୧୯୩୯ରେ ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ବିରୁଦ୍ଧରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱିତୀୟ ଥର ପାଇଁ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କ ବିଜୟକୁ ମହାତ୍ମା ଗାନ୍ଧୀ ନିଜର ପରାଜୟ ବୋଲି ମାନିଥିଲେ। ତଥାପି, ଅଳ୍ପ ସମୟ ମଧ୍ୟରେ ସୁଭାଷଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। କଂଗ୍ରେସ ସହିତ ତାଙ୍କର ସମ୍ପର୍କ ମଧ୍ୟ ଛିନ୍ନ ହୋଇଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କର ବୈଚାରିକ ଦୂରତ୍ୱ ବହୁତ ବଢ଼ିଯାଇଥିଲା। ଜେଲରେ ଥାଇ ସୁଭାଷ ଏହା ବୁଝିସାରିଥିଲେ ଯେ ଇଂରେଜମାନେ ସହଜରେ ସ୍ୱାଧୀନତା ଦେବେ ନାହିଁ। ସ୍ୱାଧିନତା ପାଇଁ ଲଢ଼ିବାକୁ ହେବ ଏବଂ ଲଢ଼ିବାର ରାସ୍ତା ମଧ୍ୟ ବଦଳାଇବାକୁ ହେବ। ତଥାପି, ୧୯୪୦ରେ ସେ ମହାତ୍ମା ଗାନ୍ଧୀଙ୍କୁ ବିନା ସର୍ତରେ ସହଯୋଗର ଶେଷ ପ୍ରସ୍ତାବ ଦେଇଥିଲେ। ସେ ଲେଖିଥିଲେ ଯେ ବଙ୍ଗ କଂଗ୍ରେସରେ ବିଭେଦ ଦୂର କରିବା ପାଇଁ ଆପଣ ହସ୍ତକ୍ଷେପ କରନ୍ତୁ।
ଗାନ୍ଧୀଙ୍କ ଉତ୍ତର ଥିଲା ଯେ ଆମର ମତଭେଦ ମୌଳିକ। ଯେପର୍ଯ୍ୟନ୍ତ ଆମ ମଧ୍ୟରୁ ଜଣେ ଅନ୍ୟର ବୈଚାରିକ ମତବାଦକୁ ଗ୍ରହଣ କରିନାହିଁ ସେପର୍ଯ୍ୟନ୍ତ ଆମର ରାସ୍ତା ଅଲଗା ରହିବା ଉଚିତ। ଏହା ହିଁ ଘଟିଲା। ସୁଭାଷ ବୋଷ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଘର୍ଷର ପଦକ୍ଷପ ଉଠାଇଲେ, ସ୍ୱଦେଶ ଛାଡ଼ିଲେ। ଏପଟେ କଂଗ୍ରେସ ଦେଶର ସ୍ୱାଧୀନତା ପାଇଁ ଅହିଂସ ରାସ୍ତାରେ ନିର୍ଣ୍ଣାୟକ ଲଢ଼େଇ ଲଢୁଥିଲା। ସେପଟେ ବିଦେଶୀ ମାଟିରେ ସୈନ୍ୟବାହିନୀ ଗଠନ କରି ଆଜାଦ ହିନ୍ଦ ଫୌଜର ପତାକା ତଳେ ଭାରତ ଆଡ଼କୁ ଅଗ୍ରସର ହେଉଥିବା ସୁଭାଷ ଚନ୍ଦ୍ର ବୋଷ “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ବୋଲି ଘୋଷଣା କରି ଦେଶବାସୀଙ୍କ ମନରେ ଉଦ୍ଦୀପନା ଭରୁଥିଲେ। ଦେଶର ସ୍ୱାଧୀନତା ଉତ୍ସବ ପାଖେଇ ଆସୁଛି। ଏହି ଅବସରରେ ପଢ଼ନ୍ତୁ ନେତାଜୀଙ୍କର ଅନନ୍ୟ ପ୍ରୟାସର କାହାଣୀ।
