ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓ ସଂଗଠନ । ସୁରକ୍ଷାକର୍ମୀଙ୍କ ମାରାଥନ ମାଓ ଦମନ ଅପରେସନ ପରେ ଶେଷରେ ନରମିଛି ମାଓ ସଂଗଠନ । ଅନ୍ୟ କୌଣସି ଉପାୟ ନପାଇ ଅସ୍ତ୍ରବିରତି ଘୋଷଣା କରିଥିବା ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଅସ୍ତ୍ର ତ୍ୟାଗ କରିବା ପାଇଁ ୧ ମାସ ସମୟ ମାଗିଛି ନକ୍ସଲବାହିନୀ ।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଏକ ଘୋଷଣାରେ ଅସ୍ତ୍ର ତ୍ୟାଗ ଓ ଆତ୍ମସମର୍ପଣ କରିବା ପ୍ରସ୍ତୁତ ବୋଲି କୁହାଯାଇଛି । ନକ୍ସଲମାନେ ଏହି ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ପାଇଁ ଏକ ମାସର ସମୟ ମାଗିଛନ୍ତି । ସଂଗଠନ କହିଛି, ୨୦୨୫ ମାର୍ଚ୍ଚରୁ ଶାନ୍ତି ବାର୍ତ୍ତା ଲାଗି ପ୍ରଚେଷ୍ଟା ଜାରି ରହିଛି। କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ମେ ୧୦ରେ ପ୍ରେସ୍ ବିଜ୍ଞପ୍ତି ଜାରି କରି ଦୁଇପକ୍ଷ ଅସ୍ତ୍ର ବିରତି କରିବା ଲାଗି ନିବେଦନ କରିଥିଲେ। ଏକ ମାସ ପାଇଁ ଅସ୍ତ୍ର ଛାଡ଼ି ଶାନ୍ତିବାର୍ତ୍ତା ମାଧ୍ୟମରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର କୌଣସି ଉତ୍ତର ରଖିନଥିଲେ। ଅପରପକ୍ଷରେ ଜାନୁଆରି ୨୦୨୫ରୁ ନକ୍ସଲ ବିରୋଧୀ ଅଭିଯାନକୁ ତୀବ୍ରତର କରିଛନ୍ତି ସୁରକ୍ଷାବାହିନୀ।
୨୦୨୬ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ ଉପଲବ୍ଧି ବୋଲି କୁହାଯିବ ।ସୁରକ୍ଷାକର୍ମୀଙ୍କୁ ମାସେ ଯାଏ ଅପରେସନ ବିରାମ ପାଇଁ ନିବେଦନ କରାଯାଇଛି । ଛତିଶଗଡ ସରକାରଙ୍କୁ ଆସିଥିବା ମାଓବାଦୀଙ୍କ ଶାନ୍ତି ଚିଠିରେ ପ୍ରଥମ ଥର ଏଭଳି ଭାବେ ଶାନ୍ତି ବାର୍ତ୍ତା ରଖିଛନ୍ତି ମାଓବାଦୀ । ଚିଠିରେ କିଛି ଇ-ମେଲ୍ ଆଇଡ଼ି ରହିଛି । ଗଲା କିଛି ମାସରେ ମାଓ ଦମନ ଅଭିଯାନରେ ଟପ୍ ମାଓ କମାଣ୍ଡର ମାନେ ନିହତ ହେବା ପରେ ମାଓ ସଂଗଠନ ଶେଷରେ ମୁଣ୍ଡ ନୁଆଁଇଛି ।
Also Read https://purvapaksa.com/how-realistic-is-the-target-of-electric-vehicle-adoption-in-the-state/
