Marriage Certificate: ବିବାହ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବିବାହ ପରେ ସମସ୍ତଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସେ ।
ଏହି ବନ୍ଧନରେ ବାନ୍ଧି ହେବା ପରେ ବ୍ୟକ୍ତିର ଜୀବନରେ ଏକ ନୂଆ ମୋଡ଼ ଆସିଥାଏ । ଆଖିରେ ଅନେକ ସ୍ୱପ୍ନ ନେଇ ନିଜ ସ୍ୱାମୀର ହାତ ଧରିଥାଏ ଗୋଟିଏ ଝିଅ । ହାତରେ ଚୁଡ଼ି, ପାଦରେ ଅଳତା, ନାଲି ଶାଢ଼ୀ ପିନ୍ଧି ତା ସ୍ୱାମୀ ଘରକୁ ଚାଲି ଯାଏ ଝିଅ । ସେହିପରି ବେଶ ଧୁମଧାମର ସହ ବାଣ ଫୁଟେଇ, ଗୀତ ବଜେଇ ପୁଅ ଆସେ ଝିଅ ଘରକୁ । ହେଲେ ଏହାକୁ ପରବର୍ତ୍ତୀ ସମୟରେ ଏହି ବିବାହକୁ ଆଇନଗତ କରାଯାଇଥାଏ । ଯାହାକୁ ବିବାହ ପ୍ରମାଣପତ୍ର କୁହାଯାଏ ।

ଭାରତୀୟ ପରମ୍ପରାରେ ଉଭୟ ଧାର୍ମିକ ଏବଂ ଆଧ୍ୟାତ୍ମିକ ଦିଗରୁ ବିବାହର ବିଶେଷ ଗୁରୁତ୍ୱ ରହିଛି । ହାତଗଣ୍ଠି ପଡ଼ିବା ପରେ ଦୁହିଁଙ୍କ ପ୍ରାଥମିକତା ଓ ଦାୟିତ୍ୱ ଆପେ ଆପେ ବଦଳିଯାଏ । ବିବାହ କେବଳ ସନ୍ତାନ ଜନ୍ମ ପାଇଁ ନୁହେଁ । ଏହା ଜଣେ ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ବିକାଶ ଏବଂ ଜୀବନ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତି ପ୍ରଦାନ କରିଥାଏ ।

ବିଶ୍ୱାସ କରାଯାଏ ଯେ, ବିବାହ ମାଧ୍ୟମରେ ଜଣେ ବ୍ୟକ୍ତି ଏହି ଜୀବନକାଳରେ ନିଜର କର୍ତ୍ତବ୍ୟ ପୂର୍ଣ୍ଣ କରିଥାଏ । ବିବାହ ଏକ ନୂତନ ଜୀବନର ଆରମ୍ଭ ଏବଂ ଆମେ ଅନେକ ସ୍ୱପ୍ନ ସହିତ ପାରିବାରିକ ଜୀବନରେ ପ୍ରବେଶ କରୁ । ବିବାହ ହେଉଛି ଏକ ସାମାଜିକ ବନ୍ଧନ ଏବଂ ମାନବ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ । କିନ୍ତୁ ଆପଣ ଭାବିଛନ୍ତି କି, ବିବାହ ପ୍ରମାଣପତ୍ର କାହିଁକି ଆବଶ୍ୟକ? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା ।

ବର୍ତ୍ତମାନ ବିବାହ ଋତୁ ଚାଲିଛି । ଏହି ସମୟରେ ବର ଏବଂ ବଧୂକୁ ବିବାହ ପରେ ବିବାହର ପ୍ରମାଣପତ୍ର ତିଆରି କରିବାକୁ ପଡ଼ିଥାଏ । ଯାହା ତାଙ୍କ ଭବିଷ୍ୟତ ପାଇଁ ଅନେକ ଜରୁରୀ ଅଟେ । କିନ୍ତୁ ଯଦି ସେମାନେ ତାହା ନକରନ୍ତି? ଆସନ୍ତୁ ଜାଣିବା କାହିଁକି ବିବାହ ପ୍ରମାଣପତ୍ର ପାଇବା ଆବଶ୍ୟକ । ବିବାହ ପ୍ରମାଣପତ୍ର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଦଲିଲ ଯାହା ଆନୁଷ୍ଠାନିକ ଭାବରେ ଏକ ବିବାହକୁ ସ୍ୱୀକୃତି ଦେଇଥାଏ । ଏହି ପ୍ରମାଣପତ୍ର ଏକ ପ୍ରମାଣ ଭାବରେ କାର୍ଯ୍ୟ କରେ ଯେ, ଦୁଇଜଣ ବ୍ୟକ୍ତି ଆଇନଗତ ଭାବରେ ବିବାହିତ ଏବଂ ସେମାନଙ୍କର ବିବାହ ବୈଧ ଅଟେ । ଏହି ଡକ୍ୟୁମେଣ୍ଟ କେବଳ ଭାରତୀୟ ନିୟମ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଅନେକ ବ୍ୟକ୍ତିଗତ ଏବଂ ଆଇନଗତ ପ୍ରସଙ୍ଗରେ ମଧ୍ୟ ଆବଶ୍ୟକ ।

ଏହା ଏକ ସରକାରୀ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଏ ଏବଂ ଏହା ବିବାହକୁ ପ୍ରମାଣ କରେ ଯାହା କୋର୍ଟ କିମ୍ବା ମନ୍ଦିର, ଚର୍ଚ୍ଚ, ମସଜିଦ ଇତ୍ୟାଦିରେ ହୋଇଥାଏ । ବିବାହ ସମ୍ବନ୍ଧରେ କୌଣସି ଆଇନଗତ ବିବାଦ ହେଲେ ଏହି ଡକ୍ୟୁମେଣ୍ଟ ସହାୟକ ହୋଇପାରେ । ସମ୍ପତ୍ତି, ଅର୍ଥ ଏବଂ ଅନ୍ୟାନ୍ୟ ଆଇନଗତ ଅଧିକାରର ସୁରକ୍ଷା ପାଇଁ ବିବାହ ପ୍ରମାଣପତ୍ର ମଧ୍ୟ ବ୍ୟବହୃତ ହୁଏ ।

ଯଦି ଜଣେ ବ୍ୟକ୍ତି ମରିଯାଆନ୍ତି, ତେବେ ବିବାହ ପ୍ରମାଣପତ୍ର ପ୍ରମାଣ ପ୍ରଦାନ କରେ ଯେ ଉଭୟ ଆଇନଗତ ଭାବରେ ବିବାହିତ ଥିଲେ, ଯାହାଦ୍ୱାରା ସମ୍ପତ୍ତି ଅଧିକାର ସୁରକ୍ଷିତ ହୋଇଥିଲା । ଏହା ବିନା ପତ୍ନୀ ସ୍ୱାମୀଙ୍କ ସମ୍ପତ୍ତି ଦାବି କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାସପୋର୍ଟ କିମ୍ବା ଭିସା ପାଇଁ ଆବେଦନ ହେଉ କିମ୍ବା ପିଲାମାନଙ୍କର ଜନ୍ମ ପ୍ରମାଣପତ୍ର ପାଇବା କିମ୍ବା ବିବାହ ନାମରେ ସରକାରୀ ଯୋଜନାର ଲାଭ ପାଇବା ହେଉ, ଏହି ସମସ୍ତ କାର୍ଯ୍ୟ ପାଇଁ ବିବାହ ପ୍ରମାଣପତ୍ର ଆବଶ୍ୟକ । ଏହା ବିନା ଏହି କାର୍ଯ୍ୟଗୁଡିକ କରାଯାଇପାରିବ ନାହିଁ ।