ଲଢ଼ିବା ପାଇଁ ଜେଲରୁ ବାହାରିବା ଜରୁରୀ
୧୯୪୦ରେ କଲିକତାର ପ୍ରେସିଡେନ୍ସୀ ଜେଲରେ ବନ୍ଦୀ ଥିବା ସୁଭାଷ ଚନ୍ଦ୍ର ବୋଷ ଭାରତକୁ ପରାଧିନତାର ବେଡ଼ିରୁ ମୁକ୍ତି ଦେବା ପାଇଁ ଆବଶ୍ୟକ ମନେ କରିଥିଲେ ଯେ ବିଶ୍ୱର ଅନ୍ୟ ଦେଶମାନଙ୍କ ମଧ୍ୟରେ ସକ୍ରିୟତା ବଢ଼ାଇବା ଦରକାର। ଜେଲରେ ନିଷ୍କ୍ରିୟ ରହିବା ବଦଳରେ ସୁଭାଷ ବାବୁ ବ୍ରିଟେନ ବିରୋଧୀ ଶକ୍ତିମାନଙ୍କ ମଧ୍ୟରେ ପହଞ୍ଚି ଭାରତର ସ୍ୱାଧୀନତାର ସ୍ୱର ଉତ୍ତୋଳନ କରିବାକୁ ଚାହୁଁଥିଲେ। ଜେଲରୁ କିପରି ବାହାରିବେ? ନଭେମ୍ବର ୧୯୪୦ରେ କାଳୀ ପୂଜା ଦିନ ସେ ଆମରଣ ଅନଶନ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ଜେଲ ଓ ପ୍ରଶାସନର ଅଧିକାରୀମାନଙ୍କର ମନୋଭାବ ବେଶ କଠୋର ଥିଲା। କିନ୍ତୁ ଅନଶନର ଏକ ସପ୍ତାହ ପରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଅସ୍ଥାୟୀ ଭାବେ ତାଙ୍କୁ ମୁକ୍ତ କରିବାର ନିଷ୍ପତ୍ତି ହେଲା।
ତାଙ୍କ ଭଣଜା ଶିଶିର କୁମାର ବୋଷଙ୍କ ପୁସ୍ତକ “ନେତାଜୀ ସୁଭାଷ ଚନ୍ଦ୍ର ବୋଷ” ଅନୁସାରେ, ମୁକ୍ତ ହେବା ପରେ ମହାତ୍ମା ଗାନ୍ଧୀଙ୍କ ସହିତ ନେତାଜୀଙ୍କର ଶେଷ ଚିଠି ଦିଆନିଆ ହୋଇଥିଲା। ନେତାଜୀ ସ୍ୱାଧୀନତା ପାଇଁ ଯେକୌଣସି ଆନ୍ଦୋଳନରେ ବିନା ସର୍ତରେ ସହଯୋଗର ପ୍ରସ୍ତାବ ପୁନର୍ବାର ଦେଇଥିଲେ। ବଙ୍ଗଳା କଂଗ୍ରେସରେ ବିଭେଦର ଉଲ୍ଲେଖ କରି ତାଙ୍କ ସମର୍ଥକମାନଙ୍କ ବିରୁଦ୍ଧରେ ଚାଲିଥିବା ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଗାନ୍ଧୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ସେ । ହେଲେ ଉତ୍ତର ନକାରାତ୍ମକ ଥିଲା। ଗାନ୍ଧୀଜୀ ଲେଖିଥିଲେ, “ଆମର ମତଭେଦ ମୌଳିକ। ଯେପର୍ଯ୍ୟନ୍ତ ଆମେ ଉଭୟେ ଜଣେ ଅନ୍ୟର ମତବାଦ ସହ ଏକମତ ନ ହେଉ, ସେପର୍ଯ୍ୟନ୍ତ ଆମର ରାସ୍ତା ଅଲଗା ରହିବା ଉଚିତ।”
ବଡ଼ ସଂଘର୍ଷ ପାଇଁ ସ୍ୱଦେଶ ଛାଡ଼ିଲେ
କଲିକତା ପ୍ରଶାସନର ଧାରଣା ଥିଲା ଯେ ସ୍ୱାସ୍ଥ୍ୟ ସୁଧୁରିଲେ ତାଙ୍କୁ ପୁନର୍ବାର ଜେଲକୁ ପଠାଯିବ। କିନ୍ତୁ ଏହା ସମ୍ଭବ ହେଲା ନାହିଁ। ବେଶ ବଦଳାଇ ପୁଲିସ ଓ ଗୁପ୍ତଚର ଏଜେନ୍ସିମାନଙ୍କୁ ଚକମା ଦେଇ ସୁଭାଷ ବାବୁ ୧୭ ଜାନୁଆରୀ ୧୯୪୧ରେ କଲିକତାରୁ ପଳାଇଲେ। ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ପରବର୍ତୀ କିଛି ମାସ ସେ ଅତିବାହିତ କଲେ। ପେଶାୱାର, କାବୁଲ, ସୋଭିଏତ ସଂଘ ଦେଇ ସେ ଅପ୍ରେଲ ୧୯୪୧ରେ ସେ ବର୍ଲିନ ପହଞ୍ଚିଥିଲେ। ଜର୍ମାନୀ ପହଞ୍ଚିବାର ଏକ ସପ୍ତାହ ମଧ୍ୟରେ ନେତାଜୀ ଜର୍ମାନ ସରକାରଙ୍କୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଜର୍ମାନୀରୁ ସହଯୋଗ ପାଇଁ ଏକ ପ୍ରସ୍ତାବର ଡ୍ରାଫ୍ଟ ପେଶ କରିଥିଲେ। କିନ୍ତୁ ଜୁନ ୧୯୪୧ରେ ରୋମ ଗସ୍ତ ସମୟରେ ଯେତେବେଳେ ତାଙ୍କୁ ଜର୍ମାନୀର ସୋଭିଏତ ସଂଘ ଉପରେ ଆକ୍ରମଣର ଖବର ମିଳିଲା, ସେ ଜର୍ମାନୀକୁ ଆକ୍ରମଣକାରୀ ବୋଲି କହି ନିଜର ଓ ଭାରତୀୟମାନଙ୍କର ସହାନୁଭୂତି ସୋଭିଏତ ସଂଘ ସହିତ ଥିବା କହିଥିଲେ।
ବିଦେଶୀ ମାଟିରେ ଭାରତର ମୁକ୍ତି ପାଇଁ ରଣନୀତି ବୁଣୁଥିବା ନେତାଜୀଙ୍କ କହିବା ଥିଲା ଯେ ସ୍ୱାଧୀନତା ଆନ୍ଦୋଳନର ଅଗ୍ରଣୀ ନେତାମାନେ ଇଂରେଜମାନଙ୍କ ସହିତ ସିଧାସିଧା ଲଢ଼ିବା ପ୍ରଶ୍ନରେ ନରମ। ବ୍ରିଟିଶ ଶାସନ ଯେଉଁ ବେତନଭୋଗୀ ଭାରତୀୟ ସେନାର ବଳରେ ତିଷ୍ଟି ରହିଛି, ତା’ର ରାଜ୍ୟଭକ୍ତିକୁ ଖଣ୍ଡନ କରି ବିଦ୍ରୋହ ପାଇଁ ପ୍ରେରଣା ଦେବା ତାଙ୍କ ଲକ୍ଷ୍ୟରେ ସାମିଲ ଥିଲା। ସେ ବ୍ରିଟିଶ ବିରୋଧୀ ଶକ୍ତିମାନଙ୍କ ସାଧନର ସାହାଯ୍ୟରେ ଭାରତରେ ପ୍ରବେଶ ପାଇଁ କ୍ରାନ୍ତିକାରୀ ମୁକ୍ତିବାହିନୀ ଗଠନର ପ୍ରସ୍ତୁତିରେ ଥିଲେ।
