- ମାଇକ ଓ୍ୱାଲ୍ଟଜ ହେଲେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା
- ରିପବ୍ଲିକାନ ପ୍ରତିନିଧି ୱାଲ୍ଟଜ
- ଚୀନ ସମାଲୋଚକ, ଭାରତର ସମର୍ଥକ
- ଇଣ୍ଡିଆ କୋକସର ଯୁଗ୍ମ ଅଧ୍ୟକ୍ଷ
ଆମେରିକାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ବହୁ ଚର୍ଚ୍ଚିତ ରିପବ୍ଲିକାନ ପ୍ରତିନିଧି ତଥା ଫ୍ଲୋରିଡାର ସାଂସଦ ମାଇକ ଓ୍ୱାଲ୍ଟଜଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସଏ) ନିଯୁକ୍ତ କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ବିଶ୍ୱବାସୀଙ୍କୁ ଚକିତ କରିଥିବାବେଳେ ଭାରତ ପାଇଁ ଏକ ପ୍ରକାର ଖୁସି ଖବର କହିଲେ ଭୁଲ ହେବ ନାହିଁ। କାରଣ ୱାଲ୍ଟଜ ସର୍ବଦା ଭାରତର ପ୍ରଶଂସକ ରହିଆସିଛନ୍ତି ଓ ପଡ଼ୋଶୀ ଚୀନ୍କୁ ବହୁବାର ଖୁଲମ୍ ଖୁଲ୍ଲା ସମାଲୋଚନା କରିଛନ୍ତି। ବର୍ତ୍ତମାନ ଜ୍ୟାକ ସୁଲିବନ ଏନ୍ଏସଏ ମୁଖ୍ୟ ରହିଛନ୍ତି। ୱାଲ୍ଟଜ ଖୁବ ଶୀଘ୍ର ତାଙ୍କ ସ୍ଥାନ ନେବେ।
୫୦ବର୍ଷିୟ ଅବସରପ୍ରାପ୍ତ କର୍ଣ୍ଣଲ ୱାଲ୍ଟଜ ପୂର୍ବରୁ ଆମେରିକା ସେନାର ସ୍ୱତନ୍ତ୍ର ୟୁନିଟ ‘ଗ୍ରୀନ ବ୍ୟାରେଟ’ରେ କାର୍ଯ୍ୟ କରିଛନ୍ତି। ଓ୍ୱାଲ୍ଟଜ ଇରାନ ଓ ଚୀନ ଭଳି ଦେଶଗୁଡ଼ିକ ପ୍ରତି ସର୍ବଦା କଠୋର ମନୋଭାବ ରଖନ୍ତି। ଭାରତ ପ୍ରତି ତାଙ୍କର ସର୍ବଦା ବନ୍ଧୁତ୍ୱ ମନୋଭାବ ରହିଛି। ତାଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ କରି ଟ୍ରମ୍ପ ନିଜର ବୈଦେଶିକ ନୀତି ଉପରେ ବିଶ୍ୱବାସୀଙ୍କୁ ସ୍ୱତନ୍ତ୍ର ସଂକେତ ଦେଇଛନ୍ତି।
ୱାଲ୍ଟଜ୍ ଭାରତ ସହିତ ଆମେରିକାର ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ବୃଦ୍ଧି କରିବାକୁ ପରାମର୍ଶ ଦେଉଥିବାବେଳେ ଚୀନ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଚାଇନାର ଉତ୍ପାଦନ ଉପରେ ଆମେରିକାର ନିର୍ଭରଶୀଳତାକୁ ହ୍ରାସ କରିବା ଏବଂ ଆମେରିକୀୟ ଟେକ୍ନୋଲୋଜିର ସୁରକ୍ଷା ବୃଦ୍ଧି କରିବାକୁ ସେ ସର୍ବଦା ପ୍ରୋତ୍ସାହନ କରିଛନ୍ତି। ଉଇଗୁରୁ ମୁସଲମାନମାନଙ୍କ ପ୍ରତି ଚୀନର ବ୍ୟବହାରକୁ ମଧ୍ୟ ସେ ତୀବ୍ର ସମାଲୋଚନା କରିଥିଲେ। କୋଭିଡ ମହାମାରୀ ସମୟରେ ଚୀନ୍ର ବେଜିଂରେ ଅନୁଷ୍ଠିତ ୨୦୨୨ ଶୀତକାଳୀନ ଅଲିମ୍ପିକ୍ସକୁ ଆମେରିକା ବହିଷ୍କାର କରିଥିବାବେଳେ ସେ ଥିଲେ ଏହାର ବଡ଼ ସମର୍ଥକ।
ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଏନ୍ଏସଏ ମାଇକ ୱାଲ୍ଟଜଙ୍କ ପାଇଁ ରହିଛି ଆମେରିକାର ବୈଦେଶିକ ନୀତି ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏଥିମଧ୍ୟରୁ ୟୁକ୍ରେନ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଙ୍କଟ ହେଉଛି ପ୍ରମୁଖ ପ୍ରସଙ୍ଗ। ୟୁକ୍ରେନ ଯୁଦ୍ଧରେ ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେ ବଢୁଥିବା ସମ୍ପର୍କ ମଧ୍ୟ ଆମେରିକା ପାଇଁ ଚିନ୍ତାର ବିଷୟ ପାଲଟିଛି। ୱାଲ୍ଟଜଙ୍କ ପାଇଁ ଏହି ଦାୟିତ୍ୱ ସହଜ ହେବ ନାହିଁ କାରଣ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ୪ଜଣ ଏନ୍ଏସଏ ପରିବର୍ତ୍ତନ କରିଥିଲେ | ଟ୍ରମ୍ପଙ୍କ ପୁରୁଣା ରେକର୍ଡ ଯୋଗୁଁ ମାଇକଙ୍କୁ ଅନେକ ଚାପର ସମ୍ମୁଖୀନ ହେବାକୁ ପଡ଼ିବ |
ମାଇକ୍ ଇଣ୍ଡିଆ କୋକସର ଯୁଗ୍ମ ଅଧ୍ୟକ୍ଷ ରହିଛନ୍ତି। ଯାହାକି ଆମେରିକାର ସାଂସଦମାନଙ୍କର ଏକ ଗୋଷ୍ଠୀ | ଏହି ସଂଗଠନ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ କାର୍ଯ୍ୟ କରେ | ଆମେରିକାରେ ଏନ୍ଏସଏର ପଦବୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ | ଜାତୀୟ ସୁରକ୍ଷା ଏଜେନ୍ସିଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରି ରାଷ୍ଟ୍ରପତିଙ୍କ ନୀତି କାର୍ଯ୍ୟକାରୀ କରିବା ଏନ୍ଏସଏର କାର୍ଯ୍ୟ |