- ବାରହା ଜାଲରେ ପଡିଥିଲା
- ୨ ଅଭିଯୁକ୍ତ ଗିରଫ
ଆପଣ ଜାଣି ଥିବେ ବାଘ ମଣିଷ ଖାଏ। କିନ୍ତୁ ବାଘକୁ ମଣିଷ ଖାଏ ବୋଲି କେବେ ଶୁଣିନଥିବେ। ମାତ୍ର ଏମିତି କିଛି ଘଟଣା ଘଟିଛି ଓଡିଶାରେ। ଲୋକେ ବାଘକୁ ମାରି ତାର ମାଂସ ଖାଇଯାଇଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ନୂଆପଡା ଜିଲ୍ଲା କୋମନା ରେଞ୍ଜ ଦେଓଦରହା ଗାଁରେ ଘଟିଛି ଏଭଳି ଘଟଣା। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀମାନେ ଦେଓଧରା ଗ୍ରାମର ଜଙ୍ଗଲ ନିକଟରେ ଜଙ୍ଗଲୀ ଘୁଷୁରି ଶିକାର ପାଇଁ ଜାଲ ବିଛାଇଥିଲେ। ସେଥିରେ ଏକ କଲରାପତରିଆ ବାଘ ପଡିଯାଇଥିଲା। ଜାଲରେ ପଡିଥିବା ବାଘକୁ ମାରି ତାର ମାଂସ ଖାଇଯାଇ ଥିଲେ ଲୋକେ।
ତେବେ ବାଘର ମୃତ୍ୟୁ ନେଇ ଖବର ପାଇବା ପରେ ନୂଆପଡା ବନ ବିଭାଗ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ସୁନାବେଡା ଅଭୟାରଣ୍ୟର ପାଦ ଦେଶରେ ଥିବା ଦେଓଦରହା ଗାଁରେ ଚଢ଼ାଉ କରିଥିଲେ । ବାଘର ମୁଣ୍ଡ ସହ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାଘର କିଛି ଅଂଶ ନଥିବା ସୂଚନା ମିଳିଛି । ଏ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି କୋମନା ବନ ବିଭାଗ ।
ସେମାନେ ହେଲେ କୋମନା ଥାନା ଅନ୍ତର୍ଗତ ଦେଓଧରାର ପୁସ୍ତମ ଚିଣ୍ଡା (୫୮) ଓ ହୃଷିକେଶ ଚିଣ୍ଡା (୪୦)। ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ଗତ ୧୬ ତାରିଖରେ ଏହି ଘଟଣା ଘଟିଥିବା ବେଳେ ସେମାନେ ବାଘକୁ ମାରି ତା ଚମ ଛଡାଇ ମାଂସ ରୋଷେଇ କରିଥିଲେ।
ଅଧିକାରୀମାନେ ସେମାନଙ୍କ ଠାରୁ ଚିତାବାଘ ଚମଡ଼ା, ମୁଣ୍ଡ ଏବଂ କିଛି ମାଂସ ଜବତ କରିଛନ୍ତି। ଖରିଆର ଆଞ୍ଚଳିକ ଡିଭିଜନର ସହକାରୀ ବନ ସଂରକ୍ଷକ (ଏସିଏଫ୍) ମହମ୍ମଦ ମୁସ୍ତାଫା ସାଲେହା କହିଛନ୍ତି ଯେ ତଦନ୍ତ ଶେଷ ହେବା ପରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ ହୋଇଛି। ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଜାରି ରହିଛି।
previous article: https://purvapaksa.com/ar-rahman-divorce-announcement/