ସେନା ଓ ଶସ୍ତ୍ର ଜରୁରୀ
ଏହି ସମୟରେ ଭାରତର ସ୍ୱାଧୀନତା ସଂଘର୍ଷକୁ ତୀବ୍ର କରିବା ପାଇଁ ପ୍ରୟାସ ଜାପାନରୁ ମଧ୍ୟ ଜାରି ଥିଲା। ସେଠାରେ ଇଣ୍ଡିଆନ ନ୍ୟାସନାଲ ଆର୍ମୀର ନେତୃତ୍ୱ ମୋହନ ସିଂଙ୍କ ହାତରେ ଥିଲା। ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଲିଗର ନେତୃତ୍ୱ ରାସ ବିହାରୀ ବୋଷ କରୁଥିଲେ। ୪ ଜୁଲାଇ ୧୯୪୩ରେ ପୂର୍ବ ଏସିଆର ପ୍ରତିନିଧିମାନଙ୍କର ସିଙ୍ଗାପୁର ବୈଠକରେ ରାସ ବିହାରୀ ଲିଗର ନେତୃତ୍ୱ ନେତାଜୀଙ୍କୁ ହସ୍ତାନ୍ତର କରିଥିଲେ। ନେତାଜୀଙ୍କ ସମ୍ବୋଧନ ଦେଶଭକ୍ତମାନଙ୍କ ମନରେ ରୋମାଞ୍ଚ ଭରି ଦେଇଥିଲା।
ସେ କହିଥିଲେ, “ସମୟ ଆସିଛି। ସଂଘର୍ଷର ପରବର୍ତୀ ପର୍ଯ୍ୟାୟ ଆଡ଼କୁ ଅଗ୍ରସର ହୁଅ। ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଶସ୍ତ୍ର ଉଠାଅ। ଏଥିପାଇଁ ଆବଶ୍ୟକ ଲଢୁଆ ସେନା ଓ ଅନ୍ୟ ଏକ ଅସ୍ଥାୟୀ ସରକାର, ଯାହାର ପତାକା ତଳେ ସେନା ଯୁଦ୍ଧ କରିବ।” ସମ୍ବଳ ପାଇଁ ଧନ ଯୋଗାଇବା ନେତାଜୀଙ୍କ ଆହ୍ୱାନରେ ପୂର୍ବ ଏସିଆର ଭାରତୀୟ ପ୍ରବାସୀମାନେ ଉତ୍ସାହର ସହିତ ଆଗେଇ ଆସିଥିଲେ।
ଦିଲ୍ଲୀ ଚଲୋ… ଦିଲ୍ଲୀ ଚଲୋ
୫ ଜୁଲାଇ ୧୯୪୩ର ତାରିଖ ଐତିହାସିକ ଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହାକୁ ନିଜ ଜୀବନର ସବୁଠାରୁ ଗୌରବମୟ ଦିନ ବୋଲି କହିଥିଲେ। ଏହି ଦିନ ସିଙ୍ଗାପୁର ଟାଉନ-ହଲର ବିଶାଳ ମୈଦାନରେ ଆଜାଦ ହିନ୍ଦ ଫୌଜର ସୁପ୍ରିମ କମାଣ୍ଡର ଭାବେ ସେ ସଲାମୀ ଗ୍ରହଣ କରିଥିଲେ। ସେଠାରେ ସେ କହିଥିଲେ, “ଅସ୍ତ୍ରଶସ୍ତ୍ରର ଶକ୍ତି ଓ ରକ୍ତର ମୂଲ୍ୟରେ ତୁମକୁ ସ୍ୱାଧୀନତା ହାସଲ କରିବାକୁ ହେବ। ତା’ପରେ ସେହି ସ୍ୱାଧୀନତାକୁ ବଜାୟ ରଖିବାକୁ ହେବ। ମୁଁ ପ୍ରତିଜ୍ଞା କରୁଛି ଯେ ଅନ୍ଧକାର ଓ ଆଲୋକରେ, ଦୁଃଖ ଓ ସୁଖରେ, ବ୍ୟଥା ଓ ବିଜୟରେ ମୁଁ ତୁମ ସାଙ୍ଗରେ ରହିବି। ମୁଁ ତୁମକୁ ଭୋକ, ତୃଷା, ଅଭାବ, ଯାତ୍ରା ଓ ମୃତ୍ୟୁ ଛଡ଼ା ଆଉ କିଛି ଦେଇ ପାରିବି ନାହିଁ। କିନ୍ତୁ ଯଦି ତୁମେ ଜୀବନ ଓ ମୃତ୍ୟୁର ପଥରେ ମୋର ଅନୁସରଣ କର, ତେବେ ମୁଁ ତୁମକୁ ବିଜୟ ଓ ସ୍ୱାଧୀନତା ଆଡ଼କୁ ନେଇଯିବି। ମୋର ବୀରମାନେ! ତୁମର ଯୁଦ୍ଧଘୋଷ ହେବା ଉଚିତ-ଦିଲ୍ଲୀ ଚଲୋ! ଦିଲ୍ଲୀ ଚଲୋ! ସ୍ୱାଧୀନତାର ଲଢ଼େଇରେ ଆମେ କେତେ ବଞ୍ଚିବା, ମୁଁ ଜାଣି ନାହିଁ। କିନ୍ତୁ ମୁଁ ଏହା ଜାଣେ ଯେ ଶେଷରେ ଆମେ ଜିତିବୁ ଓ ଯେପର୍ଯ୍ୟନ୍ତ ଆମର ବଞ୍ଚିଥିବା ଯୋଦ୍ଧାମାନେ ଆଉ ଏକ କବରସ୍ଥାନ-ବ୍ରିଟିଶ ସାମ୍ରାଜ୍ୟବାଦର କବରସ୍ଥାନ ନ ତିଆରି କରନ୍ତି ଏବଂ ଦିଲ୍ଲୀର ଲାଲକିଲ୍ଲାରେ ତିରଙ୍ଗା ନ ଉଡ଼ାନ୍ତି, ସେପର୍ଯ୍ୟନ୍ତ ଆମର ଲକ୍ଷ୍ୟ ପୂରଣ ହେବ ନାହିଁ।”
ଅସ୍ଥାୟୀ ସରକାରକୁ ନଅ ଦେଶର ମାନ୍ୟତା
୨୧ ଅକ୍ଟୋବର ୧୯୪୩ରେ ସିଙ୍ଗାପୁରରେ ଅସ୍ଥାୟୀ ଆଜାଦ ହିନ୍ଦ ସରକାରର ଗଠନ ହୋଇଥିଲା। ଏହି ସରକାରର ମୁଖ୍ୟ ଭାବେ ଶପଥ ଗ୍ରହଣ କରି ନେତାଜୀ ଆବେଗାନ୍ୱିତ ହୋଇ ପଡ଼ିଥିଲେ। ଜାପାନ, ଜର୍ମାନୀ, ଇଟାଲୀ ସମେତ ନଅ ଦେଶ ଏହି ସରକାରକୁ ମାନ୍ୟତା ଦେଇଥିଲେ। ମାନ୍ୟତା ପ୍ରଦାନକାରୀ ଦେଶମାନଙ୍କୁ ମହାଯୁଦ୍ଧ ପରେ ଭାରତ ତରଫରୁ କୌଣସି ପ୍ରକାରର ପ୍ରତିଶ୍ରୁତି ଦିଆଯାଇ ନଥିଲା। ନିଷ୍ପତ୍ତି ହୋଇଥିଲା ଯେ ଭାରତକୁ ସ୍ୱାଧୀନତା ମିଳିବା ପରେ ଦେଶବାସୀଙ୍କ ଇଚ୍ଛା ଅନୁସାରେ ଏକ ସ୍ଥାୟୀ ସରକାର ଗଠନ କରାଯିବ। ବ୍ରିଟେନ ଓ ତା’ର ସହଯୋଗୀ ଆମେରିକା ବିରୁଦ୍ଧରେ ଯୁଦ୍ଧର ଘୋଷଣା ଥିଲା ଆଜାଦ ହିନ୍ଦ ସରକାରର ପ୍ରଥମ ନିଷ୍ପତ୍ତି। ପୁରୁଷମାନଙ୍କ ସହିତ ସମାନ ଅଂଶଗ୍ରହଣର ସଂକଲ୍ପ ନେଇ ପରଦିନ ଆଜାଦ ହିନ୍ଦ ଫୌଜର ରାଣୀ ଝାନ୍ସୀ ରେଜିମେଣ୍ଟର ଗଠନ ଘୋଷଣା ହୋଇଥିଲା।
