନ ନିଜେ ପଛରେ ରହି ନିଜର ଏକାନ୍ତ ବିଶ୍ୱସ୍ତ ‘ମିନି ପାଣ୍ଡିଆନ’ ମନୋଜ ମିଶ୍ରଙ୍କ ମାଧ୍ୟମରେ ନବୀନ ନିବାସ ଉପରେ ନିଜର ନିୟନ୍ତ୍ରଣ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି।

ଏହା ସ୍ପଷ୍ଟ ଯେ ବିଜେଡି ପରାଜୟରୁ ଶିକ୍ଷା ଗ୍ରହଣ କରିବା ପରିବର୍ତ୍ତେ, ପୁରୁଣା କ୍ଷମତା ସଂରଚନାକୁ ହିଁ ଅନୁସରଣ କରିବାରେ ବ୍ୟସ୍ତ ରହିଛି। ମନୋଜ ମିଶ୍ରଙ୍କ ଆବିର୍ଭାବ ଏକ ରାଜନୈତିକ ସୂଚନା ଦେଉଛି: ନବୀନ ନିବାସର ନିୟନ୍ତ୍ରଣ ପୂର୍ବପରି ଜଣେ ଅଣ-ରାଜନୈତିକ ବିଶ୍ୱସ୍ତ ବ୍ୟକ୍ତିଙ୍କ ହାତରେ ରହିଛି, ଯିଏ ଶାସନ ଏବଂ ଦଳୀୟ କାର୍ଯ୍ୟକଳାପକୁ ପ୍ରଭାବିତ କରିବ। ଏହି ପରିବର୍ତ୍ତନ ବିଜେଡିକୁ ପୁନରୁଦ୍ଧାର କରିବ ନା ପୁନର୍ବାର ବିବାଦକୁ ଟାଣି ଆଣିବ, ତାହା ସମୟ କହିବ।
ପ୍ରଶ୍ନ ହେଉଛି- ଏହି ମିନି ପାଣ୍ଡିଆନ କେବଳ ଏକ ଅସ୍ଥାୟୀ ପହରାଦାର, ନା ଆଗାମୀ ଦିନରେ ବିଜେଡି ରାଜନୀତିର ନୂଆ ଶକ୍ତିକେନ୍ଦ୍ର? ଉତ୍ତର ଆସିବ ସମୟ ସହିତ। କିନ୍ତୁ ଏତେଟା ସ୍ପଷ୍ଟ- ନବୀନ ନିବାସର ରାଜନୀତି ଏବେ ଏକ ନୂଆ ଅଧ୍ୟାୟରେ ପ୍ରବେଶ କରିଛି।
AlsoRead; https://purvapaksa.com/bjp-shares-kirti-azads-vape-video-in-parliament-asks-question-to-mamata/

