କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏଥିପାଇଁ ଜେଏସଡବ୍ଲ୍ୟୁ ଓ ପୋସ୍କୋ ୩୦ ହଜାରରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ ଏହି ଷ୍ଟିଲ୍ ପ୍ଲାଣ୍ଟ କରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇ ସାରଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।
ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦୁଝର ଗସ୍ତରେ ଆସିଥିଲେ । ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି କଲେଜକୁ ଅଟୋନୋମସ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ କଲେଜ ପାଇଁ ୪ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ।
ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୟୂରଭଞ୍ଜ ଗସ୍ତରେ ଯାଇଥିଲେ । ସେଠାରେ ମେଗା ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ରବିବାର କେନ୍ଦୁଝରକୁ ଫେରି ସ୍ୱାମପାଟଣାବାସୀଙ୍କୁ ଖୁସି ଖବର ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଆଞ୍ଚଳିକ ଯନ୍ତ୍ରପାତି ମେଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସରକାରକୁ କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ, ଯଦି ପୂର୍ବ ସରକାର ଚାଷୀଙ୍କ ପାଇଁ ଏତେ ଚିନ୍ତା କରୁଥିଲେ, ତାହାହେଲେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶାର ଚାଷୀଙ୍କର ମାସିକ ହାରାହାରି ଆୟ ତଳଆଡ଼ୁ କାହିଁକି ଦ୍ୱିତୀୟ ହେଲା? ନୂତନ ସରକାର ଯାହା କହିଥିଲେ, ତାହା କରି ଦେଖାଇଛନ୍ତି । ପୂର୍ବ ସରକାର ଜଗନ୍ନାଥଙ୍କୁ ଗାଡ଼ିରେ ବୁଲାଇ ନେତାଙ୍କ ବଡ଼ ହୋର୍ଡିଂ ଲଗାଇ କେବଳ ଭୋଟ୍ ବ୍ୟାଙ୍କ ପାଇଁ ଲୋକଙ୍କଠାରୁ ଉଷୁନା ଓ ଅରୁଆ ଚାଉଳ ସଂଗ୍ରହ କରୁଥିଲେ । ମହିଳା ସଶକ୍ତିକରଣ ନାଁରେ ଗତ ସରକାର କେବଳ ବ୍ୟାଙ୍କରୁ କିଛି ଋଣ ଦେଇ ମହିଳାଙ୍କୁ ଠକୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ପୂର୍ବ ସରକାର ଚାଷୀମାନଙ୍କୁ ୧୦୦ ଟଙ୍କା ବେନସ୍ ଦେଇପାରିଲେ ନାହିଁ । ହେଲେ ଆମ ସରକାର ଚାଷୀଙ୍କୁ ୨୩ ଶହ ଟଙ୍କା ଉପରେ ୮ଶହ ଟଙ୍କା ସହ ସମୁଦାୟ ୩୧ଶହ ଟଙ୍କା ପ୍ରଦାନ କରୁଛି । ଆସନ୍ତା ୮ ତାରିଖରେ ବ୍ରହ୍ମପୁରରେ ସମୁଦାୟ ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ସରକାର ଖରିଫ୍ ଋତୁରେ ଚାଷୀମାନଙ୍କୁ ୫ହଜାର କୋଟି ଟଙ୍କାର ଇନ୍ପୁଟ୍ ସହାୟତା ପ୍ରଦାନ କରିଛି । ଚାଷୀଙ୍କୁ ପିଏମ୍ କିଷାନ୍ ଯୋଜନାରେ ୬ ହଜାର ଟଙ୍କା ଓ ସିଏମ୍ କିଷାନ୍ ଯୋଜନାରେ ୪ ହଜାର ଟଙ୍କା ଏପରି ବର୍ଷକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ଆସନ୍ତା ବଜେଟ୍ରେ ୫ ହଜାର କୋଟି ଟଙ୍କାରୁ ବୃଦ୍ଧିକରି ୭ ହଜାର କୋଟି ଟଙ୍କା କରାଯିବ । ନବୀନବାବୁ ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ କରିବେ ବୋଲି କହିଥିଲେ । ପରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବେ ବୋଲି କହିଥିଲେ । ହେଲେ ସେ ସବୁ କିଛି ହେଲାନାହିଁ । ନୂତନ ସରକାର ଏବର୍ଷ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କଲେ ରାକ୍ଷୀ ପୂର୍ଣ୍ଣିମାରେ ୩ କିସ୍ତି ସୁଭଦ୍ରା ଟଙ୍କା ମିଳିବ: ଉପମୁଖ୍ୟମନ୍ତ୍ରୀ