ଲହୁକୁ ଲହୁ ଡାକୁଛି! ଆଗକୁ ବଢ଼…
ଅଣ୍ଡମାନ-ନିକୋବାର ସେ ସମୟରେ ଜାପାନର ଅଧୀନରେ ଥିଲା। ଆଜାଦ ହିନ୍ଦ ସରକାରର ରାଷ୍ଟ୍ରପତି ଭାବେ ୨୯ ଡିସେମ୍ବର ୧୯୪୩ରେ ତାହା ଉପରେ ଅଧିକାର ହାସଲ କରାଗଲା। ଜିମଖାନା ମୈଦାନରେ ବିପୁଳ ଜନସମୂହ ମଧ୍ୟରେ ତିରଙ୍ଗା ଉଡ଼ାଯାଇଥିଲା। ସ୍ୱାଧୀନତା ସେନାନୀମାନଙ୍କୁ ଅମାନୁଷିକ ନିର୍ଯାତନା ଦେଉଥିବା ସେଲୁଲାର ଜେଲର ଅବଲୋକନ କରାଗଲା। ଅଣ୍ଡମାନକୁ “ଶହୀଦ ଦ୍ୱୀପ ସମୂହ” ଓ ନିକୋବାରକୁ “ସ୍ୱରାଜ ଦ୍ୱୀପ ସମୂହ” ନାମ ଦିଆଗଲା।
ଭାରତୀୟ ସୀମାରେ ପ୍ରବେଶ ପାଇଁ ଜାନୁଆରୀ ୧୯୪୪ରେ ରେଙ୍ଗୁନକୁ ସେ ନିଜ ସରକାରର ମୁଖ୍ୟାଳୟ କରିଥିଲେ। ଆଜାଦ ହିନ୍ଦ ଫୌଜର ବ୍ରିଟିଶ ସେନା ସହିତ ପ୍ରଥମ ସଂଘର୍ଷ ଫେବୃଆରୀ ୧୯୪୪ରେ ଅରାକାନ ମୋର୍ଚାରେ ହୋଇଥିଲା। ଚଟଗାଁ ଯିବା ରାସ୍ତାରେ ହୋଇଥିବା ଏହି ଯୁଦ୍ଧରେ ଆଜାଦ ହିନ୍ଦ ସୈନିକମାନେ ବେଶ ଶକ୍ତିଶାଳୀ ପ୍ରମାଣିତ ହୋଇଥିଲେ। ଜାପାନୀମାନଙ୍କ ମଧ୍ୟରେ ମଧ୍ୟ ତାଙ୍କର କ୍ଷମତା ଉପରେ ବିଶ୍ୱାସ ଜନ୍ମିଥିଲା। ଜାପାନୀ ସେନାର ସହଯୋଗରେ ଆଜାଦ ହିନ୍ଦ ଫୌଜର ପରବର୍ତୀ ଲକ୍ଷ୍ୟ ଥିଲା ଇମ୍ଫାଲ। ୨୧ ମାର୍ଚ୍ଚରେ ନେତାଜୀ ଘୋଷଣା କରିଥିଲେ ଯେ ତାଙ୍କ ସେନା ୧୮ ମାର୍ଚ୍ଚରେ ଭାରତରେ ପ୍ରବେଶ କରିସାରିଛି ଏବଂ ଏବେ ଲଢ଼େଇ ଭାରତ ମାଟିରେ ହେଉଛି। ଅପ୍ରେଲର ପ୍ରଥମ ସପ୍ତାହରେ ଫୌଜ କୋହିମାରେ ପ୍ରବେଶ କରିଥିଲା। ଇମ୍ଫାଲ ଏବେ ମାତ୍ର ଦଶ ମାଇଲ ଦୂରରେ ଥିଲା। ନେତାଜୀଙ୍କ ସ୍ୱର ଗୁଞ୍ଜରି ଉଠୁଥିଲା, “ଯେଉଁ ମାଟିରେ ଆମେ ଜନ୍ମ ନେଇଛୁ, ସେହି ମାଟିର କୋଳକୁ ଫେରୁଛୁ। ଲହୁକୁ ଲହୁ ଡାକୁଛି। ଉଠ! ଆଗକୁ ବଢ଼! ଚଲୋ ଦିଲ୍ଲୀ! ଚଲୋ ଦିଲ୍ଲୀ!”
