Biren Singh: ଭାରତୀୟ ଜନତା ପାର୍ଟି ନେତା ତଥା ମଣିପୁର ମୁଖ୍ୟମନ୍ତ୍ରୀ ନୋଙ୍ଗଥୋମ୍ବାମ୍ ବିରେନ ସିଂହ ଜାତିଗତ ହିଂସା ଏବଂ ଆଭ୍ୟନ୍ତରୀଣ କଳହ କାରଣରୁ ଇସ୍ତଫା ଦେଇଛନ୍ତି। ହିଂସାକାଣ୍ଡ ପାଇଁ ବିଜେପି ନେତା ଓ କୁକି ସଂଗଠନ ତାଙ୍କୁ ଦାୟୀ କରୁଥିଲେ। ରାଜ୍ୟପାଳ ବିରେନ ସିଂହଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଆଣିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଥିଲା।
- ବିଜେପି ନେତା ଓ କୁକି ସଂଗଠନର ଏକ ଗୋଷ୍ଠୀ ତାଙ୍କୁ ହଟାଇବାକୁ ଦାବି କରୁଥିଲେ।
- ସରକାରଙ୍କ ମନ୍ତ୍ରୀଙ୍କ ସମେତ ଅନେକ ବିଧାୟକ ଗୃହରେ ବିରୋଧୀ ଦଳରେ ବସିବାକୁ ଯାଉଥିଲେ।
- ବିରୋଧ ବଢ଼ୁଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ।
ପ୍ରାୟ ଆଠବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ ରବିବାର ନୋଙ୍ଗଥୋମ୍ବାମ ବୀରେନ ସିଂ ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପି ନେତା ଏବଂ କୁକି ସଂଗଠନର ଏକ ଅଂଶ ତାଙ୍କୁ ବହିଷ୍କାର କରିବାକୁ ଦାବି କରୁଥିଲେ। ରାଜ୍ୟରେ ଜାତିଗତ ହିଂସା ଘଟିବାର ପ୍ରାୟ ଦୁଇବର୍ଷ ପରେ, ଯାହା ଏପର୍ଯ୍ୟନ୍ତ ୨୫୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି, ଶାସକ ବିଜେପି ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିରୋଧୀ କଂଗ୍ରେସଦ୍ୱାରା ଅନାସ୍ଥା ପ୍ରସ୍ତାବର ଧମକ ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଇଛି।

ଜାତିଗତ ହିଂସା ପାଇଁ ବିଜେପି ନେତା ଏବଂ କୁକି ସଂଗଠନର ଏକ ଅଂଶ ବୀରେନ ସିଂଙ୍କୁ ଦାୟୀ କରୁଥିଲେ। ସେମାନେ ସ୍ପଷ୍ଟ କରିଦେଇଥିଲେ ଯେ ଯେ ପର୍ଯ୍ୟନ୍ତ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇପାରିବ ନାହିଁ। ଏପରି ପରିସ୍ଥିତିରେ ବୀରେନ ସିଂହ ରାଜ୍ୟପାଳ ଅଜୟ ଭଲ୍ଲାଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ରାଜ୍ୟପାଳ ବୀରେନ ସିଂହଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି।
ବିଜେପି ବିଧାୟକ ଦେଇଥିଲେ ଅଲ୍ଟିମେଟମ୍
ରାଜ୍ୟରେ ବିଜେପିର ୩୨ ଜଣ ବିଧାୟକ ଅଛନ୍ତି। ଗତ ୨୧ ମାସ ମଧ୍ୟରେ, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ୱାଇ ଖେମଚାନ୍ଦଙ୍କ ସମେତ ଅନେକ ବିଜେପି କୁକି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗ ଦେବାକୁ ମନାକରିଦେଇଥିଲେ। ବରଂ, ସେମାନେ ଦିଲ୍ଲୀର କେନ୍ଦ୍ରୀୟ ନେତୃତ୍ୱ ସହିତ ଯୋଗାଯୋଗ କରୁଥିଲେ। ଏହା ଭିତରେ ଖବର ଆସିବାକୁ ଲାଗିଲା ଯେ, ଅତିକମରେ ୫ ଜଣ ବିଜେପି ବିଧାୟକ ବିଦ୍ରୋହ କରି ଦଳରୁ ଅଲଗା ହେବାକୁ ଯାଉଛନ୍ତି। ସେମାନେ କ୍ଷମତା ଛାଡ଼ି ବିରୋଧୀ ବେଂଚରେ ବସିବାକୁ ପ୍ରସ୍ତୁତ ଥିବା ଖବର ମଧ୍ୟ ଆସିଥିଲା। ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଏ ବିଷୟରେ ଅବଗତ କରାଯାଇଥିଲା। ପରେ ଏହି ୫ ବିଧାୟକଙ୍କ ସମର୍ଥନରେ ଆଉ ୧୦ଜଣ ବିଜେପି ବିଧାୟକ ଆଗକୁ ଆସିଥିଲେ । ସେମାନେ ସରକାରକୁ ସମର୍ଥନ ନ କରିବାକୁ ସଂକଳ୍ପ ନେଇଥିଲେ।
ଏହି ବିଧାୟକମାନଙ୍କ ମଧ୍ୟରେ କିଛି ମନ୍ତ୍ରୀମାନେ ମଧ୍ୟ ସାମିଲ ଥିଲେ। ଏସବୁ ମୁଖ୍ୟମନ୍ତ୍ରୀ ଜାଣିଥିଲେ ଏବଂ କେନ୍ଦ୍ରୀୟ ନେତୃତ୍ୱ (ବିଜେପିର) ନିୟମିତ ଭାବରେ ଅବଗତ ହେଉଥିଲେ। ଏହାପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ରିପୋର୍ଟ ଅନୁସାରେ, ରବିବାର ଯେତେବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ୨୦ରୁ କମ ବିଧାୟକ ତାଙ୍କ ପଛରେ ଥିଲେ।
ସୁପ୍ରିମକୋର୍ଟ ରିପୋର୍ଟ ମାଗିଥିଲେ
ବିଧାନସଭା ସଚିବ କେ ମେଘଜିତ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନୋଟିସ ଅନୁଯାୟୀ, ଫେବୃଆରୀ ୧୦ରୁ ଆରମ୍ଭ ହେବାକୁ ଥିବା ଦ୍ୱାଦଶ ମଣିପୁର ବିଧାନସଭାର ୭ମ ଅଧିବେଶନକୁ ତୁରନ୍ତ ପ୍ରଭାବରୁ ‘ଅବୈଧ’ ଘୋଷଣା କରାଯାଇଛି। ଏହି ସପ୍ତାହର ଆରମ୍ଭରେ, ଏକ ନୂତନ ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ସୁପ୍ରିମକୋର୍ଟ ସାମ୍ପ୍ରଦାୟିକ ହିଂସାରେ ସିଂଙ୍କ ଭୂମିକାକୁ ନେଇ ଏକ ଲିକ୍ ହୋଇଥିବା ଅଡିଓ କ୍ଲିପର ସତ୍ୟତା ଉପରେ ବନ୍ଦ ଲଫାପାରେ ଫୋରେନସିକ୍ ରିପୋର୍ଟ ମାଗିଥିଲେ।
ରିପୋର୍ଟ ଅନୁଯାୟୀ ଟେପଗୁଡ଼ିକରେ ଏପରି କଥାବାର୍ତ୍ତା ଅନ୍ତର୍ଭୁକ୍ତ ଥିଲା ଯେଉଁଥିରେ ସିଂ କଥିତଭାବେ ଏହା କହିଥିଲେ ଯେ, ଅଶାନ୍ତି ସମୟରେ ମୈତେଇ ଗୋଷ୍ଠୀଗୁଡ଼ିକୁ ରାଜ୍ୟ ସରକାରଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଲୁଟ୍ କରିବାକୁ ଅନୁମତି ଦିଆଯାଇଥିଲା। ଏହି ହିଂସାରେ ଏପର୍ଯ୍ୟନ୍ତ ୨୫୦ ଜଣ ପ୍ରାଣ ହରାଇଛନ୍ତି।
ବୀରେନ ସିଂହ ତିନିଥର ଦିଲ୍ଲୀ ଆସିଥିଲେ
ବିରେନ ଗତ କିଛିଦିନ ମଧ୍ୟରେ ତିନିଥର ନୂଆଦିଲ୍ଲୀ ଆସିଥିଲେ। ରବିବାର ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। ନିକଟରେ ବିଜେପି ନେତୃତ୍ୱ କିଛି ମନ୍ତ୍ରୀ ଏବଂ ବିଧାୟକଙ୍କୁ ନୂଆଦିଲ୍ଲୀ ଡକାଇଥିଲେ। ମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ସମ୍ପ୍ରତି ନୂଆଦିଲ୍ଲୀ ଆସିଥିଲେ। ବିଜେପିର ସହଯୋଗୀ ନାଗା ପିପୁଲ୍ସ ଫ୍ରଣ୍ଟର ବିଧାୟକଙ୍କ ସମେତ ଅନ୍ୟ ଅନେକ ବିଧାୟକ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି।
ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତୁତି ଚାଲିଥିଲା
କଂଗ୍ରେସ ଆଗାମୀ ବିଧାନସଭା ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ସୂଚାଇ ଦେଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଓକ୍ରାମ ଇବୋବି ସିଂହ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ଯେ ସେ ରାଜ୍ୟ ବିଧାନସଭାର ସଦସ୍ୟମାନଙ୍କୁ ଭୟଭୀତ କରିବାରୁ ନିବୃତ୍ତ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ। ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି ଯେ ଅସନ୍ତୁଷ୍ଟମାନେ ଅନାସ୍ଥା ପ୍ରସ୍ତାବ ସମୟରେ ବୀରେନଙ୍କ ବିରୋଧରେ ଭୋଟ୍ ଦେବେ ବୋଲି ସୂଚାଇ ଦେଇଥିଲେ। ହିଂସା କମିବା ପରେ, ଦଳୀୟ ନେତୃତ୍ୱ ବୀରେନ ସିଂହଙ୍କୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି।
କୁମ୍ଭମେଳାରେ ଲୋକଙ୍କ ଗଣନା କିପରି ହେଉଛି ଏବଂ ଏହି ପଦ୍ଧତି କେତେ ସଠିକ?


