କୋଲକାତାର ଆଇନ ଛାତ୍ରୀ ଗଣବଳାତ୍କାର ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍) ଭିତରେ ବିବାଦ ଆରମ୍ଭ ହୋଇଛି। ଦଳର ଦୁଇସାଂସଦ କଲ୍ୟାଣ ବାନାର୍ଜୀ ଏବଂ ମହୁଆ ମୋଇତ୍ରଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଛି। କଲ୍ୟାଣ ବାନାର୍ଜୀ ମହୁଆଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆକ୍ଷେପ କରିବା ସହ ତାଙ୍କ ବିବାହକୁ ସମାଲୋଚନା କରିଛନ୍ତି। ମହୁଆ ଏକ ବିବାହ ଓ ପରିବାର ଭାଙ୍ଗିଥିବା କଲ୍ୟାଣ ବାନାର୍ଜୀ କହିଛନ୍ତି। ନିକଟରେ ବିଜୁ ଜନତା ଦଳ(ବିଜେଡି)ର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ମହୁଆ ବିବାହ କରିଛନ୍ତି। ବାନାର୍ଜୀ କହିଛନ୍ତି, ‘ମହୁଆ ନିଜ ହନିମୁନ୍ ସାରି ଭାରତ ଫେରିବା ପରେ ମୋ ସହ ଲଢ଼ୁଛନ୍ତି। ସେ ମୋତେ ମହିଳା ବିରୋଧୀ କହୁଛନ୍ତି। ସେ ନିଜେ କ’ଣ? ସେ ୪୦ ବର୍ଷର ଏକ ବିବାହ ଭାଙ୍ଗିଛନ୍ତି ଏବଂ ୬୫ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଏପରି କରି ସେ କ’ଣ ସେହି ମହିଳାଙ୍କୁ ଆଘାତ ଦେଇନାହାନ୍ତି। ମହୁଆ ଏପରି ଜଣେ ସାଂସଦ ଯେ କି ନୈତିକତା ଉଲଂଘନ କାରଣରୁ ସଂସଦରୁ ବହିଷ୍କୃତ ହୋଇଥିଲେ। ଏବେ ସେ ମୋତେ ଉପଦେଶ ଦେଉଛନ୍ତି। ସେ ନିଜେ ଜଣେ ବଡ଼ ମହିଳା ବିରୋଧୀ। ସେ କେବଳ ନିଜ ଭବିଷ୍ୟତ ସୁରକ୍ଷିତ କରିବା ଏବଂ ଟଙ୍କା କମାଇବା ଜାଣିଛନ୍ତି।’
ପ୍ରକାଶଥାଉ କି, ଜୁନ୍ ୨୭ରେ କେଲକାତା ଗଣବଳାତ୍କାର ଘଟଣା ବାବଦରେ କଲ୍ୟାଣ ବାନାର୍ଜୀଙ୍କୁ ପ୍ରଶ୍ନ ପଚରାଯିବାରେ ସେ କହିଥିଲେ, ଯଦି ଜଣେ ବନ୍ଧୁ ନିଜ ସାଙ୍ଗର ବଳାତ୍କାର କରେ ତେବେ କ’ଣ କରାଯାଇପାରିବ। ଏବେ କ’ଣ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଲିସ ମୁତୟନ ହେବ ? ଜଣେ ଛାତ୍ର ଜଣେ ଛାତ୍ରୀଙ୍କ ବଳାତ୍କାର କଲେ ପୀଡ଼ିତାଙ୍କୁ ସୁରକ୍ଷା କିଏ ଦେବ? ଏପରି ଅପରାଧ କିଏ କରେ? କେତେକ ପୁରୁଷ ଏପରି କରିଥାନ୍ତି। ତେଣୁ ମହିଳାମାନେ କାହା ବିରୋଧରେ ଲଢ଼ିବା ଉଚିତ? ମହିଳାମାନଙ୍କୁ ଏଭଳି ବିକୃତ ପୁରୁଷଙ୍କ ବିରୋଧରେ ଲଢ଼ିବା ଦରକାର। ତାଙ୍କର ଏହି ବୟାନକୁ ନେଇ ବିବାଦ ବଢ଼ିଥିଲା। ଖୋଦ୍ ଟିଏମ୍ସି ତାଙ୍କ ବୟାନକୁ ନିନ୍ଦା କରିଥିଲା। ଏହା କଲ୍ୟାଣ ବାନାର୍ଜୀଙ୍କ ବ୍ୟକ୍ତିଗତ ବିଚାର ଏବଂ ବୟାନ। ଟିଏମ୍ସି ଏପରି ବୟାନକୁ ନିନ୍ଦା କରେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା।
ମହୁଆ ଦଳର ଏହି ପୋଷ୍ଟକୁ ସେୟାର କରି ଲେଖିଥିଲେ, ଭାରତରେ ମହିଳାଙ୍କ ପ୍ରତି ଘୃଣା ବିସ୍ତାର ପ୍ରବୃଦ୍ଧି ସବୁ ଦଳରେ ଅଛି। ଟିଏମ୍ସି ଏଥିପାଇଁ ଅଲଗା କାରଣ ଏଭଳି ଅପମାନଜନକ ଟିପ୍ପଣୀକୁ ନିନ୍ଦା କରେ, ସେ ଯେ କେହି ବି ଏପରି ମନ୍ତବ୍ୟ ଦିଅନ୍ତୁ ନା କାହିଁକି। ଗତ ଏପ୍ରିଲ ୪ରେ ମଧ୍ୟ ଦୁଇ ସାଂସଦଙ୍କ ମଧ୍ୟରେ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ କଥା କଟାକଟି ହୋଇଥିଲା। ବିବାଦ ଏତେ ବଢ଼ିଥିଲା ଯେ ବାନାର୍ଜୀଙ୍କୁ ଗିରଫ କରିବାକୁ ମହୁଆ ସେଠାରେ ଥିବା ସୁରକ୍ଷାକର୍ମୀମାନଙ୍କୁ କହିଥିଲେ।