ସମୟ ପୂର୍ବରୁ ବର୍ଷା ବିପଦ ସୃଷ୍ଟି କରିବା ଆରମ୍ଭ କରିଥିଲା। ଆକାଶରେ ବ୍ରିଟେନ-ଆମେରିକାର ବାୟୁସେନା ପ୍ରାଧାନ୍ୟ ବିସ୍ତାର କରିଥିଲା। ଆଜାଦ ହିନ୍ଦ ଫୌଜ ଓ ତାଙ୍କର ସହଯୋଗୀ ଜାପାନୀ ସେନାର ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିଲା। ବହୁତ ବୀରତ୍ୱର ସହିତ ଲଢ଼ି ଅନେକ ବଳିଦାନ ଦେଇ ତାଙ୍କୁ ପଛକୁ ହଟିବାକୁ ପଡ଼ିଥିଲା। ୬ ଜୁଲାଇ ୧୯୪୪ରେ ରଙ୍ଗୁନ ରେଡିଓରୁ ଦେଇଥିବା ସମ୍ବୋଧନରେ ନେତାଜୀ ମହାତ୍ମା ଗାନ୍ଧୀଙ୍କୁ ବିଶେଷ ଭାବେ ସ୍ମରଣ କରିଥିଲେ। ସେ କହିଥିଲେ ଯେ ମୁଁ ପ୍ରକୃତରେ ମାନୁଛି ଯେ ବ୍ରିଟିଶ ସରକାର ଭାରତର ସ୍ୱାଧୀନତାର ଦାବିକୁ କେବେ ସ୍ୱୀକାର କରିବେ ନାହିଁ। ତେଣୁ ମୁଁ ଏହାରେ ବିଶ୍ୱାସୀ ହୋଇଛି ଯେ ସ୍ୱାଧୀନତା ପାଇଁ ଆମକୁ ରକ୍ତର ନଦୀ ମଧ୍ୟ ଦେଇ ଗତି କରିବାକୁ ହେବ। ଯଦି ମୋତେ କିଛି ଆଶା ଥାଆନ୍ତା ଯେ ଏହି ଯୁଦ୍ଧ ପରି ଆଉ ଏକ ସୁଯୋଗ, ସ୍ୱାଧୀନତା ପାଇବାର ଆଉ ଏକ ସୁନେଲି ସୁଯୋଗ ଆମ ଜୀବନରେ ମିଳିବ, ତେବେ ବୋଧହୁଏ ମୁଁ ଘର ଛାଡ଼ି ନଥାନ୍ତି।
ଏହି ସମ୍ବୋଧନରେ ନେତାଜୀ ମହାତ୍ମା ଗାନ୍ଧୀଙ୍କୁ ପ୍ରଥମ ଥର ପାଇଁ “ରାଷ୍ଟ୍ରପିତା” ବୋଲି ସମ୍ବୋଧନ କରିଥିଲେ। ତାଙ୍କର ଆଶୀର୍ବାଦର ଆକାଂକ୍ଷା କରି କହିଥିଲେ, “ଭାରତର ସ୍ୱାଧୀନତାର ଶେଷ ଲଢ଼େଇ ଆରମ୍ଭ ହୋଇଛି। ଆଜାଦ ହିନ୍ଦ ଫୌଜର ସିପାହୀମାନେ ବୀରତ୍ୱପୂର୍ଣ୍ଣ ଭାବେ ଲଢ଼ୁଛନ୍ତି। ଏହି ସଶସ୍ତ୍ର ସଂଘର୍ଷ ଶେଷ ବ୍ରିଟିଶଙ୍କୁ ଭାରତରୁ ବାହାର କରି ବାଇସରାୟ ହାଉସରେ ଜାତୀୟ ତିରଙ୍ଗା ଉଡ଼ାଇବା ପର୍ଯ୍ୟନ୍ତ ଜାରି ରହିବ। ହେ ରାଷ୍ଟ୍ରପିତା! ଭାରତର ସ୍ୱାଧୀନତାର ଏହି ପବିତ୍ର ଯୁଦ୍ଧରେ ଜୟ ପାଇଁ ଆପଣଙ୍କର ଶୁଭେଚ୍ଛା ଓ ଆଶୀର୍ବାଦ ଚାହୁଁ ।
କିନ୍ତୁ ୬ ଅଗଷ୍ଟ ୧୯୪୫ରେ ନାଗାସାକୀ ଓ ତିନି ଦିନ ପରେ ହିରୋଶିମାରେ ଆମେରିକା ଦ୍ୱାରା ପରମାଣୁ ବୋମା ପକାଇବା ସହିତ ପରିସ୍ଥିତି ବଦଳି ଯାଇଥିଲା। ୧୪ ଅଗଷ୍ଟ ୧୯୪୫ରେ ଜାପାନ ମିତ୍ର ରାଷ୍ଟ୍ରମାନଙ୍କ ଆଗରେ ଆତ୍ମସମର୍ପଣ କରିଥିଲା। ନିଶ୍ଚିତ ଭାବେ ଜାପାନ ଲଢ଼େଇ ହାରି ଯାଇଥିଲା, କିନ୍ତୁ ନେତାଜୀ ହିମ୍ମତ ହରାଇ ନଥିଲେ।
ବର୍ମାରୁ ଯିବା ସମୟରେ ସେ କହିଥିଲେ, “ସ୍ୱାଧୀନତାର ଲଢ଼େଇର ପ୍ରଥମ ପର୍ଯ୍ୟାୟ ଆମେ ହାରିଛୁ। କିନ୍ତୁ କେବଳ ପ୍ରଥମ ପର୍ଯ୍ୟାୟ ହାରିଛୁ। ଆଗକୁ ଆହୁରି ଅନେକ ପର୍ଯ୍ୟାୟ ରହିଛି।” ୧୮ ଅଗଷ୍ଟ ୧୯୪୫ରେ ନେତାଜୀ ଏକ ଜାପାନୀ ବିମାନରେ ସୈଗନରୁ ତାଇୱାନ ଅଭିମୁଖେ ଯାତ୍ରା କରିଥିଲେ। ୨୩ ଅଗଷ୍ଟରେ ଟୋକିଓ ରେଡିଓ ଘୋଷଣା କରିଥିଲା ଯେ ତାଇହୋକୁ ବିମାନଘାଟିରୁ ଉଡ଼ିବା ସଙ୍ଗେ ସଙ୍ଗେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେହି ରାତିରେ ସେହି ସ୍ଥାନର ସୈନିକ ହସ୍ପିଟାଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଦୁର୍ଘଟଣାର ଖବର ସର୍ବଦା ବିବାଦୀୟ ରହିଛି। ତାଙ୍କୁ ଭଲ ପାଉଥିବା ଲୋକମାନେ ଏହା ଉପରେ କେବେ ବିଶ୍ୱାସ କରି ପାରି ନାହାନ୍ତି। ଆଜି ମଧ୍ୟ ତାଙ୍କ ନାମ ଓ ପରାକ୍ରମର ଚର୍ଚ୍ଚା ହେଲେ ଭାରତୀୟମାନେ ଆଦର ଭାବରେ ରୋମାଞ୍ଚିତ ହୋଇ ପଡ଼ନ୍ତି।
Also Readhttps://purvapaksa.com/bhubaneswar-thar-tragedy-two-deaths-no-arrests-so-far/
